ଜଣେ ସମର୍ପିତ ଗୁରୁ

ଅକ୍ଷୟ ଚନ୍ଦ୍ର ସୂତାର

ଶିକ୍ଷା ବିନା ଉତ୍ତମ ନାଗରକିଟିଏ ଗଢ଼ି ହୁଏନାହିଁ। ଶିକ୍ଷା ହିଁ ଅଜ୍ଞାନରୂପୀ ଅନ୍ଧକାରକୁ ଦୂର କରେ। ପୁରାଣ ଯୁଗରେ ଅନେକ ଗୁରୁଙ୍କ ନାମ ଆମେ ଶୁଣିଛେ, ଯେଉଁମାନେ ନିଜ ସନ୍ତାନପରି ଗୁରୁକୂଳରେ ଶିଷ୍ୟମାନଙ୍କୁ ରଖି ସଂସାରର ଆଚାର, ବିଚାର, ନୈତିକ ଶିକ୍ଷା, କୃଷି ଶିକ୍ଷା, ଗୋପାଳନ ଓ ଚିକିତ୍ସା ଶାସ୍ତ୍ର ଆଦି ପ୍ରଦାନ କରି ଉତ୍ତମ ଶିକ୍ଷ୍ୟଟିଏ ଗଢ଼ିଥାନ୍ତି। ସେହି ସମୟ ଆଜି ଅତିକ୍ରାନ୍ତ ହୋଇଯାଇଛି। ମାତ୍ର ଏବେ ବି ସେହିପରି ଗୁରୁଙ୍କର ଉଦାହରଣର ଅଭାବ ନାହିଁ।

ଏମିତି ଗୁରୁ ଅଛନ୍ତି ଯେଉଁମାନେ ଶିକ୍ଷକତାକୁ ଜୀବନର ପରମବ୍ରତ ଭାବରେ ଗ୍ରହଣ କରି ସେବା ନିବୃତ୍ତ ହେବା ପରେ ବି ଶିକ୍ଷାଦାନ କର୍ମରୁ ବିରତ ହୋଇନାହାଁନ୍ତି। ଆଦର୍ଶ ଛାତ୍ର ଗଢ଼ିବାରେ ଯାହାଙ୍କ ସାରାଜୀବନ ବିତିଯାଇଛି। ଯାହାଙ୍କ ନିକଟରେ ବୟସ ବି ହାରମାନିଛି। ସେମିତି ଜଣେ ଶିକ୍ଷକ ହେଉଛନ୍ତି ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ। ୧୯୪୫ ମସିହା ଜୁନ୍‌ ମାସ ୨ ତାରିଖରେ ପିତା ମନମୋହନ ପାଣିଗ୍ରାହୀ ମାତା ଲକ୍ଷ୍ମୀ ପାଣିଗ୍ରାହୀଙ୍କ କୋଳମଣ୍ଡନ କରି ଭୂମିଷ୍ଠ ହୋଇଥିଲେ ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ। ଭଦ୍ରକ ଜିଲ୍ଲା ବାସୁଦେବପୁରର ବୈକୁଣ୍ଠପୁର ଗ୍ରାମରେ ତାଙ୍କ ଜନ୍ମ। ରାଜନୀତି ବିଜ୍ଞାନ ଗଣିତ ଶାସ୍ତ୍ରରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରି ବି.ଡି ଶିକ୍ଷା ପରେ ସେ ଶିକ୍ଷକତାକୁ ନିଜର ବୃ୍ତ୍ତି ଭାବରେ ଗ୍ରହଣ କରିନେଇଥିଲେ। ରାଉରକେଲା ସ୍ଥିତ ‌ରେଲୱେ ହାଇସ୍କୁଲରେ ୩୦ ବର୍ଷର କର୍ମମୟ ଜୀବନ କର୍ମଭୂମିର କଷଟି ସ୍ଥଳ କହିଲେ ଅତ୍ୟୁକ୍ତି ହେବନାହିଁ। କିଛି ବର୍ଷ ସେ ମଧ୍ୟ ଖୋର୍ଦ୍ଧା ରୋଡ୍‌ ରେଲୱେ ହାଇସ୍କୁଲରେ ୭ ବର୍ଷ ଶିକ୍ଷକ ଭାବରେ ଜୀବନ ବିତାଇଛନ୍ତି। ଜଣେ ଶିକ୍ଷକଙ୍କୁ ତାଙ୍କ ନିଷ୍ଠା, ସେବା, ତ୍ୟାଗ ସ୍ବରୂପ ଯେତେ ପୁରସ୍କାର ଦିଆଗଲେ ବି ତାହା ତୁଚ୍ଛ ମନେହୁଏ।

