ଭୁବନେଶ୍ବର: ୨୦୧୫ରୁ ଏ ପର୍ଯ୍ୟନ୍ତ ରାଜ୍ୟରେ ୯ଟି ସାଧାରଣ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲେ ମଧ୍ୟ ଗୋଟିଏ ବି ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ରାଜ୍ୟ ସରକାର ଆନ୍ତରିକତା ଦେଖାଇ ନାହାନ୍ତି। ୨୦୦୨ରେ ରାଉରକେଲାରେ ରାଜ୍ୟର ପ୍ରଥମ ଅନୁବନ୍ଧିତ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ଭାବେ ବିପିୟୁଟି ପ୍ରତିଷ୍ଠା ହୋଇଥିଲା। ପରବର୍ତ୍ତୀ ସମୟରେ ୨୦୦୯ରେ ସମ୍ବଲପୁରର ବୁର୍ଲାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ନିର୍ମାଣ ହୋଇଛି। ଇତିମଧ୍ୟରେ ୧୨ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟରେ ଆଉ ଗୋଟିଏ ବି ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ହୋଇନି। ଏମିତିକି ପର୍ଯ୍ୟାପ୍ତ ଭିତ୍ତିଭୂମି ଥିବା ବୈଷୟିକ ମହାବିଦ୍ୟାଳୟକୁ ବିଶ୍ବବିଦ୍ୟାଳୟରେ ପରିଣତ କରିବା ଦିଗରେ ସରକାର ପଦକ୍ଷେପ ନେଇନାହାନ୍ତି। ଫଳରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ସେତେଟା ଉନ୍ନତି ପରିଲକ୍ଷିତ ହେଉ ନ ଥିବା ଶିକ୍ଷାବିତ୍ କହିଛନ୍ତି।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ କେବଳ ଭୁବନେଶ୍ବର ଓ କଟକ ସହରରେ ରାଜ୍ୟର ଅର୍ଧାଧିକ ବୈଷୟିକ କଲେଜ ରହିଛି। ତା’ ପରେ ବି ରାଜ୍ୟ ସରକାର ଏହି ଅଞ୍ଚଳରେ ସରକାରୀ ବୈଷୟିକ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ଦିଗରେ ଆନ୍ତରିକତା ଦେଖାଉ ନାହାନ୍ତି। କେତେଜଣ ଶିକ୍ଷା ବ୍ୟବସାୟୀଙ୍କ ହାତରେ ବୈଷୟିକ ଶିକ୍ଷାକୁ ଟେକି ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ଏ ଦିଗରେ ପଦକ୍ଷେପ ନେଉ ନଥିବା ଅଭିଯୋଗ ହେଉଛି। ଶିକ୍ଷାବିତ୍ଙ୍କ ମତରେ ଭୁବନେଶ୍ବରସ୍ଥିତ କଲେଜ୍ ଅଫ୍ ଇଞ୍ଜିନିୟରିଂ ଆଣ୍ଡ୍ ଟେକ୍ନୋଲୋଜି(ସିଇଟି) ବିଶ୍ବବିଦ୍ୟାଳୟ ମାନ୍ୟତା ପାଇବା ଲାଗି ସମସ୍ତ ପ୍ରକାର ଯୋଗ୍ୟତା ରହିଛି। ଗୁଣାତ୍ମକ ଶିକ୍ଷା ସାଙ୍ଗକୁ ପର୍ଯ୍ୟାପ୍ତ ଭିତ୍ତିଭୂମି ଉପଲବ୍ଧ ଥିଲେ ମଧ୍ୟ କାହିଁକି ମାନ୍ୟତା ମିଳୁନି, ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ଉପକୂଳ ଓଡ଼ିଶା ତଥା ଭୁବନେଶ୍ବରରେ ଶତାଧିକ ଘରୋଇ ବୈଷୟିକ ଶିକ୍ଷାନୁଷ୍ଠାନ ଯଥା ଇଞ୍ଜିନିୟରିଂ, ଏମ୍ବିଏ, ଏମ୍ସିଏ, ଫାର୍ମାସି, ଆଇଟି କଲେଜ ରହିଥିଲେ ମଧ୍ୟ ଗୋଟିଏ ବି ସରକାରୀ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠା ନ ହେବା ଦୁଃଖର ବିଷୟ। ଏହାଦ୍ବାରା ମେଧାବୀ ପିଲାଙ୍କର ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ କରି ଘରୋଇ ବିଶ୍ବବିଦ୍ୟାଳୟରେ ଶିକ୍ଷା ଗ୍ରହଣ କରୁଛନ୍ତି। ରାଜ୍ୟ ସରକାର ଏ ଦିଗରେ ଚିନ୍ତା କରିବା ସହ ସିଇଟିକୁ ଅନୁବନ୍ଧିତ ବିଶ୍ବବିଦ୍ୟାଳୟର ମାନ୍ୟତା ଦିଅନ୍ତୁ। କିଛି ନ ହେଲେ ଏକକ ବିଶ୍ବବିଦ୍ୟାଳୟ କରାଗଲେ ମଧ୍ୟ ବୈଷୟିକ ଶିକ୍ଷାର ମାନ ବଢ଼ିବା ସହ ଗବେଷଣା ଆଗକୁ ବଢ଼ି ପାରିବ।
ଅନ୍ୟପକ୍ଷରେ ସିଇଟିକୁ ବିଶ୍ବବିଦ୍ୟାଳୟ କରିବା ଦାବି ଏବେ ପୁଣିଥରେ ତେଜିଛି। ଛାତ୍ରଛାତ୍ରୀ ଏକଜୁଟ୍ ହୋଇ ସୋସିଆଲ୍ ମିଡିଆରେ କ୍ୟାମ୍ପେନ୍ ଆରମ୍ଭ କରିବା ସହ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରିସାରିଛନ୍ତି। ସେମାନେ କହିଛନ୍ତି ଯେ ସିଇଟିକୁ ବିଶ୍ବବିଦ୍ୟାଳୟ କରିବା ପାଇଁ ୨୦୧୪ରୁ ପ୍ରସ୍ତାବ ଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହାକୁ କାର୍ଯ୍ୟକାରୀ କରାଯାଉନାହିଁ। ୨୦୧୬ରେ ପୁରାତନ ଛାତ୍ରଛାତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ଦେବା ସହ ୨୦୧୮ରେ ଲୋୟର ପିଏମ୍ଜିରେ ଧାରଣାରେ ବସିଥିଲେ। ତା’ ପରେ ବି କୌଣସି ପଦକ୍ଷେପ ନିଆଯାଇନାହିଁ। ବିପିୟୁଟି ଅଧୀନରେ ସିଇଟି ପରିଚାଳିତ ହେଉଥିବାରୁ ସମସ୍ତ କାର୍ଯ୍ୟ ପାଇଁ ଛାତ୍ରଛାତ୍ରୀଙ୍କୁ ରାଉରକେଲାସ୍ଥିତ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ଶିକ୍ଷକ ଓ ଅଣଶିକ୍ଷକ ପଦ ପୂରଣ ନିମନ୍ତେ ବିପିୟୁଟି ଅନୁମତି ଦେବା ବିଳମ୍ବ କରୁଛି। ଯେଉଁଥିପାଇଁ ପାଠପଢ଼ା ପ୍ରଭାବିତ ହେବା ସହ ସବୁ କାର୍ଯ୍ୟ ବିଳମ୍ବିତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି।
ଏନେଇ ଛାତ୍ରଛାତ୍ରୀ ସୋସିଆଲ ମିଡିଆ ସାହାଯ୍ୟରେ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି। ଦୁଇ ହଜାରରୁ ଅଧିକ ବର୍ତ୍ତମାନ ଓ ପୁରାତନ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ନିଜ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ଦେବାକୁ ଦାବି କରିଛନ୍ତି। ଆଉ କିଛି ଛାତ୍ରଛାତ୍ରୀ ‘ସଂଘର୍ଷ’ ନାମରେ ଆନ୍ଦୋଳନ ଜାରି ରଖିଛନ୍ତି। ଏବେ ଦେଖିବାକୁ ବାକି ରହିଲା, ରାଜ୍ୟ ସରକାରଙ୍କ ନିଦ କେବେ ଭାଙ୍ଗୁଛି ଏବଂ ସିଇଟି କେବେ ବିଶ୍ବବିଦ୍ୟାଳୟ ହେଉଛି।