ଭୁବନେଶ୍ବର: ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ଅମ୍ବିକା ସ୍ବାଇଁଙ୍କ ଦ୍ବିତୀୟ କବିତା ପୁସ୍ତକ ‘ଅପରାହ୍‌ଣର ସୂର୍ଯ୍ୟ’ ଆଜି ରେଡକ୍ରସ ଭବନରେ ଲୋକାର୍ପିତ ହୋଇଯାଇଛି। ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂଙ୍କ ସଭାପତିତ୍ବରେ ଏହି ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ଉଦ୍‌ଘାଟକ ଭାବେ ଯୋଗଦେଇ ବିଧାୟକ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆଗାମୀ ଦିନରେ ପୁସ୍ତକର ଭବିଷ୍ୟତକୁ ନେଇ ଅନେକ ଚିନ୍ତା ପ୍ରକଟ କରୁଛନ୍ତି। କବିତା ପୁସ୍ତକକୁ ନେଇ ଚିନ୍ତା ଆହୁରି ବଢ଼ି ଯାଉଛି। ଆଜିର ପିଲାମାନଙ୍କ ନିକଟରେ ଛାପା କାଗଜର ବିଶେଷ ମୂଲ୍ୟ ନାହିଁ। ଏଭଳି ପରିସ୍ଥିତିରେ ପୁସ୍ତକର ଅପମୃତ୍ୟୁ ହେଉଛି ବୋଲି ଅନେକ ଆଶଙ୍କା କରୁଛନ୍ତି। ତେବେ ଏହାକୁ ନେଇ ଆଦୌ ବ୍ୟସ୍ତବିବ୍ରତ ହେବାର ଆବଶ୍ୟକତା ନାହିଁ। ପିଢ଼ି ପରେ ପିଢ଼ିରେ ପରିବର୍ତନ ହେଉଛି। ଦୁନିଆ ବଦଳୁଛି, ହେଲେ ସାହିତ୍ୟ କିମ୍ବା ଭାଷା ମରିବ ନାହିଁ। ଇଣ୍ଟରନେଟ୍ ଜରିଆରେ ପୁସ୍ତକକୁ ସ୍ଥାନିତ କଲେ, ବହି ଖୁବ କମ୍ ସମୟ ଭିତରେ ଏହା ବହୁ ଲୋକଙ୍କ ପାଖରେ ପହଞ୍ଚି ପାରିବ। ଆଜିକାଲି ସବୁ କିଛି ଇଣ୍ଟରନେଟ୍‌ରେ ଭାଇରାଲ ହେଉଛି। ତେଣୁ ଭଲ କଥାକୁ ଭାଇରାଲ କଲେ ତାହା ବହୁତ ଲୋକଙ୍କ ନିକଟରେ ପହଞ୍ଚିପାରିବ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

