ଦେଶର ବିସ୍ଥାପିତ ଆନ୍ଦୋଳନର ପୁରୋଧା: ପ୍ରସନ୍ନ ପଣ୍ଡା

ଭୁବନେଶ୍ବର : କୌଣସି ରାଜନୈତିକ ଦଳ ଜନସ୍ବାର୍ଥରୁ ଊର୍ଧ୍ବ ନୁହେଁ, ସୋଭିଏତ ରୁଷ ସରକାର ସହଯୋଗରେ ପ୍ରକଳ୍ପ ନିର୍ମାଣ ହେଉ ପଛେ ଯେଉଁଠି ବି ବିସ୍ଥାପିତଙ୍କ ସ୍ବାର୍ଥହାନି ହେବ ସେଠି ଲଢ଼େଇ ନିଶ୍ଚିତ। ଅବିଭକ୍ତ ସମ୍ବଲପୁର ଜିଲ୍ଲାର ପ୍ରସ୍ତାବିତ ଲଛିପାଲି ବିହନ ଫାର୍ମ ପାଇଁ ଦ୍ବିତୀୟବାର ବିସ୍ଥାପିତ ହେବାକୁ ଯାଉଥିବା ହୀରାକୁଦ ଜଳଭଣ୍ଡାର ୨୦ ହଜାର ବିସ୍ଥାପିତଙ୍କ ସ୍ବାର୍ଥରକ୍ଷା ପାଇଁ ପାର୍ଲାମେଣ୍ଟ ଘେରାଓବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେସାଇଙ୍କ ସହିତ ଆଲୋଚନା ବେଳେ ଏହିଭଳି ମନ୍ତବ୍ୟ ଦେଇଥିଲେ ହୀରାକୁଦ ବିସ୍ଥାପିତ ଆନ୍ଦୋଳନର ପୁରୋଧା ତଥା ଜନନେତା ପ୍ରସନ୍ନ ପଣ୍ଡା। ଏହି ପ୍ରକଳ୍ପକୁ ବିରୋଧ କରିଥିବାରୁ ଆଜି କିଛି ବ୍ୟକ୍ତି ପ୍ରସନ୍ନ ପଣ୍ଡାଙ୍କୁ ବିକାଶ ବିରୋଧୀ କହନ୍ତି। କିନ୍ତୁ ସେଦିନ ସେହି ୨୦ ହଜାର ପୁନର୍ବାର ବିସ୍ଥାପିତ ହୋଇଥିଲେ ଜୀବିକା ପାଇଁ ରାୟପୁରକୁ ହାଇଦ୍ରାବାଦ ଦାଦନ ଶ୍ରମିକ ହୋଇ ଯାଇଥା’ନ୍ତେ। ସମୟକ୍ରମରେ ଆର୍ଥିକ ଦୁରବସ୍ଥାରେ ରହି ଓଡ଼ିଶା ମାଟିରୁ ନିଖୋଜ ହୋଇଯାଇଥା’ନ୍ତେ। କେବଳ ଏହି ଗୋଟିଏ ନୁହେଁ ବିଭିନ୍ନ ପ୍ରକଳ୍ପ ପାଇଁ ଯେତେ ଥର ହୀରାକୁଦ ବିସ୍ଥାପିତମାନଙ୍କୁ ଦ୍ବିତୀୟ, ତୃତୀୟ ଥର ପାଇଁ ସରକାର ବିସ୍ଥାପିତ କରିଛନ୍ତି ବା ସେଥିପାଇଁ ଉଦ୍ୟମ କରିଛନ୍ତି ପ୍ରସନ୍ନ ପଣ୍ଡା ଜୀବନ ଶେଷ ଯାଏ ବିରୋଧ କରିଥିଲେ।

