ଆଜି ହଲ୍‌କୁ ଆସିବ ‘ଜ୍ବିଗାଟୋ’

ଭୁବନେଶ୍ବର: ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶିକା ନନ୍ଦିତା ଦାସଙ୍କ ଦ୍ୱାରା ନିର୍ଦ୍ଦେଶିତ ଓ ବହୁପ୍ରତୀକ୍ଷିତ ହିନ୍ଦୀ ଚଳଚ୍ଚିତ୍ର ‘ଜ୍ୱିଗାଟୋ’ ଆସନ୍ତାକାଲି (ଶୁକ୍ରବାର) ସାରା ଦେଶରେ ମୁକ୍ତିଲାଭ କରିବ। ଏହା ଭୁବନେଶ୍ୱରର ୫ଟି ପ୍ରେକ୍ଷାଳୟରେ ମଧ୍ୟ ମୁକ୍ତିଲାଭ କରିବ। କମେଡି କିଙ୍ଗ୍‌ କପିଲ ଶର୍ମା ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଚଳଚ୍ଚିତ୍ର ‘ଜ୍ୱିଗାଟୋ’ର ସବୁ ସୁଟିଂ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳରେ ହିଁ କରାଯାଇଛି। ଏହି ହିନ୍ଦୀ ଚଳଚ୍ଚିତ୍ରରେ ଅଧିକାଂଶ ଓଡ଼ିଆ କଳାକାରଙ୍କୁ ମଧ୍ୟ କାମ କରିବାର ସୁଯୋଗ ମିଳିଛି।

ଏକ ଫ୍ୟାକ୍ଟ୍ରିରେ ଫ୍ଲୋର୍‌ ମ୍ୟାନେଜର ଭାବେ କାମ କରୁଥିବା ଯୁବକ ମାନସ ଓ ତା’ର ପରିବାରକୁ ନେଇ ଚଳଚ୍ଚିତ୍ରର କାହାଣୀ ଗତିଶୀଳ। ଚାକିରି ଚାଲିଯିବା ପରେ ପରିବାରକୁ ଚଳାଇବା ପାଇଁ ମାନସ ଏକ ‘ଫୁଡ୍ ଡେଲିଭରି ବଏ’ ଭାବେ କାମ କରିବାକୁ ବାଧ୍ୟ ହୋଇଛି। ଦୁଇ ପିଲା, ସ୍ତ୍ରୀ ଏବଂ ବୃଦ୍ଧା ମାଆଙ୍କୁ ନେଇ ପରିବାର ଚଳାଇବାକୁ ସଂଘର୍ଷ କରିଛି। ଅପରପକ୍ଷେ ସ୍ୱାମୀଙ୍କୁ ସାହାଯ୍ୟ କରିବା ପାଇଁ ପତ୍ନୀ ପ୍ରତିମା ମଧ୍ୟ ବିଭିନ୍ନ କାମ ସନ୍ଧାନରେ ବାହାରିଛନ୍ତି। ଚଳଚ୍ଚିତ୍ରରେ ମାନସ ଓ ପ୍ରତିମାଙ୍କର ସଂଘର୍ଷ ଦେଖିବାକୁ ମିଳିଛି। ଜୀବନ ଜୀଇଁବା ପାଇଁ ସାଧାରଣ ଲୋକଟିଏ ପ୍ରତିଦିନ କରୁଥିବା ସଂଘର୍ଷ ଏହି ଚଳଚ୍ଚିତ୍ରର କାହାଣୀ ଭିତରେ ଲୁଚି ରହିଛି।

କାନଡାର ଟରୋଣ୍ଟୋ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ଜ୍ୱିଗାଟୋ’ର ୱାର୍ଲ୍ଡ ପ୍ରିମିୟର ହୋଇଛି। ଏହାର ଏସିଆ ପ୍ରିମିୟର ହୋଇଛି ବୁସାନ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ। ସେହିପରି କେରଳରେ ଅନୁଷ୍ଠିତ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଏହାର ଭାରତୀୟ ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ସମସ୍ତ ଚଳଚ୍ଚିତ୍ର ମହୋତ୍ସବରେ ବିଶେଷକରି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତା କପିଲ ଶର୍ମା ଓ ମୁଖ୍ୟ ଅଭିନେତ୍ରୀ ସାହାନା ଗୋସ୍ୱାମୀଙ୍କ ଅଭିନୟ ସମୀକ୍ଷକଙ୍କ ଦ୍ୱାରା ଉଚ୍ଚ ପ୍ରଶଂସିତ ହୋଇଛି। ବେରୋଜଗାର ବୃଦ୍ଧି ନେଇ ଜଣେ ବନ୍ଧୁଙ୍କ ସହିତ ବାର୍ତ୍ତାଳାପରୁ ଏହି ଚଳଚ୍ଚିତ୍ର ‘ଜ୍ୱିଗାଟୋ’ର ଜନ୍ମ। ଏହି ପ୍ରସଙ୍ଗକୁ ନେଇ ଏକ କ୍ଷୁଦ୍ର ଚଳଚ୍ଚିତ୍ର କରିବା ପାଇଁ ନନ୍ଦିତା ଦାସ ଚିନ୍ତା କରୁଥିବା ବେଳେ ବଲିଉଡ୍‌ର ଆପ୍ଲେଜ୍ ଏଣ୍ଟରଟେନ୍‌ମେଣ୍ଟ୍‌ର ସମୀର ନାୟାର ଏହାକୁ ନେଇ ଏକ ସମ୍ପୂର୍ଣ୍ଣ ଫିଚର ଫିଲ୍ମଟିଏ କରିବାକୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର