ଖଣ୍ଡଗିରି: ପପୁ ପମ୍‌ପମ୍‌ଙ୍କ ମଜାଳିଆ ଗୀତ ‘ପେଗ୍‌ ବଢ଼େଇ ଦେ’ ଓ ‘ଭଣ୍ଡେଇ ଦେଲା ରାମ ଝିଅ ଝରଣା ସାହୁ’ ଏବଂ ଦୀପ୍ତିରେଖାଙ୍କ ‘ତୋର ହାଲ୍‌କା ହାଲ୍‌କା ହସ, ମୋତେ ମାରିଦେଲା ରେ’ ଆଜି ଖଣ୍ଡଗିରି ପାଦଦେଶରେ ଧୂଳି ଉଡ଼ାଇଦେଇଥିଲା। ଏହା ସହିତ ‘ସୁକୁମାରୀ ତୁ ମୋ ସୁକୁମାରୀ’ ଏବଂ ‘ତୋର ସବୁ ନଜର ଲାଗେ ପ୍ରେମ ନଜର’ ଭଳି ଆଧୁନିକ ଗୀତରେ ରାଉରକେଲା ଆର୍‌ଡିଏକ୍ସ ଗ୍ରୁପ୍‌ର ଧମାକାଦାର ନୃତ୍ୟ ଦର୍ଶକଙ୍କୁ ମତୁଆଲା କରିଥିଲା। ଶୀତୁଆ ସନ୍ଧ୍ୟାରେ ଏମିତି ଗରମାଗରମ ମାହୋଲ ଥିଲା ଖଣ୍ଡଗିରି-ଉଦୟଗିରି ମହୋତ୍ସବର ୨ୟ ସଂଧ୍ୟାରେ। ଖଣ୍ଡଗିରିସ୍ଥିତ ଓଟିଡିସି ପାନ୍ଥିକା ପରିସରରେ ଭୁବ‌ନେଶ୍ବର ସାଂସ୍କୃତିକ ପରିଷଦ ଓ ଅନୁଷ୍ଠାନ କଲ୍ୟାଣ ଆନୁକୂଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ଆଜି ହସ, ଗୀତ, ନାଚ ସବୁ ରସରେ ଦର୍ଶକମାନେ ଭିଜିଭିଜି ମଜା ଉଠାଇଥିଲେ। ତେବେ ଏହା ଭିତରେ ‘ମା ତୁଝେ ସଲାମ୍‌’ ଭଳି ଦେଶାତ୍ମବୋଧ ଗୀତ ଖଣ୍ଡଗିରି ଗିରିଗହ୍ବରରେ ବେଶ୍ ସମୟ ପର୍ଯ୍ୟନ୍ତ ଗୁଂଜରିତ ହୋଇଥିଲା। ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଆଜି ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ।

Advertisment

ଏହି ଅବସରରେ ସଙ୍ଗୀତ ନିର୍ଦ୍ଦେଶକ ଆଦିତ୍ୟ ରାମଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶେଫାଳି ସଂଯୋଜନା କରିଥିଲେ। ଆୟୋଜକ ସଂସ୍ଥାର କର୍ମକର୍ତ୍ତାଙ୍କ ସହିତ କର୍ପୋରେଟର୍‌ କିରଣବାଳା ମାଝୀ, ଦୀପକ ମିଶ୍ର, ସଂଯୁକ୍ତା ସୁନ୍ଦରରାୟ, ସକିବା ମୁଶାରଫ୍‌, ଚାରୁଲତା ସାମନ୍ତରାୟ, ଛବି ଦାସ, ପୂର୍ବତନ କର୍ପୋରେଟର ସୁଜିତ୍ ସ୍ବାଇଁ, ରୁନୁ ଜେନା, ଦିଲ୍ଲୀପ ମାଝୀ, ଅଶ୍ବିନୀ ସୁନ୍ଦରରାୟ, ଜିଲ୍ଲା ପରିଷଦ ସଭ୍ୟ ସୁବାସ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଭୁବନେଶ୍ବର ସାଂସ୍କୃତିକ ପରିଷଦର ସମ୍ପାଦକ ଦୀପକ ମାହାପାତ୍ର, ଉପସଭାପତି ସମରେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ମନୋଜ ବେହେରା, କଲ୍ୟାଣ ଅନୁଷ୍ଠାନର ସମ୍ପାଦକ ସୁରେଶ ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଆଇଗିଣିଆ, ଜାଗମରା, ଘାଟିକିଆ, କୋଳଥିଆ, ବରମୁଣ୍ଡା, ଡୁମୁଡୁମା ଅଞ୍ଚଳର ବିଭିନ୍ନ ଯୁବ ସଂଗଠନ ସହଯୋଗ କରିଥିଲେ।