ପୃଥିବୀର ଦୀର୍ଘତମ ହୀରାକୁଦ ଜଳଭଣ୍ଡାର। ଯେଉଁ ପ୍ରକଳ୍ପ ଯୋଗୁଁ ୨୯ ହଜାରରୁ ଊର୍ଧ୍ବ (ସରକାରୀ ଭାବରେ ୧୯ ହଜାର) ପରିବାର ବିସ୍ଥାପିତ ହୋଇଥିଲେ। ଯେଉଁମାନଙ୍କୁ ଆଜି ପର୍ଯ୍ୟନ୍ତ ମଧ୍ୟ ନ୍ୟାୟ ମିଳିଲା ନାହିଁ, ଏହି ପ୍ରକଳ୍ପ ଯୋଗୁଁ ବନ୍ୟା ନିୟନ୍ତ୍ରଣ, ଜଳସେଚନ, ବିଦ୍ୟୁତ ଉତ୍ପାଦନ ହେଲା ସତ କିନ୍ତୁ ବିସ୍ଥାପନଜନିତ ବିପର୍ଯ୍ୟୟ ଯୋଗୁଁ କେତେ ଯେ ଲୋକ ସର୍ବସ୍ବାନ୍ତ ହେଲା ତାର ଆକଳନ ହୋଇ ପାରିଲା ନାହିଁ। ହୀରାକୁଦ ବିସ୍ଥାପିତଙ୍କୁ ନ୍ୟାୟ ଦେବାପାଇଁ ଯେଉଁ ଲଢ଼େଇ ହେଲା ତାକୁ ଭାରତର ବିସ୍ଥାପନ ଆନ୍ଦୋଳନର ଜନନୀ ଏବଂ ପ୍ରସନ୍ନ ପଣ୍ଡାଙ୍କୁ ଏହି ଆନ୍ଦୋଳନର ପୁରୋଧା କୁହାଗଲା। ସେ ସିପିଆଇ ତରଫରୁ ସମୁଦାୟ ୬ ଥର ବିଧାୟକ ହୋଇ ବ୍ରଜରାଜନଗରକୁ ପ୍ରତିନିଧିତ୍ବ କରିଥିଲେ, ଜୀବନତମାମ ବିଧାନସଭା ଭିତରେ ଏବଂ ବାହାରେ ହୀରାକୁଦ ବିସ୍ଥାପିତଙ୍କ ପାଇଁ ଲଢ଼େଇ କରିଛନ୍ତି ଏହାକୁ ନେଇ ହିଁ ସେ ଜୀବନତମାମ୍‌ ଜିଇଁଛନ୍ତି କହିଲେ ଭୁଲ ହେବନାହିଁ। ଏପରିକି ବ୍ୟକ୍ତିଗତ ଆଲୋଚନାବେଳେ ବି ବିସ୍ଥାପନ ପ୍ରସଙ୍ଗ ହିଁ ମୁଖ୍ୟ ହୋଇ ରହୁଥିଲା। ପ୍ରଦୂଷଣ ବିରୋଧରେ ତାଙ୍କ ଲଢ଼େଇ ଶାଣିତ ଥିଲା। ଠିକ୍‌ ଏହିସମୟରେ ବ୍ରଜରାଜନଗର ସ୍ଥିତ ବିରଳା ଓରିଏଣ୍ଟ କାଗଜ କଳର ଦୂଷିତ ପାଣି ଇବ୍‌ନଦୀରୁ ବିଷାକ୍ତ କରୁଥିଲା। ଏଥିଯୋଗୁଁ ବିଷାକ୍ତ ପାଣି ପିଇ ଲୋକଙ୍କ ମୃତ୍ୟୁ ହେଉଥାଏ। ବିରଲା କମ୍ପାନି ବିରୋଧରେ ଅଦାଲତରେ ମାମଲା ଦାୟର କରିଥିଲେ। ଏହାକୁ ଅଦାଲତରେ ପ୍ରଦୂଷଣ ବିରୋଧରେ ଦେଶର ସର୍ବପ୍ରଥମ ମାମଲା ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ୧୯୮୩ ମସିହା ବ୍ରଜରାଜନଗର ଓରିଏଣ୍ଟ ପେପର ମିଲ ଶ୍ରମିକଙ୍କ ସ୍ବାର୍ଥ ପାଇଁ ୧୧ ମାସର ଐତିହାସିକ ଆନ୍ଦୋଳନ ହୋଇଥିଲା। ପ୍ରସନ୍ନ ପଣ୍ଡା ଆମରଣ ଅନଶନ କରିଥିଲେ। ତ୍ରିପାକ୍ଷିକ ଆଲୋଚନା ପରେ ଆନ୍ଦୋଳନ ସଫଳ ହୋଇଥିଲା।

