୨୦୧୭କୁ ବିଦାୟ ଦେଇ ନୂଆବର୍ଷ ୨୦୧୮କୁ ସ୍ୱାଗତ କରିବାକୁ ଆରମ୍ଭ ହୋଇଗଲାଣି ଓଲଟଗଣତି। ଏଥିପାଇଁ ରାଜଧାନୀରେ ହୋଇଛି ବ୍ୟାପକ ଆୟୋଜନ। କେଉଁଠି ଡିଜେ ଡ୍ୟାନ୍ସ୍ର ଧମାକା ତ ଆଉ କେଉଁଠି ଓଲିଉଡ୍ କଣ୍ଠଶିଳ୍ପୀଙ୍କ ଜଲଓ୍ଵା। ରାଜଧାନୀର ବିଭିନ୍ନ ତାରକା ହୋଟେଲରେ ‘ଜିରୋ ନାଇଟ୍’ ସେଲିବ୍ରେସନ୍କୁ ନେଇ ହୋଇଥିବା ଯୋଜନା ସଂପର୍କରେ ସ୍ୱତନ୍ତ୍ର ଉପସ୍ଥାପନା।
ପିପିଲି ଚାନ୍ଦୁଆ ଓ ଗାଁର ପରିବେଶ ଆଣିଦେବ ନୂତନ ଅନୁଭବ
ରାଜଧାନୀର ପ୍ରମୁଖ ହୋଟେଲ ମେଫେୟାରରେ ମଧ୍ୟ ନୂଆବର୍ଷ ପାଳନକୁ ସ୍ୱତନ୍ତ୍ର ଢଙ୍ଗରେ ପାଳନ କରାଯିବାର ବ୍ୟବସ୍ଥା ହୋଇଛି। ହୋଟେଲ୍ର ସେଣ୍ଟ୍ରାଲ୍ ହଲ୍ରେ ହେବାକୁ ଥିବା ନିୟୁଇୟର୍ ସେଲିବ୍ରେସନ୍କୁ ଗ୍ରାମ୍ୟ ପରିବେଶର ଥିମ୍ରେ ସଜାଜିବ। ପିପିଲି ଚାନ୍ଦୁଆର କାରୁକାର୍ଯ୍ୟପୂର୍ଣ୍ଣ ସାଜସଜ୍ଜା ସହିତ ଗାଁର ଚାଳଘରକୁ ନେଇ ସ୍ୱତନ୍ତ୍ର ଡିଜାଇନ୍ ସେଲିବ୍ରେସନରେ ସାମିଲ୍ ଜନତାଙ୍କୁ ଆଣିଦେବ ଭିନ୍ନ ଅନୁଭୂତି। ବିଶ୍ୱସ୍ତରୀୟ ଖାଦ୍ୟ ପାନୀୟ ସାଙ୍ଗକୁ ସ୍ଥାନୀୟ ଅର୍କେଷ୍ଟ୍ରା ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମାଧ୍ୟମରେ ପୁରୁଣା ବର୍ଷକୁ ବିଦାୟ ଦିଆଯିବ। ମାତ୍ର ୧୫୦ କପୁଲଙ୍କ ନିମନ୍ତେ ଆୟୋଜିତ ଏହି ପାର୍ଟିର ଏଣ୍ଟ୍ରି ଫି ୧୦,୦୦୦ ଟଙ୍କା ରହିଛି। ହୋଟେଲ୍ର ସେଫ୍ମାନଙ୍କ ପକ୍ଷରୁ ଚଳିତ ନୂଆବର୍ଷ ପାଳନ ଅବସରରେ ଚିଙ୍ଗୁଡ଼ି, ଚିକେନ୍ ତଥା ବିଭିନ୍ନ ଫିସ୍ର ସ୍ୱତନ୍ତ୍ର ଲାଇଭ୍ ଗ୍ରିଲ୍ଡ ଆଇଟମ୍ ମୁଖ୍ୟ ଆକର୍ଷଣ ହେବା ନେଇ ସୂଚନା ମିଳିଛି। ସେହିପରି ଲାଗୁନ୍ରେ କେବଳ ଇନ୍ହାଉସ୍ ଅତିଥିଙ୍କ ନିମନ୍ତେ ପାର୍ଟିର ବ୍ୟବସ୍ଥା ହୋଇଥିବା ସୂଚନା ମିିଳିଛି।
ଦି କାଉଣ୍ଟ୍ଡାଉନ୍ ଏନ୍ଓ୍ଵାଇଇ-୨୦୧୮
