କଳିଙ୍ଗ ଓ ସିଂହଳ: ଏକ ଚମତ୍କାର ସଂପର୍କ

ଇତିହାସର ଗବାକ୍ଷ - ଦେବବ୍ରତ ମହାପାତ୍ର

ପ୍ରାଚୀନ ଓ ମଧ୍ୟଯୁଗୀୟ କଳିଙ୍ଗ ଏବଂ ଶ୍ରୀଲଙ୍କା ମଧ୍ୟରେ ପରିଲକ୍ଷିତ ଏକ ପ୍ରଭାବଶାଳୀ ରାଜନୈତିକ ଓ ସାଂସ୍କୃତିକ ସଂପର୍କର ଅୟମାରମ୍ଭ ହୋଇଥିଲା ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ଯେତେବେଳେ ସିଂହପୁରର କଳିଙ୍ଗବଂଶୋଦ୍ଭବ ରାଜକୁମାର ବିଜୟ ଓ ତାଙ୍କର ସାତଶହ ଅନୁଗାମୀ ଉଚ୍ଛୃଙ୍ଖଳତା ପାଇଁ ତାଙ୍କର ପିତା ସିଂହବାହୁଙ୍କ ଦ୍ୱାରା ସିଂହପୁରରୁ ନିର୍ବାସିତ ହୋଇ କିଛି ଦିନର ସମୁଦ୍ରଯାତ୍ରା ପରେ ପହଞ୍ଚିଥିଲେ ଏକ ଦକ୍ଷିଣ ଭାରତ ମହାସାଗରୀୟ ଦ୍ବୀପରେ। ଶ୍ରୀଲଙ୍କାର ରାଜବଂଶାବଳୀ ପ୍ରଖ୍ୟାତ ମହାବଂଶ ଅନୁସାରେ ସେ ସେହି ଦ୍ବୀପରେ ଏକ ନୂତନ ସାମ୍ରାଜ୍ୟର ପ୍ରତିଷ୍ଠା କରିଥିଲେ ଓ ସେ ଦ୍ବୀପକୁ ତାଙ୍କର ମାତୃଭୂମି ସିଂହପୁର ଅନୁସାରେ ସିଂହଳ ନାମରେ ନାମିତ କରିଥିଲେ। ସେହି ସିଂହପୁରର ଅବସ୍ଥିତି ସଂପର୍କରେ ଐତିହାସିକମାନଙ୍କ ମଧ୍ୟରେ ମତାନୈକ୍ୟ ଥିଲେ ମଧ୍ୟ ପ୍ରାଚୀନ ସିଂହଳର ଜନମାନସରେ କିନ୍ତୁ ଏକଦା କଳିଙ୍ଗର ରାଜଧାନୀ ଥିବା ଗୌରବଶାଳୀ ଜନପଦ ସିଂହପୁର ହିଁ ସମ୍ରାଟ ବିଜୟଙ୍କ ମାତୃଭୂମି ବୋଲି ଏକ ଧାରଣା ସୃଷ୍ଟି ହୋଇଥିଲା। ତେଣୁ ତତ୍କାଳୀନ ସିଂହଳ ଜନସାଧାରଣ ଓ ରାଜପରିବାର କଳିଙ୍ଗବାସୀଙ୍କୁ ଅତି ସମ୍ମାନର ଦୃଷ୍ଟିରେ ଦେଖୁଥିଲେ।

ଏହି ସମ୍ମାନ ଆହୁରି ବୃଦ୍ଧି ହେଲା ଯେତେବେଳେ କଳିଙ୍ଗ ଦନ୍ତପୁରରେ ସ୍ଥାନିତ ବୁଦ୍ଧଙ୍କ ଦନ୍ତାବଶେଷର ସୁରକ୍ଷା ନିମନ୍ତେ ୩୧୧ ଖ୍ରୀଷ୍ଟାବ୍ଦରେ କଳିଙ୍ଗର ରାଜା ଗୁହଶିବଙ୍କ କନ୍ୟା ହେମମାଳା ତାକୁ ସମୁଦ୍ରପଥରେ ବନ୍ଧୁରାଷ୍ଟ୍ର ସିଂହଳକୁ ନେଇ ସେଠାକାର ସମ୍ରାଟ ଶ୍ରୀମେଘବର୍ଣ୍ଣଙ୍କୁ ପ୍ରଦାନ କରିଥିଲେ। ତାହା ଆଜି ପର୍ଯ୍ୟନ୍ତ କାଣ୍ଡିସ୍ଥିତ ଦନ୍ତ ମନ୍ଦିରରେ ପୂଜା ପାଇଆସୁଅଛି। ଏହାପୂର୍ବରୁ ଖ୍ରୀ.ପୂ. ତୃତୀୟ ଶତାବ୍ଦୀରେ ଅଶୋକଙ୍କ ପୁତ୍ରୀ ସଂଘମିତ୍ରା ସିଂହଳ ଯାତ୍ରା କରିବା ସମୟରେ ବୌଦ୍ଧଧର୍ମ ପ୍ରଚାରରେ ସହାୟତା କରିବା ପାଇଁ ଆଠଟି କଳିଙ୍ଗ ପରିବାରଙ୍କୁ ସାଙ୍ଗରେ ନେଇଥିଲେ ବୋଲି ଅଶ୍ବଘୋଷଙ୍କ ସାମନ୍ତପଶାଦିକାୟରେ ବର୍ଣ୍ଣିତ ଅଛି।

ଏହିପରି ଆଉ ଏକ ବନ୍ଧୁତାପୂର୍ଣ୍ଣ ସଂପର୍କର ନିଦର୍ଶନ ମିଳେ ଯେତେବେଳେ ୬୧୦ରୁ ୬୧୨ ଖ୍ରୀ. ମଧ୍ୟରେ ଚାଲୁକ୍ୟ ସମ୍ରାଟ ଦ୍ବିତୀୟ ପୁଲକେଶୀଙ୍କ ଦ୍ୱାରା ପରାସ୍ତ ହେବା ପରେ କଳିଙ୍ଗର ତତ୍କାଳୀନ ରାଜା ସପରିବାର ସିଂହଳର ବନ୍ଧୁ ରାଜା ଅଗ୍‌ଗବୋଧିଙ୍କ ପାଖରେ ରାଜନୈତିକ ଆଶ୍ରୟ ନେଇଥିଲେ।

ଅନେକ ବିକଳ୍ପ ଉପଲବ୍‌ଧ ଥିଲେ ମଧ୍ୟ ସିଂହଳର ରାଜପରିବାର କଳିଙ୍ଗର ରାଜପରିବାର ସହିତ ବୈବାହିକ ସଂପର୍କ ରଖିବାରେ ନିଜକୁ ଗୌରବାନ୍ବିତ ମନେ କରୁଥିଲା। ଏହି କ୍ରମରେ ଚତୁର୍ଥ ମହିନ୍ଦ (୯୫୪-୯୭୦ ଖ୍ରୀ.) ସଂଗାରାଜ୍ଞା ନାମ୍ନୀ ଜଣେ କଳିଙ୍ଗ ରାଜକୁମାରୀଙ୍କୁ ବିବାହ କରିଥିଲେ। ତାଙ୍କ ଗର୍ଭରୁ ଜନ୍ମ ନେଇଥିବା ଦୁଇଜଣ ପୁତ୍ର ପଞ୍ଚମ ସେନ ଓ ପଞ୍ଚମ ମହିନ୍ଦ ପରବର୍ତ୍ତୀ କାଳରେ ସିଂହଳର ସିଂହାସନରେ ଆସୀନ ହୋଇଥିଲେ। ପଞ୍ଚମ ମହିନ୍ଦ ଏକ ଶିଳାଲେଖରେ ନିଜକୁ କଳିଙ୍ଗବଂଶୋଦ୍ଭବ ବୋଲି ବର୍ଣ୍ଣନା କରିଛନ୍ତି। ସେ ସମୟରେ ତାଙ୍କର ଦୁର୍ବଳ ଶାସନ ହେତୁ ସିଂହଳରେ ସୃଷ୍ଟି ହୋଇଥିବା ଅର୍ଥନୈତିକ ଦୁରବସ୍ଥା ଓ ଅରାଜକତାର ସୁଯୋଗ ନେଇ ଭାରତର ଚୋଳମାନେ ୧୦୧୭ ଖ୍ରୀ.ରେ ସିଂହଳକୁ ନିଜ ଅଧିକାରକୁ ନେଇଥିଲେ ଓ ମହିନ୍ଦଙ୍କୁ ବନ୍ଦୀ କରି ଚୋଳରାଜ୍ୟକୁ ସ୍ଥାନାନ୍ତର କରିଥିଲେ। ଏହାପରେ ଚାଳିଶ ବର୍ଷ ଧରି ସିଂହଳର ରାଜାମାନେ ଘୋର ବିଶୃଙ୍ଖଳା ଓ ଗୃହଯୁଦ୍ଧ ମଧ୍ୟରେ ନାମକୁ ମାତ୍ର ରୋହାନା ନାମକ ଏକ ସୀମିତ କ୍ଷେତ୍ରରେ ରାଜତ୍ବ କରୁଥିଲେ। ଚୋଳ ସମ୍ରାଟ ଦ୍ବିତୀୟ ରାଜେନ୍ଦ୍ରଙ୍କ ଶିଳାଲେଖ ଅନୁସାରେ ସେହି ସମୟ ମଧ୍ୟରେ କଳିଙ୍ଗ ରାଜକୁମାର ବୀର ଶାଲମେଘ ଏକ ବିରାଟ ସେନାବାହିନୀ ସହିତ ସିଂହଳ ରାଜାଙ୍କ ପକ୍ଷରୁ ଚୋଳମାନଙ୍କ ବିରୋଧରେ ଲଢ଼ି ବୀରଗତି ପ୍ରାପ୍ତ ହୋଇଥିଲେ।

