ଶୀତୁଆ ପବନ, କିନ୍ତୁ ପରିବେଶ ଗରମ

ଆମେରିକାରୁ ପତ୍ର - ଅନାଦି ନାୟକ

ଏଠିକା ଜଳବାୟୁ ଡିସେମ୍ବର ମାସର ଶୀତୁଆ ପବନ ଓ ବର୍ଷା ଯୋଗେ ଥଣ୍ତା ରହିଲା ବେଳକୁ ଏଠାର ବାତାବରଣ ବେଶ୍‌ ଗରମ ରହିଛି। ଅର୍ଥନୈତିକ ଅବସ୍ଥା ଭଲ ଆଡ଼କୁ ଆସିଥିଲେ ବି ଲୋକଙ୍କର ବିଶ୍ବାସ ହେଉ ନାହିଁ ଯେ ଏ ଅବସ୍ଥା ଅଧିକ ଦିନ ରହିବ। ଅନ୍ୟ ପଟେ ବ୍ୟବସାୟ ପ୍ରତିଷ୍ଠାନମାନେ ସେମାନଙ୍କ ଜିନିଷ ବିକି ବେଶ୍‌ ଲାଭବାନ ହେଉଛନ୍ତି ଅଥଚ ସେମାନଙ୍କ ପାଖରେ କାମ କରୁଥିବା କର୍ମଚାରୀମାନଙ୍କର ଦରମା ବଢୁ ନାହିଁ। ମୋଟ ଉପରେ ତଳୁଆ ଲୋକ ଆହୁରି ତଳକୁ ପେଶି ହୋଇ ଯାଉଥିଲା ବେଳେ ଉପରବାଲା ଆହୁରି ଉପରକୁ ଉଠି ଚାଲିଛନ୍ତି। ସବୁ ଦିଗରୁ ଟିକିନିଖି ଆଲୋଚନା କରି ଏ ସବୁର ନିଦାନ ବାହାର କରିବାର ଚେଷ୍ଟା ଚାଲିଛି। ଏଠାର ଆର୍ଥିକ ବାତାବରଣରେ ଅନିଶ୍ଚତତା ପୂରି ରହିଛି। ରିପବ୍ଲିକାନ ଓ ଡିମୋକ୍ରାଟ ଦଳର ବିଧାୟକମାନେ ପାଟି ତୁଣ୍ତ କରୁଛନ୍ତି। ପ୍ରତ୍ୟେକ ଛୋଟ ବଡ଼ ଘଟଣାକୁ ସେମାନେ ନିଜ ସ୍ବାର୍ଥକୁ ସୁହାଇଲା ଭଳି ବିଶ୍ଳେଷଣ କରୁଛନ୍ତି। ଫଳରେ ପାଣି ଗୋଳିଆ ହେଉଛି। ଡିସେମ୍ବର ୧୮ ତାରିଖରେ ବିଧାୟକ ସଭାର ଗୋଟିଏ କକ୍ଷ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଦୁଇଟି ଅପରାଧରେ ଅଭିଯୁକ୍ତ କରିଛି। ଏହାର ବିଚାର ଅପର କକ୍ଷ କେବେ କରିବ ଓ ଏହା କିପରି ଭାବରେ ହେବ, ଠିକ୍‌ ହୋଇ ନାହିଁ। ସବୁ ଜାଗାରେ ଏଇ କଥାକୁ ନେଇ ଘମାଘୋଟ ଆଲୋଚନା ଚାଲିଛି।

ଟ୍ରମ୍ପ କ୍ଷମତାକୁ ଆସିବା ପରଠାରୁ ସବୁବେଳେ କିଛି ନା କିଛି କନ୍ଦଳ ଲାଗି ରହିଛି। କନ୍ଦଳରୁ ଗୋଳମାଳ ହୁଏ ଓ ଗୋଳମାଳରୁ ଦଳାଦଳି ଚାଲେ। ଟ୍ରମ୍ପ୍‌ ଓ ତାଙ୍କ ଲୋକେ ବିଭିନ୍ନ ସ୍ଥାନରେ କନ୍ଦଳ ସୃଷ୍ଟି କରି ଲୋକଙ୍କୁ ଦଳାଦଳିରେ ଲଗାଇ ଗୋଟିଏ ଦଳର ଲୋକଙ୍କୁ ହାତରେ ରଖୁଛନ୍ତି। ସରକାରୀ କଳର ସାହାଯ୍ୟ ସେମାନଙ୍କୁ ମିଳୁଛି। ଟ୍ରମ୍ପ୍‌ଙ୍କୁ ଖୁବ୍‌ ସମର୍ଥନ ମିଳୁଥିବା ବେଳେ ଅନେକେ ତାଙ୍କ କାର୍ଯ୍ୟ ଯୋଗୁ ଉଦ୍‌ବିଗ୍ନ।

ଏଇଟା ହେଲା ଖ୍ରୀଷ୍ଟମାସ ସମୟ ଓ ଏଇ ପର୍ବ ପାଇଁ ସବୁ ଘରେ, ସବୁ ଜାଗାରେ ଉତ୍ସବର ଆୟୋଜନ ଓ ଖୁଦୁରୁକୁଣୀ ଓଷାରେ ଆମ ଆଡ଼େ ଭାଲୁକୁଣୀଙ୍କ ମୂର୍ତ୍ତି ପ୍ରାୟ ସବୁ ଘରେ ପୂଜା ପାଏ। ଖ୍ରୀଷ୍ଟିଆନ ଧର୍ମର ଲୋକେ ଏକେଶ୍ବରବାଦୀ। କୌଣସି ପିତୁଳା ପୂଜା କରିବା ସେମାନଙ୍କ ପାଇଁ ମନା। କିନ୍ତୁ ଏହି ଅବସରରେ ସଦ୍ୟ କଟାହୋଇ ଆସିଥିବା ଏକ ଝାଉଁ ଗଛକୁ ଘରେ ଘରେ ନାନା ଭାବରେ ସଜା ଯାଇଥାଏ। ଦୀପାବଳି ପରି ଆଲୋକର ସାଜସଜ୍ଜା ଚାଲେ। କେତେକ ଜାଗାରେ ଖ୍ରୀଷ୍ଟମାସ ପାଇଁ ଆଲୋକର ସାଜସଜ୍ଜା ଏତେ ଚମତ୍କାର ହୋଇଯାଏ ଯେ ତାକୁ ଦେଖିବା ପାଇଁ ସନ୍ଧ୍ୟା ପରେ ରାସ୍ତା ଉପରେ ଦେଖଣାହାରୀଙ୍କର ଗହଳି ହୁଏ। ଦୂର ଦୂରାନ୍ତର ବିଭିନ୍ନ ଜାଗାରୁ ଲୋକେ ଏହାକୁ ଦେଖିବା ପାଇଁ ଦଳଦଳ ହୋଇ ଆସନ୍ତି। ସହରମାନେ ଏପରି ଆସିବାଟାକୁ ଉତ୍ସାହିତ କରନ୍ତି। କାରଣ ବାହାରୁ ଲୋକ ଆସିଲେ ସେଠାର ଜଳଖିଆ ଦୋକାନ, ବହି ଦୋକାନ ଇତ୍ୟାଦିର ବିକ୍ରି ବଢ଼ିିବା ସହିତ ସହରର ପତିଆରା ମଧୢ ବଢ଼ିିବ। ସେଥିପାଇଁ ନିଜ ନିଜ ଅଞ୍ଚଳରେ କେଡେ଼ ଚମତ୍କାର ଭାବରେ ଖ୍ରୀଷ୍ଟମାସ ଅବସରଟି ପାଳନ କରା ଯାଉଛି, ତାର ପ୍ରଚାର ଟେଲିଭିଜନ ଓ ରେଡିଓ ଇତ୍ୟାଦିରେ କରାଯାଏ। ଵାସି˚ଟନ ଅଞ୍ଚଳରେ ଅନେକ କଥା ଦେଖିବାକୁ ଅଛି। ତଥାପି େଵଷ୍ଟ ଭର୍ଜିନିଆ, ନ୍ୟୁୟର୍କ, ନର୍ଥ କାରୋଲିନା ଓ ମେନ୍‌ ପ୍ରଦେଶର ପ୍ରଚାର ଏଠି ଟେଲିଭିଜନ ଷ୍ଟେସନମାନଙ୍କରେ ହେଉଛି।

