ଆଜନ୍ମ ନୀତିନୀଷ୍ଠ ରାଜନେତା, ସାମ୍ୟବାଦୀ ଛାତ୍ରନେତା, ସାମାଜିକ ନ୍ୟାୟ ଆନ୍ଦୋଳନର ମହାନ୍ ପ୍ରବକ୍ତା, ପରିବେଶ ସୁରକ୍ଷାର ସେନାପତି, ଦଳିତଙ୍କ ଦରଦୀ ବନ୍ଧୁ, ମାନବିକ ଅଧିକାର ପାଇଁ ସାଲିସ୍‌ହୀନ ସଂଗ୍ରାମୀ, ଅଧିକାର ପତ୍ରିକାର ସମ୍ପାଦକ ତଥା ଯାଜପୁର ଲୋକସଭା ଆସନର ପ୍ରାକ୍ତନ ସାଂସଦ ମୋହନ ଜେନା ଚଳିତ ମାସ ୧୨ ତାରିଖ‌ରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କ ଅବର୍ତ୍ତମାନରେ ତାଙ୍କ ପ୍ରତିଥିବା ସ୍ନେହଶ୍ରଦ୍ଧା ଯାଜପୁରବାସୀଙ୍କଠାରୁ ଆରମ୍ଭ କରି ସାରା ଓଡ଼ିଶାରେ ବାରି ହୋଇ ପଡ଼ୁଛି।

Advertisment

ଛାତ୍ରଜୀବନରୁ ସାମ୍ୟବାଦୀ ଚିନ୍ତାଚେତନାରେ ଉଦ୍‌ବୁଦ୍ଧ ହୋଇ ନିଷ୍ପେଷିତ ଓ ସର୍ବହରା ମଣିଷର ମୁକ୍ତି ପାଇଁ ସଂଗ୍ରାମ ଆରମ୍ଭ କରି ଏକ ଶୋଷଣ-କଷଣ-ବିହୀନ ସମାଜର ସ୍ବପ୍ନ ଦେଖୁଥିଲେ ମୋହନ ଜେନା। ଉତ୍କଳ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ନିର୍ବାଚିତ ହୋଇ ତାଙ୍କର ସଂଗ୍ରାମ ଜୀବନ ଆରମ୍ଭ କରିଥିଲେ, ଯାହା ତତ୍କାଳୀନ ବିରୋଧୀ ଦଳ ନେତା ବିଜୁ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ପରବର୍ତ୍ତୀ ସମୟରେ ବିଜୁବାବୁଙ୍କ ଡାକରାରେ ଜନତା ଦଳରେ ଯୋଗଦାନ କରିଥିଲେ। ବିଜୁ ଜନତା ଦଳରୁ ଟିକେଟ ପାଇ ଦୁଇଥର ଯାଜପୁର ସଂସଦୀୟ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ଜଣେ ସାଧାରଣ ମଣିଷ ପରି ତଳସ୍ତରର ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କ ସହ ମିଶିବା ଓ ସେମାନଙ୍କ ପାଇଁ ଲଢ଼ିବା ଥିଲା ତାଙ୍କ ଜୀବନର ବ୍ରତ। ଗଢ଼ିଥିଲେ ଆମ୍ବେଦକର - ଲୋହିଆ ବିଚାର ମଞ୍ଚ, ଯାହା ମାଧ୍ୟମରେ ସାରା ଓଡ଼ିଶାରେ ସାମାଜିକ ନ୍ୟାୟ ଆନ୍ଦୋଳନର ଏକ ଜୁଆର ସୃଷ୍ଟି ହୋଇଥିଲା। କେରଡ଼ାଗଡ଼ର ହରିଜନଙ୍କ ମନ୍ଦିର ପ୍ରବେଶଠାରୁ ଆରମ୍ଭ କରି ବ୍ରହ୍ମଗିରିର ବାରିକ ଆନ୍ଦୋଳନ ପର୍ଯ୍ୟନ୍ତ ସବୁଠାରେ ମୋହନ ଜେନାଙ୍କ ଦୃଢ଼ ନେତୃତ୍ୱ ପ୍ରଶାସନକୁ ଦୋହଲାଇ ଦେଉଥିଲା। ଜଣେ ପ୍ରଭାବଶାଳୀ ଦଳିତ ନେତା ଭାବେ ସେ ଉଭାହୋଇଥିଲେ ପରବର୍ତ୍ତୀ କାଳରେ। ସେ ସଂସଦ ଭବନ ହେଉ କି ସଂସଦୀୟ କମିଟି ବୈଠକ କିମ୍ବା ଦଳୀୟ ବୈଠକ ସବୁ ସ୍ଥାନରେ ଦଳିତ ଓ ନିମ୍ନଶ୍ରେଣୀ ମଣିଷଙ୍କ ପାଇଁ ସ୍ବର ଉଠାଉଥିଲେ। ଯାଜପୁରରେ ରେଳବାଇର ବିକାଶ ନିମନ୍ତେ ସେ ବହୁ ଉଦ୍ୟମ କରିଛନ୍ତି।

