ଜିରୋ ନାଇଟ୍‌ : ୪୫ ଦୁର୍ଘଟଣା, ୨୫ ଆହତ

ଧରାପଡ଼ିଲେ ୮୨ରୁ ଊର୍ଦ୍ଧ୍ୱ ମଦ୍ୟପ

ଭୁବନେଶ୍ୱର : ନୂଆବର୍ଷ ପାଳନ ପୂର୍ବରୁ ଜିରୋ ନାଇଟ୍‌ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ କଡ଼ା ସୁରକ୍ଷାର ବନ୍ଦୋବସ୍ତ କରାଯାଇଥିଲା। ଭୁବନେଶ୍ୱରରେ ପାଖାପାଖି ୧୫ ପ୍ଲାଟୁନ୍‌ ପୁଲିସ ଫୋର୍ସ ନିୟୋଜିତ ହୋଇଥିଲେ। ସମଗ୍ର ଭୁବନେଶ୍ୱରକୁ ୬ଟି ଜୋନ୍‌ରେ ବିଭକ୍ତ କରାଯାଇଥିଲା। ଜଣେ ଜଣେ ଆଡିସନାଲ ଡିସିପି ର‍୍ୟାଙ୍କର ଅଧିକାରୀ ଏହି ଜୋନ୍‌ ଦାୟିତ୍ୱରେ ଥିଲେ। ସେହିପରି ଭୁବନେଶ୍ୱରର ୩୫ଟି ସମ୍ବେଦନଶୀଳ ସ୍ଥାନରେ ପୁଲିସ ପକ୍ଷରୁ ବ୍ଲକିଂ କରାଯାଇଥିଲା। କମିସନରେଟ୍‌ ପୁଲିସ ପକ୍ଷରୁ ୩୦ଟି ସ୍ଥାନରେ ନୂଆବର୍ଷ ପାଳନ କରିବାକୁ ଅନୁମତି ପ୍ରଦାନ କରାଯାଇଥିଲା।

ତେବେ ଏସବୁ ସତ୍ତ୍ୱେ ଜିରୋ ଆଓ୍ଵାର୍‌ ପୂର୍ବରୁ ଏବଂ ପରେ ରାଜଧାନୀର ୪୫ଟି ସ୍ଥାନରେ ଦୁର୍ଘଟଣା ଘଟିଥିବା ବେଳେ ୨୫ଜଣ ଗୁରୁତର ଆହତ ହୋଇଛନ୍ତି। ସେହିପରି ମଦ୍ୟପାନ କରି ବିଳମ୍ବିତ ରାତିରେ ଘୂରି ବୁଲୁଥିବା ଷ୍ଟ୍ରିଟ୍‌ ରୋମିଓଙ୍କ ନିକଟରୁ କମିସନରେଟ୍‌ ପୁଲିସ ୫୫ହଜାର ଟଙ୍କା ଜରିମାନା ଆଦାୟ କରିଛି। ପ୍ରାୟ ୮୨ରୁ ଊର୍ଧ୍ୱ ମଦ୍ୟପ ପୁଲିସ୍‌ ହାତରେ ଧରାପଡ଼ି ଏଭଳି ଦଣ୍ଡିତ ହୋଇଛନ୍ତି। ମଦ୍ୟପାନ କରି ଦ୍ରୁତ ଗତିରେ ବାଇକ୍‌ ଚଳାଉଥିବା, ସିଜର୍‌ କଟିଂ କରୁଥିବା ଏବଂ ବିନା ହେଲମେଟ୍‌ରେ ବୁଲୁଥିବା ଚାଳକଙ୍କୁ ଏପରି ଜରିମାନା କରିଛି କମିସନରେଟ୍‌ ପୁଲିସ।

