ଗବେଷଣା ବିନା ଅଭିବୃଦ୍ଧି ଗତିହୀନ

ଗଣେଶ ପ୍ରସାଦ ନାୟକ

ଅନ୍ତର୍ଜାତୀୟ ରେଟିଂ ସଂସ୍ଥା ‘ମୁଡିସ୍ ଇନ୍‌ଭେଷ୍ଟର ସର୍ଭିସେସ୍‌’ର ସଦ୍ୟ ପରିଗଣନା ଅନୁଯାୟୀ ନିଯୁକ୍ତି ସୃଷ୍ଟିରେ ମନ୍ଥରତା ଓ ଉପଭୋକ୍ତା ବ୍ୟୟ ହ୍ରାସ କାରଣରୁ ଚଳିତ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୪.୯%ରେ ସୀମିତ ରହିବ। ତିନି ଟ୍ରିଲିୟନ୍ ଡଲାରରୁ ସାମାନ୍ୟ ତଳକୁ ଥିବା ଭାରତୀୟ ଅର୍ଥନୀତିକୁ ବାର୍ଷିକ ୮% ଅଭିବୃଦ୍ଧି ହାରରେ ୫ ଟ୍ରିଲିୟନ୍ ଡଲାରରେ ପହଞ୍ଚାଇବା ପାଇଁ ସରକାରଙ୍କ ଅତ୍ୟାଶା ପରିପ୍ରେକ୍ଷୀରେ ଏହା ନିଶ୍ଚିତ ଭାବେ ଉଦ୍‌‌ବେଗଜନ‌କ। ବିଶ୍ବର ଦ୍ବିତୀୟ ଆର୍ଥିକ ଶକ୍ତି ଭାବେ ଉଭା ହେବାକୁ ଚୀନ୍ ସହ ପ୍ରତିଯୋଗିତାରତ ଭାରତର ଏଭଳି ଅଭିବୃଦ୍ଧିର ଚିତ୍ର ନୈରାଶ୍ୟଜନକ। ସବୁଠୁ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନଟି ହେଲା- ସକଳ ସମ୍ଭାବନା ସ‌ତ୍ତ୍ବେ ଭାରତୀୟ ଅର୍ଥନୀତି ଅନେକ ସମୟରେ ସ୍ଥିତି-ସ୍ଥାପକତାର ସମ୍ମୁଖୀନ ହେବାର ଅସଲ କାରଣ କ’ଣ?

ଅର୍ଥନୀତିଜ୍ଞଙ୍କ ମତରେ ଜଗତ୍‌କରଣ ବ୍ୟବସ୍ଥାରେ କୌଣସି ରାଷ୍ଟ୍ରର ଆର୍ଥିକ ପ୍ରଗତିରେ ମୁଖ୍ୟତଃ ଚାରିଟି ଉପାଦାନ ପ୍ରତ୍ୟକ୍ଷ ଭାବେ ସହାୟକ ହୋଇଥାଏ। ସେଗୁଡ଼ିକ ହେଲା- ନିରନ୍ତର ଗବେଷଣା ଓ ଉନ୍ନୟନ (ଆର୍ ଆଣ୍ଡ ଡି)ମୂଳକ କାର୍ଯ୍ୟକ୍ରମ, ଉପଲବ୍‌ଧ ପ୍ରାକୃତିକ ସମ୍ପଦର ଉପଯୁକ୍ତ ଉପଯୋଗ, ଦକ୍ଷ ମାନବ ସମ୍ବଳ ଓ ପୁଞ୍ଜି ଆକର୍ଷଣର ଅନୁକୂଳ ଭିତ୍ତିଭୂମି। ଏଥିରୁ ଗୋଟିଏ ହେ‌େଲ ଭାରତ ପାଇଁ ଆଦୌ କଷ୍ଟ ଉପଲବ୍‌ଧ ନୁହେଁ। ଆର୍ଥିକ ପ୍ରଗତିର ଧାରା କଡ଼ିକୁ କଡ଼ି ସଂଯୁକ୍ତ ଏକ ଚେନ୍ ଭଳି; ଯାହାର ସମୟୋପଯୋଗୀ ଅଗ୍ରଗତି ଦୀର୍ଘମିଆଦୀ ଅଭିବୃଦ୍ଧି ପଥକୁ ସହଜ କରିଥାଏ। ଗବେଷଣା ଓ ଉନ୍ନୟନ କାର୍ଯ୍ୟକ୍ରମ ଜରିଆରେ ଭାରତ କେବଳ ଯେ କୃଷି ଉତ୍ପାଦନ ଓ ଗୁଣାତ୍ମକ ଶିଳ୍ପ ଉତ୍ପାଦନରେ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚି ପାରିବ ତାହା ନୁହେଁ, ବରଂ ଏହାର ସାମଗ୍ରିକ ପ୍ରଭାବ ଜାତୀୟ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରକୁ ଆହୁରି ଋଦ୍ଧିମନ୍ତ କରିପାରିବ। ଆମ ମାଟି ତଳେ ଓ ଉପରେ ଥିବା ପ୍ରାକୃତିକ ବିଭବର ସର୍ବାଧିକ ମୂଲ୍ୟଯୁକ୍ତ ଉପଯୋଗ ଦକ୍ଷ ମାନବ ସମ୍ବଳ ଦ୍ବାରା ହିଁ ସମ୍ଭବ; ମାତ୍ର ଏ ଦିଗରେ ଆମ ନୀତି ଓ ଯୋଜନା ବିଶେଷ ଫଳପ୍ରଦ ହେଉ ନ ଥିବା ପରିତାପର ବିଷୟ। ତେବେ ଜନବହୁଳ ଭାରତବର୍ଷରେ ସାଧାରଣ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ନ ଘଟିଲେ ଓ ପ୍ରକାରାନ୍ତରେ ଖାଉଟିଙ୍କ କ୍ରୟଶକ୍ତି ନ ବଢ଼ିଲେ ଉତ୍ପାଦିତ ସାମଗ୍ରୀର ଚାହିଦା କମିବ; ଯାହା ଅଭିବୃଦ୍ଧିରେ ଅନ୍ତରାୟ ସୃଷ୍ଟି କରିବା ଥୟ। ‌େଶଷରେ ବାହ୍ୟ ପୁଞ୍ଜି ଆକର୍ଷଣ ପ୍ରସଙ୍ଗ। ଭାରତରେ ଉପଲବ୍‌ଧ ସୁଲଭ ଶ୍ରମ ଶକ୍ତି ନିବେଶକଙ୍କୁ ଆକର୍ଷିତ କରିବା ସ୍ବାଭାବିକ, ମାତ୍ର ଅନୁକୂଳ ଭିତ୍ତିଭୂମି ନ ଥିଲେ ସେମାନଙ୍କ ଆଗ୍ରହ ଯେ କମିବ, ତାହା ନିଃସନ୍ଦେହ। ତେଣୁ ଏ ଦିଗଟି ସରକାରଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ।

ଆର୍ଥିକ ଅଭିବୃଦ୍ଧି ଉପରେ ବୈଜ୍ଞାନିକ ଗବେଷଣାର ପ୍ରତ୍ୟକ୍ଷ ତଥା ସକାରାତ୍ମକ ପ୍ରଭାବ ରହିଛି- ବିଶିଷ୍ଟ ଅର୍ଥନୀତିଜ୍ଞ ଆଡାମ ସ୍ମିଥ୍ ବହୁ ବର୍ଷ ପୂର୍ବରୁ ଏହି ତତ୍ତ୍ବର ପ୍ରମାଣ ଦେଇଥିଲେ। ସମସାମୟିକ ଅର୍ଥନୀତିଜ୍ଞମାନେ ମଧ୍ୟ ଅନୁରୂପ ମତ ପୋଷଣ କରନ୍ତି। ସେମାନଙ୍କ ମତରେ ପ୍ରତିଯୋଗିତାମୂଳକ ଅର୍ଥନୀତି ପାଇଁ ନିରନ୍ତର ଗବେଷଣା ଓ ବିକାଶ କାର୍ଯ୍ୟକ୍ରମ ଅପରିହାର୍ଯ୍ୟ। ଗୁଣାତ୍ମକ ଗବେଷଣା ଜରିଆରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଦୀର୍ଘମିଆଦୀ ଅଭିବୃଦ୍ଧି ହାସଲରେ ସଫଳ ହୋଇଛନ୍ତି। ଜଗତ୍‌କରଣର ପ୍ରତିଯୋଗିତାମୂଳକ ଆହ୍ବାନ ଦୃଷ୍ଟିରୁ ବିଶ୍ବ ଅର୍ଥନୀତିରେ ଭାରତକୁ ପ୍ରଭାବ ବିସ୍ତାର କରିବାକୁ ହେଲେ ଗହନ ଗ‌େବଷଣା ଓ ବିକାଶ କାର୍ଯ୍ୟକ୍ରମ ଯେ ଏକାନ୍ତ ଅପରିହାର୍ଯ୍ୟ- ସେଥିରେ ଦ୍ବିରୁକ୍ତି ନାହିଁ। ମାତ୍ର ବିଡ଼ମ୍ବନା ହେଲା- ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନ ଦେଖୁଥିବା ଭାରତ ଏ କ୍ଷେତ୍ରରେ ଏହାର ଏସୀୟ ପ୍ରତିଦ୍ବନ୍ଦ୍ବୀମାନଙ୍କ ଠାରୁ ବହୁ ପଛରେ। ଅଗ୍ରଗଣ୍ୟ ଆର୍ଥିକ ଶକ୍ତିରେ ପରିଣତ ହେବାକୁ ପରସ୍ପର ପ୍ରତିଦ୍ବନ୍ଦ୍ବିତାରତ ଭାରତ-ଚୀନ୍ ୧୯୯୬ରେ ନିଜ ନିଜ ଜାତୀୟ ଆୟ (ଜିଡିପି)ର ମାତ୍ର ୦.୬% ଗବେଷଣା ଓ ବିକାଶ ପାଇଁ ବ୍ୟୟ କରିଥିଲେ। ପରବର୍ତ୍ତୀ ଦୁଇ ଦଶନ୍ଧିରେ ଚୀନ୍ ଏ କ୍ଷେତ୍ରରେ ୪ ଗୁଣ (୫୫୩.୪ ବିଲିୟନ ଡଲାର) ବ୍ୟୟ କରି ଆମେରିକାର ବ୍ୟୟ (୫୧୧.୧ ବିଲିୟନ୍ ଡଲାର)କୁ ଟପିଛି। ଏ ବାବଦରେ ଚୀନ୍‌ର ମୁଣ୍ଡପିଛା ବିନିଯୋଗ ୩୮୮ ଡଲାରରେ ପହଞ୍ଚିଛି। ପରିଣାମ ସ୍ବରୂପ ‘ମେଡ଼୍ ଇନ୍ ଚାଇନା’ ଦ୍ରବ୍ୟଗୁଡ଼ିକ ବିଶ୍ବ ବଜାରରେ ଚାହିଦା ବୃଦ୍ଧି କରିଚାଲିଛି। ବିଡ଼ମ୍ବନା ହେଲା- ଏହି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରରେ ଭାରତର ବ୍ୟୟ ବରାଦ ବିଗତ ଦୁଇ ଦଶନ୍ଧିରେ ଜିଡିପିର ମାତ୍ର ୦.୭% ଥିଲା ବେଳେ ୨୦୧୮ରେ ତାହା ସାମାନ୍ୟ ବୃଦ୍ଧି ପାଇ ୦.୮୫%ରେ ପହଞ୍ଚିଛି। ସେପଟେ ଦ୍ରୁତ ଆର୍ଥିକ ଅଭିବୃଦ୍ଧି ଲକ୍ଷ୍ୟରେ ନୂଆ ବୈଷୟିକ କୌଶଳର ଆବିଷ୍କାର ଓ ଏହାର ଉତ୍ତମ ପ୍ରୟୋଗ ଜରିଆରେ ଆନ୍ତର୍ଜାତିକ ବଜାରକୁ ଉତ୍ତମ ମାନଯୁକ୍ତ ଦ୍ରବ୍ୟ ରପ୍ତାନିରେ ଭରସା ରଖୁଥିବା ଦକ୍ଷିଣ କୋରିଆ ନିଜ ଜିଡିପିର ୪.୨୩% ଗବେଷଣା ଓ ବିକାଶ ବାବଦରେ ବ୍ୟୟ କରୁଛି। ଭାରତ‌େର ବିଜ୍ଞ ବା ପ୍ରତିଭାସମ୍ପନ୍ନଙ୍କ ଅଭାବ ନାହିଁ, ମାତ୍ର ବିଭିନ୍ନ ପ୍ରତିବନ୍ଧ ଯୋଗୁଁ ଏହି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରଟି ସତେ ଯେପରି ଗୁରୁତ୍ବ ହରାଇଛି। ପରିଣାମସ୍ବରୂପ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ମାତ୍ର ୨୧୬ ଜଣ ଗବେଷଣାରତ ଥିବା ବେଳେ ଚୀନ୍‌ରେ ସେମାନଙ୍କ ସଂଖ୍ୟା ୧୨୦୦। ଆମେରିକାରେ ୧୦ ଲକ୍ଷରେ ୪୩୦୦ ଜଣ ଓ ଦକ୍ଷିଣ କୋରିଆରେ ୭୧୦୦ ଜଣ ଗବେଷଣାରତ। ପୁଣି ଏହି ଅବଧିରେ ଭାରତର ପ୍ରକାଶିତ ଗବେଷଣା ସନ୍ଦର୍ଭ ସଂଖ୍ୟା ଯଦିଓ ୭ ଗୁଣ ବୃଦ୍ଧି ପାଇଛି, ତେବେ ବର୍ଷକୁ ତାହା ୧ ଲକ୍ଷ ୪୮,୮୩୨ରେ ସୀମିତ। ବିଶ୍ବ ସ୍ତରରେ ଏହାର ଅନୁପାତ ମାତ୍ର ୩.