ଭୁବନେଶ୍ବର: ମଧ୍ୟଯୁଗୀୟ ସାହିତ୍ୟ ଚର୍ଚ୍ଚାରେ ସମାଲୋଚକ ନଟବର ସାମନ୍ତରାୟଙ୍କର ବିଶେଷ ଅବଦାନ ଥିଲା। ମୌଳିକ ଦିଗ ଓ ତଥ୍ୟକୁ ବିଚାର କରି ସମାଲୋଚନା ସାହିତ୍ୟ ରଚନା କରିବା ଥିଲା ତାଙ୍କ ରଚନାର ବିଶେଷତ୍ବ। ସାରାଜୀବନ ସେ ଓଡ଼ିଆ ସାହିତ୍ୟକୁ ନେଇ ଗବେଷଣା ଜାରି ରଖିଥିଲେ। ତର୍କ ପ୍ରବଣ ଓ ତର୍କ କୌଶଳକୁ ବିନିଯୋଗ କରି ସେ ଫକୀରମୋହନଙ୍କ ରେବତୀ ଓ ପେଟେଣ୍ଟ୍ ମେଡିସିନ୍ଠୁ ଆରମ୍ଭ କରି ଗଙ୍ଗାଧର, ରାଧାନାଥଙ୍କ ସାହିତ୍ୟକୁ ସମାଲୋଚନା ଓ ଚର୍ଚ୍ଚା କରିଛନ୍ତି। ବିଶିଷ୍ଟ ସମାଲୋଚକ ନଟବର ସାମନ୍ତରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଆୟୋଜିତ ପୁସ୍ତକ ଆଲୋଚନା ପର୍ବରେ ମତ କରିଛନ୍ତି ଅତିଥିବୃନ୍ଦ। ‘ପକ୍ଷୀଘର ପ୍ରକାଶନୀ’ ପକ୍ଷରୁ ଜାତୀୟ ଅଭିଲେଖାଗାର ପରିସରରେ ଆୟୋଜିତ ଏହି ଆଲୋଚନା ପର୍ବରେ ସ୍ବଗର୍ତ ସାମନ୍ତରାୟଙ୍କ ୧୩ଟି ମୂଲ୍ୟବାନ ପ୍ରବନ୍ଧକୁ ଇଂରାଜୀରେ ଅନୁବାଦ କରି ସୁମନ୍ୟୁ ଶତପଥୀ ଓ ଅନିମେଶ ମହାପାତ୍ରଙ୍କ ସମ୍ପାଦନାରେ ପ୍ରସ୍ତୁତ ହୋଇଥିବା ‘ନଟବର ସାମନ୍ତରାୟ: ଏ ରିଡର’ ପୁସ୍ତକ ସମ୍ପର୍କରେ ଆଲୋଚନା ହୋଇଥିଲା।
ସମାଲୋଚକ ଓ ଗବେଷକ ଦେବେନ୍ଦ୍ର କୁମାର ଦାଶ କହିଲେ ଓଡ଼ିଆ ସାହିତ୍ୟର ବିଭିନ୍ନ ସମୟର ସ୍ତରକୁ ସେ ସ୍ପର୍ଶ କରିଥିଲେ। ସେ ସରଳତା ଓ ପାଣ୍ଡିତ୍ୟର ସମନ୍ବୟ ଥିଲେ। ତତ୍ତ୍ବରୁ ତଥ୍ୟ ଆସେ ନାହିଁ ବରଂ ତଥ୍ୟରୁ ତତ୍ତ୍ବ ଆସେ ବୋଲି ସ୍ବର୍ଗତ ସାମନ୍ତରାୟ ବିଶ୍ବାସ କରି ଚର୍ଚ୍ଚା କରୁଥିଲେ। ଅନ୍ୟତମ ସମାଲୋଚକ ତଥା ଗବେଷକ କୈଳାସ ଚନ୍ଦ୍ର ଦାଶ କହିଲେ, ତାଙ୍କ ସମୟରୁ ବିଶ୍ଳେଷଣାତ୍ମକ ଆଲୋଚନାର ମାର୍ଗ ପ୍ରଶସ୍ତ ହୋଇଥିଲା। ଅତିବଡ଼ୀ ଜଗନ୍ନାଥ ଦାସ ଓ ଭାଗବତର