ସବୁ ବର୍ଷ ପରି ଏ ବର୍ଷ ମଧୢ ହ୍ବାଇଟ୍‌ ହାଉସ୍‌ ଠାରେ ଏକ ପ୍ରକାଣ୍ତ ଚିରହରିତ ଝାଉଁ ଗଛକୁ ଆଲୁଅ ଓ ଅଳଙ୍କାରରେ ସଜା ଯାଇଛି। ଏହି ଅଳଙ୍କାର ସବୁର ନକଲ ବିଭିନ୍ନ ଜାଗାରେ ଲୋକହିତକର କାର୍ଯ୍ୟ ପାଇଁ ବିକ୍ରି ହେବ। ଜିଅନ୍ତା ଗଛକୁ ହାଣି ଉତ୍ସବ କରିବା ବଦଳରେ ଅନେକେ ପ୍ଲାଷ୍ଟିକ୍‌ର ଗଛ ଆଣି ଘର ଭିତରେ ସଜାଉଛନ୍ତି। ଏହା ପଛରେ ଗଛକୁ ବଞ୍ଚାଇବାର ଭାବନା ତ ରହିଛି। ତା’ ଛଡା ପ୍ଲାଷ୍ଟିକ ଗଛକୁ ପ୍ରତି ବର୍ଷ ବ୍ୟବହାର କରି ହେବ ଓ ନୂଆ ଗଛ କିଣିବାରୁ ତ୍ରାହି ମିଳିବ। ଏହାର ଆଉ ଗୋଟାଏ ଲାଭ ଯେ ଏଥିରୁ ପତ୍ର ଝଡ଼ିି ବୈଠକଖାନାର ଗାଲିଚାକୁ ଅଳିଆ କରିବ ନାହିଁ। ଘର ଭିତରେ ଝାଉଁ ଗଛ ରହିଲେ ପୋଷା ବିଲେଇକୁ ଖୁବ୍‌ ଛିଙ୍କ ହୁଏ। ଖ୍ରୀଷ୍ଟମାସର ଆଉ ଏକ ପ୍ରତୀକ ଏଠି ହେଲା ‘ପଏନ୍‌ସେଟିଆ’ ଗଛ। ଏହାର ପତ୍ର ସବୁ ଏକଦମ୍‌ ଲାଲ୍‌ ନହେଲେ ଧଳା। ବିଭିନ୍ନ ମଲ୍‌ରେ ଏଇ ସମୟରେ ‘ପଏନ୍‌ସେଟିଆ’ ଗଛ ସବୁକୁ ପିରାମିଡ ପରି ସଜା ଯାଇଥାଏ। ତାହା ଦେଖିବାକୁ ଲୋକ ଭିଡ଼ ହୁଏ।

ଖ୍ରୀଷ୍ଟମାସ ପର୍ବ ପାଳନ କରିବା ନେଇ ମଧୢ ଆମେରିକାରେ ଏକ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଇହୁଦୀ ( ଜିଉ) ମାନେ ଖ୍ରୀଷ୍ଟ ଧର୍ମକୁ ନିଜର ବୋଲି ମାନନ୍ତି ନାହିଁ। ପୁଣି କେତେକ କଳା ଲୋକ ଖ୍ରୀଷ୍ଟମାସ ବଦଳରେ କ୍ବାଞ୍ଜା ପାଳନ କଲେଣି। ସେମାନଙ୍କ ମତରେ ଖ୍ରୀଷ୍ଟମାସ ହେଲା ଗୋରା ଲୋକଙ୍କର ପର୍ବ। ଏ ଦେଶରେ ସେମାନେ ଦାସତ୍ବ ସୃଷ୍ଟି କରିଥିଲେ। ସୁତରା˚, ସେମାନଙ୍କର ଧର୍ମ ହେଲା ଅତ୍ୟାଚାରର ପ୍ରତୀକ ଧର୍ମ। ପ୍ରତିବାଦ ସ୍ବରୂପ, ଆଫ୍ରିକାରୁ ଆସିଥିବା କ୍ବାଞ୍ଜା ପର୍ବ ସେମାନେ ସାତ ଦିନ ଧରି ପାଳନ୍ତି। ମାତ୍ର ଖ୍ରୀଷ୍ଟମାସକୁ ଛାଡ଼ିି କ୍ବାଞ୍ଜାକୁ କୁଣ୍ଢାଇଥିବା ଲୋକଙ୍କ ସ˚ଖ୍ୟା ଖୁବ୍‌ କମ୍‌।