ମନ ମୋହିବେ ଓଡ଼ିଆ କଣ୍ଠଶିଳ୍ପୀ
ହୋଟେଲ୍ ସୂର୍ଯ୍ୟାଂଶରେ ନିୟୁଇୟର୍ ପାଳନର ଥିମ୍ ରହିଛି ଦି କାଉଣ୍ଟ୍ଡାଉନ୍ ଏନ୍ଓ୍ଵାଇଇ-୨୦୧୮। ଡିଜେ ଗୀତ ସହିତ କୋଲକାତାରୁ ଆସୁଥିବା ନୃତ୍ୟଦଳ ୨୦୧୭କୁ ବିଦାୟ ଦେଇ ୨୦୧୮କୁ ସ୍ୱାଗତ କରିବା ନେଇ ରଙ୍ଗିନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବେ। ରାତି ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ହେବାକୁ ଥିବା ଏହି ନିୟୁଇୟର୍ ବାସ୍ ନିମନ୍ତେ ଷ୍ଟାଗ୍ ଏଣ୍ଟ୍ରି ଫି ୨୦୦୦ଟଙ୍କା ରହିଥିବା ବେଳେ କପୁଲ୍ଙ୍କ ପାଇଁ ୩୫୦୦ ଟଙ୍କା ରହିଛି। ବିଭିନ୍ନ ପ୍ରକାର ଦେଶୀ ବିଦେଶୀ ଖାଦ୍ୟ ସହିତ ପାନୀୟ ନବବର୍ଷ ପାଳନକୁ ରଙ୍ଗିନ କରିବ। ସେହିପରି ନୂଆବର୍ଷ ଦିନ ପ୍ରସିଦ୍ଧ ଓଡ଼ିଆ ଗାୟକମାନଙ୍କୁ ନେଇ ‘ସ୍ମୃତିରେ’ ଆୟୋଜିତ ହେବ। କେବଳ ଓଡ଼ିଆ ଗୀତକୁ ନେଇ ହେବାକୁ ଥିବା ଏହି ଅଭିନବ ଆସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସୁବାସ ଦାସ, ତାନ୍ସେନ ସିଂ, ଶେଖର ଘୋଷ ପ୍ରମୁଖ ଯୋଗଦେବେ। ଏହି ବିଶେଷ କାର୍ଯ୍ୟକ୍ରମ ୨୦୧୮ର ପ୍ରଥମ ସନ୍ଧ୍ୟାକୁ ବିଶେଷ ଆକର୍ଷଣୀୟ କରିବା ନେଇ ସୂଚନା ମିଳିଛି।
ସ୍ୱସ୍ତି ପ୍ରିମିୟମ୍ରେ ‘ସିମର-୨୦୧୮’
ଡିଜେ ଅନୀଶା ଓ ଓଲିଉଡ୍ ଗାୟକ ମାଧବ ଝୁମେଇବେ
ହୋଟେଲ ସ୍ୱସ୍ତି ପ୍ରିମିୟମ୍ରେ ନୂଆବର୍ଷକୁ ଧୁମ୍ଧାମରେ ପାଳନ କରାଯିବ। ‘ସିମର-୨୦୧୮’ ନାମରେ ନାମିତ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିବେ କୋଲକାତାରୁ ଆସୁଥିବା ଡିଜେ ଅନୀଶା। ସେହିପରି ଓଲିଉଡ୍ ଗାୟକ ମାଧବ ମଧ୍ୟ ନିଜର ସୁରିଲା ଆନ୍ଦାଜରେ ସିମର-୨୦୧୮ରେ ରଙ୍ଗ ଆଣିଦେବେ। ଡିଜେ ଅନୀଶା ବଲିଉଡ୍ ତଥା ବିଭିନ୍ନ ହଲିଉଡ୍ ର୍ୟାପ୍ରେ ଜିରୋ ନାଇଟ ସେଲିବ୍ରେସନରେ ଉନ୍ମାଦନା ଭରିଦେବେ। ସନ୍ଧ୍ୟା ୭.