ସ୍ମାର୍ଟ ଜନପଥରେ ପରିମଳକୁ ନେଇ ଶୂନ୍ୟ ସହନଶୀଳତା

୧୮ ଦୋକାନ ସିଲ୍‌, ୫୦ ଗାଡ଼ିକୁ ଚାଲାଣ

ଭୁବନେଶ୍ବର: ସ୍ମାର୍ଟ ଜନପଥରେ ସ୍ବଚ୍ଛତା ଓ ବେଆଇନ ପାର୍କିଂକୁ ନେଇ ଶୂନ୍ୟ ସହନଶୀଳତା ଘୋଷଣା କରିଛନ୍ତି ବିଏସ୍‌ସିଏଲ୍‌ ଏମ୍‌ଡି ବଲୱନ୍ତ ସିଂହ। ଏହି କ୍ରମରେ ଆଜି ଜନପଥରେ ବ୍ୟାପକ ଚଢ଼ଉ ହୋଇଛି। ଏଥିରେ ୧୮ ଦୋକାନ ସିଲ୍‌ କରାଯାଇଛି। ସେହିଭଳି ସାଇକେଲ୍‌ ଟ୍ରାକ୍‌ରେ ବେଆଇନ ଭାବରେ ବାଇକ୍‌ ପାର୍କିଂ କରି ୫୦ ଗାଡ଼ି ଚାଳକ ଜରିମାନା ଗଣିଛନ୍ତି। ସେମାନଙ୍କ ନାମରେ ୨୫ ହଜାର ଟଙ୍କାର ଚାଲାଣ କଟାଯାଇଛି। କମିସନର ବିଜୟ ଅମୃତା କୁଲାଙ୍ଗେ ଓ ବିଏସ୍‌ସିଏଲ୍‌ ଜିଏମ୍‌ କମଲ୍‌ଜିତ୍‌ ଦାସଙ୍କ ନେତୃତ୍ବରେ ସକାଳେ ଓ ସନ୍ଧ୍ୟାରେ ଦୁଇଥର ବିଏସ୍‌ସିଏଲ୍‌ର ଏନ୍‌ଫୋର୍ସମେଣ୍ଟ ଟିମ୍‌ ଚଢ଼ଉ କରିଛି।

ସ୍ବଚ୍ଛତା ବଜାୟ ରଖିବା ପାଇଁ ବ୍ୟବସାୟୀମାନଙ୍କୁ ତାଗିଦ୍‌ କରାଯାଇଛି। ବାରମ୍ବାର ତ୍ରୁଟିକୁ ଦୋହରାଉଥିବା ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟବସାୟୀଙ୍କର ଲାଇସେନ୍ସ ବାତିଲ କରାଯିବ ବୋଲି କୁହାଯାଇଛି। ଆଜି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ବ୍ୟବସାୟୀଙ୍କ ମଧ୍ୟରେ ସର୍ବାଧିକ ଖାଦ୍ୟ ପଦାର୍ଥ ବ୍ୟବସାୟୀ ରହିଛନ୍ତି। ସ୍ବୀକୃତିପ୍ରାପ୍ତ ଅଞ୍ଚଳ ଠାରୁ ବାହାରେ ଚଉକି ପକାଇ ବ୍ୟବସାୟ କରିବା ସହ ପବ୍ଲିକ୍‌ ପ୍ଲାଜା ଓ ଫୁଟ୍‌ପାଥ୍‌ ଜବରଦଖଲ କରିଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି। କେତେକ ଜାଗାରେ ଆବର୍ଜନା ଏଣେତେଣେ ପଡ଼ିଥିବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।

ସମ୍ବନ୍ଧିତ ଖବର