ପୁରୁଣା ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି ମୋବାଇଲ୍ ଲୁଟେରା। ଆଖି ପିଛୁଳାକେ ଲୁଟି ନେଉଛନ୍ତି ମୋବାଇଲ୍। ନଜର ଆଢୁଆଳରେ ଲୁଟ୍ କରି ଫେରାର ହୋଇ ଯାଉଛନ୍ତି। ଥାନାରୁ ସହଜରେ ଜାମିନ୍ ମିଳି ଯାଉଥିବାରୁ ଲୁଟେରା ବେଧଡ଼କ ଭାବେ ଲୁଟ୍ପାଟ ଚଳାଉଛନ୍ତି। ଶ୍ରୀଲିଙ୍ଗରାଜ, ଏୟାର ଫିଲ୍ଡ ଓ ବଡ଼ଗଡ଼ ଅଞ୍ଚଳରେ ଏମାନଙ୍କ ନାଁରେ ରହିଛି ଏକାଧିକ ଅଭିଯୋଗ। ଦୋକାନ ଭିତରେ ପଶି ଜିନିଷ କିଣିବା ବାହାନା କରି ଜଣେ କଥା ହେଉଥିବା ବେଳେ ଅନ୍ୟ ଜଣେ ଲୁଟ୍ କରୁଛି। ଏମତି ଢଙ୍ଗରେ ଲୁଟ୍ପାଟ କରୁଥିବା ଏକ ଗ୍ୟାଙ୍ଗର କାରନାମା ଏବେ ସିସିଟିଭିରେ କଏଦ୍ ହୋଇଛି। ଏହି ଘଟଣାରେ ଅଭିଯୋଗକାରୀ ଅଭିଯୁକ୍ତକୁ ଧରି ଥାନାରେ ଜିମା ଦେଇଥିବା ବେଳେ ପୁଲିସ ଅଭିଯୁକ୍ତକୁ କରୋନା ଆଳରେ ଜାମିନରେ ଛାଡ଼ି ଦେଇଛି।
ସୂଚନା ମୁତାବକ, ଗତ ୮ ତାରିଖରେ ସାମନ୍ତରାପୁରରେ ଜ୍ୟୋତିର୍ମୟୀ ଅଗ୍ରୱାଲଙ୍କ ଲୁଗା ଦୋକାନରୁ ଲୁଟେରା ଲୁଟ୍ କରିଥିଲେ। ତିନିଜଣ ଦୁର୍ବୃତ୍ତ ଏକ ପଲସ୍ର ବାଇକ୍ରେ ଆସି ରୁମାଲ କିଣିବା ଆଳରେ ଦୋକାନରେ ପଶିଥିଲେ। ରୁମାଲ ଦେଖିବା ବେଳେ କୌଶଳକ୍ରମେ ଏକ ଦାମୀ ଫୋନ୍ ଲୁଟି ନେଇଥିଲେ। ତେବେ ଲୁଟେରାଙ୍କର ଏହି କାରନାମା ସିସିଟିଭିରେ କଏଦ୍ ହୋଇଯାଇଥିଲା। ସେହିପରି ସ୍ଥାନୀୟ ଅଞ୍ଚଳର ଚନ୍ଦନ ସେଠୀ ନାମକ ଯୁବକଙ୍କ ମୋବାଇଲ୍ ଲୁଟ୍ ହୋଇଥିଲା। ପ୍ରଦୀପ ମହାପାତ୍ର ନାମକ ଜଣେ ବ୍ୟକ୍ତିଙ୍କ ଷ୍ଟେସନାରି ଦୋକାନରୁ ସମାନ ଢଙ୍ଗରେ ଲୁଟେରା ଫୋନ ଲୁଟିଥିଲେ। ଏନେଇ ଅଭିଯୋଗକାରୀମାନେ ସିସିଟିଭି ଫୁଟେଜ୍କୁ ଆଧାର କରି ପ୍ରଭୁଦତ୍ତ ସ୍ବାଇଁ ନାମକ ଯୁବକକୁ ଧରି ଲିଙ୍ଗରାଜ ଥାନା ଜିମା ଦେଇଥିଲେ। ପୁଲିସ ଯୁବକକୁ କରୋନା ଭୟରେ ଛାଡ଼ି ଦେଇଥିବା ଅଭିଯୋଗ ହୋଇଛି। ଏନେଇ ଥାନା ଅଧିକାରୀ କୁହନ୍ତି, କୋଭିଡ୍ ଯୋଗୁଁ ଏସିପିଙ୍କ ସଙ୍ଗେ ଆଲୋଚନା କରାଯାଇ ସଂପୃକ୍ତ ଯୁବକଙ୍କୁ ଥାନାରୁ ଜାମିନ ଦିଆଯାଇଛି। ମହିଳାଙ୍କ ମୋବାଇଲ୍ ଏୟାର ଫିଲଡ୍ ଥାନାରେ ସିଜ୍ ହୋଇଛି। ତେବେ ଏନେଇ ଏୟାରଫିଲ୍ଡ ଥାନା ଅଧିକାରୀ ଜାଣିନଥିବା କହିଛନ୍ତି।