୩୦ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ମଧ୍ୟରାତ୍ରି ପର୍ଯ୍ୟନ୍ତ ଚାଲିବ। କେବଳ କପଲ୍ମାନଙ୍କୁ ଅନୁମତି ଥିବା ଏହି କାର୍ଯ୍ୟକ୍ରମ ନିମନ୍ତେ ଏଣ୍ଡ୍ରି ଫି ରହିଛି ୬୫୦୦ ଟଙ୍କା। ସିମର-୨୦୧୮ର ବିଶେଷତ୍ୱ ହେଉଛି ଏହି ଅବସରରେ ହେବାକୁ ଥିବା ଲକି ଡ୍ର। ଏହି ଲକି ଡ୍ର ବିଜେତାମାନେ ମାଳଦୀପ, ଆଗ୍ରା, ଗୋଆ, ଚେନ୍ନାଇ, ପୁରୀ, ଗୋପାଳପୁର, ବିଶାଖାପାଟଣା ଆଦି ସ୍ଥାନକୁ ହୋଟେଲ ପକ୍ଷରୁ ଦୁଇ ରାତି ଓ ତିନି ଦିନ ମାଗଣା ବୁଲିଯିବାର ସୁଯୋଗ ପାଇବେ। ଏହାଛଡ଼ା ନୂଆବର୍ଷ ପାଳନ ଅବସରରେ ହୋଟେଲ ପକ୍ଷରୁ ବିଭିନ୍ନ ପ୍ରକାର ସୁସ୍ୱାଦୁ ବ୍ୟଞ୍ଜନ ସହିତ ସ୍ୱତନ୍ତ୍ର ଲାଭିସ୍ ବୁଫେର ବ୍ୟବସ୍ଥା ରହିଛି। ଏହି ଅବସରରେ ହୋଟେଲ୍ର ପାନୋରାମା ରେଷ୍ଟୁରାଣ୍ଟ୍, ଚନ୍ଦନ ରେଷ୍ଟୁରାଣ୍ଟ୍ ଓ ପ୍ଲାଜା କ୍ଲବ୍ ଆଦିରେ ଲାଇଭ୍ ଗଜଲ୍ ସୋ’ର ମଧ୍ୟ ବ୍ୟବସ୍ଥା ରହିଥିବା ସୂଚନା ମିଳିଛି।
ହୋଟେଲ ନ୍ୟୁ ମାରିୟନ୍
ଆକର୍ଷଣ ସାଜିବେ ସାରେଗାମାର ରୁପାଲି
ନୂଆବର୍ଷର ସ୍ୱାଗତ ପାଇଁ ହୋଟେଲ୍ ନ୍ୟୁ ମାରିୟନ ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି। ଏଥିପାଇଁ ମୁଖ୍ୟ ଆକର୍ଷଣ ଭାବେ ସାରେଗାମାର ରୁପାଲି ଜାଗା ଯୋଗଦେବେ। ରୁପାଲିଙ୍କ ଗୀତ ସାଙ୍ଗକୁ ଗୁଡ୍ଲି ରଥଙ୍କ ମ୍ୟୁଜିକ୍ ବ୍ରାଣ୍ଡ୍ ଓ ଡିଜେ ସ୍ୱାନ୍ ତାଳେ ତାଳେ ଝୁମିବେ ଦର୍ଶକ । ସେହିପରି ରାତିକୁ ଆହୁରି ରଂଗିନ କରିବା ପାଇଁ ଡ୍ୟାନ୍ସ ଗ୍ରୁପର ବ୍ୟବସ୍ଥା କରାଯାଇଛି। ଏହା ସାଙ୍ଗକୁ ସ୍ନାକ୍ସ, ସୁସ୍ୱାଦୁ ରାତ୍ରିଭୋଜନ ଓ ବିଭିନ୍ନ ପାନୀୟର ବ୍ୟବସ୍ଥା ମଧ୍ୟ କରାଯାଇଛି। କାର୍ଯ୍ୟକ୍ରମ ସନ୍ଧ୍ୟା ୭ଟାରୁ ଆରମ୍ଭ ହୋଇ ରାତି ୧୨ ପର୍ଯ୍ୟନ୍ତ ଚାଲିବ। ରାତି ୧୨.