ଭୁବନେଶ୍ବର: ହକି ବିଶ୍ବକପ୍‌ ସମୟରେ ସହରରେ ଟ୍ରାଫିକ୍ ପରିଚାଳନାକୁ ନେଇ ଆଜି କମିସନରେଟ୍‌ ପୁଲିସ୍‌ ପକ୍ଷରୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଟ୍ରାଫିକ୍‌ ପୋଷ୍ଟ ନବୀକରଣଠାରୁ ଆରମ୍ଭ କରି ସବୁଠି ସୂଚନାଫଳକ ଲଗାଯିବା ଆଦି ସବୁ ଉପରେ ଆଲୋଚନା କରାଯିବା ସହ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁଯାୟୀ, ପ୍ରତି ଛକରେ ଥିବା ସିସିଟିଭି କ୍ୟାମେରା ଓ ସିଗ୍‌ନାଲ୍‌କୁ ରିତିମତ ଯାଞ୍ଚ କରାଯିବ। ଗ୍ରିନ୍‌-କରିଡର୍‌ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ବାମପଟରେ କୌଣସି ଗାଡ଼ି ଠିଆ ହୋଇ ରହିବ ନାହିଁ। ସେହିପରି ପ୍ରତିଦିନ ସହରର ଟ୍ରାଫିକ୍‌ ସ୍ଥିତି ଟ୍ବିଟର୍‌, ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ ଅପ୍‌ଡେଟ୍‌ କରାଯିବ। ସୋସିଆଲ ମିଡିଆ ଜରିଆରେ ମଧ୍ୟ ଲୋକେ ନିଜ ଅସୁବିଧା ଜଣାଇ ପାରିବେ। ଏଥିପାଇଁ ସ୍ମାର୍ଟସିଟି ଅଫିସ୍‌ରେ ଏକ କଣ୍ଟ୍ରୋଲ୍‌ ରୁମ୍‌ କରାଯିବ। ସେଠାରେ ଜଣେ ଇନ୍‌ସ୍ପେକ୍ଟର୍ ରୢାଙ୍କର ଅଧିକାରୀ ଦାୟିତ୍ବରେ ରହିବେ। ସେଠାରୁ ସେ ସମସ୍ତ ସ୍ଥିତି ଉପରେ ନଜର ରଖି ଟ୍ରାଫିକ୍‌ ପରିଚାଳନା କରିବେ।

