ଗାଁରୁ ସହର, ବିଦ୍ୟାଳୟରୁ କାର୍ଯ୍ୟାଳୟ ଆଜି ଚାଚା ନେହେରୁଙ୍କ ଜନ୍ମ ଦିନରେ ସବୁଠି ବିପୁଳ ଆନନ୍ଦ ଓ ଉଲ୍ଲାସ ମଧ୍ୟରେ ପାଳିତ ହୋଇଛି ଶିଶୁ ଦିବସ। ତେବେ ପ୍ରଥମ ଥର ପାଇଁ ରାଜ୍ୟ ସରକାର ଏମିତି ନିଆରା ଢଙ୍ଗରେ ଏହାକୁ ପାଳନ କରିଛନ୍ତି ଯେ ସାରା ରାଜ୍ୟରେ ଏହା ଚର୍ଚାର ବିଷୟ ପାଲଟିଛି। ଆଜି କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଉତ୍ସବରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଭଳି ଭାବେ ୪୫୦୦ ପିଲା ଓ ଶହ ଶହ ଶିକ୍ଷକ ଓ ଅଭିଭାବକଙ୍କ ଗହଣକୁ ଆସି ସେମାନଙ୍କ ସହ ସମୟ କଟାଇଲେ ଓ ନୂଆ ପିଢ଼ିକୁ ସ୍ୱପ୍ନ ଓ ଦାୟିତ୍ୱର ଶପଥ ପାଠ କରାଇଲେ ତାହା ତାଙ୍କୁ ଏକ ନୂଆ ପରିଚୟ ମଧ୍ୟ ଦେଇଛି। ନିଜ ବ୍ୟବହାର ଓ ଭାଷଣରେ ପିଲାଙ୍କ ହୃଦୟ ଜିଣିଥିବାରୁ କିଛି ମୁହୂର୍ତ ପାଇଁ ହେଲେ ବି ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନରୁ ସେ ପାଲଟି ଯାଇଛନ୍ତି ଚାଚା ନବୀନ। ଶିଶୁଙ୍କ ସହ ନବୀନଙ୍କ ଖୋଲାଖୋଲି ମିଶିବା, ହସିବା ଏବଂ ଉପଦେଶ ଦେବାକୁ ଖୁବ୍‌ ପସନ୍ଦ କରିଛନ୍ତି ଛାତ୍ରଛାତ୍ରୀ।

Advertisment

ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ପିଲାଏ ଖୁସ୍‌

ଘରୋଇ ବିଦ୍ୟାଳୟରେ ଅଧା ଅଧା

publive-image

ଶିଶୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଆଜି ସମସ୍ତ ସରକାରୀ ବିଦ୍ୟାଳୟ ଛାତ୍ରଛାତ୍ର୍ରୀଙ୍କ ନିକଟରେ ପହଞ୍ଚିଛି। ହେଲେ ଅଧିକାଂଶ ଘରୋଇ ବିଦ୍ୟାଳୟ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣକୁ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ଏତେଟା ଆଗ୍ରହ ଦେଖାଇ ନାହାନ୍ତି। ହାତଗଣତି ଘରୋଇ ବିଦ୍ୟାଳୟ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପିଲାଙ୍କ ନିକଟରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିଥିଲେ। କ୍ୟାମ୍ପସରେ ପ୍ରୋଜେକ୍ଟର, ଟିଭିର ବ୍ୟବସ୍ଥା କରିଥିଲେ। ଫଳରେ ସେମାନେ ମଧ୍ୟ ନବୀନଙ୍କ ଭାଷଣ ଶୁଣିବାର ସୁଯୋଗ ପାଇଥିଲେ। ଏହିସହ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରାଇଥିଲେ।

ସଭିଙ୍କ ମନ ଜିଣିଲେ କୁନି ଗାନ୍ଧୀ

publive-image

ଆଜିର ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ଜଣେ କୁନି ଗାନ୍ଧୀଙ୍କୁ ଦେଖିବାକୁ ମିଳିଥିଲା। ସାଇ ଶୁଭମ ନାମକ କୁନି ପିଲା ଜଣକ ନିଜକୁ ଗାନ୍ଧୀଙ୍କ ବେଶରେ ସଜେଇ ସଭାସ୍ଥଳକୁ ଆସିଥିଲେ। ଯାହାକୁ ନେଇ ଉପସ୍ଥିତ ପିଲା ଓ ଲୋକଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ଦେଖିବାକୁ ମିଳିଥିଲା। ଅନେକ ପିଲା ଏହି କୁନି ଗାନ୍ଧୀଙ୍କ ସହ ଫଟୋ ଉଠାଇବାରେ ବ୍ୟସ୍ତ ଥିଲେ। ସଭା ପରେ ମଧ୍ୟ କୁନି ଗାନ୍ଧୀଙ୍କୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ଜାରି ରହିଥିଲା। ଉତ୍ସବରେ ଶତାଧିକ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ମନର କଥା ଶୁଣିବା ସହ ନାଚଗୀତର ମଜା ନେଇଥିଲେ।

