ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ଅପରାଧୀ। କେଉଁଠି ମାଡ଼ ମାରି ଲହୁଲୁହାଣ କରୁଛନ୍ତି ତ ଆଉ କେଉଁଠି ଲୁଟପାଟ୍। ରାଜଧାନୀର ଛାତି ଉପରେ ଅପରାଧ ଘଟାଇବାକୁ ଭୟ କରୁ ନାହାନ୍ତି। ନା ପାଟ୍ରୋଲିଂ ଗାଡ଼ିର ଦେଖା ମିଳୁଛି ନା ପୁଲିସର ଭୟ ରହିଛି। ଗତକାଲି ଲୁଟେରାଙ୍କ ହାବୁଡ଼ରେ ପଡ଼ିଛନ୍ତି ଜଣେ ବଙ୍ଗୀୟ ଯାତ୍ରୀ। ଷ୍ଟେସନରୁ ଓହ୍ଲାଇ ଚାଲି ଚାଲି ହୋଟେଲକୁ ଯାଉଥିବା ବେଳେ ଲୁଟେରା ଛୁରାମାଡ଼ କରି ବ୍ୟାଗ୍ ଓ ଟଙ୍କା ଲୁଟି ନେଇଛନ୍ତି। ଲୁଟ୍ର ଶିକାର ହୋଇଛନ୍ତି ପଶ୍ଚିମବଙ୍ଗ ଖରଦା ଥାନା ଅନ୍ତର୍ଗତ ସୋଦେପୁର ଆରଏନଟି ରୋଡର ଓମ୍ପ୍ରକାଶ ସୋନି। ଏ ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି।
ମିଳିଥିବା ସୂଚନା ଅନୁସାରେ, ଓମ୍ପ୍ରକାଶ ଗତକାଲି ରାତି ପ୍ରାୟ ୩ଟା ୧୫ରେ ଟ୍ରେନ୍ରୁ ଓହ୍ଲାଇ ବୁକ୍ କରିଥିବା ହୋଟେଲକୁ ଚାଲି ଚାଲି ଯାଉଥିଲେ। ଅଶୋକନଗର ନିକଟରେ ଦୁଇଜଣ ଲୁଟେରା ତାଙ୍କୁ ପିଛା କରି ଅଟକାଇଥିଲେ। ଛୁରି ଦେଖାଇ ବ୍ୟାଗ୍, ଟଙ୍କା, ମୋବାଇଲ ଫୋନ୍ ଦେବାକୁ କହିଥିଲେ। ଓମ୍ପ୍ରକାଶ ରାଜି ନ ହେବାରୁ ସେମାନେ ଛୁରାମାଡ଼ କରି ବ୍ୟାଗ୍ ଓ ଟଙ୍କା ଛଡ଼ାଇ ନେଇଥିଲେ। ଓମ୍ପ୍ରକାଶ ତାଙ୍କୁ ପିଛା କରିବାରୁ ଲୁଟେରା ପୁଣି ଛୁରାମାଡ଼ କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।