ଜୋନ୍‌ସ୍ତରୀୟ ‘ସମ୍ବାଦ ସାରେଗାମା’ ପ୍ରତିଯୋଗିତା: ଶୁଭ୍ରାଂଶ, ପାୟଲ୍‌ ଓ ଅଭିଷେକଙ୍କୁ ବିଜୟ ମୁକୁଟ

ଭୁବନେଶ୍ୱର: ବିଜୟ ମୁକୁଟ ପାଇଁ ଚାଲିଥିଲା ଜୋରଦାର୍‌ ଲଢ଼େଇ। କିଏ ଉଚ୍ଚ-ନୀଚ ସ୍କେଲରେ ଗୀତ ଗାଇ ଦର୍ଶକ ଓ ବିଚାରକଙ୍କ ହୃଦୟ ଜିତିବାକୁ ଚେଷ୍ଟା କରୁଥିଲା ତ କିଏ ମହାପ୍ରଭୁଙ୍କ ସୁମରଣା କରି ଆଧ୍ୟାତ୍ମିକ ପରିବେଶ ଭରୁଥିଲା; ଆଉ ପୁଣି କିଏ ନିଜର ସୁରିଲା କଣ୍ଠରେ ହଜିଲା ଦିନର ଓଡ଼ିଆ ଚିରସବୁଜ ଗୀତ ପରସି ଦେଉଥିଲା। ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରସ୍ଥିତ ଉତ୍କଳ ରଙ୍ଗମଞ୍ଚ ପ୍ରେକ୍ଷାଳୟ‌‌ରେ ‘ସମ୍ବାଦ’ ଓ ‘ରେଡିଓ ଚକ୍‌ଲେଟ୍‌’ ପକ୍ଷରୁ ଆୟୋଜିତ ଭୁବନେଶ୍ୱର ଜୋନ୍‌ସ୍ତରୀୟ ପ୍ରତିଯୋଗିତା ‘ସାରେଗାମା’‌ରେ ଆଜି ସ୍ୱର ଓ ତାଳର ଏଭଳି ମହାସମର ଦେଖିବାକୁ ମିଳିଥିଲା।

ପୂର୍ବାହ୍ନ ପ୍ରାୟ ୧୧ଟାରେ ଶ୍ରୀଜଗନ୍ନାଥଙ୍କ ଭଜନ ମୋତେ କରିଦେ କଳାତୁଳସୀ…ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଅପରାହ୍‌ଣ ୩ଟା ଯାଏ ଚାଲିଥିଲା। ପ୍ରତିଯୋଗିତାରେ ଖୋର୍ଧା, ନୟାଗଡ଼ ଓ ପୁରୀ ଜିଲ୍ଲାର ବହୁ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ମୋଟ୍‌ ୫୨ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ବେଳେ ଡିପିଏସ୍‌, କଳିଙ୍ଗର ଛାତ୍ର ଶୁଭ୍ରାଂଶୁ ଶେଖର ମିଶ୍ର ପ୍ରଥମ, ରମାଦେବୀ ମହାବିଦ୍ୟାଳୟର ଛାତ୍ରୀ ପାୟଲ ମହାନ୍ତି ଦ୍ୱିତୀୟ ଓ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଅଭିଷେକ ରାୟ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ସହ ନଗଦ ଅର୍ଥରାଶି ଦେଇ ପୁରସ୍କୃତ କରାଯାଇଥିଲା। ଆସନ୍ତା ଅକ୍ଟୋବର ୮ ତାରିଖରେ ଏମାନେ ରାଜ୍ୟସ୍ତରୀୟ ‘ସମ୍ବାଦ ସାରେଗାମା’ ପ୍ରତିଯୋଗିତାରେ ଭାଗ ନେବେ।

ପ୍ରତିଯୋଗିତା ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ପରିଲକ୍ଷିତ ହୋଇଥିଲା। ନିର୍ଧାରିତ ସମୟର ବହୁ ପୂର୍ବରୁ ପହଞ୍ଚି ପ୍ରତିଯୋଗୀମାନେ ରିହର୍ସା‌ଲ୍‌ ଜାରି ରଖିଥିଲେ। ନିରୋଳା ସ୍ଥାନ ପାଇ ଗୀତ ଗୁଣୁଗୁଣେଇ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା। ପ୍ରତିଯୋଗୀମାନେ ମେରେ ଡୋଲନା ସୁନ୍‌…, ଓ ପାଲନ୍‌ ହାରେ…, ନିଦ ଭରା ରାତି…, ମୁଁ ଯେ ଜାଣେନା କାହା ବାଟ…, ୟାରିଆ…, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌…, ଜହ୍ନ ଗୋ ତୁମେ ଝୁରନା… ଭଳି ହିନ୍ଦୀ, ଓଡ଼ିଆ ଚିରସବୁଜ ଗୀତ ଗାଇ ପରିବେଶରେ ମାଦକତା ଭରି ଦେଇଥିଲେ।

ପ୍ରତିଯୋଗିତାରେ ବିଚାରକ ଭାବେ ଯୋଗ ଦେଇଥିଲେ, ସଙ୍ଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍‌, ବସନ୍ତ ପାତ୍ର ଓ କଣ୍ଠଶିଳ୍ପୀ ନାଜିଆ ଆଲମ୍‌। ବାଦ୍ୟଯନ୍ତ୍ରରେ ଥିଲେ ରମେଶ ଚନ୍ଦ୍ର ବେହେରା, ଚିତ୍ତରଞ୍ଜନ ପ୍ରଧାନ, ସଞ୍ଜୟ କୁମାର ରାଉତ ଓ ଘନଶ୍ୟାମ ପୃଷ୍ଟି। ପୁରସ୍କାର ବିରତଣ କାର୍ଯ୍ୟକ୍ରମରେ ବିଚାରକମାନଙ୍କ ସହ ‘ସମ୍ବାଦ’ର ମହାପ୍ରବନ୍ଧକ (ମାନବ ସମ୍ବଳ) ବୈଜୟନ୍ତୀ କର, ଉପ-ମହାପ୍ରବନ୍ଧକ (ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ ଓ ମହାନଗର ସଂସ୍କରଣ ମୁଖ୍ୟ ଚୌଧୁରୀ ଅମିତାଭ ଦାସ ଉପସ୍ଥିତ ଥିଲେ। ରେଡିଓ ଚକ୍‌ଲେଟ୍‌ର ଆର୍‌.‌‌‌ଜେ କୋମଲ ଏହି ପ୍ରତିଯୋଗିତାକୁ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର