ମନେପଡ଼ନ୍ତି ପଠାଣି ସାମନ୍ତ

ବିକାଶ ଚନ୍ଦ୍ର ବେହେରା

ଯେତେବେଳେ ତାଙ୍କରି ବୟସର ପିଲାଏ ଖେଳକୁଦ ମଜ୍ଜି ରହୁଥିଲେ, ସେତେବେଳେ ସେ ଗ୍ରହ ନକ୍ଷତ୍ରଙ୍କ ଗତିବିଧିକୁ ଏକ ଲୟରେ ଚାହିଁ ରହୁଥିଲେ। ବାଉଁଶ ନଳୀ ଓ କାଠିରେ ଗ୍ରହ ନକ୍ଷତ୍ରଙ୍କ ଦୂରତା ମାପିବାର ସାହସିକତା ପ୍ରଦର୍ଶନ କରିଥିଲେ। ଚାଳରେ ଛିଦ୍ର କରି ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ଛାଇକୁ ନିରୀକ୍ଷଣ କରୁଥିଲେ। ଯାହା ଅନ୍ୟମାନଙ୍କ ପାଇଁ ଦୁଃସାଧ୍ୟ ଥିଲା, ତାହା ତାଙ୍କର ନିତି ଦିନିଆ ଅଭ୍ୟାସ ପାଲଟି ଯାଇଥିଲା। ନିଜର ଅଲୌକିକ ପ୍ରତିଭା ବ‌ଳରେ ଦିନେ ଜ୍ୟୋତିର୍ବିଜ୍ଞାନ ପାଣ୍ଡିତ୍ୟରେ ସମଗ୍ର ବିଶ୍ବବାସୀଙ୍କୁ ଚକିତ କରିଦେଇଥିବା ବ୍ୟକ୍ତି ଜଣକ ଥିଲେ ମହା ମହୋପାଧ୍ୟାୟ ସାମନ୍ତ ଚନ୍ଦ୍ରଶେଖର ହରିଚନ୍ଦନ ମହାପାତ୍ର। ଯିଏକି ପଠାଣି ସାମନ୍ତ ନାମରେ ସାରା ଓଡ଼ିଶାରେ ପରିଚିତ। ଖଣ୍ଡପଡ଼ା ଗଡ଼ଜାତରେ ଜନ୍ମିତ ଏହି ମହାମନିଷୀ କେବଳ ରାଜ୍ୟ ନୁହେଁ, ବିଶ୍ବବାସୀଙ୍କୁ ଚମକାଇ ଦେଇଥିଲେ । ସେ ୧୮୩୫ ମସିହା ପୌଷ କୃଷ୍ଣ ଅଷ୍ଟମୀ ତିଥିରେ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ରାଜବଂଶରେ ଜନ୍ମଗ୍ରହଣ କରିଥିଲେ। ପିଲାଦିନୁ ସେ ଥିଲେ ଉଦାସୀନ, ମନଯୋଗୀ, ଏକାଗ୍ରଚିତ୍ତ ଓ ଅଧ୍ୟବସାୟୀ ଓ ଉଦାରମନା। ଗୁରୁ କୃତ୍ତିବାସ ରଥଙ୍କଠାରୁ ବାଲ୍ୟଶିକ୍ଷା ଓ ଗୁରୁ ପଣ୍ଡିତ ଆନନ୍ଦ ଖାଡ଼ଙ୍ଗାଙ୍କଠାରୁ ସଂସ୍କୃତ ଶିକ୍ଷା ଲାଭ କରି ଚନ୍ଦ୍ରଶେଖର ବାପାଙ୍କ ଠାରୁ ଗଣିତ ଜ୍ୟୋତିଷର ଆଲୋଚନା ମାଧ୍ୟମରେ ଶିକ୍ଷା ଲାଭ କରିଥିଲେ ।

ପଠାଣି ସାମନ୍ତ ହେଉଛନ୍ତି ସ୍ବୟଂ ଶିକ୍ଷିତ ଜ୍ୟୋତିର୍ବିଜ୍ଞାନୀ। ସେ ସମ୍ଭ୍ରାନ୍ତ ପରିବାରରେ ଜନ୍ମ ହୋଇଥିବା‌ରୁ ସମ୍ଭ୍ରାନ୍ତ ପାଠାଗାରରୁ ୧୫ ବର୍ଷ ବସୟ ଯାଏ ବିଭିନ୍ନ ପୁସ୍ତକ ଆଣି ପଢ଼ୁଥିଲେ। ଏହାପରେ ବିଭିନ୍ନ କାଠ ଓ ବାଉଁଶ ଆଣି ନିଜ ପାଇଁ ଯନ୍ତ୍ରପାତି ତିଆରି କରୁଥିଲେ। ରାତି ରାତି ସେ ଅନିଦ୍ରା ରହି ନିଜେ ତିଆରି କରିଥିବା ପାରମ୍ପରିକ ଯନ୍ତ୍ରପାତି ଦ୍ବାରା ଆକାଶରେ ଗ୍ରହ ନକ୍ଷତ୍ରଙ୍କ ଗତିବିଧି ଲକ୍ଷ୍ୟ କରୁଥିଲେ। ଗଣିତ ଓ ଜ୍ୟୋତିର୍ବିଜ୍ଞାନରେ ସିଦ୍ଧହସ୍ତ ସାମନ୍ତ ପରେ ପାରମ୍ପରିକ ଭାରତୀୟ ଜ୍ୟୋତିର୍ବିଜ୍ଞାନ ଉପରେ ଗବେଷଣା କରିଥିଲେ। ସେ ଗଣିତ ଓ ପାରମ୍ପରିକ ଜ୍ୟୋତିର୍ବିଜ୍ଞାନ ପଢ଼ିବା ପରେ ଭାରତୀୟ ଗଣିତଜ୍ଞ ଓ ଜ୍ୟୋତିର୍ବିଜ୍ଞାନୀ ଯଥା ଆର୍ଯ୍ୟଭଟ୍ଟ, ବରାହମିହିର ଓ ବ୍ରହ୍ମଗୁପ୍ତଙ୍କ ଗଣନା ସହ ନିଜ ଗଣନାକୁ ମିଶାଇବାକୁ ଚେଷ୍ଟା କରୁଥିଲେ। ଗୋଟିଏ ବାଉଁଶ ନଳୀ ଓ ଦୁଇଟି ବାଡ଼ି ସାହାଯ୍ୟରେ ଆକାଶ‌ରେ ଗ୍ରହନକ୍ଷତ୍ରଙ୍କ ଗତିବିଧି ଉପରେ ଗବେଷଣା କରିଥିଲେ। ତାଙ୍କର ସମସ୍ତ ଗଣନା ଓ ଗବେଷଣା ‘ସିଦ୍ଧାନ୍ତ ଦର୍ପଣ’ରେ ଲିପିବଦ୍ଧ। ୧୪ ବର୍ଷରୁ ୩୪ ବର୍ଷ ପର୍ଯ୍ୟନ୍ତ ଦୀର୍ଘ ୨୦ ବର୍ଷ ପର୍ଯ୍ୟନ୍ତ ଆକାଶର ଜ୍ୟୋତିର୍ବିଦ୍ୟା ସମ୍ବନ୍ଧୀୟ ତଥ୍ୟ ସେ ସିଦ୍ଧାନ୍ତ ଦର୍ପଣରେ ଲିପିବଦ୍ଧ କରିଥିଲେ। ୧୮୯୦ ମସିହା ବେଳକୁ ପୃଥିବୀ ଓ ସୂର୍ଯ୍ୟ ମଧ୍ୟ‌ରେ ଦୂରତା ଗଣନା କରିପାରିଥିଲେ। ଆଧୁନିକ ବିଜ୍ଞାନ ସୂର୍ଯ୍ୟ ଚାରିପାଖେ ପୃଥିବୀ ଘୂରିବା ଏବଂ ଏହି ଦୁଇ ମହାଜାଗତୀୟ ବସ୍ତୁ ମଧ୍ୟରେ ଦୂରତା ମାପି ସାରିଥିଲେ ବି ପଠାଣି ସାମନ୍ତ ପାରମ୍ପରିକ ଯନ୍ତ୍ରପାତି ଓ ଖାଲି ଆଖିରେ ଯେଉଁ ଗଣନା କରିଥିଲେ; ତାହା ଆଶ୍ଚର୍ଯ୍ୟଜନକ ଥିଲା। ତାଙ୍କ ଗଣନା ଅତ୍ୟନ୍ତ କଷ୍ଟକର ହୋଇଥିବାରୁ ‌ଏବେ ସମସ୍ତେ କମ୍ପ୍ୟୁଟରର ସରଳ ପ୍ରଣାଳୀକୁ ଆପଣେଇ ନେଉଛନ୍ତି। କିନ୍ତୁ ୨୦୦ ବର୍ଷ ତଳର ତାଙ୍କର ଗଣନା ଆଜିର ଅତ୍ୟାଧୁନିକ ଯୁଗରେ ମଧ୍ୟ ପ୍ରାସଙ୍ଗିକତା ବଜାୟ ରଖିଛି।

