ବାଲିପାଟଣା: ଶହଶହ ମହିଳା ଏକ ଅଚିହ୍ନା ଗଛ ମୂଳେ ମାନସିକ କରି ଅଧିଆ ପଡ଼ନ୍ତି। ଏହାକୁ ଅନେକେ ଅନ୍ଧବିଶ୍ବାସ ବୋଲି କହିଥା’ନ୍ତି। କିନ୍ତୁ ଶହଶହ ବର୍ଷ ଧରି ଲୋକେ ମାନି ଆସୁଛନ୍ତି। କାହାର କ’ଣ ମାନସିକ ପୂରଣ ହେଉଛି, ସେହିମାନେ ହିଁ ଜାଣନ୍ତି। ବଡ଼ ବିଚିତ୍ର ତଥା ଅଲୌକିକ କଥା ହେଉଛି, ଅଧିଆ ପଡ଼ିଥିବା ମହିଳାମାନେ ଭୋଗ ଲାଗି ପାଇଁ ଆଣିଥିବା ନଡ଼ିଆ ସ୍ବତଃ ଫାଟିଯିବା ଦେଖିବାକୁ ମିଳେ। ଯାହାର ନଡ଼ିଆ ଫାଟିଯାଏ, ତାଙ୍କର ମନସ୍କାମନା ପୂରଣ ହୁଏ ବୋଲି କୁହାଯାଏ। ଏହା ହେଉଛି ବାଲିପାଟଣା ପ୍ରସିଦ୍ଧ ମାଇପି ମେଳା ବା ବୁଢ଼ୀ ମେଳା ପଛର ରହସ୍ୟ।
ଚୈତ୍ର ମାସ କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ଏହି ମେଳା ଅନୁଷ୍ଠିତ ହୁଏ। ବାଲିପାଟଣା ବ୍ଲକ୍ ନରିଶୋ ପଞ୍ଚାୟତ ଓ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ଛିଟିକଣା ମଧ୍ୟବର୍ତ୍ତୀ ସ୍ଥାନରେ ପ୍ରଭୁ ବନବିହାରୀଙ୍କ ପୀଠରେ ଏହି ମେଳା ଅନୁଷ୍ଠିତ ହୁଏ। ସକାଳୁ ପ୍ରଭୁ ବନବିହାରୀଙ୍କ ପୂଜାର୍ଚ୍ଚନା ସମାପନ ହେବା ପରେ ମାନସିକଧାରୀ ମହିଳାମାନେ ନଡ଼ିଆ, ଗୁଆ, ମନ୍ଦାର ଫୁଲ, ଧୂପ ଦୀପ ଆଦି ମୁଣ୍ଡ ନିକଟରେ ରଖି ଲମ୍ବ ହୋଇ ଅଧିଆ ପଡ଼ନ୍ତି। ଚଳିତ ବର୍ଷ ବନବିହାରୀଙ୍କ ପୀଠରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ଦୁଇବର୍ଷ ହେଲା କରୋନା କଟକଣା ପାଇଁ ମେଳା ବନ୍ଦ ରହିଥିବାରୁ ଏଥର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ପୂର୍ବ କାଳରେ ଆଖପାଖ ଅଞ୍ଚଳର ସାଧବ ମହିଳାମାନେ ନିଆଳି ହାଟକୁ ବିଭିନ୍ନ ସାମଗ୍ରୀ ବିକ୍ରି କରିବା ପାଇଁ ଯାଉଥିଲେ। ଏହି ରାସ୍ତା ଦେଇ ଯିବା ବେଳେ ବନବିହାରୀ ପ୍ରଭୁଙ୍କ ପୀଠରେ ଥିବା ଅଚିହ୍ନା ବୃକ୍ଷ ମୂଳେ ମାନସିକ କରୁଥିଲେ। ପ୍ରଭୁଙ୍କ ମହିମାରୁ ନିଆଳି ହାଟରେ ସେମାନଙ୍କ ସବୁ ସାମଗ୍ରୀ ବିକ୍ରି ହୋଇଯାଉଥିଲା। ତେଣୁ ହାଟରୁ ଫେରିବା ବେଳେ ସେମାନେ ହାଟରୁ କିଣିଥିବା ମୁଆଁ ଏଠାରେ ଭୋଗ ଲାଗି କରୁଥିଲେ। କାଳକ୍ରମେ ସାଧବ ମହିଳାମାନଙ୍କ ଏହି କଥା ବ୍ୟାପିବାରେ ଲାଗିଲା ଓ ଅନ୍ୟମାନେ ବନବିହାରୀଙ୍କ କୃପା ଲାଭ କରିବାକୁ ସେଠାରେ ଭିଡ଼ ଜମାଇଲେ। ସେଇଥିରୁ ଏହି ମେଳାର ସୃଷ୍ଟି ବୋଲି କୁହାଯାଏ।