ଉତ୍ତମ ଛାତ୍ର ଗଠନ ହିଁ ତାଙ୍କ ତ୍ୟାଗମୟ ଶିକ୍ଷକତା ଜୀବନର ମାପକାଠି ବା ପୁରସ୍କାର। ଶ୍ରୀଯୁକ୍ତ ପାଣିଗ୍ରାହୀ ରେଲୱେ ବିଭାଗର ଜଣେ ବରଷ୍ଠ ଶିକ୍ଷକ ଭାବରେ ତାଙ୍କ ନିରଳସ ସାଧନା ପାଇଁ ଶିକ୍ଷକ ସମ୍ମାନ ଭାବରେ ବିଭାଗ ପକ୍ଷରୁ ସମ୍ମାନିତ ହୋଇଥିବାବେଳେ ଅନେକ ନାମିଦାମୀ ଅନୁଷ୍ଠାନ ତାଙ୍କ ଜୀବନବ୍ୟାପୀ ସାଧନା ପାଇଁ ସମ୍ବର୍ଦ୍ଧିତ ହୋଇଛନ୍ତି। ସେ କେବଳ ଛାତ୍ରବତ୍ସଳ ନୁହଁନ୍ତି ନିଜର ସନ୍ତାନମାନଙ୍କୁ ମଧ୍ୟ ଉଚ୍ଚଶିକ୍ଷିତ କରାଇପାରିଛନ୍ତି। ବଡ଼ ପୁଅ ଡଃ ଜୟନ୍ତ କୁମାର ପାଣିଗ୍ରାହୀ ପୁନେସ୍ଥିତ ଇଂଜିନିୟରିଂ କଲେଜରେ ପ୍ରଫେସର ଭାବରେ ନିଯୁକ୍ତ ଥିବାବେଳେ ସାନପୁଅ ମାନସ ରଂଜନ ପାଣିଗ୍ରାହୀ ଜଣେ ସଫ୍ଟୱେର ଇଂଜିନିୟର, ଝିଅ ମାନସୀ ଜଣେ ଉଚ୍ଚଶିକ୍ଷିତା। ଅବସର ଗ୍ରହଣ ପରେ ବି ଶ୍ରୀଯୁକ୍ତ ପାଣିଗ୍ରାହୀ ତାଙ୍କ କର୍ମମୟ ଜୀବନର ଶେଷ ହୋଇନାହିଁ। ଆଜକୁ ୧୭ ବର୍ଷ ଧରି ବେଙ୍ଗାଲୁରରେ ସାନପୁଅ ମାନସ ରଂଜନ ପାଖରେ ରହି ସେଠାରେ ସି.ବି.ଏସ୍‌.ସି ପିଲାମାନଙ୍କୁ ଅବୈତନିକ ଶିକ୍ଷକ ଭାବରେ ଶିକ୍ଷାଦାନ କରୁଛନ୍ତି। ଏପରି ନିଆରା ବ୍ୟକ୍ତିତ୍ବ ଆଧୁନିକ ସମାଜରେ ବିରଳ ମନେହୁଏ। ନିଷ୍ପପଟ ହୃଦୟର ଅଧିକାରୀ ଶ୍ରୀଯୁକ୍ତ ପାଣିଗ୍ରାହୀ ହାତଗଢ଼ା ଛାତ୍ରମାନେ ଦେଶରେ ବୈଜ୍ଞାନିକ, ଇଂଜିନିୟର, ଡାକ୍ତର, ପ୍ରଶାସନିକ ଅଧିକାରୀ ହୋଇ ଦେଶ ବିକାଶରେ ସହାୟକ ହୋଇପାରିଛନ୍ତି। ସେହି ନିରଳସ ଯୋଗୀ, ତ୍ୟାଗୀ, ତପସ୍ବୀଙ୍କ ପରି ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ଭୂମିଷ୍ଠ ପ୍ରଣାମ ଜଣାଇବା ସହିତ ଦୀର୍ଘ ନିରାମୟ ଜୀବନ କାମନା କରୁଛନ୍ତି।

ପୂର୍ବତନ ଛାତ୍ର

ସମ୍ବନ୍ଧିତ ଖବର