ପୁରୁଣା ଭୁବନେଶ୍ବର: କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ)ର ୟଙ୍ଗ ଇଣ୍ଡିଆନ୍ସ(ୱାଇଆଇ) ପକ୍ଷରୁ ଆଜି ‘ଓଏମ୍ସି ଟୁର ଡି ଏକାମ୍ର ସାଇକ୍ଲୋଥନ୍’ ଅନୁଷ୍ଠିତ ହୋଇଛି। ଓଡ଼ିଶା ପର୍ଯ୍ୟଟନର ‘ଓଡ଼ିଶା ବାଏ ରୋଡ୍’ ଅଭିଯାନର ଏକ ଅଂଶ ଭାବେ ‘ଦି ଜଗରନଟ୍’ ସହଯୋଗରେ ଏହି କାର୍ଯ୍ୟକ୍ରମ କରାଯାଇଛି। ଏକାମ୍ର କ୍ଷେତ୍ରର ଐତିହ୍ୟକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାରେ କ୍ରୀଡ଼ା ପାଇଁ ଏକ ସମୃଦ୍ଧ ଇକୋ-ସିଷ୍ଟମ୍ ଗଠନ ଲକ୍ଷ୍ୟରେ କରାଯାଇଥିବା ଏହି ସାଇକ୍ଲୋଥନ୍ରେ ପ୍ରାୟ ୫୦୦ ସାଇକେଲ ଚାଳକ ଅଂଶଗ୍ରହଣ କରିଥିଲେ। ସେମାନଙ୍କୁ ଦୁଇଟି ବର୍ଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ବର୍ଗ କଳିଙ୍ଗ ଷ୍ଟାଡିୟମ୍ରୁ ବାହାରି ମୁକ୍ତେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରୁ ପୁଣି କଳିଙ୍ଗ ଷ୍ଟାଡିୟମ୍କୁ ଫେରିଥିଲେ। ସେହିପରି ଅନ୍ୟ ଗୋଟିଏ ବର୍ଗର ଚାଳକମାନେ କଳିଙ୍ଗ ଷ୍ଟାଡିୟମ୍ରୁ ବାହାରି ଚଉଷଠୀ ଯୋଗିନୀ ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ କିଛି ସମୟ ରହିବା ପରେ ଧଉଳି ଶାନ୍ତିସ୍ତୂପ ଯାଇ ସେଠାରୁ ପୁଣି କଳିଙ୍ଗ ଷ୍ଟାଡିୟମ୍କୁ ଫେରିଥିଲେ।
କଳିଙ୍ଗ ଷ୍ଟାଡିୟମ୍ଠାରେ ଶକ୍ତି ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ଅମର ପଟ୍ଟନାୟକ, ପର୍ଯ୍ୟଟନ ସଚିବ ବିଶାଳ ଦେବ, ନିର୍ଦେଶକ ସଚିନ ରାମଚନ୍ଦ୍ର ଯାଦବ, ଓଏମ୍ସିର ପରିଚାଳନା ନିର୍ଦେଶକ ବଲୱନ୍ତ ସିଂ, ଏସ୍ବିଆଇ ସିଜିଏମ୍ ରୁମା ଦେ, ଅଭିନେତ୍ରୀ ଅନୁ ଚୌଧୁରୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏହି ସାଇକ୍ଲୋଥନ୍କୁ ଉଦ୍ଘାଟନ କରିଥିଲେ। ୱାଇଆଇ, ଭୁବନେଶ୍ବରର ଗୌରବ ଚାୱଲାଙ୍କ କହିବାନୁଯାୟୀ, ଫିଟନେସ୍ ଓ ଐତିହ୍ୟକୁ ଏକତ୍ର କରିବାକୁ ଏହା ଏକ ଉତ୍କୃଷ୍ଟ ପ୍ଲାଟଫର୍ମ। ଜନସାଧାରଣଙ୍କ ଉତ୍ସାହକୁ ଦେଖି ଆମେ ଏହାକୁ ବାର୍ଷିକ କାର୍ଯ୍ୟକ୍ରମ ଭାବେ ଜାରି ରଖିବାକୁ ଲକ୍ଷ୍ୟ ରଖିଛୁ। ସାଇକେଲ ଚଲାଇବା ଦ୍ୱାରା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରାଜ୍ୟର ଯୁବକଙ୍କୁ କ୍ରୀଡ଼ାରେ ସକ୍ରିୟ ଭାବେ ଯୋଗଦେବା ପାଇଁ ଉତ୍ସାହିତ କରିବ। ୱାଇଆଇ ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଯେମିତିକି ଗୋ ଗ୍ରିନ୍, ଅଙ୍ଗଦାନ, ସଡ଼କ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ ଭଳି ରାଷ୍ଟ୍ର ନିର୍ମାଣ ଦିଗରେ ବିଭିନ୍ନ କାର୍ଯ୍ୟ ସହ ଜଡ଼ିତ ହୋଇଛି। ‘ଦି ଜଗରନଟ୍’ ସଭାପତି ପ୍ରୋଜ୍ଜଳ ପ୍ରଜନ ଦାସଙ୍କ କହିବାନୁଯାୟୀ ଏହି କାର୍ଯ୍ୟକ୍ରମ ଏକ ବଡ଼ ସଫଳତା ଥିଲା। ଆମେ ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହୋଇଛୁ। ତାହାକୁ ଜାରି ରଖିବୁ।