ପୁରୁଣା ଭୁବନେଶ୍ୱର: ୱାର୍ଡ ନଂ ୫୫। ବିଜେଡି ପ୍ରାର୍ଥିନୀ ସୀମା ନାୟକ ୨୦୧୪ ପୌର ନିର୍ବାଚନରେ ଏଠାରୁ ବିଜୟ ହୋଇଥିଲେ। ୱାର୍ଡରେ ରାସ୍ତାଘାଟ, ପରିମଳ, ପାର୍କ, କମ୍ୟୁନିଟି ହଲ୍, ହାଟ, ପାନୀୟ ଜଳ ଯୋଗାଣ ବ୍ୟବସ୍ଥାରେ ପରିବର୍ତନ ଆଣିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକାଳ ସରିବା ବେଳକୁ କର୍ପୋରେଟର କହୁଛନ୍ତି ମୁଁ ଯାହା କହିଥିଲି ପ୍ରାୟ ସବୁ ସରିଛି। ଆଉ ଯାହା କାମ ଅଛି ତାହା ଖୁବ୍ ଶୀଘ୍ର ଶେଷ ହେବ। କିନ୍ତୁ ବିରୋଧୀଙ୍କ ଅଭିେଯାଗ େଯ ଏହି ୱାର୍ଡରେ ବହୁ କାମ ହୋଇ ପାରିନାହିଁ।
ସ୍ଥାନୀୟ ଅଞ୍ଚଳରେ ଡ୍ରେନ୍ ସମସ୍ୟା ଲାଗି ରହିଛି। ଖୁବ୍ କମ ଅଞ୍ଚଳରେ ଡ୍ରେନ୍ ଅଛି। ଏହି ୱାର୍ଡରେ ଗଳିକନ୍ଦିରେ ସ୍ବେରେଜ୍ ଅବ୍ୟବସ୍ଥା ଯାହା ପୂର୍ବରୁ ଥିଲା ତାହା ଏବେବି ଲାଗି ରହିଛି। ବିବେକାନନ୍ଦ ମାର୍ଗରେ ପାଣି ଜମୁଛି। ଏଠାରେ ଡ୍ରେନ୍ ନଥିବାରୁ ନଳା ପାଣି ରାସ୍ତା କଡ଼ରେ ଜମି ରହୁଛି। ବିଏମ୍ସି ପକ୍ଷରୁ ହୋଇନଥିବା କାମ କର୍ପୋରେଟର ନିଜେ କରୁଥିବା କହୁଥିବା ବେଳେ ବିବେକାନନ୍ଦ ମାର୍ଗ ରାସ୍ତା ମୋର ନୁହେଁ କହି ସମସ୍ୟାକୁ ଏଡ଼ାଇ ଯାଉଛନ୍ତି ବୋଲି ବିରୋଧୀ କହିଛନ୍ତି।
କେଉଁ ଅଞ୍ଚଳ ଯାଉଛି
ନାଗେଶ୍ବର ଟାଙ୍ଗୀ, ଗୋସାଗରେଶ୍ବର ଅଞ୍ଚଳ, ବିଏମ୍ସି ହନୁମାନ ଅଞ୍ଚଳ, ଅର୍କପୁରୀ ଓ ବିନ୍ଦୁସାଗର ପଶ୍ଚିମ ପାର୍ଶ୍ବ ଅଞ୍ଚଳ।
ୱାର୍ଡ ୫୫ ବହୁ କାମ ହୋଇଛି, ଯାହା ବାକି ଅଛି ଶୀଘ୍ର ହେବ
ୱାର୍ଡରେ ସବୁ ରାସ୍ତା ପିଚୁ ଓ କଙ୍କ୍ରିଟ୍ ହୋଇଛି। ଭୋଇ ସାହି ରୋଡ଼୍ ଡ୍ରେନ୍ ପୁନରୁଦ୍ଧାର କରାଯିବା ସହ ଓଟିଡିସି କାର୍ଯ୍ୟାଳୟଠାରୁ ବିବେକାନନ୍ଦ ମାର୍ଗ ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣ ହୋଇଛି। ଶିଶୁ ପାର୍କ ପାଇଁ ଜମି ଆସିଛି, ଖୁବ୍ ଶୀଘ୍ର କାମ ହେବ। ଗୌତମ ନଗର ରାସ୍ତା ଅଧା ସରିଛି, ଆଉ ଅଧାର ଟେଣ୍ଡର ସରିଛି। ସେଠାରେ ବସ୍ତି ବାସିନ୍ଦାଙ୍କ ପାଇଁ ଶହେ ପାଇଖାନା ତିଆରି କରାଯିବା