ଭୁବନେଶ୍ବର/ ବାଲିପାଟଣା: ୨୦୧୮ ମସିହା ନଭେମ୍ବର ୧ ତାରିଖ। ବାଲିପାଟଣା ଥାନା ଅଧୀନ ବନମାଳିପୁର ନୂଆସାହିରେ ଘଟିଥିଲା ଭୟଙ୍କର ବାଣ ବିସ୍ଫୋରଣ। ମାଇଲ ମାଇଲ ପର୍ଯ୍ୟନ୍ତ ଶୁଭିଥିଲା ଏହି ବିସ୍ଫୋରଣର ଶବ୍ଦ। ସମଗ୍ର ଗାଁ ଥରି ଉଠିଥିଲା। କାହାର ଟିଣ ଛପର ଉଡ଼ି ଯାଇଥିଲା ତ ଆଉ କାହାର ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଛାତ ମଧ୍ୟ ଫାଟି ଆଁ କରିଥିଲା। ଭୂମିକମ୍ପ ଭାବି ଗାଁ ଲୋକ ପଦାକୁ ବାହାରି ଆସିଥିଲେ। ଗାଁ ଦାଣ୍ଡରେ ଗୋରୁ ଓ ଛେଳିମେଣ୍ଢା ମଧ୍ୟ ଇତସ୍ତତ ଭାବେ ଦୌଡ଼ିଥିଲେ। ଯେଉଁ ଘରେ ବିସ୍ଫୋରଣ ଘଟିଥିଲା, ସେ ଘର ଛିନଛତ୍ର ହୋଇଯାଇଥିଲା। ଦୀପାବଳି ପୂର୍ବରୁ ଏଭଳି ବିସ୍ଫୋରଣକୁ ନେଇ ରାଜ୍ୟବ୍ୟାପୀ ଚର୍ଚା ହୋଇଥିଲା। ଏହି ଘଟଣାକୁ ବର୍ଷେ ପୂରିବାକୁ ବସିଥିବା ବେଳେ ଏବେ ବି ଏହା ରହସ୍ୟମୟ ହୋଇ ରହିଛି। ବିସ୍ଫୋରଣରେ କାହାର ମୃତ୍ୟୁ ଘଟିଥିଲା? କିଏ ଏହି ବିସ୍ଫୋରଣ ପାଇଁ ଦାୟୀ? ବିସ୍ଫୋରଣ ପରେ କୁଆଡ଼େ ଅନ୍ତର୍ଧାନ ହୋଇଗଲେ ଜ୍ଞାନେନ୍ଦ୍ର? ଏସବୁ ପ୍ରଶ୍ନର ଉତ୍ତର କାହା ପାଖରେ ନାହିଁ। ଏ ନେଇ ବାଲିପାଟଣା ଥାନା ପୁଲିସ ତଦନ୍ତ କରୁଥିଲେ ମଧ୍ୟ ଏଯାଏ ଏହି ଘଟଣା ଉପରୁ ରହସ୍ୟ ଉନ୍ମୋଚନ କରିବାକୁ ସକ୍ଷମ ହୋଇ ପାରିନାହିଁ।
ଯାହା ସୂଚନା ଥିଲା, ବାଣ କାରଖାନାରେ ନିଜେ ଜ୍ଞାନେନ୍ଦ୍ର, ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଓ ଦୁଇ ଶ୍ରମିକ ବାଣ ଭିଡ଼ୁଥିଲେ। କିନ୍ତୁ ବିସ୍ଫୋରଣ ଘଟିବା ଦିନ ସେହି ଘର ଓ ଆଖପାଖ ଅଞ୍ଚଳରୁ ଟୁକୁଡ଼ା ଟୁକୁଡ଼ା ମାଂସ ମିଳିଥିଲା। ବିସ୍ଫୋରଣରେ କେତେ ଜଣଙ୍କ ମୃତ୍ୟୁ ହୋଇଥିଲା, ତାହା ଜାଣିବା ପୁଲିସ ପାଇଁ କଷ୍ଟକର ହୋଇପଡ଼ିଥିଲା। ସନ୍ଦେହ ହେବାରୁ ପୁଲିସ ସାଇଣ୍ଟିଫିକ୍ ଟିମ୍ ସହଯୋଗରେ ତଦନ୍ତ କରି ଘଟଣାସ୍ଥଳରୁ ମାଂସ, ହାଡ଼ ଆଦି ସଂଗ୍ରହ କରିଥିଲା। ସେ ସବୁକୁ ପରୀକ୍ଷାନିରୀକ୍ଷା କରାଯିବା ପରେ ତାହା ଜଣେ ମହିଳାଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା, ଘଟଣା ଦିନ ଶ୍ରମିକଦ୍ବୟ ଆସି ନ ଥିଲେ। ବିସ୍ଫୋରଣରେ କେବଳ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ଘଟିଥିଲା ବେଳେ ତାଙ୍କ ଦୁଇ ଝିଅ ପୂଜା, ଫୁଲ, ବାପା ନୃସିଂହ ମିଶ୍ର ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ। ଏହି ଅଘଟଣ ଘଟିବା ସମୟରେ ସମସ୍ତେ ଅନୁପସ୍ଥିତ ରହିବା ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା। ଅପରପକ୍ଷେ ଏହି ଘଟଣା ପରେ ଜ୍ଞାନେନ୍ଦ୍ର କୁଆଡ଼େ ଅନ୍ତର୍ଧାନ ହୋଇଗଲେ। ପୁଲିସ ତାଙ୍କ ପତ୍ତା ପାଇଲା ନାହିଁ।
ବାଲିପାଟଣା ଥାନା ପୁଲିସ ତଦନ୍ତରୁ ଜାଣି ପାରିଥିଲା ଯେ ଜ୍ଞାନେନ୍ଦ୍ର ଯୋଜନାବଦ୍ଧ ଭାବେ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟାଙ୍କୁ ହତ୍ୟା କରିଛନ୍ତି। କିନ୍ତୁ ପୁଲିସ ତାଙ୍କ ବିରୋଧରେ ପ୍ରମାଣ ନ ପାଇବାରୁ କେସ ନମ୍ବର ୨୦୧/୧୮, ଦଫା ୩୦୪(ଏ)( ମୃତ୍ୟୁ ପାଇଁ ଦାୟୀ)ରେ ମାମଲା ରୁଜୁ କରିଥିଲା। ଘଟଣାର କେହି ପ୍ରତ୍ୟକ୍ଷଦର୍ଶୀ ନ ଥିବାରୁ ଜ୍ଞାନେନ୍ଦ୍ର ଗିରଫ ହେବା ପରେ ସେ ହିଁ ବିସ୍ଫୋରଣ ସମ୍ପର୍କରେ ସୂଚନା ଦେଇପାରିବେ। ଏ ସମ୍ପର୍କରେ ଜୋନାଲ ଏସିପି ଅମରେନ୍ଦ୍ର ପଣ୍ଡା କହିଛନ୍ତି, ଜ୍ଞାନେନ୍ଦ୍ର ଗିରଫ ହେବା ପରେ ହିଁ ଘଟଣା ଉପରୁ ରହସ୍ୟ ଉଠିବ। ତାଙ୍କୁ ଗିରଫ କରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଖୁବ୍ ଶୀଘ୍ର ସେ ଗିରଫ ହେବ ବୋଲି ଏସିପି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