ମୋହନ ଜେନା ଜଣେ ସମାଜସେବୀ ଭାବେ ନିଶାମୁକ୍ତି ଆନ୍ଦୋଳନର ନେତୃତ୍ବ ନେଇଛନ୍ତି, ଦୀର୍ଘ ୨୧ ବର୍ଷଧରି ପ୍ରୋଜେକ୍ଟ ସ୍ୱରାଜ୍ୟର ସଭାପତି ରହି ବହୁ ଯୁବକଙ୍କୁ ନିଶାମୁକ୍ତ କରିବା ସହ ସମ୍ମାନରେ ବଞ୍ଚିବାର ରାସ୍ତା ଦେଖାଇଛନ୍ତି। ଜଣେ ପରିବେଶ ସୁରକ୍ଷା ସଂଗ୍ରାମୀ ଭାବେ ଯାଜପୁର ଜିଲ୍ଲାରେ ବହୁ ପଦକ୍ଷେପ ନେଇଛନ୍ତି। ଗିରି ଗୋବର୍ଦ୍ଧନ ଅନୁଷ୍ଠାନ ଗଢ଼ି ଗିରି ଗୋବର୍ଦ୍ଧନ ପୂଜା କରିବା ସହ ପରିବେଶ ବଞ୍ଚାଇବାକୁ ଆହ୍ୱାନ ଦେଉଥିଲେ। ମାଫିଆଙ୍କ ପାହାଡ଼, ପର୍ବତ ଖନନକୁ ବିରୋଧ କରୁଥିଲେ। ପରିବେଶ ସଚେତନତା ଓ ପର୍ବତ ସୁରକ୍ଷା ପାଇଁ ସେ ‘ଗାଙ୍ଗୀ ମହୋତ୍ସବ’ ଆରମ୍ଭ କରିଥିଲେ। ସାହିତ୍ୟ ସଂସ୍କୃତିର ବିକାଶ ପାଇଁ ସେ ହାଡ଼ିଦାସ ଜୟନ୍ତୀ, ବୁଦ୍ଧ ଜୟନ୍ତୀଠାରୁ ଆରମ୍ଭ କରି ବହୁ ମହାପୁରୁଷଙ୍କ ଜୟନ୍ତୀ ପାଳନ କରିବା ସହ ମହାପୁରୁଷଙ୍କ ଜୀବନୀ ପୁସ୍ତକ ମଧ୍ୟ ପ୍ରକାଶ କରିଛନ୍ତି। ବହୁ ପ୍ରଗତିଶୀଳ ଧାରାର ପତ୍ରପତ୍ରିକା ପ୍ରକାଶ କରି ସେ ସାହିତ୍ୟ ଜଗତକୁ ଋଦ୍ଧିମନ୍ତ କରିଯାଇଛନ୍ତି। ସାମାଜିକ ସଂସ୍କାର ଓ ସାଂସ୍କୃତିକ ବିକାଶ ନିମନ୍ତେ ‘ଜନ ଜାଗରଣ’ ସାଂସ୍କୃତିକ ଅନୁଷ୍ଠାନ ଗଠନ କରି ଏକ ସାଂସ୍କୃତିକ ଆନ୍ଦୋଳନ ସୃଷ୍ଟି କରିଥିଲେ। ମୋ କବିତା ଲେଖାର ସେ ଥିଲେ ଆଦ୍ୟ ପ୍ରେରଣା। ଓଡ଼ିଶା ମାଟିରେ ଏମିତି ନେତା ବାରମ୍ବାର ଜନ୍ମ ନିଅନ୍ତୁ ଓ ମାଟିକୁ ଧନ୍ୟ କରନ୍ତୁ।

ଜେ-୨, ରେଳକୁଞ୍ଜ, ଚନ୍ଦ୍ରଶେଖରପୁର, ମୋ: ୯୪୩୭୦୧୩୧୩୯