ଭୁବନେଶ୍ବର: ଦିଅର-ଭାଉଜଙ୍କ ଅନୈତିକ ସମ୍ପର୍କକୁ ବିରୋଧ କରିବା ସ୍ବାମୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ମାମୁ ପୁଅ ଭାଇର ଖଣ୍ଡା ଚୋଟରେ ଯୁବକଙ୍କ ଆଙ୍ଗୁଠି ଛିଣ୍ଡି ଯାଇଛି। ଘଟଣାଟି ଖଣ୍ଡଗିରି ଥାନା ତପୋବନ ବସ୍ତିରେ ଘଟିଛି। ପୁଲିସ ଏହି ମାମଲାରେ ଆହତ ସ୍ବାମୀଙ୍କ ସ୍ତ୍ରୀଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଖଣ୍ଡାରେ ହାଣି ଥିବା ଅଭିଯୁକ୍ତ ଦିଅର ଫେରାର୍ ହୋଇଯାଇଛି।

Advertisment

ସୂଚନାନୁସାରେ ମୁତାବକ ପରିବାର ସହ ତପୋବନ ବସ୍ତିରେ ରହୁଥିବା ଯୁବକଜଣକ ବେକାର ହୋଇ ଗାଁରେ ବୁଲୁଥିବା ମାମୁ ପୁଅ ଭାଇ ପ୍ରଶାନ୍ତକୁ ପାଖକୁ ନେଇଆସିଥିଲେ। ସେ ପ୍ରଶାନ୍ତକୁ ଏକ ମେକାନିକ୍‌ କାମ ଶିଖାଇବାକୁ ବ୍ୟବସ୍ଥା ବି କରିଥିଲେ। ତେବେ ଏହା ଭିତରେ ଦିଅର ଓ ଭାଉଜଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ସେମାନଙ୍କ ଏହି ଅନୈତିକ ସମ୍ପର୍କ ବେଶି ଦିନ ଲୁଚି ରହିନଥିଲା। ତେଣୁ ଘରେ ଝଗଡ଼ା ସୃଷ୍ଟି ହୋଇଥିଲା ଏବଂ ଯୁବକ ଜଣକ ପ୍ରଶାନ୍ତକୁ ଘରୁ ବାହାର କରିବାକୁ ବାହାରିଥିଲେ। ମାତ୍ର ସ୍ତ୍ରୀ ଏଭଳି ଅଭିଯୋଗକୁ ମିଛ ବୋଲି କହି ଦିଅର ପ୍ରଶାନ୍ତକୁ ଘରୁ ଯିବାକୁ ଦେଇନଥିଲେ।

ଏହାଦ୍ବାରା ଅପବାଦ ବେଶି ବଢ଼ିବ ବୋଲି ସ୍ତ୍ରୀ ସ୍ବାମୀଙ୍କୁ ବୁଝାଇଦେଇଥିଲେ। କିନ୍ତୁ ଆଜି ଅପରାହ୍ଣ ପାଖାପାଖି ସାଢ଼େ ୩ଟା ବେଳେ ମହିଳାଙ୍କ ସ୍ବାମୀ ହଠାତ୍ ଘରକୁ ‌ଫେରିଥିଲେ। ପତ୍ନୀ ଓ ପ୍ରଶାନ୍ତକୁ ଅସଂଜତ ଅବସ୍ଥାରେ ଦେଖିବା ପରେ ତାଙ୍କ ମୁଣ୍ଡକୁ ପିତ୍ତ ଚଢ଼ିଯାଇଥିଲା। ରାଗରେ ସେ ପ୍ରଶାନ୍ତକୁ ଘରୁ ବାହାରିଯିବା ପାଇଁ କହିଥିଲେ ଏବଂ ସ୍ତ୍ରୀଙ୍କୁ ଗାଳିମନ୍ଦ କରିବା ସହ ମାଡ଼ ମାରିଥିଲେ। ଏଥିରେ ପ୍ରଶାନ୍ତ ରାଗି ଯାଇ ଘରୁ ଏକ ଖଣ୍ଡା ଆଣି ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଖଣ୍ଡା ଚୋଟ ମୁଣ୍ଡ ଉପରେ ପଡ଼ିବା ପୂର୍ବରୁ ଯୁବକ ହାତ ଦେଖାଇଦେବାରୁ ତାଙ୍କର ତିନି ଆଙ୍ଗୁଠି ଛିଣ୍ଡି ଯାଇଥିଲା। ଏତିକିବେଳେ ଯୁବକଙ୍କ ସ୍ତ୍ରୀ ଦିଅର ପ୍ରଶାନ୍ତକୁ ରୋକିବା ବଦଳରେ ପାଲଟା ସମର୍ଥନ କରିଥିଲେ। ପ୍ରାଣ ବିକଳରେ ଯୁବକ ବସ୍ତି ଭିତରେ ଦୌଡ଼ିଥିବା ବେଳେ ରକ୍ତମୁଖା ପ୍ରଶାନ୍ତ ପଛେପଛେ ଗୋଡ଼ାଇଥିଲା। ତେବେ ବସ୍ତି ଲୋକେ ଏକାଠି ହୋଇଯିବା ଦେଖି ସେ ଫେରାର୍ ହୋଇଯାଇଥିଲା। ଖବର ପାଇ ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇବା ସହ ମହିଳାଙ୍କୁ ଥାନାକୁ ନେଇଥିଲା।