Advertisment

ମୁଖ୍ୟ ଅତିଥି ବିଶ୍ବଭାରତୀ ଶାନ୍ତି ନିକେତନର ଭାଷାବିତ୍ ତଥା ବିଶିଷ୍ଟ ସାହିତ୍ୟିକ ବୈଷ୍ଣବ ସାମଲ କହିଲେ, ଜଣେ କବି ନିରବତା ଭିତରେ ସାଧନା କରିଥାଏ। ନିଜ ଭିତରେ ଭେଦଭାବ ସୃଷ୍ଟି କରିବା ପାଇଁ ଆଗଧାଡ଼ିର କବି, ମହିଳା, ପୁରୁଷ କବି ବୋଲି କୁହାଯାଉଛି। କବିର କୌଣସି ଜାତି କି ଧର୍ମ ନାହିଁ। କବି ନିଜେ ନିଜର ପରିଚୟ। ଜଣଙ୍କ ଭିତରେ ତାରୁଣ୍ୟର ଭାବ ନ ଆସିଲେ କବିତା ଲେଖିବା ସମ୍ଭବ ନୁହେଁ। କବି ଦୁଇଟି ଆଖିରେ ଦୁନିଆକୁ ଦେଖିଥାଏ। ଖୋଲା ଆଖିରେ ସୀମିତ ଦୁନିଆକୁ ଦେଖୁଥିବା ବେଳେ ବନ୍ଦ ଆଖିରେ ଅନନ୍ତ ବ୍ରହ୍ମାଣ୍ଡକୁ ଦେଖିଥାଏ। ଏସବୁ ଜଣେ କବିର ଅବଚେତନ ମନରେ ରହିଥାଏ। ଯାହାକୁ ସେ କବିତାରେ ସଜାଇଥାଏ ବୋଲି ଶ୍ରୀ ସାମଲ କହିଥିଲେ। ବିଶିଷ୍ଟ କବି ହୁସେନ୍ ରବି ଗାନ୍ଧି କହିଲେ, ଭାବପ୍ରବଣ ନ ହେଲେ କବିତା ଲେଖି ହୁଏ ନାହିଁ। କବିତା ପ୍ରବନ୍ଧ ନୁହେଁ। ଓଡ଼ିଆ ଭାଷା ସାହିତ୍ୟରେ ପାଠକଙ୍କ ସଂଖ୍ୟା କମୁଛି, ଏହାକୁ ସ୍ବୀକାର କରିବାକୁ ହେବ। ମାତ୍ର ଇଣ୍ଟରନେଟ୍‌ ଏହାକୁ ବଞ୍ଚାଇ ରଖିପାରିବ, ତାହା କହିବା ମୁସ୍କିଲ। ଇଣ୍ଟରନେଟ୍‌ ହୁଏତ ଜଣକୁ ସଙ୍ଗେ ସଙ୍ଗେ ପ୍ରସିଦ୍ଧି ଆଣି ଦେଇପାରେ, ମାତ୍ର ଚିରନ୍ତନ ମୂଲ୍ୟବୋଧ କେବଳ ଛାପା ପୁସ୍ତକରେ ଅଛି ବୋଲି ସେ କହିଥିଲେ। ଲେଖିକା ଅମ୍ବିକା ସ୍ବାଇଁ କହିଥିଲେ ଯେ ଦୃଢ଼ ଇଚ୍ଛାଶକ୍ତି ଯୋଗୁଁ ପୁସ୍ତକ ଲେଖିବା ସମ୍ଭବ ହୋଇପାରିଛି। ଏଥିପାଇଁ ଛାପା ଗଣମାଧ୍ୟମର ବିଶେଷ ଭୂମିକା ରହିଛି। ଅନ୍ୟମାନେ ମଧ୍ୟ ପୁସ୍ତକ ଲେଖିବା ପାଇଁ ଯଥେଷ୍ଟ ପ୍ରେରଣା ଯୋଗାଇଛନ୍ତି ବୋଲି ଶ୍ରୀମତୀ ସ୍ବାଇଁ ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲେଖିକା ସଂସଦର ସଂପାଦିକା ଶକୁନ୍ତଳା ବଳିୟାରସିଂହ ଉପସ୍ଥିତ ଥିଲେ।

ଏହି ଅବସରରେ କୀର୍ତ୍ତିମୟୀ ମହାନ୍ତିଙ୍କୁ ଶୈଳବାଳା-ବିମ୍ବାଧର ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ପ୍ରାରମ୍ଭରେ ସ୍ତମ୍ଭକାର ଦେବାଶିଷ ମହାପାତ୍ର ସ୍ବାଗତ ଭାଷଣ ସହିତ ପୁସ୍ତକର ସମୀକ୍ଷା କରିଥିଲେ। ଚନ୍ଦ୍ରଶେଖରପୁର ସାହିତ୍ୟ ସଂସଦର ସଂପାଦକ ବସନ୍ତ ମାଝୀ ଧନ୍ୟବା ପ୍ରଦାନ କରିଥିଲେ। ପୁସ୍ତକ ଲୋକାର୍ପଣ ପୂର୍ବରୁ ବିଜୟଲକ୍ଷ୍ମୀ ପଟ୍ଟନାୟକଙ୍କ ସଂଯୋଜନାରେ ବିଶ୍ବମିତ୍ରା ମିଶ୍ର, ସଂଧ୍ୟା ପୃଷ୍ଟି ଓ ଅନ୍ୟମାନେ କବିତା ପାଠ କରିଥିଲେ। ପୂର୍ଣ୍ଣାନନ୍ଦ ମହାନ୍ତି କାର୍ଯ୍ୟକ୍ରମ ସଂଚାଳନା କରିଥିଲେ।