ଭୁବନେଶ୍ୱର: ୩ ଦଫା ଦାବି ନେଇ ଲୋୟର ପିଏମ୍ଜିରେ ମିଳିତ ବିଏଡ୍ ଶିକ୍ଷକ ମହାସଂଘ ପକ୍ଷରୁ ଚାଲିଥିବା ଧାରଣା ୧୯ଦିନରେ ପହଞ୍ଚିଛି। ପ୍ରତ୍ୟେକ ଦିନ ବିଭିନ୍ନ ଜିଲ୍ଲା ବିଏଡ୍ ଶିକ୍ଷକମାନେ ଏହି ଧାରଣାରେ ସାମିଲ ହେଉଛନ୍ତି। ଆଜି ଗଞ୍ଜାମ, ଝାରସୁଗୁଡ଼ା ଓ ଯାଜପୁରର ପ୍ରତିନିଧିମାନେ ସାମିଲ ହେବା ସହିତ ଘଟଣାରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବାକୁ ଦାବି କରିଛନ୍ତି।
ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ତାଲିମପ୍ରାପ୍ତ ବିଏଡ୍ ଶିକ୍ଷକମାନଙ୍କୁ ଟିଜିଟି ସ୍କେଲ ହାରରେ ଦରମା ପ୍ରଦାନ, ୨୦୧୪ ମସିହା ଜୁଲାଇ ୧ତାରିଖ କ୍ୟାଡର ରୁଲ୍କୁ ତୁରନ୍ତ କାର୍ଯ୍ୟକାରୀ କରିବା ଓ ନିଯୁକ୍ତି ଦିନଠାରୁ ୬ବର୍ଷ ଅବଧିକୁ ସାମିଲ କରାଯାଇ ସମସ୍ତ ଶିକ୍ଷା ସହାୟକଙ୍କୁ ଲେବଲ-୩ ପଦବିରେ ନିୟମିତ କରିବାକୁ ମହାସଂଘ ଦାବି କରିଛି। ଆସନ୍ତାକାଲି ବାଲେଶ୍ୱର, କନ୍ଧମାଳ ଓ କଳାହାଣ୍ଡିର ପ୍ରତିନିଧିମାନେ ଏହି ଧାରଣାରେ ସାମିଲ ହେଉଥିବା ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି। ଧାରଣା କାର୍ଯ୍ୟକ୍ରମରେ ସଂଘର ସଭାପତି ଅଜୟ ଧଳ, ଉମେଶ ଚନ୍ଦ୍ର ନାୟକ, ଦୁର୍ଯ୍ୟୋଧନ ଦାସ, ଦେବେନ୍ଦ୍ର କୁମାର ନାୟକ, କ୍ଷୀରୋଦ ଚନ୍ଦ୍ର ସ୍ୱାଇଁ, କାଳନ୍ଦୀ ଜେନା, ଦିଲ୍ଲୀପ ଖଣ୍ଡୟତରାୟ ପ୍ରମୁଖ ଏହାର ନେତୃତ୍ୱ ନେଉଛନ୍ତି।
ଯଦି ଆସନ୍ତା ୬ତାରିଖ ସୁଦ୍ଧା ସରକାର ମହାସଂଘ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ୯ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ସମାପ୍ତିସୂଚକ ମୂଲ୍ୟାୟନ ବର୍ଜନ କରିବାକୁ ମହାସଂଘ ଚେତାବନୀ ଦେଇଛି।
ମିଳିତ ବିଏଡ୍ ଶିକ୍ଷକ ମହାସଂଘର ଧାରଣା ୧୯ଦିନରେ
/sambad/media/post_attachments/wp-content/uploads/2017/10/21.jpg)
/sambad/media/agency_attachments/2024-07-24t043029592z-sambad-original.webp)