ଭୁବନେଶ୍ୱର: ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସଂଗ୍ରହାଳୟର ପରିସରକୁ ପ୍ଲାଷ୍ଟିକ୍ ମୁକ୍ତ ଓ ପ୍ରଦୂଷଣ ମୁକ୍ତ କରିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ ହୋଇଛି। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ପୂର୍ବାଞ୍ଚଳ କାର୍ଯ୍ୟାଳୟର ଅତିରିକ୍ତ ପିସିସିଏଫ୍ ଡ. ଆର୍ କେ ଦେ ଯୋଗ ଦେଇ ପ୍ଲାଏଉଡ୍, କାଠ, ପେପର୍, କାର୍ଡ ବୋର୍ଡରେ ତିଆରି ଜିରାଫ୍ ଓ ସିଂହୀକୁ ଉଦ୍ଘାଟନ କରିଛନ୍ତି। ଆଜିକାଲି ପ୍ଲାଷ୍ଟିକ୍ର ବ୍ୟବହାର ଫଳରେ ପରିବେଶ ନଷ୍ଟ ହେବା ସହିତ ଜୀବଜନ୍ତୁଙ୍କର ମୃତ୍ୟୁ ବଢ଼ିବାରେ ଲାଗିଛି। ସେମାନଙ୍କର ସୁରକ୍ଷା ପାଇଁ ପରିବେଶର ସନ୍ତୁଳନ ରକ୍ଷା କରିବା ଉଚିତ୍ ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଭାବେ ଆଇଏମ୍ଏମ୍ଟିର ବୈଜ୍ଞାନିକ ଡ.ମନୀଷ କୁମାର ଯୋଗଦେଇ ‘ଜୈବ ବିବିଧତା ଓ ପରିବେଶ’ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ। ପରିବେଶକୁ କିଭଳି ନିର୍ମଳ, ପ୍ଲାଷ୍ଟିକ୍ ମୁକ୍ତ ରଖିହେବ ତାହା ଉପରେ ଆଲୋଚନା କରିଥିଲେ। ଜୈବ ବିବିଧତା କ୍ଷୟ ହେବାର ମୁଖ୍ୟ ପ୍ରକ୍ରିୟା ହେଉଛି ପାଣିପାଗ ପରିବର୍ତ୍ତନ। ସେଥିପାଇଁ ଏହାର ସୁରକ୍ଷା ପାଇଁ ଲୋକେ ସଚେତନ ହେବା ଦରକାର ବୋଲି ସେ କହିଥିଲେ। ସମ୍ମାନିତ ଅତିଥି ଭାବେ ରାଜସ୍ଥାନର ରାଜୀବ ଗାନ୍ଧୀ ଆଞ୍ଚଳିକ ବିଜ୍ଞାନ ସଂଗ୍ରହାଳୟର ବୈଜ୍ଞାନିକ ଡ. ଅର୍ଜୁନ ପ୍ରସାଦ ତିଓ୍ଵାରୀ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରିୟମ୍ବଦା ମହାନ୍ତି ହେଜମାଦୀ ଯୋଗଦେଇଥିଲେ। ଏହି ଅବସରରେ ଗତ ୫ ତାରିଖରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସଂଗ୍ରାହଳୟ ଅଧିକାରୀ ବୈଜ୍ଞାନିକ ଗୌରବ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ବୈଜ୍ଞାନିକ ଦେବୀ ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
ସିଂହୀ, ଜିରାଫର ପ୍ରତିକୃତି ଲୋକାର୍ପିତ
ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ଚତୁର୍ଦ୍ଦଶ ପ୍ରତିଷ୍ଠା ଦିବସ
/sambad/media/post_attachments/wp-content/uploads/2018/08/m19-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)