ରଚୟିତା ଜଗନ୍ନାଥ ଦାସ ଯେ ଜଣେ ବ୍ୟକ୍ତି ଏ ବାବଦରେ ସେ ବଳିଷ୍ଠ ଯୁକ୍ତି ରଖିଥିଲେ। ‘ଶୂନ୍ୟ ସଂହିତା’ରେ କବିଙ୍କ ସାହିତ୍ୟକୁ ବିଶ୍ବାସ ନକରି ତା’ ଉପରେ ଗବେଷଣା କରି ଚର୍ଚ୍ଚା କରିଥିଲେ। ୧୯୮୦ ମସିହା ପରେ ତାଙ୍କ ରଚିତ ବହୁ ପ୍ରବନ୍ଧ ପଡ଼ିରହିଥିବାରୁ ତାହା ଇଂରାଜୀରେ ଅନୁବାଦ ହେବା ଆବଶ୍ୟକ ବୋଲି ସେ କହିଥିଲେ। ବିଶିଷ୍ଟ କଥାକାର ଗୌରହରି ଦାସ ଅଧ୍ୟକ୍ଷତା କରି କହିଲେ, ଅନେକ କ୍ଷେତ୍ରରେ ଦେଖାଯାଉଛି ଯେ ଜଣେ ଲେଖକଙ୍କ ମୃତ୍ୟୁ ପରେ ତାଙ୍କ ପରିବାରରେ ମନୋମାଳିନ୍ୟ ଯୋଗୁ ବହି ପ୍ରକାଶନରେ ସମସ୍ୟା ଉପୁଜୁଛି। ତେଣୁ ନଟବର ସାମନ୍ତରାୟଙ୍କ ପୁସ୍ତକ ଯେମିତି ସବୁବେଳେ ମିଳିବ ସେ କ୍ଷେତ୍ରରେ ତାଙ୍କ ପରିବାରଠୁ ଆରମ୍ଭ କରି ସାହିତ୍ୟିକମାନେ ଦାୟିତ୍ବ ନେବା ଆବଶ୍ୟକ ବୋଲି ସେ କହିଥିଲେ। ‘ନଟବର ସାମନ୍ତରାୟ: ଏ ରିଡର’ ପୁସ୍ତକର ସମ୍ପାଦକ ସୁମନ୍ୟୁ ଶତପଥୀ ଲେଖକଙ୍କ ଦୁର୍ଲଭ ଲେଖାଗୁଡ଼ିକ ସଂଗ୍ରହ ବେଳେ ସାମ୍ନା କରିଥିବା ସମସ୍ୟା ଏବଂ ଲେଖକଙ୍କ ଜଟିଳ ଲେଖା ଶୈଳୀକୁ ଇଂରାଜୀରେ ଅନୁବାଦ କରିବାର ଅନୁଭବ ସମ୍ପର୍କରେ କହିଥିଲେ। ଲଲାଟେନ୍ଦୁ ଦାସ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ‘ପକ୍ଷୀଘର’ର ସମ୍ପାଦକ ବନୋଜ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ନିତ୍ୟାନନ୍ଦ ଶତପଥୀ, ପଞ୍ଚାନନ କାନୁନ୍ଗୋ, ସଂଜୀବ ଚନ୍ଦ୍ର ହୋତା, ସ୍ନେହପ୍ରଭା ଦାଶ, ପୁଷ୍ପଲତା ପଟ୍ଟନାୟକ, କ୍ଷୀରୋଦ ପରିଡ଼ା, ଅନିଲ୍ ଧୀର୍ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିବୃନ୍ଦ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-20-9.jpg)