‌‌ମୋତେ ଭୋଟ୍‌ ଦିଅ, ମୁଁ ସେବା କରିବି: ୧୬ ନମ୍ବର ଜୋନ୍‌ରେ ଗୋଳମାଳିଆ ଚିତ୍ର

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ଅଧୀନ ଖୋର୍ଦ୍ଧା ଜିଲ୍ଲା ପରିଷଦ ୧୬ ନମ୍ବର ଜୋନ୍‌ରେ ନିର୍ବାଚନ ଲଢ଼େଇ ଜୋର୍‌ଦାର୍‌ ହେଉଛି। ଏଠାରେ ବିଜେଡି, ବିଜେପି ଓ କଂ‌ଗ୍ରେସ ପ୍ରାର୍ଥୀ ଦେଇଥିବା ବେଳେ ଅସନ୍ତୁଷ୍ଟ ବିଜେଡିରୁ ଜଣେ ସ୍ବାଧୀନ ଭାବେ ମଇଦାନରେ ଅଛନ୍ତି। ତେଣୁ ବିଜେଡିର ଗୋଷ୍ଠୀ କନ୍ଦଳରୁ ଫାଇଦା ଉଠାଇବାକୁ ବିଜେପି ଓ କଂଗ୍ରେସ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଥିବା କୁହାଯାଉଛି। ବିଜେଡି ଓ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ଦ୍ବୟ ସ୍ଥାନୀୟ ଅଞ୍ଚଳର ପୁରୁଖା ‌ନେତା ହୋଇଥିବାରୁ ସେମାନଙ୍କୁ ନେଇ ବେଶି ଚର୍ଚ୍ଚା ହେଉଛି। ତେବେ ଏହି ଜୋନ୍‌ର ଚିତ୍ର ବଡ଼ ଗୋଳମାଳିଆ ବୋଲି ଚର୍ଚ୍ଚା ହେଉଛି। ଏହି ଜୋନ୍‌ରେ ମହେଶ୍ବର ଦାଶ ବିଜେଡି ପ୍ରାର୍ଥୀ ହୋଇଛନ୍ତି। ସେ ଗତ ଥର ଜଗନ୍ନାଥପୁର ପଞ୍ଚାୟତରୁ ସମିତି ସଭ୍ୟ ଭାବେ ଜିତିଥିଲେ। ତାଙ୍କ ବିପକ୍ଷରେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀ ହୋଇଛନ୍ତି ତୈଲୋକ୍ୟ ମଙ୍ଗରାଜ। ଶ୍ରୀ ମଙ୍ଗରାଜ ଜଣେ ଆଇନଜୀବୀ ଓ ପୂର୍ବରୁ ଥରେ ସରପଞ୍ଚ ଓ ଥରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ। ସେ ୨୦୧୨ ମସିହାରେ ଭିଙ୍ଗାରପୁର ପଞ୍ଚାୟତର ସରପଞ୍ଚ ଥିବା ବେଳେ ୨୦୧୭ ମସିହାରେ ବେଣ୍ଟପୁର ପଞ୍ଚାୟତର ସମିତି ସଭ୍ୟ ଥିଲେ। ଏଠାରେ ବିଜେପି ପକ୍ଷରୁ ସିଦ୍ଧେଶ୍ବର ନାଥ ଓ କଂଗ୍ରେସ ପକ୍ଷରୁ ମହମ୍ମଦ ସମ୍‌ଦ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଫାଟରୁ ଏହି ଦୁଇ ପ୍ରାର୍ଥୀ କି ପ୍ରକାର ଫାଇଦା ଉଠାଇବେ, ତାହାକୁ ନେଇ ସମଗ୍ର ଜୋନ୍‌ରେ ଉତ୍ସୁକତା ଦେଖାଯାଇଛି। ସୂଚନାଯୋଗ୍ୟ, ଏହି ଜୋନ୍‌ରେ ବାଲିଅନ୍ତା, ବେଣୁପୁର, ଜଗନ୍ନାଥପୁର ଓ ବଇଁଚୁଆ ପଞ୍ଚାୟତ ରହିଛି।

ସମ୍ବନ୍ଧିତ ଖବର