ଭୁବନେଶ୍ବର: ମୋ ବସ୍‌ ଚାଳକଙ୍କ ଯୋଗୁ କ୍ରୁଟ୍‌ ବାରମ୍ବାର ନିନ୍ଦିତ ହେବା ପରେ ଚେତା ପଶିଛି। ଡ୍ୟୁଟିରେ ଥିବା ସମୟରେ ମଦ ପିଇଥିବାରୁ ଜଣେ କଣ୍ଡକ୍ଟର ଓ ଚାଳକଙ୍କୁ ଚାକିରିରୁ ବିଦା କରିଛି। ସେହିଭଳି କର୍ତ୍ତବ୍ୟରେ ଅବହେଳା କରିବା ଅଭିଯୋଗରେ ଆଉ ଦୁଇଜଣ କର୍ମଚାରୀଙ୍କୁ ଦୁଇ ମାସ ନିଲମ୍ବିତ କରାଯାଇଛି। ପୂର୍ବରୁ ଚାଳକ ଓ କଣ୍ଡକ୍ଟର ମଦ୍ୟପାନ ଏବଂ ଦୁର୍ବ୍ୟବହାର କରୁଥିବା ନେଇ ଗଦା ଗଦା ଅଭିଯୋଗ ରହିଥିଲେ ମଧ୍ୟ କର୍ତ୍ତୃପକ୍ଷ ନିରବ ବସିଥିଲେ। ନିକଟ ଅତୀତରେ ଦୁଇଟି ଘଟଣା ଘଟିବା ପରେ କ୍ରୁଟ୍‌ ଏଭଳି କଠୋର ହୋଇଥିବା କୁହାଯାଉଛି। ତେବେ କେବଳ ଚାକିରିରୁ ବିଦା କରିବା ନୁହେଁ, ବରଂ ଏଠାରୁ ବିଦା ହେବା ପରେ ଅନ୍ୟ କୈାଣସି ସରକାରୀ ସଂସ୍ଥାରେ ଗାଡ଼ି ଚାଳନା କରିବାକୁ ସେମାନଙ୍କୁ ଆଉ ସୁ‌ଯୋଗ ଦିଆଯିବ ନାହିଁ। ଏ ନେଇ ସରକାରୀ ସ୍ତରରେ ବିଧିବଦ୍ଧ ବ୍ୟବସ୍ଥା କରାଯାଇଛି। ଆଜି କ୍ରୁଟ୍‌ ପରିଚାଳନା ନିର୍ଦ୍ଦେଶକ ଏନ୍‌.ତିରୁମାଲା ନାୟକ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ଜାଗାରେ ମୋ ବସ୍‌ରେ ଚଢ଼ଉ କରିଛନ୍ତି। ଯାତ୍ରୀ ଓ କର୍ମଚାରୀଙ୍କ ସହ କଥା ହୋଇଛନ୍ତି।  
ଅତୀତରେ ଏକାଧିକ ଘଟଣା ଘଟିଛି ଯେଉଁଥିରେ ମୋ ବସ୍‌ଚାଳକଙ୍କର ବେପରୁଆ ଗାଡ଼ି ଚାଳନା ଯୋଗୁ ପଥଚାରୀ ବା ବାଇକ୍‌ ଚାଳକଙ୍କର ମୃତ୍ୟୁ ଘଟିଛି ବା ଅକର୍ମଣ୍ୟ ହୋଇ ଯାଇଛନ୍ତି।