ପଞ୍ଚମ ମହିନ୍ଦଙ୍କ ପୁତ୍ର ପ୍ରଥମ ବିକମ୍ମବାହୁ ଓ କଳିଙ୍ଗ ରାଜକୁମାରୀ ଲୋକିତାଙ୍କ ପୌତ୍ର ବିଜୟବାହୁ ସଂପୂର୍ଣ୍ଣ ସିଂହଳକୁ ଚୋଳମାନଙ୍କ କବଳରୁ ମୁକ୍ତ କରି ଏକ ଦୃଢ଼ ଜନହିତକର ଶାସନ ପ୍ରତିଷ୍ଠା କରିଥିଲେ। ସେ ତାଙ୍କର ବଂଶାବଳୀକୁ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ କଳିଙ୍ଗ ସିଂହପୁରର ରାଜକନ୍ୟା ତ୍ରିଲୋକସୁନ୍ଦରୀଙ୍କୁ ବିବାହ କରିଥିଲେ। ପରବର୍ତ୍ତୀ କାଳରେ ସେ ତାଙ୍କର ଓ ତ୍ରିଲୋକସୁନ୍ଦରୀଙ୍କ ପୁତ୍ର ଦ୍ୱିତୀୟ ବିକମ୍ମବାହୁଙ୍କୁ ମଧ୍ୟ କଳିଙ୍ଗ ସିଂହପୁରର ଆଉ ଜଣେ ରାଜକୁମାରୀ ସୁନ୍ଦରାମହାଦେବୀଙ୍କ ସହିତ ବିବାହ ବନ୍ଧନରେ ଆବଦ୍ଧ କରିଥିଲେ। ତ୍ରିଲୋକସୁନ୍ଦରୀଙ୍କ ଚତୁର୍ଥ କନ୍ୟା ରତ୍ନାବଳୀ ବିଜୟବାହୁଙ୍କ ଭଗ୍ନୀ ମିତ୍ତାଙ୍କ ପୁତ୍ର ବୀରବାହୁ (ମାନାଭରଣ)ଙ୍କୁ ବିବାହ କରିଥିଲେ। ୧୧୧୪ ଖ୍ରୀ.ରେ ବିଜୟବାହୁଙ୍କ ମୃତ୍ୟୁ ପରେ ତାଙ୍କ ପୁତ୍ର ବିକ୍କମବାହୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ବିଜୟବାହୁଙ୍କ ଭଗ୍ନୀ ମିତ୍ତା ଓ ତାଙ୍କ ପୁତ୍ର ବୀରବାହୁ ଏକ ଚକ୍ରାନ୍ତଦ୍ୱାରା ବିଜୟବାହୁଙ୍କ ଭ୍ରାତା ଜୟବାହୁଙ୍କୁ ସିଂହାସନରେ ଅଭିଷିକ୍ତ କରିଥିଲେ। ଏହି ଘଟଣା ସିଂହଳରେ ଏକ ଗୃହଯୁଦ୍ଧର ସୂତ୍ରପାତ କରିଥିଲା। ବିକ୍କମବାହୁ ଏ ଯୁଦ୍ଧରେ ବିଜୟୀ ହୋଇ ରାଜରଥ୍‌ଥ (ଉତ୍ତର ଓ ମଧ୍ୟ ଶ୍ରୀଲଙ୍କା) ଓ ରାଜଧାନୀ ପୁଲଥିପୁର (ପୋଲୋନରୁବା) ଅଧିକାର କରିବା ସଙ୍ଗେ ସଙ୍ଗେ ଜୟବାହୁ, ମିତ୍ତା, ବୀରବାହୁ ଏବଂ ତାଙ୍କ ଭ୍ରାତାମାନଙ୍କୁ ଦକ୍ଷିଣ ଦେଶକୁ ବିତାଡ଼ିତ କରିଥିଲେ। ପରେ ସେମାନଙ୍କ ଭିତରେ ଶାନ୍ତି ପ୍ରତିଷ୍ଠା ହୋଇ ବୀରବାହୁ ଓ ତାଙ୍କ ଭ୍ରାତାଗଣ ଦକ୍ଷିଣ ଦେଶରେ ଶାସନ କଲେ।