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଝଲକ

ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ଝଲକ ଦେଖିବାକୁ ମିଳିଥିଲା। ଓଡ଼ିଶା ଡ୍ୟାନ୍ସ ଏକାଡେମିର ୫୦ରୁ ଅଧିକ ଶିଳ୍ପୀ ଏକାଠି ହୋଇ ‘ନବ ଜାତକର ନବ ଉତ୍କଳ...’ ଗୀତରେ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଓଡ଼ିଶାର ମାନଚିତ୍ରକୁ ଶିଳ୍ପୀମାନେ ମଞ୍ଚରେ ପ୍ର୍ରଦର୍ଶିତ କରିଥିଲେ। ଶିଳ୍ପୀମାନେ ନୃତ୍ୟ ପରିବେଷଣ କରିବା ସମୟରେ ପଛପାର୍ଶ୍ୱ ସ୍କ୍ରିନ୍‌ରେ ଓଡ଼ିଶାର ଗ୍ରାମାଞ୍ଚଳର ଚିତ୍ର, ଓଡ଼ିଶାର ବିଭିନ୍ନ ସ୍ଥାନକୁ ଦେଖାଯାଇଥିଲା। ଏହି ନୃୃତ୍ୟରେ ‘ଏଇ ଆମରି ଗାଁ...’ ଗୀତରେ ବି ଶିଳ୍ପୀମାନେ ନାଚିଥିଲେ। ଗାଁର ପିଲାମାନେ ସିଲଟ ଧରି ଚାଟଶାଳି ଯିବାର ଦୃଶ୍ୟ ବି ମଞ୍ଚରେ ଶିଳ୍ପୀମାନେ ଦେଖାଇଥିଲେ। କଣ୍ଠଶିଳ୍ପୀ ଅନନ୍ୟା ଏବଂ ସତ୍ୟଜିତ୍‌ଙ୍କ କଣ୍ଠରେ ପରିବେଷିତ ‘ମୋ ଓଡ଼ିଶା...’ ଗୀତ ପିଲାଙ୍କ ମଧ୍ୟରେ ରୋମାଞ୍ଚ ଭରି ଦେଇଥିଲା। ଗୀତ ପରିବେଷଣ ସମୟରେ ପଛ ପଟ ପରଦାରେ ପୁରୀ, ବୌଦ୍ଧ ପର୍ଯ୍ୟଟନସ୍ଥଳୀ, ହୀରାକୁଦ, ଶିମିଳିପାଳ, ଭିତରକନିକା ପରି ପର୍ଯ୍ୟଟନସ୍ଥଳକୁ ପ୍ରଦର୍ଶିତ କରାଯାଇଥିଲା।

ପିଲାଙ୍କୁ ଦିଆଗଲା କିଟ୍‌

ପିଲାମାନେ ପ୍ରବେଶ କରିବା ସମୟରେ ସେମାନଙ୍କୁ ଗୋଟିଏ ଲେଖାଏଁ କିଟ୍‌ ଦିଆଯାଇଥିଲା। ବ୍ୟାଗ୍‌ ଭିତରେ ଟୋପି, ପ୍ଲାକାର୍ଡ, ବ୍ୟାଣ୍ଡ ଆଦି ରହିଥିଲା। ୪,୫୦୦ ପିଲାଙ୍କ ଲାଗି ଏଠାରେ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଅନେକ ପିଲା ସିଟ୍‌ ପାଇ ନ ଥିଲେ। ପଛରେ ଛିଡ଼ା ହୋଇ ମୁଖ୍ୟମନ୍ତ୍ରୀଙ୍କ ଭାଷଣ ଶୁଣିଥିଲେ। ଉତ୍ସବସ୍ଥଳରେ କିଛି ଶିକ୍ଷକ ଓ ଅଭିଭାବକ ବି ଉପସ୍ଥିତ ଥିଲେ।

ପାଖରେ ବସି ବି କଥା ହୋଇପାରିଲେନି ଦୁଇ ଛାତ୍ରୀ

publive-image

କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ବସି ମଧ୍ୟ କଥା ନ ହୋଇପାରିବାରୁ ଦୁଇ ଛାତ୍ରୀଙ୍କ ମନ ଭାରି ଦୁଃଖ ହୋଇଛି। ଶ୍ରୀ ସତ୍ୟସାଇ ହାଇସ୍କୁଲର ଦୁଇ ଛାତ୍ରୀ ଶର୍ମିଲି ଚାଟାର୍ଜୀ ଓ ଭାଗ୍ୟଶ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଅସୁବିଧା ସଂପର୍କରେ କହିଥାନ୍ତେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟରେ ବସିଥିବା ଅନ୍ୟ ଛାତ୍ରୀମାନେ ନିଜ ସିଟ୍‌ ନ ଛାଡ଼ିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯାଇପାରି ନ ଥିଲେ। ବାରମ୍ବାର ସେମାନଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ ସିଟ୍‌ ଛାଡ଼ି ନ ଥିଲେ। ଯାହାକୁ ନେଇ ଦୁହେଁ ବେଶ ମର୍ମାହତ ହୋଇଥିଲେ ବୋଲି କହିଛନ୍ତି।