ତଥ୍ୟ ସ˚ଗ୍ରହରୁ ଦେଖାଯାଉଛି ଯେ ଅନେକ ଲୋକଙ୍କ ପାଇଁ ଏହି ସମୟଟା ବଡ଼ କଷ୍ଟଦାୟକ। କାରଣ ଚାରିଆଡ଼େ ଉତ୍ସବର ସମାରୋହ ଚାଲିଥିବା ବେଳେ ସେମାନଙ୍କର ମନ ଓ ହୃଦୟ ଶୂନ୍ୟତାରେ ଭରପୂର। ଅନେକ ଘରୁ ତାଙ୍କର ଆତ୍ମୀୟ ଲୋକ କେହି ବାଟ ଚାଲୁଥିବା ବେଳେ କି ଦୋକାନ କରୁଥିବା ବେଳେ କି ଆଉ କେଉଁଠି ବିନା କାରଣରେ ଆତତାୟୀର ଗୁଳିରେ ମରିଛନ୍ତି। ମୃତ୍ୟୁ ଏବ˚ ବିଚ୍ଛେଦ ଜନିତ ଅଭାବକୁ ଏହି ଆନନ୍ଦ ବେଳାରେ ହିଁ ଲୋକମାନେ ଅଧିକ ଅନୁଭବ କରନ୍ତି। ସେଥିପାଇଁ ଏହି ସମୟରେ ଆତ୍ମହତ୍ୟାର ପରିମାଣ ବଢ଼ିଥିବା ଦେଖାଯାଏ। ନିଜ ମନ ଭିତରେ ବଦ୍ଧମୂଳ ହୋଇ ରହିଥିବା ହାହାକାରରୁ ତ୍ରାହି ପାଇବା ପାଇଁ ଅନେକ ଆତ୍ମହତ୍ୟା ଭଳି ଅକ୍ଷମଣୀୟ ବାଟ ଧରନ୍ତି।