ପଠାଣିଙ୍କ ଖ୍ୟାତି ସମଗ୍ର ଦେଶ ଓ ବିଦେଶକୁ ବ୍ୟାପିଯାଇଥିଲା। ତାଙ୍କ ଅବଦାନର ଫଳଶ୍ରୁତି ସ୍ବରୂପ ୧୮୯୩ ମସିହାରେ ତାଙ୍କୁ ମହାମହୋପାଧ୍ୟାୟ ଉପାଧି ମିଳିଥିଲା। ତାଙ୍କର ନିରବଚ୍ଛିନ୍ନ ତଥା ନିଷ୍ଠାପର ଉଦ୍ୟମର ଫଳସ୍ବରୂପ ଦେଶବାସୀଙ୍କୁ ପ୍ରାପ୍ତ ହୋଇଥିଲା “ସିଦ୍ଧାନ୍ତ ଦର୍ପଣ” ପରି ଅପୂର୍ବ ମହାର୍ଘ ଗ୍ରନ୍ଥ । ମାତ୍ର ୩୪ବର୍ଷ ବୟସରୁ ଆରମ୍ଭ କରିଥିବା ସଂସ୍କୃତ ଭାଷାର ଏହି ବୃହତ ଗ୍ରନ୍ଥରେ ସ୍ଥାନିତ ହୋଇଛି ଅତି ସୁନ୍ଦରମଧୁର ପଦ୍ୟାବଳିଯୁକ୍ତ ୨୪ଟି ବିଭାଗ ଏବଂ ୨୫୦୦ଟି ଶ୍ଳୋକ । ଏହି ଗ୍ରନ୍ଥ ମଧ୍ୟାଧିକାର, ସ୍ଫୁଟାଧିକାର, ତ୍ରିପ୍ରଶ୍ନାଧିକାର, ଗୋଳାଧିକାର ଓ କାଳାଧିକାର ପରି ପଞ୍ଚ ଅଧିକାରରେ ବିଭକ୍ତ।

