ଭୁବନେଶ୍ବର: ଜୁଲାଇ ୧ ତାରିଖକୁ ଦେଶବ୍ୟାପୀ ଜାତୀୟ ଚିକିତ୍ସକ ଦିବସ ଭାବେ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡା. ବି.ସି ରୟଙ୍କ ଜନ୍ମ ଓ ମୃତ୍ୟୁ ଦିବସ ଚିକିତ୍ସକ ଦିବସ ଭାବେ ପାଳିତ ହୋଇଆସୁଛି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍(ଆଇଏମ୍‌ଏ) ଓ ରୋଟାରି କ୍ଲବ୍ ଅଫ ଭୁବନେଶ୍ବରର ମିଳିତ ଉଦ୍ୟମରେ ଆଜି ଆଇଏମ୍‌ଏ ଭବନରେ ଜାତୀୟ ଚିକିତ୍ସକ ଦିବସ ସହିତ ହେଲ୍‌ଥ ଚେକ୍‌ଅପ୍ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଇଏମ୍‌ଏ ଭୁବନେଶ୍ବରର ସଭାପତି ଡା. ପି.କେ ମହାପାତ୍ରଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Advertisment

ଏଥିରେ ମୁଖ୍ୟ ଅତିଥି ଭାବେ ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, ଡାକ୍ତରଙ୍କୁ ଈଶ୍ବରଙ୍କ ଦ୍ବିତୀୟ ଅବତାର ବୋଲି ବିବେଚନା କରାଯାଏ। ଆଜିର ସ୍ବାସ୍ଥ୍ୟସେବା ଚାପପୂର୍ଣ୍ଣ ରହିଥିବା ବେଳେ ଡାକ୍ତରଙ୍କ ଉପରେ ପ୍ରବଳ ଚାପ ଦେଖିବାକୁ ମିଳୁଛି। ଡାକ୍ତରୀ ଭଳି ମୂଲ୍ୟବାନ୍‌ ପେସା ପ୍ରତି କିଛି ଲୋକ ଈର୍ଷା କରିବା ଆରମ୍ଭ କରିଛନ୍ତି। ଆଜି ମେଡିକାଲ ପାଠ ପଢ଼ିବା ପାଇଁ ପିଲାଦିନୁ ବାପା ମା’ମାନେ ପିଲା ପାଇଁ ପ୍ରସ୍ତୁତି ଆରମ୍ଭ କରୁଛନ୍ତି। ମାତ୍ର ୫୦/୬୦ବର୍ଷ ପୂର୍ବରୁ ଏଭଳି ଅବସ୍ଥା ନ ଥିଲା। ଆଜିର ବଜାର ସଭ୍ୟତାରେ ମେଡିକାଲ କଲେଜରେ ଆବଶ୍ୟକ ଭିତ୍ତିଭୂମି ନ ଥାଇ ଯେନତେନ ପ୍ରକାର ଡାକ୍ତର ହେବା ପାଇଁ ଅନେକ ଲକ୍ଷ୍ୟ ରଖୁଛନ୍ତି। ଏମ୍‌ବିବିଏସ୍‌ ଛାପ ବାଜିଗଲେ ଯେ ଜଣେ ଭଲ ଡାକ୍ତର ହେବ, ତାହା କହିବା ମୁସ୍କିଲ୍। ‌ଅନେକ ସମୟରେ ଡାକ୍ତରଖାନାରେ ଡାକ୍ତର ରହୁ ନଥିବା ଅଭିଯୋଗ ହେଉଛି। ତେଣୁ ଡାକ୍ତରଖାନାରେ କିଭଳି ସବୁବେଳେ ଡାକ୍ତର ଉପଲବ୍ଧ ରହିବେ, ସେଥିପାଇଁ ଡାକ୍ତରମାନେ ଚିନ୍ତା କରିବା ଦରକାର। ଡାକ୍ତରମାନେ କିଭଳି ଚାପମୁକ୍ତ ହେବେ ଓ ଲୋକମାନଙ୍କୁ ଆବଶ୍ୟକ ସେବା ମିଳିପାରିବ, ସେ ଦିଗରେ ଡାକ୍ତରମାନେ ଚିନ୍ତା କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଆପୋଲୋ ହସ୍ପିଟାଲର ସିଇଓ ସୁଧୀର ଦିଗ୍ଗିକର କହିଲେ, ଡାକ୍ତରୀ ଏକ ଉତ୍କୃଷ୍ଟ ପେସା। ପ୍ରତ୍ୟେକ ଦିନ ରୋଗ ଓ ରୋଗୀଙ୍କ ସେବା ପାଇଁ ଡାକ୍ତରମାନେ ବହୁ କିଛି ବଳିଦାନ ଦେଇଥାନ୍ତି। ଜୀବନ ହେଉଛି ମୂଲ୍ୟବାନ୍‌। ଅନେକ ସମୟରେ ଡାକ୍ତର ଚିକିତ୍ସା କରିବା ସମୟରେ ରୋଗୀଙ୍କୁ ବଞ୍ଚାଇବା ସମ୍ଭବପର ହୋଇପାରି ନଥାଏ। ଏହାକୁ ନେଇ ଡାକ୍ତରଙ୍କୁ ଆକ୍ରମଣ କରିବା ଠିକ୍ ନୁହେଁ। ମାତ୍ର କିଛି ବର୍ଷ ହେବ ଡାକ୍ତରଙ୍କ ଉପରେ ଆକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି। ତେଣୁ ଏ ଦିଗରେ କଡ଼ା ଆଇନ ପ୍ରଣୟନ ସହିତ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ରହିଛି। ଏଭଳି ଘଟଣାକୁ ପ୍ରତିହତ କରାନଗଲେ ଆଗାମୀ ଦିନରେ ଯୁବକଙ୍କୁ ଏହା ଡାକ୍ତରୀ ପେସା ପ୍ରତି ଆକୃଷ୍ଟ କରିବ ନାହିଁ। ସ୍ବାସ୍ଥ୍ୟ କ୍ଷେତ୍ରରେ ଅନେକ ନିଯୁକ୍ତି ସୃଷ୍ଟି ହୋଇପାରିବ। ତେଣୁ ଅଧିକରୁ ଅଧିକ ଯୁବପିଢ଼ିଙ୍କୁ ଏ ଦିଗରେ ଆକୃଷ୍ଟ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଦିଗ୍ଗିକର କହିଥିଲେ। ଅନ୍ୟମାନଙ୍କ ମଧ୍ୟ‌ରେ ରୋଟାରି କ୍ଲବ୍‌ର ସଭାପତି ପ୍ରଭାତ ଶତପଥୀ, ସଂପାଦକ ତୁଷାର ନାୟକ ଓ ସୋସିଆଲ ୱେଲଫେୟାର୍‌ ‌ସଂପାଦକ ତାରାମଣୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଡା. ଜଗନ୍ନାଥ ମହାପାତ୍ର ଓ ଡା. ପ୍ରଦ୍ୟୁମ୍ନ କୁମାର ଆଚାର୍ଯ୍ୟଙ୍କୁ ସମ୍ବର୍ଧିତ କରାଯାଇଥିଲା। ହେଲ୍‌ଥ ଚେକ୍‌ଅପରେ ଇସିଜି, ବ୍ଲଡସୁଗାର, ପିଏଫଟି, ଲିପିଡ୍‌ ପ୍ରୋଫାଇଲ୍‌ ଭଳି ପରୀକ୍ଷା କରାଯାଇଥିଲା। ଶହେରୁ ଅଧିକ ଲୋକ ଏଥିରେ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଆଇଏମ୍‌ଏ ଭୁବନେଶ୍ବରର ସଂପାଦକ ଡା. ପ୍ରତ୍ୟୁଷ ରାୟ ଧନ୍ୟବାଦ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।