ବିକ୍କମବାହୁଙ୍କ ମହାରାଣୀ କଳିଙ୍ଗ ରାଜକୁମାରୀ ସୁନ୍ଦରାମହାଦେବୀଙ୍କ ସିଂହଳୀ ଭାଷାରେ ଲିଖିତ ଶିଳାଲେଖାନୁସାରେ ସେ ବୌଦ୍ଧଭିକ୍ଷୁମାନେ ବାସ କରୁଥିବା ଦିମ୍ବୁଲଗଲସ୍ଥିତ ସନ୍ଦମହାଲେନା (ଚନ୍ଦ୍ରଗୁମ୍ଫା) ଓ ହିରୁମହାଲେନା (ସୂର୍ଯ୍ୟଗୁମ୍ଫା) ନାମକ ଦୁଇଟି ଗୁମ୍ଫାର ପ୍ରଭୁତ ଉନ୍ନତି ସାଧନ କରିବା ସହିତ ଦୁଇ ଗୁମ୍ଫା ମଧ୍ୟରେ ଏକ ସଂଯୋଗପଥର ନିର୍ମାଣ କରିଥିଲେ ଏବଂ ନିଜର କଳିଙ୍ଗ ଜାତୀୟତାକୁ ସମ୍ମାନ ଦେଇ ସୂର୍ଯ୍ୟଗୁମ୍ଫାକୁ କଳିଙ୍ଗଲେନା (ଗୁମ୍ଫା) ନାମରେ ନାମିତ କରିଥିଲେ।

