ଭୁବନେଶ୍ବର: ବସ୍ତିରେ ନିଶା କାରବାରର ମଙ୍ଗ ଧରିଛନ୍ତି ମହିଳା। ଏବେ ବ୍ରାଉନସୁଗାର କାରବାରରେ ସକ୍ରିୟ ରହିଛନ୍ତି। ଆଜି ଭୁବନେଶ୍ବର ଅବକାରୀ ଥାନା ଚନ୍ଦ୍ରଶେଖରପୁର ପଣ୍ଡା ପାର୍କରେ ଚଢ଼ଉ କରି ଜଣେ ମହିଳାଙ୍କ ସମେତ ଦୁଇଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ପ୍ରାୟ ୧୦ଲକ୍ଷ ଟଙ୍କା ମୂଲ୍ୟର ୧୦୨ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଗିରଫ ଅଭିଯୁକ୍ତ ହେଲେ, ତୋଫାନ ନାଏକ(୩୬) ଓ ମାନିଆ ନାଏକ(୩୯)। ଅଭିଯୁକ୍ତଙ୍କ କହିବା ଅନୁସାରେ, ସେମାନେ ଖୋର୍ଦ୍ଧାରୁ ଜଣେ ବେପାରୀଙ୍କଠାରୁ ବ୍ରାଉନସୁଗାର ଆଣନ୍ତି। ଏଠାରେ ଛୋଟଛୋଟ ପୁଡ଼ିଆ କରି ବିକନ୍ତି। ଅଧଗ୍ରାମ ପୁଡ଼ିଆର ଦାମ୍ ୫ଶହ ଟଙ୍କା ବୋଲି ଜଣାପଡ଼ିଛି। ବିଶେଷକରି ଯୁବକ, ଛାତ୍ର, ଗାଡ଼ି ଚାଳକଙ୍କୁ ସେମାନେ ବ୍ରାଉନସୁଗାର ବିକ୍ରି କରୁଥିବା ପୁଲିସ ଅବକାରୀ ଅଧିକାରୀଙ୍କ ଆଗରେ କହିଛନ୍ତି। ଏ ସଂକ୍ରାନ୍ତରେ ଅବକାରୀ ଥାନାରେ ଏକ ମାମଲା ରୁଜୁ କରାଯାଇଛି। ଦୁଇଜଣଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ପଠାଇ ଦିଆଯାଇଛି।