ଚଣ୍ଡିଗଡ଼ଠାରେ ଅବସ୍ଥାପିତ ଦୁଇ ପ୍ରଫେସର ବନ୍ଧୁ ପଞ୍ଜାବ ବିଶ୍ବବିଦ୍ୟାଳୟର ଦାମ ପଣ୍ଡା ଓ ଜନସଂଖ୍ୟା ଗବେଷଣା କେନ୍ଦ୍ରର ଅଶ୍ବିନୀ ନନ୍ଦ ଏବଂ ଆଉ ଜଣେ ବନ୍ଧୁ ହରିଆନାର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଣବ ଦାସଙ୍କୁ ସେଦିନ ଅନେକ ଥର ଫୋନ୍‌ କରି ବି କଥାବାର୍ତ୍ତା ହେବା ସମ୍ଭବ ହୋଇପାରି ନଥିଲା। ପରେ ଜଣାପଡ଼ିଲା ଯେ ସେମାନେ ସମସ୍ତେ ସେ ସମୟରେ ଉପସ୍ଥିତ ଥିଲେ ଚଣ୍ଡିଗଡ଼ର ଏକ ଶ୍ମଶାନ ଭୂମିରେ ଯେଉଁଠି କି ବିଶିଷ୍ଟ ଆଇନଜୀବୀ ବିଜନ ରାୟଙ୍କ (୨୪/୧/୧୯୩୫-୨୨/୬/୨୦୨୨) ଶେଷକୃତ ସମ୍ପନ୍ନ ହେଉଥିଲା। ବିଜନବାବୁଙ୍କ ଆତ୍ମୀୟ ସ୍ବଜନ ଦେଶ ବିଦେଶରେ ଖେଳେଇ ହୋଇ ରହୁଥିବାରୁ ଶେଷକୃତ୍ୟ ସକାଶେ ତାଙ୍କ ଜ୍ୟେଷ୍ଠ ଜାମାତା ପ୍ରଣବଙ୍କ ସମେତ ସଭିଏଁ ଦୁଇତିନି ଦିନ ଅପେକ୍ଷା କରିଥିଲେ। ଏମିତିରେ ତ ବଂଶଲତା, ଜନ୍ମ, କର୍ମପୀଠ, ସମ୍ପର୍କ ଓ ଶେଷ ନିଶ୍ବାସ ତ୍ୟାଗ ଦୃଷ୍ଟିରୁ ଦେଖିଲେ ଶ୍ରୀଯୁକ୍ତ ରାୟଙ୍କ ଜୀବନ ସହ ଖୋର୍ଦ୍ଧା, ଜଗତସିଂହପୁର, କଟକ, ଦିଲ୍ଲୀ, ଆମେରିକା ଓ ଚଣ୍ଡିଗଡ଼ାଦି ଯୋଡ଼ି ହୋଇଥିଲା।

Advertisment

ରେଭେନ୍ସାରେ ରାଜନୀତି ବିଜ୍ଞାନ ଅନର୍ସ ନେଇ ଆମ ସହ ପଢ଼ୁଥିଲା ପ୍ରଣବ। ଥରେ କଲେଜ ୟୁନିଅନ୍‌ର ସମ୍ପାଦକ ମଧ୍ୟ ହୋଇଗଲା ସିଏ। କିନ୍ତୁ ବିଜନବାବୁଙ୍କ ସହ ଆମ କେତେକଙ୍କର କିଞ୍ଚିତ୍‌ ପରିଚୟ ହୋଇଥିଲା ରେଭେନ୍ସାର ଛାତ୍ରଛାତ୍ରୀ ଓ ପୂର୍ବ ଛାତ୍ରାବାସର ଅନ୍ତେବାସୀ ଭାବେ। ବେଳେବେଳେ ଆମ ଭିତରୁ ଅନେକ କଲେଜ ଓ ହଷ୍ଟେଲର ସଭା ସମିତି ସକାଶେ ହରିହର ମହାପାତ୍ର, ରଙ୍ଗନାଥ ମିଶ୍ର, ଶ୍ରୀରାମଚନ୍ଦ୍ର ଦାଶ, ଗୋବିନ୍ଦ ଦାସ, ବ୍ରହ୍ମାନନ୍ଦ ପଣ୍ଡା, ଗଙ୍ଗାଧର ରଥ, ରଣଜିତ୍‌ ମହାନ୍ତି, ପ୍ରବୀର ପାଲିତ୍‌, ଅରିଜିତ୍‌ ପଶାୟତ, ବିଜୟ ମହାନ୍ତି ଓ ବିଜନ ରାୟ ପ୍ରମୁଖଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ। ଦିନେ ସକାଳୁ ସକାଳୁ ଆମେ ବିଜନବାବୁଙ୍କୁ ଭେଟିଥିଲୁ କଟକର ସନ୍‌ସାଇନ ପଡ଼ିଆରେ। ଗପସପ ହେଉହେଉ ସିଏ ପଚାରିଥିଲେ ଭାରତୀୟ ସମ୍ବିଧାନ ଉପରେ କି କି ବହି ପଢ଼ୁଛ ବୋଲି। ଆମ ଭିତରୁ ଜଣେ କହିଥିଲେ ଦୁର୍ଗାଦାସ ବସୁ। ତାଙ୍କ ଆନନ୍ଦ କହିଲେ ନସରେ। ପଡ଼ିଆର ଘାସ ଆଡ଼କୁ ଆମ ଦୃଷ୍ଟି ଆକର୍ଷଣ କରି କହିଥିଲେ- ଯେମିତି ସୂର୍ଯ୍ୟ କିରଣ ପଡ଼ି ଘାସ ଅଧିକ ଉଜ୍ଜ୍ବଳ ଦିଶୁଛି, ସେମିତି ସମ୍ବିଧାନର ନୀତି, ନିୟମ, ଆଇନ, ବିଧି, ବିଧାନ ମୁତାବକ ସବୁ ଚାଲିଲେ କେଉଁଠି ବି ଅନ୍ଧକାର ରହିବନି।