୬%। ଏଥିରେ ଯଥେଷ୍ଟ ଆଗୁଆ ଚୀନ୍‌ର ବାର୍ଷିକ ପ୍ରକାଶିତ ସନ୍ଦର୍ଭ ସଂଖ୍ୟା ୪ ଲକ୍ଷ ୮୩,୫୯୫କୁ ଲମ୍ଫ ଦେଇଛି। ଭାରତୀୟ ଗବେଷଣା ଓ ବିକାଶର ଆଉ ଏକ ନୈରାଶ୍ୟଜନକ ଚିତ୍ର ହେଲା ନିଜସ୍ବ ଆବିଷ୍କାରର ବୌଦ୍ଧିକ ଅଧିକାର ପ୍ରସଙ୍ଗ। ବୌଦ୍ଧିକ ଅଧିକାର (ପେଟେଣ୍ଟ) ସାବ୍ୟସ୍ତ ନିମନ୍ତେ ୨୦୧୭ରେ ଭାରତ ମୋଟ ୧୪,୯୬୧ଟି ସନନ୍ଦ ଆବେଦନ କରିଥିବା ବେଳେ ସେ ବର୍ଷ ଚୀନ୍‌ର ପେଟେଣ୍ଟ ଆବେଦନ ସଂଖ୍ୟା ୧୨ ଲକ୍ଷ ୪୦ ହଜାରକୁ ଟପିଛି।

ଅର୍ଥନୀତିରେ ସମ୍ପତ୍ତି ସୃଷ୍ଟିର ମୂଳ ଉତ୍ସ ହେଉଛି ସୃଜନଶୀଳତା ବା ନବ ପ୍ରବର୍ତ୍ତନ। ପ୍ରତିଯୋଗିତାପୂର୍ଣ୍ଣ ବାଣିଜ୍ୟିକ ବାତାବରଣରେ ତିଷ୍ଠି ରହି ବିକାଶ ଦିଗରେ ଅଗ୍ରସର ହେବା ନିମନ୍ତେ ଏହା ଉଭୟ ଉତ୍ପାଦନକାରୀ ସଂସ୍ଥା ସମେତ ଦେଶ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। କାରଣ ନବ ପ୍ରବର୍ତ୍ତନ ହିଁ ଜ୍ଞାନକୁ ଗୁଣାତ୍ମକ ଉତ୍ପାଦ, ବହୁବିଧ ବ୍ୟାବହାରିକ ପ୍ରଣାଳୀ ଓ ସେବାରେ ରୂପାନ୍ତରିତ କରିବା ସହିତ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିଥାଏ; ଯାହା ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବା ସଂଗେ ସଂଗେ ଜୀବନ ଧାରଣ ମାନକୁ ଉନ୍ନତ କରେ। ତେବେ ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ ବୈଷୟିକ ଶିଳ୍ପ ଗବେଷଣା ସହିତ ତୃଣମୂଳ ସ୍ତରରେ ଥିବା ସମ୍ଭାବନାଗୁଡ଼ିକର ସର୍ବାଧିକ ଉପଯୋଗ ପାଇଁ ଗବେଷଣା ଓ ବିକାଶ କାର୍ଯ୍ୟକ୍ରମକୁ ସମ୍ପ୍ରସାରିତ କରାଯିବା ଜରୁରୀ। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଲା- ଭର୍ଗିସ୍ କୁରିଏନ୍‌ଙ୍କ ‘ଶ୍ବେତ ବିପ୍ଳବ’ର ଫଳଶ୍ରୁତି ‘ଅମୁଲ୍’। ଏହି ନୀତିରେ ଆମ ଦେଶର ବିସ୍ତୀର୍ଣ୍ଣ ମାଳଭୂମି ଅଞ୍ଚଳରେ ଥିବା ଔଷଧୀୟ ବୃକ୍ଷଗୁଡ଼ିକର ଉପଯୋଗ କରି ଔଷଧ ଶିଳ୍ପର ବିକାଶ ବା ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଲାଭକରୀ କୃଷି ଉତ୍ପାଦନରେ ଆହୁରି ଅଭିବୃଦ୍ଧି ନିମନ୍ତେ ନବ-ଉନ୍ମେଷ ପ୍ରତି ମନୋନିବେଶ କରାଯିବା ଏକ ସାମ୍ପ୍ରତିକ ଆହ୍ବାନରେ ପରିଣତ ହୋଇଛି। ଏହା ବ୍ୟତୀତ ଐତିହ୍ୟ, କଳା ଓ ସଂସ୍କୃତି ଏବଂ ପ୍ରାକୃତିକ ଦୃଶ୍ୟରାଜିର ସମ୍ଭାର ଏକ ଶକ୍ତିଶାଳୀ ପର୍ଯ୍ୟଟନ ଶିଳ୍ପର ସମ୍ଭାବନା ବହନ କରୁଥିଲେ ହେଁ, ତାହା ଯେ ଆଶାନୁରୂପକ ଭାବେ ଉନ୍ମୋଚିତ ହୋଇପାରିନାହିଁ, ତାହା ଅନସ୍ବୀକାର୍ଯ୍ୟ।

ଆମ ଦେଶରେ ବିଶ୍ବବିଦ୍ୟାଳୟ ସମେତ ୫୧ ହଜାରରୁ ଅଧିକ ଉଚ୍ଚ ଶିକ୍ଷା ଅନୁଷ୍ଠାନ ଥିଲେ ମଧ୍ୟ ଏସବୁ ଅନୁଷ୍ଠାନରୁ ଉତ୍ତୀର୍ଣ୍ଣ ଡିଗ୍ରୀଧାରୀଙ୍କ ମଧ୍ୟରୁ ୮୫% ନିଯୁକ୍ତିଯୋଗ୍ୟ ନହେବା ଏଭଳି ଏକ ଶୈକ୍ଷିକ ବାତାବରଣ କଥା କହିଥାଏ, ଯେଉଁଠି ଉଚ୍ଚତର ଗବେଷଣା ଓ ବିକାଶକୁ ନେଇ ବିଶେଷ ଆଶା ଜାଗ୍ରତ ହୁଏ ନାହିଁ। ଗବେଷଣା ଓ ବିକାଶ ବାବଦରେ ବାର୍ଷିକ ବ୍ୟୟ ପରିମାଣ ପ୍ରାୟ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାରୁ ପ୍ରତିରକ୍ଷା, ମହାକାଶ, ପରମାଣୁ ଶକ୍ତି କ୍ଷେତ୍ରରେ ଗବେଷଣାରେ ଯାଏ ଏହାର ସିଂହଭାଗ। ବିଜ୍ଞାନ ଓ ଶିଳ୍ପ ଗବେଷଣା ବ୍ୟୟ ମୋଟ ବରାଦର ମାତ୍ର ୨୦%ରୁ ମଧ୍ୟ କମ୍‌। ପୁଣି ବୈଷୟିକ ଶିକ୍ଷାରେ ଉତ୍ତୀର୍ଣ୍ଣ ଡିଗ୍ରୀଧାରୀମାନେ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅସଫଳ ହେଉଥିବା ବେଳେ ଦେଶର ଶିଳ୍ପ ସଂସ୍ଥାଗୁଡ଼ିକ ଅତ୍ୟାଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରି ଶ୍ରମଶକ୍ତି ହ୍ରାସ ନିଯୁକ୍ତିହୀନତା ରାଷ୍ଟ୍ର ଉପରେ ଏକ ଚାପ ସୃଷ୍ଟି କରିଛି। ତେଣୁ ଯଦି ଗବେଷଣା କ୍ଷେତ୍ରକୁ ସମୃଦ୍ଧ କରାଯାଏ, ତେବେ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ଅବଧାରିତ। ଏହା ପ୍ରକାରାନ୍ତରେ ଆର୍ଥିକ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ।

ମୋ:୯୯୩୭୨୦୪୪୨୫

ସମ୍ବନ୍ଧିତ ଖବର