ଏବେ ଦୀପାବଳିକୁ ଆଉ କିଛି ଦିନ ଥିବା ବେଳେ ଗତବର୍ଷର ଏହି ବିସ୍ଫୋରଣ ଘଟଣା ରାଜଧାନୀ ଉପକଣ୍ଠ ଲୋକଙ୍କ ସ୍ମୁତିକୁ ପୁଣିଥରେ ତାଜା କରିଛି। ସ୍ଥାନୀୟ ଲୋକ କହିଛନ୍ତି, ଜ୍ଞାନେନ୍ଦ୍ର ଜୀବିତ ଅଛନ୍ତି। ବିଭିନ୍ନ ସମୟରେ ସେ ଗାଁକୁ ଆସୁଛନ୍ତି। ତାଙ୍କ ଦୁଇ ଝିଅ ପୂଜା ଓ ଫୁଲ ସମ୍ପର୍କୀୟଙ୍କ ଘରେ ରହି ପାଠ ପଢ଼ୁଛନ୍ତି। ସେମାନଙ୍କୁ ସେ ଦେଖା ମଧ୍ୟ କରୁଛନ୍ତି। ଅପରପେକ୍ଷ ଗତବର୍ଷର ଏହି ଛାତିଥରା ଘଟଣା ପରେ ପୁଲିସ ବାଲିପାଟଣା ସମେତ ବିଭିନ୍ନ ଅଞ୍ଚଳରୁ ଲକ୍ଷ ଲକ୍ଷ ଟଙ୍କାର ବାଣ ଜବତ କରିଥିଲା। କିନ୍ତୁ ମାମଲା ଥଣ୍ଡା ପଡ଼ିଯିବା ପରେ ଏବେ ପୁଣିଥରେ ବେଆଇନ ବାଣ ବ୍ୟବସାୟୀମାନେ ସକ୍ରିୟ ହୋଇ ଉଠିଛନ୍ତି। ବାଲିପାଟଣା, ବାଳକାଟୀ, ପିପିଲି ଓ ଜଟଣୀ ଭଳି ରାଜଧାନୀ ଉପକଣ୍ଠ ଗାଁରେ ବାଣ ଭିଡ଼ା କାମ ବନ୍ଦ ହୋଇନାହିଁ। ଲୁଚାଛପାରେ ଚାଲିଛି। ବ୍ୟବସାୟ। ଦୀପାବଳି ପାଇଁ ଏବେ ଚଳଚଞ୍ଚଳ ହୋଇ ଉଠିଛନ୍ତି ଏହି ବେଆଇନ ବାଣ ବ୍ୟବସାୟୀମାନେ। ରାଜ୍ୟର ବିଭିନ୍ନ ସ୍ଥାନରେ ବାଣ ବ୍ୟବସାୟୀଙ୍କ ଉପରେ ଚଢ଼ଉ କରାଯାଉଛି। ଦୁଇ ଦିନ ତଳେ କଟକ ପୁଲିସ ଜଗତପୁର ଅଞ୍ଚଳରେ ଏକ ବଡ଼ଧରଣର ବାଣ କାରଖାନା ଠାବ କରିବା ସହ ୧୨ଜଣଙ୍କୁ ଗିରଫ କରିଥିଲା। ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଥିଲା। କିନ୍ତୁ ଭୁବନେଶ୍ବର ପୁଲିସକୁ ଏଯାଏ ବାଣ କାରଖାନା ଦେଖା ଯାଉନାହିଁ।
ଏ ସମ୍ପର୍କରେ ଡିସିପି ଅନୁପ ସାହୁ କହିଛନ୍ତି, ବାଲିଅନ୍ତା, ବାଲିପାଟଣା ଓ ଜଟଣୀ ଥାନା ଇନ୍ସପେକ୍ଟରମାନଙ୍କୁ ସେମାନଙ୍କ ଅଞ୍ଚଳରେ ବେଆଇନ ଭାବେ ଚାଲୁଥିବା ବାଣ କାରଖାନା ଉପରେ ଚଢ଼ଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ଯେଉଁମାନେ ବାଣ ବିକ୍ରି କରୁଛନ୍ତି, ସେମାନେ ସୁରକ୍ଷା ବନ୍ଦୋବସ୍ତ କରିବାକୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/sdg65sg7498sdg7468sd54g165sd1g23sdgsdgdsgsdgsdgdsgdsgsdgsdgsdgsdgsdfgsdfgs.jpg)