ଆଇନର ଛାତ୍ରଭାବେ ସ୍ବର୍ଣ୍ଣପଦକ ହାସଲ କରିଥିବା ବିଜନ ବିହାରୀ ରାୟ ନିଜର ପ୍ରାୟ ଷାଠିଏ ବର୍ଷର ବୃତ୍ତିଗତ ଜୀବନକାଳ ଭିତରେ ଓକିଲ, ଆଇନଜୀବୀ, ଅଧିବକ୍ତା ଓ ବିଧି ବିଶେଷଜ୍ଞ ରୂପେ ଉଭୟ ଉଚ୍ଚାରିତ ଓ ଲିଖିତ ଶବ୍ଦର ମହିମାମଣ୍ଡନ କରିଛନ୍ତି ଶବ୍ଦକୁ ତଥ୍ୟ, ସତ୍ୟ ଓ ଆଇନର ଅଭୟାଶ୍ରୟ ଭାବେ ପ୍ରତିପାଦନ କରିବାକୁ ପ୍ରଚେଷ୍ଟା କରି। ବାର୍‌ରେ ତ ତାଙ୍କର ବେଶ୍‌ ସୁଖ୍ୟାତି ଥିଲା। ତା’ ସାଙ୍ଗକୁ ସିଏ ଜଣେ ଆଇନ ବିଶାରଦ ଭାବେ ଟୁଡେ ଇଜ୍‌ ଏଷ୍ଟରଜେଡ୍‌ ଟୁମରୋ, କନ୍‌ଷ୍ଟିଚ୍ୟୁସନାଲ ରେଲିକସ୍‌..., କନ୍‌ଷ୍ଟିଚ୍ୟୁସନାଲ୍‌ ଭେଷ୍ଟିଜେସ୍‌, ସିଡକ୍‌ସନ ଅଫ୍‌ ଲ’ ଓ ଅନ୍‌ନୋନ୍‌ ଫୋର୍ସେସ୍‌ ଭଳି ଗୁରୁତ୍ବପୂର୍ଣ୍ଣ ପୁସ୍ତକମାନ ରଚନା କରିଥିଲେ ଯେଉଁଥିରେ ପାରମ୍ପରିକ ନ୍ୟାୟ, ଆଇନର ଶାସନ ଓ ସାମ୍ବିଧାନିକ ନୈତିକତା ଧରଣର ପ୍ରସଙ୍ଗ ସବୁ ଗର୍ଭିତ ହୋଇଥିଲେ। ବିଭିନ୍ନ ସମୟରେ ରାଜ୍ୟ ବାର ପରିଷଦର ଅଧ୍ୟକ୍ଷ ଓ ହାଇକୋର୍ଟ ବାର୍‌ ୍ଆସୋସିଏସନ୍‌ର ସଭାପତି ଥିବା ବିଜନବାବୁ ଗଲା ବର୍ଷ ଜୁଲାଇ ମାସରେ କୋଭିଡ୍‌ ମହାମାରୀ ପୃଷ୍ଟଭୂମିରେ ସତୀର୍ଥ ଓ ସହକର୍ମୀମାନଙ୍କ କୁଶଳ କାମନା କରିଥିଲେ ଏକ ପତ୍ର ଜରିଆରେ।

ତାଙ୍କ ସହ ଶେଷ ଥର ଦେଖାହୋଇଥିଲା ବେଳେ କେତେ ଜଣ ମିତ୍ର ବିଜନବାବୁଙ୍କୁ ପଚାରିଥିଲେ- ସମ୍ବିଧାନ ଆଇଜଜୀବୀଙ୍କ ସ୍ବର୍ଗ କହିଲେ ପ୍ରକୃତରେ କ’ଣ ବୁଝାଏ? ହସିଦେଇ ତତ୍‌କ୍ଷଣାତ କହିଥିଲେ- ଏଭଳି ପ୍ରଶ୍ନ, ପୁଣି ଜଣେ ଆଇନଜୀବୀଙ୍କୁ? ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ବେଳେ ଭାବିବାବୁ ଇଚ୍ଛାହୁଏ ଯେ ଏବେ ସିଏ ଯେଉଁଠି ଥିବେ ସେଠି ତାଙ୍କର ଗୋଟିଏ ହାତରେ ସମ୍ବିଧାନ ଥିବାବେଳେ ଅନ୍ୟ ହାତରେ ଥିବ ପାରିଜାତ ଫୁଲ।

ମୋ: ୯୪୩୭୩୦୭୦୭୯