ସେ ବ୍ରଜରାଜନଗରକୁ ପ୍ରତିନିଧିତ୍ବ କରୁଥିଲେ ମଧ୍ୟ କେବଳ ସେହି ଅଞ୍ଚଳ ମଧ୍ୟରେ ନିଜକୁ ସୀମିତ ରଖିନଥିଲେ। ୧୯୭୫ ମସିହାରେ ଅବିଭକ୍ତ ସମ୍ବଲପୁର ଏବଂ କଳାହାଣ୍ଡିରେ ଭୟଙ୍କର ମରୁଡ଼ି ହୋଇଥିଲା। ସ୍ଥିତି ଏଭଳି ଥିଲା ଯେ ଲୋକଙ୍କ ପାଖରେ ଖାଇବାକୁ ମଧ୍ୟ ଅର୍ଥ ନଥିଲା। ମାତ୍ର ସରକାର ଦେଉଥିବା ସହାୟତା ରାଶିର ଭୟଙ୍କର ବାଟମାରଣା ହେଉଥିଲା। ଏହାକୁ ନେଇ ତତକାଳୀନ ରାଜ୍ୟ ସରକାର ଏତେ ଗମ୍ଭୀର ହେଉନଥିଲେ। ତେଣୁ ପ୍ରସନ୍ନ ପଣ୍ଡା ସେହି ଅଞ୍ଚଳ ଗସ୍ତ କରି ଫଟୋ ଉଠାଇ ବିଧାନସଭା ଗ୍ୟାଲେରିରେ ପଶ୍ଚିମ ଓଡ଼ିଶା ମରୁଡ଼ିର ଫଟୋ ପ୍ରଦର୍ଶନୀ କରିଥିଲେ। ଏହା ଏଭଳି ଥିଲା ଯେ ପ୍ରତ୍ୟେକ ବିଧାୟକଙ୍କୁ ଭାରକ୍ରାନ୍ତ କରିଥିଲା। ଏହାକୁ ନେଇ ବିଧାନସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ପଶ୍ଚିମ ଓଡ଼ିଶା ମରୁଡ଼ି ଏବଂ ଲୋକଙ୍କ ଦୁର୍ଦଶାକୁ ଗମ୍ଭୀର ଭାବରେ ନେବା ପାଇଁ ତତକାଳୀନ ରାଜ୍ୟ ସରକାର ବାଧ୍ୟ ହୋଇଥିଲେ।

ଏହିପରି ଭାବେ ବିଭିନ୍ନ ସମୟରେ ବିଧାନସଭାରେ ପାନୀୟ ଜଳଯୋଗାଣ, ଶିକ୍ଷା, ସ୍ବାସ୍ଥ୍ୟ ନେଇ ବିଧାନସଭାରେ ପ୍ରଶ୍ନ କରିଛନ୍ତି। ର୍ବତନ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ, ନନ୍ଦିନୀ ଶତପଥୀ ତାଙ୍କୁ ସମ୍ମାନ ଦେଉଥିଲେ। ଏତେବର୍ଷ ଧରି ବିଧାୟକ ଏବଂ ରାଜ୍ୟ ରାଜନୀତିର ପ୍ରଭାବଶାଳୀ ନେତା ହୋଇ ମଧ୍ୟ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ତାଙ୍କ ବିରୋଧୀ ମଧ୍ୟ କରିନାହାନ୍ତି। ଜୀବନତମାମ ଅଢାପରା ଏବଂ ସମ୍ବଲପୁର ସ୍ଥିତ ବମ୍ବେ ଲଜରେ ରହିଛନ୍ତି। ଏହା ମଧ୍ୟ ଲଜ୍‌ଲିକଙ୍କ ତାଙ୍କ ପ୍ରତି ଥିବା ମାତ୍ରାଧିକ ସ୍ନେହ ଏବଂ ସମ୍ମାନ ପାଇଁ।