୧୫ ମଧ୍ୟରେ କାର୍ଯ୍ୟକ୍ରମ ସମାପ୍ତ କରଯିବ। କପଲ୍ମାନଙ୍କ ପାଇଁ ଏଣ୍ଟ୍ରି ଫି’ ୭ ହଜାର ଟଙ୍କା ରଖାଯାଇଥିବା ବେଳେ ଷ୍ଟାଗ୍ଙ୍କ ପାଇଁ ସାଢ଼େ ୫ ହଜାର ଟଙ୍କା ରଖାଯାଇଥିବା ହୋଟେଲର ଜିଏମ୍ ସମୀର ଅଲ୍ଲୀ କହିଛନ୍ତି।
ମତୁଆଲା କରିବେ ଇଣ୍ଡିଆନ୍ ଆଇଡଲ୍ ଜୁନିଅର୍ର ଦେବଞ୍ଜନା
୩୧ ଡିସେମ୍ବର ରାତିକୁ ମନୋରଞ୍ଜନର ସହ ବିଦାୟ ଦେବା ପାଇଁ ହୋଟେଲ୍ ହିନ୍ଦୁସ୍ଥାନ ଇଣ୍ଟରନ୍ୟାସନାଲ(ଏଚ୍ଏଚ୍ଆଇ) ପକ୍ଷରୁ ତିନି ପ୍ରକାରର ବ୍ୟବସ୍ଥା କରାଯାଇଛି। ତେବେ ସେହି ଦିନ ମୁଖ୍ୟ ଆକର୍ଷଣ ଭାବେ ନିଜ ସଂଗୀତରେ ମତୁଆଲା କରିବେ ଇଣ୍ଡିଆନ୍ ଆଇଡଲ୍ ଜୁନିୟରର ଉପ ବିଜେତା ଦେବଞ୍ଜନା କର୍ମକାର। ତେବେ ପୁଲ୍ ସାଇଡ୍, କ୍ରିଷ୍ଟାଲ୍ ଓ ଭୂତଳ ତିନିଟି ସ୍ଥାନରେ ତିନିଟି କାର୍ଯ୍ୟକ୍ରମ ରାଖାଯାଇଛି। ପୁଲ୍ ସାଇଡ୍ରେ ଦେବଞ୍ଜନାଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ କ୍ରିଷ୍ଟାଲରେ କୋଲକାତାର ଡ୍ୟାନ୍ସ ଗ୍ରୁପ୍ ସାଙ୍ଗକୁ ଡିଜେ ନାଇଟ୍ ବ୍ୟବସ୍ଥା ରହିଛି। ସେହିପରି ଭୂତଳରେ କେବଳ ଡିଜେ କାର୍ଯ୍ୟକମ ରହିଛି। ପୁଲ୍ସାଇଡ୍ରେ ଉଭୟ କପଲ୍ ଓ ଷ୍ଟାଗଙ୍କୁ ଅନୁମତି ଥିବା ବେଳେ କ୍ରିଷ୍ଟାଲ୍ ଓ ଭୂତଳରେ କେବଳ କପଲ୍ମାନଙ୍କୁ ଅନୁମତି ରହିଛି। ପୁଲସାଇଡ୍ ଏଣ୍ଟ୍ରି ପାଇଁ କପଲମାନଙ୍କୁ ସାଢ଼େ ୫ ହଜାର ଟଙ୍କା ଓ ଷ୍ଟାଗ୍ଙ୍କ ପାଇଁ ୪ହଜାର ଟଙ୍କା ରଖାଯାଇଥିବା ବେଳେ କ୍ରିଷ୍ଟାଲ ଏଣ୍ଟ୍ରି ପାଇଁ ୭ ହଜାର ଓ ଭୂତଳ ପାଇଁ ୩ହଜାର ଟଙ୍କା ରଖାଯାଇଛି। କାର୍ଯ୍ୟକ୍ରମ ସନ୍ଧ୍ୟା ସାଢ଼େ ୭ଟାରୁ ଆରମ୍ଭ ହୋଇ ପୁଲିସରୁ ମିଳିଥିବା ଅନୁମତି ସମୟ ପର୍ଯ୍ୟନ୍ତ ଚାଲିବ ବୋଲି ଏଜିଏମ୍ ରବୀନ୍ଦ୍ର ନାୟକ କହିଛନ୍ତି।