ଭୁବନେଶ୍ବର: ବାତ୍ୟାକୁ ୨ ମାସ ପୂରିଛି। ଅଥଚ ଝୁଲି ରହିଥିବା ବିଜୁଳି ଖୁଣ୍ଟକୁ ଏଯାଏଁ ସ୍ଥାନାନ୍ତର କରାଯାଇନାହିଁ। ବର୍ଷା ଆରମ୍ଭ ହୋଇଯାଇଥିବାରୁ ପାଣି ଧାର ଯାଇଯାଇ ଏହା ଯେ ରାସ୍ତା ଉପରକୁ କୌଣସି ମୁହୂର୍ତରେ ଗଳି ନପଡ଼ିବ କହିହେବ ନାହିଁ। କୋଉଠି ଏହା ରାସ୍ତା ଆଡ଼କୁ ଢଳି ରହିଛି ତ କୋଉଠି ଧନୁ ଆକାରରେ ବଙ୍କେଇ ଯାଇଛି। ଆଉ କେଉଁଠି ଖୁଣ୍ଟ ଉପରେ ବର୍ଷା ପରେ ଲତା ଚରିଗଲାଣି। ରାଜଧାନୀର ବିଭିନ୍ନ ସ୍ଥାନରେ ଏଭଳି ବିପଦ ସଂକୁଳ ସ୍ଥିତିରେ ଅଧଭଙ୍ଗା ବିଜୁଳି ଖୁଣ୍ଟ ମୃତ୍ୟୁକୁ ଡାକରା ଦେଉଛି। ଅଥଚ ଏହାକୁ ଏଯାଏଁ ହଟା ଯାଇପାରିନାହିଁ। କୋକିଳା ଏନ୍କ୍ଲେଭ୍ ୧ ଓ ୨କୁ ସଂଲଗ୍ନ ଅନନ୍ତ ବିହାର ରାସ୍ତାରେ ଫନି ପରଠାରୁ ରାସ୍ତା ଉପରକୁ ଏକ ବିଜୁଳି ଖୁଣ୍ଟ ଝୁଲି ରହିଥିବା ଦେଖିବାକୁ ମିଳିଛି। ଉକ୍ତ ରାସ୍ତାରେ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣ ଯାତାୟାତ କରୁଛନ୍ତି। ଏତଦ୍ବ୍ୟତୀତ ବିଦ୍ୟାଳୟର ଗାଡ଼ିଗୁଡ଼ିକ ମଧ୍ୟ ଏହି ରାସ୍ତା ଦେଇ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରୁଛି। ତେବେ ଖାଲି ଅନନ୍ତ ବିହାର ନୁହେଁ ପାୱାର ହାଉସ ଛକଠୁ ନେଇ ସହରର ବିଭିନ୍ନ ସ୍ଥାନରେ ବିଦ୍ୟୁତ ଖୁଣ୍ଟି ହାବୁଡ଼ି ଛିଡ଼ା ହୋଇଛି। ଏନେଇ ସାମାଜିକ କର୍ମୀ ସୁଶାନ୍ତ ସାହୁ କହିଛନ୍ତି, ବିପଦସଂକୁଳ ସ୍ଥିତିରେ ଥିବା ଖୁଣ୍ଟିଗୁଡ଼ିକୁ ବିଭାଗୀୟ ଅଧିକାରୀମାନେ ଦୃଷ୍ଟି ଦେଇ ଏଗୁଡ଼ିକୁ ସ୍ଥାନାନ୍ତର କରନ୍ତୁ। ନଚେତ ଏହି ଖୁଣ୍ଟି ଉପୁଡ଼ି କେହି ମୃତାହତ କିମ୍ବା ଆହତ ହେଲେ ବିଭାଗୀୟ ଅଧିକାରୀଙ୍କୁ ଏଥିପାଇଁ ଦାୟୀ କରିବାକୁ ଲୋକେ ବାଧ୍ୟ ହେବେ। ବାସ୍ତବ କଥା ହେଉଛି, ଏବେ ବର୍ଷା ଦିନ ଚାଲିଥିବାରୁ ଖୁଣ୍ଟିଗୁଡ଼ିକର ଏଭଳି ସ୍ଥିତିରେ ଛିଡ଼ା ହୋଇଥିବା ଦେଖି କିଛି ସଚେତନ ନାଗରିକ ଚିନ୍ତା ପ୍ରକଟ କରିଛନ୍ତି। ବିଦ୍ୟୁତ ଖୁଣ୍ଟଗୁଡ଼ିକ ମୂଳରୁ ନଇଁ ରହିଥିବାରୁ ଏହାର ଭାର ନଇଁଥିବା ପାର୍ଶ୍ବକୁ ଢଳି ରହିଛି। ଏଣେ ଲଗାଣ ବର୍ଷା ଯୋଗୁଁ ପାଣି ରାସ୍ତା ଉପରେ ଅନବରତ ଚାଲୁଛି। ଏହି ପାଣି ଧାର ହିଁ ଅଧା ନଇଁ ପଡ଼ିଥିବା ବିଦ୍ୟୁତ ଖୁଣ୍ଟଗୁଡ଼ିକୁ ସମ୍ପୂର୍ଣ୍ଣ ଲୋଟାଇଦେବା ଭଳି ସ୍ଥିତି ଉପୁଜିଛି। ଏନେଇ ଏବେଠୁ ବିଭାଗୀୟ ଅଧିକାରୀମାନେ ସାବଧାନ ନହେଲେ କୌଣସି ବି ଅଘଟଣ ଘଟିପାରେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp