ଭୁବନେଶ୍ବର: ସ୍ବଚ୍ଛ ଓ ସବୁଜ ଦଶହରା ପାଳନ ପାଇଁ ବିଏମ୍‌ସି ଆହ୍ବାନ ଦେଇଛି। ଆଜି ସହରର ବିଭିନ୍ନ ପୂଜା କମିଟିଙ୍କ ସହ ଆଲୋଚନା ବେଳେ ବିଏମ୍‌ସି ପକ୍ଷରୁ କମିଟିମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦିଆଯାଇଛି। କୌଣସି ପରିସ୍ଥିତିରେ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍‌ ବ୍ୟବହାର ହେବନାହିଁ। ମଣ୍ଡପ ପାଖରେ ଆବର୍ଜନା ପଡ଼ିବ ନାହିଁ କି ଜଳା ହେବ ନାହିଁ। ବରଂ ଦୁଇଟି ଡଷ୍ଟବିନ୍‌ ଜରିଆରେ ଆୟୋଜକ ଓଦା ଓ ଶୁଖିଲା ଆବର୍ଜନାକୁ ପୃଥକ୍‌ ପୃଥକ୍‌ ରଖିବେ। ମଣ୍ଡପ କିମ୍ବା ବିସର୍ଜନ ଶୋଭାଯାତ୍ରାରେ ଲେଜର ଲାଇଟ୍‌ ବ୍ୟବହାର ହେବନାହିଁ। ସେହିଭଳି ଡିଜେ ପାଇଁ ଧାର୍ଯ୍ୟ ହୋଇଥିବା ଶବ୍ଦର ତୀବ୍ରତା ସୀମା ଲଂଘିବ ନାହିଁ। ପୂଜା କମିଟିଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରିବା ସହ ମଣ୍ଡପ ନିକଟରେ ବାଲି ବସ୍ତା ମହଜୁଦ୍ ରଖିବାକୁ କୁହାଯାଇଛି।

Advertisment

ସେହିଭଳି ମୂର୍ତ୍ତି ବିସର୍ଜନ ପାଇଁ ବିଏମ୍‌ସି ଏଥର ଅସ୍ଥାୟୀ ପୋଖରୀ ସଂଖ୍ୟା ବଢ଼ାଇବ। ପୂଜା ପୂର୍ବରୁ କୌଣସି ରାସ୍ତାରେ ଖାଲଖମା ନଥିବ ତାହା ମଧ୍ୟ ନିଶ୍ଚିତ କରିବ। ପୂର୍ତ୍ତ ବିଭାଗକୁ ମଧ୍ୟ ଏହି ମର୍ମରେ ପରାମର୍ଶ ଦିଆଯାଇଛି। ପ୍ରତ୍ୟେକ ଗଳିରେ ଯେଭଳି ଷ୍ଟ୍ରିଟ୍‌ଲାଇଟ୍‌ ଜଳିବ ତାହା ମଧ୍ୟ ନିଶ୍ଚିତ କରିବ। ପୂର୍ବରୁ ୬୭ ୱାର୍ଡ ପାଇଁ ୬୭ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇ ଏହି ସବୁ ଷ୍ଟ୍ରିଟ୍‌ ଲାଇଟ୍‌ର ସ୍ଥିତି ଯାଞ୍ଚ କରାଯାଇଛି। ସେହିଭଳି ପ୍ରମୁଖ ପୂଜା ମଣ୍ଡପରେ ଅସ୍ଥାୟୀ ଟଏଲେଟ୍‌ କରିବାକୁ ମଧ୍ୟ ବିଏମ୍‌ସି ଯୋଜନା କରିଛି। ଯେ କୌଣସି ସମସ୍ୟା ହେଲେ ଆୟୋଜକଙ୍କ ସମେତ ଭକ୍ତ ତଥା ସାଧାରଣ ନାଗରିକ ୨୪ ଘଣ୍ଟିଆ ୧୯୨୯ ଡାଏଲ୍‌ କରି ଅଭିଯୋଗ କରିବାକୁ ବିଏମ୍‌ସି ପକ୍ଷରୁ କୁହାଯାଇଛି। ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସମନ୍ବୟ ବୈଠକରେ ବିଭିନ୍ନ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ, କମିସନର ବିଜୟ ଅମୃତା କୁଲାଙ୍ଗେ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା, ଟ୍ରାଫିକ୍‌ ପୁଲିସ, ଅଗ୍ନିଶମ ବିଭାଗ, ୱାଟ୍‌କୋ, ଟିପିସିଓଡିଏଲ୍‌, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣବୋର୍ଡ, ପୂର୍ତ୍ତ ବିଭାଗ, ଓଡ୍ରାଫ ଆଦି ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ। ଦର୍ଶନ ପାଇଁ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ମହିଳାମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସବୁ ପୂଜା କମିଟିକୁ ମେୟର ଅନୁରୋଧ କରିଥିଲେ।

ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ବିଏମ୍‌ସି ଅଞ୍ଚଳରେ ପ୍ରାୟ୧୮୫ଟି ମଣ୍ଡପରେ ପୂଜା ହେବାକୁ ଯାଉଛି। କୌଣସି ମଣ୍ଡପରେ ଯେଭଳି ଅଘଟଣ ନ ଘଟେ, ସେଥିପାଇଁ ସତର୍କତା ଅବଲମ୍ବନ କରିବାକୁ ସମସ୍ତ ପୂଜା କମିଟିକୁ କୁହାଯାଇଛି। କୌଣସି ଅଘଟଣ ଘଟିଲେ, କିଭଳି ମୁକାବିଲା କରିବେ ସେ ନେଇ ସବୁ ପୂଜା କମିଟିର ସ୍ୱେଚ୍ଛାସେବୀଙ୍କୁ ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ତାଲିମ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ଏଭଳି ଏକ ବ୍ୟବସ୍ଥା ପ୍ରଥମ ଥର ପାଇଁ ହୋଇଛି। ଟ୍ରାଫିକ ସମସ୍ୟା ସୃଷ୍ଟି ନ ହେବା ପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଥିବା ବୈଠକରେ ସୂଚନା ଦିଆଯାଇଛି। ପାର୍କିଂ ପାଇଁ ବଡବଡ ସ୍ଥାନ ନିରୂପଣ କରିବା ସହ ସୁପରିଚାଳନା ପାଇଁ ଅଧିକ ସଂଖ୍ୟାରେ ସ୍ୱେଚ୍ଛାସେବୀ ଯୋଗାଇ ଦେବାକୁ କୁହାଯାଇଛି। ଏଡିୟୁପିଏଚ୍‌ଓ ପୂଜାମଣ୍ଡପଗୁଡ଼ିକ ପାଇଁ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟ୍ ନିୟୋଜିତ କରିବାକୁ କୁହାଯାଇଛି। ମୂର୍ତ୍ତି ବିସର୍ଜନ ପାଇଁ କୁଆଖାଇ, ଦୟା ଓ ରଘୁନାଥପୁର ନିକଟରେ ପୋଖରୀ ଖୋଳାଯିବ। ବଡ଼ ବଡ଼ ମୂର୍ତ୍ତି ପାଇଁ ବିଏମ୍‌ସି ଦୁଇଟି ଜେସିବି ଯୋଗାଇ ଦେବ।