ଆତ୍ମହତ୍ୟା କରିବା କିମ୍ବା ଅନ୍ୟ କାହାରିକୁ ମାରିବାକୁ ଯିବାଟା ମାନସିକ ଦୁର୍ବଳତାର ଚରମ ଲକ୍ଷଣ। ସୂଚନା ମିଳିବା ମାତ୍ରେ ତାର ଚିକିତ୍ସା କରାଯିବା ଉଚିତ ବୋଲି ସମସ୍ତେ କହୁଛନ୍ତି। ମାନସିକ କ୍ଷେତ୍ରରେ ଦୁର୍ବଳ ଥିବା ଲୋକ କୌଣସି ମାରଣାସ୍ତ୍ର ହାତରେ ଧରିବାରୁ ବଞ୍ଚିତ ହେବା ଦରକାର ବୋଲି ମତ ଆସୁଛି। ମାତ୍ର ଦେଖାଯାଉଛି ଯେ ମାରଣାସ୍ତ୍ର ଧରିବାକୁ ସୀମିତ ରଖିବା ପାଇଁ ଯେତେ ନିଦାନ ବତା ଯାଉଛି କିମ୍ବା ବ୍ୟବସ୍ଥା ହେଉଛି, ସେଥିରୁ କୌଣସିଟି କାମରେ ଲାଗୁ ନାହିଁ। ଉଦାହରଣ ସ୍ବରୂପ ସ୍ୟାଣ୍ତିହୁକ ନାମକ ଗୋଟିଏ ଛୋଟିଆ ସହରରେ ଜଣେ ଗୁଳି ଚଳେଇ ଏକ ପ୍ରାଥମିକ ସ୍କୁଲରେ ୨୦ ଜଣ ଛୋଟ ପିଲାଙ୍କୁ ହତ୍ୟା କଲା। ଉଇସ୍କନସିନରେ ଏକ ଶିଖ ମନ୍ଦିର (ଗୁରୁଦ୍ବାରା)ରେ ଗୁଳି ଚଳେଇ ଜଣେ ଛଅଟି ନିର୍ଦୋଷ ଲୋକଙ୍କୁ ହତ୍ୟା କଲା। ଏଇମିତି ଅନେକ ଘଟଣା ଯୋଗେ ମାରଣାସ୍ତ୍ରର ବ୍ୟବହାର ପାଇଁ କଟକଣା ହେବାକୁ ଦାବି ଖୁବ୍‌ ହେଉଛି। ମାତ୍ର ମାରଣାସ୍ତ୍ର ତିଆରି କରୁଥିବା ଓ ତାକୁ ବ୍ୟବହାର କରୁଥିବା ଲୋକମାନେ ପଇସା ଓ ବଳ ମାଧୢମରେ ଲୋକପ୍ରତିନିଧିମାନଙ୍କୁ ସବୁ ସ୍ତରରେ ହାତରେ ରଖିଛନ୍ତି। ଏଣୁ ଅନ୍ୟ ସବୁ ସଭ୍ୟ ଦେଶମାନଙ୍କ ପରି ସାଧାରଣ ଲୋକଙ୍କ ହାତରେ ମାରଣାସ୍ତ୍ର ପଡ଼ିିବାଟା ଏଠି ବେଆଇନ ତ ହେଉ ନାହିଁ, ବର˚ ସହଜ ହୋଇ ଯାଉଛି।

ପିଲା ଦିନେ ମଧୁ ରାଓଙ୍କ ବର୍ଣ୍ଣବୋଧରେ ପଢ଼ିଥିଲି, ‘‘ଶୀତଳ ପବନ ବହୁ ଅଛି। ବାହାରେ ଟିକିଏ ବୁଲି ଆସ।’’ ମାତ୍ର ସେ ପରାମର୍ଶ ଆଉ ଏଠି କାମ କଲା ପରି ଆଜି ଲାଗୁ ନାହିଁ। ପ୍ରଥମତଃ ଥଣ୍ତା ଯୋଗୁ ଘର ଭିତରର ଉଷୁମ ବାତାବରଣରେ ଗଞ୍ଜି ଓ ଜାମା ଉପରେ ସୁଏଟର ପିନ୍ଧି ବସିବାକୁ ହେଉଛି। ବାହାରକୁ ଗଲେ ସର୍ଦ୍ଦିରୁ ରକ୍ଷା ପାଇବା ପାଇଁ ଜାକେଟ ଓ ଟୋପି ପିନ୍ଧିବାକୁ ହେବ। ଅତି ଥଣ୍ତା ପବନ ପ୍ରଶ୍ବାସରେ ନେବାଟା ଦେହ ପାଇଁ ଭଲ ନୁହେଁ ବୋଲି ଡାକ୍ତର କହୁଛନ୍ତି। ସେଥି ପାଇଁ ଓଡ଼ିିଆ ବର୍ଣ୍ଣବୋଧର ଉପଦେଶକୁ ମୁଣ୍ତିଆ ମାରି ମୁଁ ଘରେ ବସି ଓଡ଼ିଆରେ ଚିଠି ଲେଖୁଛି।

ଫ୍ରେଡେରିକ୍‌, ୟୁ.ଏସ୍‌.ଏ
[email protected]

ସମ୍ବନ୍ଧିତ ଖବର