ଭୁବନେଶ୍ୱର: ରବିବାରଠାରୁ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଆରମ୍ଭ ହେବାକୁ ଯାଉଛି ‘ଡଟ୍‌ଫେଷ୍ଟ’। ଏଥିରେ ଖାଦ୍ୟ ଷ୍ଟଲ୍‌, ଫଟୋ ପ୍ରଦର୍ଶନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେବ। ତେଣୁ ହଜାର ହଜାର ଲୋକଙ୍କର ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ତା’ ସହ ପାର୍କିଂ ଓ ଟ୍ରାଫିକ୍‌ କଟକଣା କରାଯାଇଛି। ଏ ନେଇ ଆଜି ପ୍ରଦର୍ଶନୀ ପଡ଼ିଆରେ ଡିସିପି ପ୍ରତୀକ ସିଂହ ସମୀକ୍ଷା କରିଛନ୍ତି। ପ୍ରଦର୍ଶନୀ ପଡ଼ିଆରେ ୭୬୦୦ ଦର୍ଶକ ଏକାଥରେ ବସି କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ରହିଥିବା‌ ବେଳେ ନାଇଟ୍‌ ବଜାର, ଫ୍ଲି ମାର୍କେଟ୍‌, ଫଟୋ ପ୍ରଦର୍ଶନୀ, ଅନ୍ତର୍ଜାତୀୟ ଖାଦ୍ୟ ବଜାର ପ୍ରଭୃତି ରହିଛି। ଏଣୁ ପ୍ରତ୍ୟେକ ସନ୍ଧ୍ୟାରେ ଏଠାରେ ୩୦ ହଜାରରୁ ଊର୍ଦ୍ଧ୍ବ ଜନସାଧାରଣଙ୍କର ସମାଗମ ଆଶା କରାଯାଉଛି।

Advertisment

ଏହାକୁ ଆଖି ଆଗରେ ରଖି ଟ୍ରାଫିକ ଶୃଙ୍ଖଳା ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ପଡ଼ିଆ ସମ୍ମୁଖ ମୁଖ୍ୟ ରାସ୍ତା ଉଭୟ ପାର୍ଶ୍ୱ (ରାମମନ୍ଦିର ଓ ହାଉସିଂ ବୋର୍ଡ ଛକ)ରୁ ଯାନବାହନ ଚଳଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ଦୁଇଚକିଆ ଓ ଚାରିଚକିଆ ଯାନ ପାଇଁ ୪ଟି ସ୍ଥାନରେ ପାର୍କିଂ ବ୍ୟବସ୍ଥା କରାଯାଇଛି। କ୍ୟାପିଟାଲ୍‌ ହାଇସ୍କୁଲ ପଡ଼ିଆ, ହିନ୍ଦୀ ହାଇସ୍କୁଲ ପଡ଼ିଆ ଓ କେନ୍ଦ୍ରୀୟ ବିଦ୍ୟାଳୟ ପଡ଼ିଆରେ ଚାରିଚକିଆ ଯାନ ପାର୍କିଂ ବ୍ୟବସ୍ଥା କରାଯାଇଥିବା ବେଳେ କ୍ୟାପିଟାଲ ହାଇସ୍କୁଲ ମଧ୍ୟରେ ଥିବା ଫୁଟବଲ୍‌ ଆରେନାରେ ଦୁଇଚକିଆ ଯାନ ପାର୍କିଂ ବ୍ୟବସ୍ଥା ହୋଇଛି। ସବୁ ଜାଗାରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ଭିନ୍ନ ଭିନ୍ନ ରାସ୍ତା ରଖାଯାଇଛି। ଜନସାଧାରଣ ଏହି ସବୁ ଜାଗାରେ ଗାଡ଼ି ରଖି ଚାଲିଚାଲି ପ୍ରଦର୍ଶନୀ ପଡ଼ିଆକୁ ଯିବେ। ଏଣୁ ଟ୍ରାଫିକ୍‌ ସମସ୍ୟା ହେବ ନାହିଁ ବୋଲି କମିସନରେଟ୍‌ ପୁଲିସ ଆଶାବାଦୀ ଅଛି।

ଅପରପକ୍ଷରେ ଭୁବନେଶ୍ବରକୁ ଆସୁଥିବା ଅତିଥିମାନଙ୍କୁ ସୁରକ୍ଷା ଯୋଗାଇବା ଉପରେ ଧ୍ୟାନ ଦିଆଯାଇଛି। ବଲିଉଡର ବହୁ ବହୁ ନାମୀଦାମୀ କଳାକାର ଆସୁଛନ୍ତି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଜନଗହଳିର ସୁଯୋଗ ନେଇ ଚୋରି, ପକେଟ୍‌ମାର, ଛିନ୍‌ତାଇ ବଢ଼ିବା ଆଶଙ୍କା ଥିବାରୁ ବହୁ ସାଦା ପୋଷାକଧାରୀ ପୁଲିସ ମୁତୟନ କରାଯିବ। ଏହି ମହୋତ୍ସବକୁ ଶୃଙ୍ଖଳାର ସହ ପରିଚାଳନା କରିବାକୁ ୨ଜଣ ଅତିରିକ୍ତ ଡିସିପି ପାହ୍ୟାର ଅଧିକାରୀ, ୬ଜଣ ଏସିପି ପାହ୍ୟାର ଅଧିକାରୀ, ୧୯ଜଣ ଇନ୍ସପେକ୍ଟର, ୫୨ଜଣ ଏସ୍‌ଆଇ/ଏଏସ୍‌ଆଇ ସମେତ ୧୦ ପ୍ଲାଟୁନ୍‌ ଫୋର୍ସ ଓ ୫ ପ୍ଲାଟୁନ୍‌ ଟ୍ରାଫିକ୍‌ ପୁଲିସ ଡଟ୍‌ଫେଷ୍ଟ ପାଇଁ ନିୟୋଜିତ ହୋଇଛନ୍ତି।