ପୁଲିସ୍‌ ସୂଚନା ଅନୁଯାୟୀ ଆଜି ବିଳମ୍ବିତ ରାତିରେ ଖଣ୍ଡଗିରି, ଖାରବେଳ ନଗର, ଲିଙ୍ଗରାଜ, ଚନ୍ଦ୍ରଶେଖରପୁର, ନୂଆପଲ୍ଲୀ, ସହିଦନଗର, ମଞ୍ଚେଶ୍ୱର, କ୍ୟାପିଟାଲ ଥାନା ଅଧୀନରେ ଅଧିକ ଛୋଟ ବଡ଼ ଦୁର୍ଘଟଣା ଘଟିଛି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୧୦ ଜଣଙ୍କୁ କଟକ ବଡ଼ ମେଡ଼ିକାଲ ପଠାଇ ଦିଆଯାଇଛି। ଶ୍ରୀୟା, ରୂପାଲି, ଜୟଦେବ ବିହାର, ପଳାଶୁଣୀ, ଧଉଳି, ଏଜି, ରାଜମହଲ, ପୁରୁଣା ଭୁବନେଶ୍ୱର, କଳିଙ୍ଗ ଷ୍ଟାଡିୟମ, କଳିଙ୍ଗ ହସ୍ପଟାଲ ଛକରେ ଆଜି ଦୁର୍ଘଟଣା ଘଟିଛି। ରାତି ୧୦ଟାରୁ ୨ଟା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ଆହତ କ୍ୟାପିଟାଲ ହସ୍ପିଟାଲକୁ ଆସିଥିଲେ। ନୂଆବର୍ଷ ପାଇଁ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ମଧ୍ୟ ପ୍ରସ୍ତୁତିକୁ ବଢ଼ାଇ ଦିଆଯାଇଥିଲା। କାଜୁଆଲିଟିରେ ଦୁଇଜଣ ଡାକ୍ତର ଏବଂ ଡ୍ରେସିଂ ପାଇଁ ଅଧିକ ଜଣେ କର୍ମଚାରୀଙ୍କୁ ରାତିକ ପାଇଁ ନିୟୋଜନ କରାଯାଇଥିଲା।

କମିସନରେଟ୍‌ ପୁଲିସ ପକ୍ଷରୁ ରାଜଧାନୀର ବିଭିନ୍ନ ଛକ, ଜାତୀୟ ରାଜପଥରେ ପାଟ୍ରୋଲିଂକୁ କଡ଼ାକଡ଼ି କରି ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ଚେକ୍‌ ପୋଷ୍ଟ ହୋଇଥିଲା। ଖୋଦ୍‌ ପୁଲିସ୍‌ କମିସନର୍‌ ଯୋଗେଶ ବାହାଦୁର ଖୁରାନିଆ ଓ ଡିସିପି ସତ୍ୟବ୍ରତ ଭୋଇ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ ଯାଞ୍ଚ କରିଥିଲେ। ବିଶେଷକରି ନୂଆପଲ୍ଲୀ, ଚନ୍ଦ୍ରଶେଖରପୁର, ଖାରବେଳନଗର ଥାନା ଅଧୀନରେ ବହୁ ତାରକା ହୋଟେଲ୍‌ ଥିବାରୁ ସେ ସବୁ ଅଞ୍ଚଳ ଉପରେ ପୁଲିସ୍‌ ବେଶି ନଜର ରଖିଥିଲା। ବିଭିନ୍ନ ହୋଟେଲ୍‌ ନିକଟରେ ସାଦା ପୋଷାକରେ ପୁଲିସ ମୁତୟନ ହୋଇଥିଲେ। ଉପରୋକ୍ତ ତିନୋଟି ଥାନା ସମେତ ଅନ୍ୟାନ୍ୟ ଥାନା ଅଞ୍ଚଳରେ ବ୍ରେଥ୍‌ ଅନାଲାଇଜର ସାହାଯ୍ୟରେ ମଦ୍ୟପଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଥିଲା।

ସମ୍ବନ୍ଧିତ ଖବର