ଭୁବନେଶ୍ବର: ରାଜ୍ୟ ଅଭିଲେଖାଗାରରେ ସାଇତା ଯିବ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କଳା, ସଂସ୍କୃତି, ସାହିତ୍ୟ, ସଂଗୀତ, ନୃତ୍ୟ, ସ୍ଥାପତ୍ୟ ସମେତ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠିତ ୧୦୦ଜଣ ବ୍ୟକ୍ତିବିଶେଷଙ୍କ ସାକ୍ଷାତକାର ନିଆଯିବ। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବିଶିଷ୍ଟ ସାହିତ୍ୟିକ ମନୋଜ ଦାସ, ବିଶିଷ୍ଟ କବି ରମାକାନ୍ତ ରଥ, ସ୍ବାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକ, ବୈଦେହୀ ଦେବୀ, ବିଜୟ ମୋହନ ମିଶ୍ରଙ୍କ ସହ ସାକ୍ଷାତକାରର ଦୃଶ୍ୟଶ୍ରାବ୍ୟ ସିଡି ପ୍ରସ୍ତୁତ କରି ସଂରକ୍ଷିତ ରଖାଯାଇଛି। ବୈଷୟିକ ଜ୍ଞାନକୌଶଳ ସହ ତାଳ ଦେଇ ଏପରି ପଦକ୍ଷେପ ନିଆଯାଇଛି। ପିଲାମାନେ ଏବେ ଦୃଶ୍ୟଶ୍ରାବ୍ୟ କ୍ଷେତ୍ରରେ ଅଧିକ ସମୟ ବିତାଉଥିବାରୁ ପରପିଢ଼ିକୁ ଦୃଷ୍ଟିରେ ରଖି କାମ ଆରମ୍ଭ କରାଯାଇଛି ବୋଲି ଓଡ଼ିଶା ରାଜ୍ୟ ଅଭିଲେଖାଗାରର ଅଧୀକ୍ଷକ ଶୁଚିସ୍ମିତା ମନ୍ତ୍ରୀ କହିଛନ୍ତି। ପୂର୍ବରୁ କେବଳ ୨୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କ ଅଡିଓ ମହଜୁଦ ରହିଥିବା ବେଳେ ଆଉ ପାଦେ ଆଗକୁ ଯାଇଛି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। ଶ୍ରୀମତୀ ମନ୍ତ୍ରୀ କହିଛନ୍ତି ଯେ ଏହି ଦୃଶ୍ୟଶ୍ରାବ୍ୟ ସିଡି ପାଇଁ ଜଣେ ବ୍ୟକ୍ତି ସାକ୍ଷାତକାର ନେଉନାହିଁ। ବରଂ ଭିନ୍ନଭିନ୍ନ କ୍ଷେତ୍ରରେ ଦକ୍ଷ ବ୍ୟକ୍ତିଙ୍କୁ ସାକ୍ଷାତକାର ନେବାକୁ ସୁଯୋଗ ଦିଆଯାଇଛି। ଏବେ ସୁଦ୍ଧା ଡ. ଜୟନ୍ତୀ ରଥ, କବି ସୂର୍ଯ୍ୟ ମିଶ୍ର, ଚଳଚ୍ଚିତ୍ର ସମୀକ୍ଷକ ସୂର୍ଯ୍ୟ ଦେଓ, ପ୍ରୀତିଧାରା ସାମଲ, ଛନ୍ଦା ମିଶ୍ର ସାକ୍ଷାତକାର ନେଇଛନ୍ତି। ଏଥିସହ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତି ମାସରେ ଆୟୋଜିତ ସଂସ୍କୃତି ଚର୍ଚ୍ଚା କାର୍ଯ୍ୟକ୍ରମକୁ ରେକର୍ଡିଂ କରାଯାଉଥିବା ବେଳେ ଏହାକୁ ମଧ୍ୟ ୟୁ-ଟ୍ୟୁବ୍ରେ ଛଡ଼ାଯାଉଛି। ଯେକୌଣସି ବ୍ୟକ୍ତିବିଶେଷ ପରବର୍ତୀ ସମୟରେ ସଂସ୍କୃତି ସମ୍ବନ୍ଧୀୟ ଚର୍ଚ୍ଚା କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ମୁହଁରୁ ଶୁଣିବାକୁ ଚାହିଁବେ ସେମାନେ ଏହାଦ୍ବାରା ଉପକୃତ ହୋଇପାରିବେ।
ଅଭିଲେଖାଗାରରେ ମହଜୁଦ ରହିବ ‘ଦୃଶ୍ୟଶ୍ରାବ୍ୟ ରେକର୍ଡିଂ’
ପ୍ରସ୍ତୁତ ହେବ ୧୦୦ ଜଣଙ୍କ ସାକ୍ଷାତକାର
/sambad/media/post_attachments/wp-content/uploads/2019/03/Untitled-15-12.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)