୧୯୨୨ ମସିହା ଜୁନ ୧୬ ତାରିଖ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅଢାପରାରେ ସମ୍ଭ୍ରାନ୍ତ ଗୌନ୍ତିଆ ପରିବାରରେ ଜନ୍ମ ହୋଇଥିଲେ। ତାଙ୍କ ଜେଜେ ବାପାଙ୍କ ବାପା ଲୋକନାଥ ଗଡ଼ତ୍ୟା ୧୮୫୭ ମହାସଂଗ୍ରାମରେ ବୀର ସୁରେନ୍ଦ୍ର ସାଏଙ୍କ ସହଯୋଗୀ ଥିଲେ। ଅଜା ଧରଣୀଧର ମିଶ୍ର ପଶ୍ଚିମ ଓଡ଼ିଶାର ପ୍ରଥମ ମ୍ୟାଟ୍ରିକୁଲେସନ ତଥା ଉତ୍କଳମଣି ଗୋପବନ୍ଧୁଙ୍କ ସହପାଠୀ। ସମ୍ବଲପୁରରେ ପ୍ରାଥମିକ ଶିକ୍ଷା ସମାପ୍ତ ପରେ କଲିକତାର ଗର୍ଭମେଣ୍ଟ କଲେଜ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟରେ ଚିତ୍ରକଳା ଅଧ୍ୟୟନ କରିଥିଲେ। ସମ୍ଭ୍ରାନ୍ତ ପରିବାର, ଦକ୍ଷ ଚିତ୍ରଶିଳ୍ପୀ କିନ୍ତୁ ଜନ୍ମମାଟିର ଡାକରାରେ ସ୍ବାଧୀନତା ଭାରତର ବିସ୍ଥାପନ ବିରୋଧୀ ପ୍ରଥମ ଜନଆନ୍ଦୋଳନ ତାଙ୍କୁ ଜନନେତା କରିଦେଲା। ପାଠ ସାରିବାବେଳକୁ ସେ ଉତ୍ତର ଭାରତକୁ ଏକୁଟିଆ ଭ୍ରମଣ କରିଥିଲେ। ଏହି ଅବସରରେ ପ୍ରକୃତ ଭାରତର ଚିତ୍ର ଦେଖିବାର ଅବସର ପାଇଥିଲେ। ଯାହା ସମ୍ଭବତଃ ତାଙ୍କ ଜୀବନ ପରିବର୍ତ୍ତନ କରିଥିଲେ। ସମୟରେ ସେ ଶ୍ରେଣୀହୀନ ବିଚାର ବାର୍ତ୍ତା ଦେଉଥିବା ମାକ୍ସବାଦ ବିଚାରରେ ଉଦବୁଦ୍ଧ ହୋଇ ସିପିଆଇରେ ସାମିଲ ହୋଇଥିଲେ କିନ୍ତୁ ଭୀମ ଭୋଇଙ୍କ ମହିମା ଧର୍ମରେ ଅନୁପ୍ରାଣିତ ହୋଇ ଗେରୁଆ ବସ୍ତ୍ର ପରିଧାନ କରୁଥିଲେ। ସେ ନିଜପାଇଁ ପରିବାର ସୃଷ୍ଟି କରି ନାହାନ୍ତି ସତ କିନ୍ତୁ ନିଜ ପଛରେ ଅନେକ ଦାୟାଦଙ୍କୁ ଛାଡ଼ି ଯାଇଛନ୍ତି। ଆଜି ବିସ୍ଥାପନ, ପ୍ରଦୂଷଣର ବିରୋଧ ଏବଂ ଶ୍ରମିକଙ୍କ ସ୍ବାର୍ଥ ପାଇଁ ଲଢ଼େଇ କରୁଥିବା ପ୍ରତ୍ୟେକ ସଂଗ୍ରାମୀ ନିଜକୁ ପ୍ରସନ୍ନ ପଣ୍ଡାଙ୍କ ଦାୟାଦ ଭାବରେ ବିବେଚନା କରନ୍ତି।

ସମ୍ବନ୍ଧିତ ଖବର