Advertisment

ନିକଟ ଅତୀତରେ ମନ୍ତ୍ରୀ ଜଣେ ଚାଳକଙ୍କର ଦୁର୍ବ୍ୟବହାର ଶିକାର ହୋଇଥିବା ବେଳେ ଗତ ୨ ତାରିଖରେ ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ଛକରେ ଜଣେ ଭୁବନେଶ୍ବରକୁ କାମ ଖୋଜିବାକୁ ଆସିଥିବା ଜଣେ ଗରିବ ଯୁବତୀଙ୍କ ଉପରେ ମୋ ବସ୍‌ ଚଢ଼ିଯିବାରୁ ତାଙ୍କ ବାମ ହାତ କଟି ଯାଇଥିଲା। ସେ ଏବେ ବି ସୁସ୍ଥ ହେବାକୁ ସଂଗ୍ରାମ କରୁଛନ୍ତି। ଏହି ଦୁଇଟି ଘଟଣା ପରେ ପରେ ତନାଘନା ହୋଇଥିଲା। ମନ୍ତ୍ରୀ ମୋ ବସ୍‌ ଗତି ଓ କର୍ମଚାରୀଙ୍କ ଆଚରଣ ଉପରେ କଟକଣା ଲଗାଇଥିଲେ। ଏହା ପରେ ହାଇକୋର୍ଟ ମଧ୍ୟ ଗାଡ଼ିର ଗତି ଉପରେ କଟକଣା ଲଗାଇଥିଲେ। ‌କିନ୍ତୁ ଏହା ପୂର୍ବରୁ ଘଟିଥିବା ଅନେକ ଘଟଣାରେ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ତେବେ ଏହି ଦୁଇ ଘଟଣା ପରେ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ତେବେ ମଦ୍ୟପାନ କରି ଗାଡ଼ି ଚାଳନା ବେଳେ ଧରାପଡ଼ିଲେ ମୋଟା ଅଙ୍କର ଜରିମାନା ସହ ଥାନାରେ ମାମଲା ହେଉଥିବା ନଜିର ରହିଛି। ଉଭୟ ପୁଲିସ ଓ ଆରଟିଓ ମିଳିତ ଭାବେ ଚଢ଼ଉ କରି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। କିନ୍ତୁ ଏହି ଚାଳକଙ୍କ କ୍ଷେତ୍ରରେ କାହିଁକି କାର୍ଯ୍ୟାନୁଷ୍ଠାନ କୋହଳ ହେଲା ସେ ନେଇ କ୍ରୁଟ୍‌ କର୍ତ୍ତୃପକ୍ଷ ନିରବ ରହିଛନ୍ତି।

ଏହି କାର୍ଯ୍ୟାନୁଷ୍ଠାନ ବାବଦରେ କ୍ରୁଟ୍‌ ପକ୍ଷରୁ କୁହାଯାଇଛି କି, ଗାଡ଼ିର ଗତି ସହର ମଧ୍ୟରେ ଘଣ୍ଟା ପ୍ରତି ୪୦ କିମି ଓ କର୍ମଚାରୀଙ୍କ ଆଚରଣକୁ ନେଇ ଚଢ଼ଉ ଆରମ୍ଭ ହୋଇଛି। ଗତ ରାତିରେ ଏକ ସ୍ବତନ୍ତ୍ର ଟିମ୍‌ ଚଢ଼ଉ କଲା ବେଳେ ଗୋଟିଏ ଗାଡ଼ିର ଚାଳକ (କ୍ୟାପ୍‌ଟେନ୍‌) ଅନାଦି ନାଥ ଓ କଣ୍ଡକ୍ଟର(ଗାଇଡ୍‌) ଅରବିନ୍ଦ ଜେନା ମଦ୍ୟପାନ କରିଥିବା ଦେଖାଯାଇଥିଲା। ଏଣୁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି। ସେହିଭଳି ଡ଼୍ୟୁଟି ସମୟରେ ବିଶୃଙ୍ଖଳା କାର୍ଯ୍ୟକଳାପ ପାଇଁ ଚାଳକ ଓ କଣ୍ଡକ୍ଟର, ଦୁଇଜଣଙ୍କୁ ଦୁଇ ମାସ ପାଇଁ ନିଲମ୍ବିତ କରାଯାଇଛି।  ଏଭଳି ଆଚରଣ ଉଲ୍ଲଂଘନ ଦ୍ୱାରା ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିବାରୁ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା, ବିଶ୍ୱାସଯୋଗ୍ୟତାକୁ ପ୍ରାଧାନ୍ୟ ଦିଆଯାଇଛି। କୈାଣସି ଡ୍ରାଇଭର ଯଦି ଗାଡ଼ି ଚାଳନା ସମୟରେ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଜଣାପଡ଼େ, ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସକୁ ୬ ମାସ ପର୍ଯ୍ୟନ୍ତ ରଦ୍ଦ କରାଯିବ। ଏହିପରି ଘଟଣା ଯେଭଳି ପୁନରାବୃତ୍ତି ନ ହେବ ସେଥିପାଇଁ କ୍ରୁଟ୍‌ ଯତ୍ନବାନ ହେବ। ମୋ ବସ୍ କର୍ମଚାରୀଙ୍କ ନିୟମିତ ମଦ୍ୟପାନ ପରୀକ୍ଷଣ, ସ୍ୱତନ୍ତ୍ର ଡ୍ରାଇଭର ତାଲିମ ପ୍ରୋଗ୍ରାମ, ଯାତ୍ରୀ ଓ ସହକର୍ମୀଙ୍କ ପ୍ରତି ଆଚରଣ ଓ ବ୍ୟବହାରଗତ ତାଲିମ ସହିତ କାର୍ଯ୍ୟସ୍ଥଳରେ ସ୍ୱତନ୍ତ୍ର ମନିଟରିଂ କରାଯିବାର ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯିବ ବୋଲି କୁହାଯାଇଛି।