ଖଣ୍ଡପଡ଼ାର ଦାଣ୍ଡସାହିରେ ଥିବା ପଠାଣି ସାମନ୍ତଙ୍କ ବାସଭବନ ଏବେ ବି ତାଙ୍କ ସ୍ମୃତ୍ତି ବହନ କରୁଛି। ଏଠାରେ ତାଙ୍କ ଦ୍ବାରା ବ୍ୟବହୃତ ଜିନିଷ ନଥିଲେ ହେଁ, ଠାକୁର ଘରର କାନ୍ଥ ତିଷ୍ଠି ରହିଛି। ଏହି କାନ୍ଥରେ ଥିବା ଠାକୁରଙ୍କ ଆସନକୁ ତାଙ୍କ ବଂଶଧର ସାଇତି ରଖିଛନ୍ତି। ପୁରୁଣା ଘର କେବେଠାରୁ ଭାଙ୍ଗିରୁଜି ଯାଇଛି। ତା’ ସ୍ଥାନରେ ଏବେ ନୂତନ କୋଠାଘର ରହିଛି। ଯାହା ତାଙ୍କର କୃତୀ ରହିଥିଲା, ସେ ସବୁକୁ ବଂଶଧର ସଂଗ୍ରହାଳୟକୁ ପ୍ରଦାନ କରି ସାରିଛନ୍ତି। ପଠାଣିସାମନ୍ତ ‘ସୂର୍ଯ୍ୟଘଡ଼ି’ , ଶଙ୍କୁଦଣ୍ଡ, ଉଲମ୍ବୀଚକ୍ର, ମାନଯନ୍ତ୍ର, ଖଗୋଳଯନ୍ତ୍ର ଆଦି ଯନ୍ତ୍ରମାନ ତିଆରି କରି ବିଶ୍ୱବାସୀଙ୍କୁ ଦେଇଛନ୍ତି ନିଜର ଅତୁଳନୀୟ ପାଣ୍ଡିତ୍ୟର ପରିଚୟ। ଏହି ସୂର୍ଯ୍ୟଘଡ଼ି ଖଣ୍ଡପଡ଼ା ସମେତ ରାଜ୍ୟର ୪ଟି ସ୍ଥାନରେ ରହିଛି। ପୂର୍ବେ ଘଣ୍ଟା ନଥିବା ବେଳେ, ଏହି ସୂର୍ଯ୍ୟଘଡ଼ିକୁ ଅନୁଧ୍ୟାନ କରି ସମୟ ଆକଳନ କରାଯାଉଥିଲା। ଖଣ୍ଡପଡ଼ାର ତହସିଲ ଛକ ସମେତ ରେଭେନ୍ସା ବିଶ୍ବବିଦ୍ୟାଳୟ, ଗଞ୍ଜାମର ବଡ଼ଗଡ଼, କଟକର ବଡ଼ମ୍ବାରେ ଏଭଳି ସୂର୍ଯ୍ୟଘଡ଼ି ଲଗାଯାଇଛି।

ଦୀର୍ଘ ୨୦୦ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାର ବିଭିନ୍ନ ପ୍ରକାରର ପାଞ୍ଜି ପ୍ରସ୍ତୁତିରେ ପାଠାଣି ସାମନ୍ତଙ୍କ ଗଣନା ହିଁ ବ୍ୟବହାର ହେଉଛି। ତାଙ୍କ ଗଣନା ଅତ୍ୟନ୍ତ ସଠିକ୍‌ ହୋଇଥିବାରୁ ଓଡ଼ିଶାର ଅନେକ ପାଞ୍ଜି ସାମନ୍ତଙ୍କ ଗଣନା‌କୁ କେନ୍ଦ୍ର କରି ପ୍ରସ୍ତୁତ କରାଯାଉଛି। ୧୯୦୪ ମସିହା ଜୁନ୍‌ ୧୧ ତାରିଖରେ ସେ ଦେହତ୍ୟାଗ କରିଥିଲେ। କବିବର ରାଧାନାଥ ପଠାଣି ସାମନ୍ତଙ୍କର ପ୍ରତିଭା ଓ କୃତିର ପ୍ରଶଂସାରେ ଶତମୁଖ ହୋଇ ଲେଖିଛନ୍ତି -:
“ଉତ୍କଳମାତାର ଯୋଗ୍ୟତମ ସୁତ,
ତୁମ୍ଭ ଯୋଗୁଁ ଆମ୍ଭେ ସର୍ବେ ହେଲୁ ପୂତ,
ସିଦ୍ଧାନ୍ତ ଦର୍ପଣ ହେବ ନାହିଁ ଲୟ,
ନର ଦେହେଥିବ ଯାବତ ହୃଦୟ।’’

ନରସିଂହପୁର , କଟକ – ୩

ସମ୍ବନ୍ଧିତ ଖବର