ଖଣ୍ଡଗିରି : ଶୁକ୍ରବାର ରାତିରେ ସ୍ଥାନୀୟ ଭରତପୁର ରାସ୍ତା ଓ ଶିରିପୁର ରାସ୍ତାରେ ଘଟିଥିବା ୨ଟି ପୃଥକ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ବରମୁଣ୍ଡା ଗଙ୍ଗନଗର ପଲ୍ଲୀର କୁମର ରାଉତ(୫୬) ଓ ଏସ୍‌ଓଏସ୍‌ ଶିଶୁଗ୍ରାମରେ କାମ କରୁଥିବା ନମିତା ବିଶ୍ୱାଳ(୫୫)। ନମିତାଙ୍କ ଘର ସାକ୍ଷୀଗୋପାଳ ଥାନା ଉଅାଁସିଡିହ କହ୍ନିଆଁ ଗାଁରେ। ପୁଲିସ ସୂଚନାନୁସାରେ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ କୁମର ଓୟୁଏଟି ଛାତ୍ରାବାସ ନିକଟରେ ରାସ୍ତା ପାର୍‌ ହେଉଥିବାବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇ ଦ୍ରୁତବେଗରେ ପଳାଇଥିଲା। ଗୁରୁତର ଅବସ୍ଥାରେ କୁମରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ତାଙ୍କ ପୁଅ କୁନାଲ୍‌ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକ୍‌କୁ ଖୋଜିବା ଆରମ୍ଭ କରିଛି। ସେହିଭଳି ଶୁକ୍ରବାର ରାତି ପ୍ରାୟ ୮ଟା ସମୟରେ ନମିତା ଶିଶୁଗ୍ରାମରୁ କୌଣସି କାମରେ ବାହାରି କଳିଙ୍ଗଷ୍ଟୁଡିଓ ଛକକୁ ଯାଉଥିବାବେଳେ ଏକ ମିନିଟ୍ରକ୍‌(ଓଆର୦୨ ବିଜି୦୭୯୧) ତାଙ୍କୁ ପଛ ପଟୁ ଧକ୍କା ଦେଇଥିଲା। ଗୁରୁତର ଅବସ୍ଥାରେ ନମିତାଙ୍କୁ ସମ୍‌ ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ସେଠାରେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।