ସହ ୫୦ଘରକୁ ମାଗଣା ବିଦ୍ୟୁତ୍ ଯୋଗାଣ ହୋଇଛି। ଅମୃତ ଯୋଜନାରେ ପାଣି ଯୋଗାଣ ଓ ୪ଟି ବୋର୍ୱେଲ୍ ମାଧ୍ୟମରେ ମଧ୍ୟ ପାଣି ଯୋଗାଣ ହେଉଛି। ନିଜ ଖର୍ଚ୍ଚରେ ରେଲୱେ ଲାଇନ୍ କଡ଼ରେ ରାସ୍ତା କରାଯିବା ସହ ୱାର୍ଡରେ ଏକ ହଜାର ପାଞ୍ଚ ଶହ ବୃକ୍ଷରୋପଣ କରାଯାଇଛି। ଗୌତମ ନଗର ମାକେର୍ଟ କମ୍ପ୍ଲେକ୍ସ୍ ହେବ। ନାଗେଶ୍ବର ଟାଙ୍ଗୀ ଭୋଇ ସାହିରେ ପୁରାତନ କଳିଙ୍ଗ କୁଟୀର ଘର ମଧ୍ୟରୁ ୧୫ଟି ଘର ପୁନରୁଦ୍ଧାର ସରିଥିବା ବେଳେ ୩ଟି କାମ ଚାଲିଛି, ଆଉ ପରବର୍ତ୍ତୀ ସମୟରେ ହେବ। ସେଠାରେ ଥିବା କମ୍ୟୁନିଟି ସେଣ୍ଟର୍ କାମ ପୁନରୁଦ୍ଧାର କାମ ଆରମ୍ଭ ହୋଇଛି। ନାଗେଶ୍ବର ଟାଙ୍ଗୀ କମ୍ୟୁନିଟି ସେଣ୍ଟର ପାଇଁ ୪୮ଲକ୍ଷ ଟଙ୍କାର ଟେଣ୍ଡର୍ ସରିଛି, କାମ ଖୁବ୍ ଶୀଘ୍ର ହେବ। ନାଗେଶ୍ବର ଟାଙ୍ଗୀରେ ବିଦ୍ୟୁତ୍ ଗ୍ରିଡ୍ କରାଯିବ। ଏଏସ୍ଆଇ ଅନୁମତି ଦେଉନଥିବାରୁ ହାଟ କାମ ହୋଇପାରୁନାହିଁ।
ସୀମା ନାୟକ, କର୍ପୋରେଟର
ପାଣି ସମସ୍ୟା ଉତ୍କଟ, ହାଟ ନିର୍ମାଣ ସ୍ବପ୍ନରେ ରହିଗଲା
ଖରା ଦିନେ ପିଇବା ପାଣି ପାଇଁ ୱାର୍ଡ ବାସିନ୍ଦା ବହୁ ହଇରାଣ ହେଉଛନ୍ତି। ନାଗେଶ୍ବର ଟାଙ୍ଗୀରେ ଫାଣ୍ଡି ନିର୍ମାଣ ନେଇ ସବୁ ନିର୍ବାଚନ ବେଳେ କୁହାଯାଏ। କିନ୍ତୁ ଫାଣ୍ଡି ହୋଇପାରୁନି। ନାଗେଶ୍ବର ଟାଙ୍ଗୀ ହାଟ ଶୁଭ ଦିଆଗଲା ହେଲେ ଏହା ସ୍ବପ୍ନରେ ରହିଯାଇଛି। ସେଠାରେ ଘର ଅଛି, ଶୌଚାଳୟ ନିର୍ମାଣ ହେଲା, ଅଥଚ ହାଟ ତିଆରି ହୋଇପାରିଲାନି। ବିବେକାନନ୍ଦ ମାର୍ଗରେ ଡ୍ରେନ୍ ନାହିଁ, ଡ୍ରେନ୍ ପାଣି ବର୍ଷତମାମ୍ ଜମି ରହୁଛି। ନିର୍ବାଚନ ଆସୁଥିବାରୁ ପୁଣି ବହୁ ପ୍ରକଳ୍ପର ଶୁଭ ଦିଆଯିବ। ନାଗେଶ୍ବର ଟାଙ୍ଗୀ ଭୋଇ ସାହିର ଶତକଡ଼ା ୮୦ଭାଗ ଲୋକଙ୍କ କଳିଙ୍ଗ କୁଟୀର ଘର ପୁନରୁଦ୍ଧାର ହୋଇପାରିନି। ରାସ୍ତାରେ ଅଳିଆ ଅବର୍ଜନା ଜମୁଥିବା େବଳେ ୯୦ଭାଗ ଅଞ୍ଚଳରେ ଡ୍ରେନ୍ ନାହିଁ। ରଥଦାଣ୍ଡ କଡ଼, ବିବେକାନନ୍ଦ ମାର୍ଗରେ ଡ୍ରେନ୍ ପାଣି ରାସ୍ତାରେ ଜମି ରହୁଛି।
ସିପ୍ରା ସେନାପତି(ନିକଟତମ ପ୍ରତିଦ୍ବନ୍ଦ୍ବୀ)