Advertisment

ବେଆଇନ ପାର୍କିଂକୁ କୌଣସି ମତେ ବରଦାସ୍ତ କରାଯିବ ନାହିଁ। ନୋ-ପାର୍କିଂ ଜୋନ୍‌ରେ ପାର୍କିଂ କଲେ ଗାଡ଼ିକୁ ଉଠାଇ ନିଆଯିବ। ଗାଡ଼ି ମୁକୁଳାଇବା ପାଇଁ ଅମାନିଆଙ୍କୁ ମୋଟା ରକମର ତଣ୍ଡ ଗଣିବାକୁ ପଡ଼ିବ। ଏଥିପାଇଁ କମିସନରେଟ୍‌ ପୁଲିସ, ବିଡିଏ, ବିଏମ୍‌ସି, ପିଡବ୍ଲୁଡି, ବିଏସ୍‌ସିଏଲ୍‌, ଏନ୍‌ଏଚ୍‌ଏଆଇ ଏବଂ ଆର୍‌ ଆଣ୍ଡ ବି ପକ୍ଷରୁ ମିଳିତ ଭାବେ ୮୦କିମି ବ୍ୟାପି ୧୪ଟି ସ୍ଥାନକୁ ଚିହ୍ନଟ କରାଯାଇଛି। ସେଗୁଡ଼ିକ ହେଲା, ୟୁନିଟ୍‌-୨ ମାର୍କେଟ୍‌ ରାସ୍ତା ପାର୍ଶ୍ବଠାରୁ ଆରମ୍ଭ କରି ସୁର୍‌ କମ୍ପାନି ଛକରୁ ଗଙ୍ଗନଗର, ରାଜମହଲରୁ ଫାଳିକିଆ ବଜାର, ୧୨୦ ବାଟାଲିୟନ୍‌ରୁ ରବୀନ୍ଦ୍ର ମଣ୍ଡପ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମ୍ମୁଖ, ଜୟଦେବ ବିହାରରୁ ଡମଣା, ଡମଣାରୁ ନନ୍ଦନକାନନ ଏବଂ ରିଜର୍ଭ ପୁଲିସ ଅଞ୍ଚଳ, ନାଲ୍‌କୋ ଛକରୁ ଉତ୍କଳ ହସ୍ପିଟାଲ୍‌ ଭାୟା କଳିଙ୍ଗ ହସ୍ପିଟାଲ, ସିଆର୍‌ପିରୁ ଷ୍ଟିୱାର୍ଟ ସ୍କୁଲ, ଫାୟାର ଷ୍ଟେସନ୍‌ରୁ ପଟାସ୍‌ ଛକ, ଆଇଗିଣିଆ ଅଣ୍ଡରପାସ୍‌ରୁ ଖଣ୍ଡଗିରି ଫ୍ଲାଏଓଭର୍‌, ଖୋର୍ଦ୍ଧାରୁ ଭୁବନେଶ୍ବର ସର୍ଭିସ୍‌ ରୋଡ୍‌ପାର୍ଶ୍ବ, ବରମୁଣ୍ଡା କାଳୀମନ୍ଦିରରୁ ଖଣ୍ଡଗିରି ଫ୍ଲାଏଓଭର୍‌, ଜାତୀୟ ରାଜପଥର ଉଭୟ ପାର୍ଶ୍ବ ଏବଂ ୟୁନିଟ୍‌-୧ ମାର୍କେଟ୍‌ ଅଞ୍ଚଳ। ଏହି ଚିହ୍ନଟ ସ୍ଥାନଗୁଡ଼ିକରେ ଗାଡ଼ି ପାର୍କିଂ ନକରିବା ପାଇଁ କଡ଼ା ନିର୍ଦ୍ଦେଶ କରାଯାଇଛି। ଏଥିସହ ସହିଦନଗର ଓ ୟୁନିଟ୍‌-୨ ଅଞ୍ଚଳରେ ଥିବା ବହୁତଳ ପାର୍କିଂରେ ଗାଡ଼ି ରଖିବାକୁ ଲୋକମାନଙ୍କୁ ସଚେତନ କରାଯାଇଛି। ଯେଉଁମାନେ ନିୟମ ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୁଲିସ ଚେତାବନୀ ଦେଇଛି।

ଅମାନିଆଙ୍କ ଉପରେ ନଜର ରଖିବା ସହ କ୍ଷେତ୍ର ପରିଚାଳନା ପାଇଁ ୫ଜଣ ଏସିପିଙ୍କ ଅଧୀନରେ ୧୮ଏସ୍ଆଇ, ୧୫ଜଣ ଏଏସଆଇ ନିୟୋଜିତ ରହିବେ। ଅଧିକ ୨୦ ପ୍ଲାଟୁନ୍‌ ପୁଲିସ ବଳ ଟ୍ରାଫିକ୍‌ ପୋଷ୍ଟଗୁଡ଼ିକରେ ନିୟୋଜିତ କରାଯିବ। ଟ୍ରାଫିକ୍‌ ପୁଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଆଜିର ଏହି ବୈଠକରେ ଅତିରିକ୍ତ କମିସନର୍‌ ଉମାଶଙ୍କର ଦାଶ, ଟ୍ରାଫିକ୍‌ ଡିସିପି ଠାକୁର ପ୍ରସାଦ ପାତ୍ର, ଏସିପି ସ୍ୱସ୍ତିକ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସମସ୍ତ ଦିଗ ଉପରେ ଅଧିକାରୀ ଓ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।