୧୧୩୭ ଖ୍ରୀ.ରେ ବିକ୍କମବାହୁଙ୍କ ମୃତ୍ୟୁ ହେଲା ପରେ ତାଙ୍କ ପୁତ୍ର ଗଜବାହୁ ୧୧୫୩ ଖ୍ରୀ. ପର୍ଯ୍ୟନ୍ତ ଉତ୍ତର ଓ ମଧ୍ୟ ଶ୍ରୀଲଙ୍କାରେ ଶାସନ କରିଥିଲେ। ସେ ସମୟରେ ଦକ୍ଷିଣଦେଶ ଦୁଇଭାଗରେ ବିଭକ୍ତ ହୋଇ ବୀରବାହୁ ଓ ରତ୍ନାବଳୀଙ୍କ ପୁତ୍ର ପରାକମ୍ମବାହୁ ଏବଂ ତାଙ୍କର ଜଣେ ପିତୃବ୍ୟଙ୍କ ପୁତ୍ରଙ୍କଦ୍ୱାରା ଶାସିତ ହେଉଥିଲା। ପରାକମ୍ମବାହୁ ତାଙ୍କ ଭଗିନୀ ଭଦ୍ଦାବତୀଙ୍କୁ ଗଜବାହୁଙ୍କ ସହିତ ବିବାହ ଦେଇଥିଲେ। ଏସବୁ ସତ୍ତ୍ୱେ ସେ ତିନିଜଣ ପରସ୍ପର ସହିତ ଯୁଦ୍ଧରେ ବ୍ୟାପୃତ ରହୁଥିଲେ। ଗଜବାହୁଙ୍କ ମୃତ୍ୟୁପରେ ପରାକମ୍ମବାହୁ ସଂପୂର୍ଣ୍ଣ ସିଂହଳକୁ ନିଜ ଅଧୀନକୁ ନେଇ ସୁଶାସନ ପ୍ରତିଷ୍ଠା କରିଥିଲେ। ୧୧୮୬ରେ ତାଙ୍କ ମୃତ୍ୟୁପରେ ତାଙ୍କର ଭଗିନୀୟ ଦ୍ୱିତୀୟ ବିଜୟବାହୁ ସିଂହଳର ରାଜପଦରେ ଅଭିଷିକ୍ତ ହୋଇଥିଲେ। ସମ୍ଭବତଃ ଦ୍ବିତୀୟ ବିଜୟବାହୁ ରଜବାହୁଙ୍କ ପୁତ୍ର ଓ ଯୁଦ୍ଧ ସମୟର ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗଜବାହୁ ତାଙ୍କର ରାଣୀ ଓ ଶିଶୁ ପୁତ୍ରଙ୍କୁ ସୁରକ୍ଷା ଦୃଷ୍ଟିରୁ ନିଜର ମାତୁଳାଳୟ କଳିଙ୍ଗର ସିଂହପୁରକୁ ପ୍ରେରଣ କରିଦେଇଥିଲେ। ଏକ ଶିଳାଲେଖାନୁସାରେ ନିଃସନ୍ତାନ ପରାକମ୍ମବାହୁ ବିଜୟବାହୁଙ୍କୁ ନିଜ ଉତ୍ତରାଧିକାରୀ ରୂପେ ମନୋନୀତ କରି ତାଙ୍କୁ କଳିଙ୍ଗର ସିଂହପୁରରୁ ସିଂହଳକୁ ଅଣାଇଥିଲେ। ବିଜୟବାହୁଙ୍କ ସାଙ୍ଗରେ ସିଂହଳ ଆସିଥିଲେ କଳିଙ୍ଗର ଆଉ ଜଣେ ରାଜକୁମାର ନିଶଙ୍କମଲ୍ଲ। ବିଜୟବାହୁ ମାତ୍ର ଏକ ବର୍ଷ ପାଇଁ ରାଜତ୍ବ କରିଥିଲେ। ମହିନ୍ଦା ନାମକ ଜଣେ ରାଜକର୍ମଚାରୀ ତାଙ୍କର ପତ୍ନୀ ଦୀପାନି ସାହାଯ୍ୟରେ ତାଙ୍କୁ ବିଷ ଦେଇ ହତ୍ୟା କରିଥିଲେ ଓ ନିଜକୁ ରାଜା ରୂପେ ଘୋଷଣା କରିଥିଲେ।

ତା’ର ମାତ୍ର ପନ୍ଦର ଦିନ ପରେ ବିଜୟବାହୁଙ୍କ ବନ୍ଧୁ ତଥା ସେତେବେଳର ଉପରାଜା ନିଶଙ୍କମଲ୍ଲ ମହିନ୍ଦାଙ୍କୁ ହତ୍ୟା କରି ବନ୍ଧୁ ହତ୍ୟାର ପ୍ରତିଶୋଧ ନେବା ସହିତ ସିଂହଳର ରାଜଗାଦିସୀନ ହେଲେ। ତତ୍କାଳୀନ କଳିଙ୍ଗ ସିଂହପୁରର ଶାସକ ଶ୍ରୀଜୟଗୋପ ତାଙ୍କର ପିତା ଥିଲେ। ଶ୍ରୀଲଙ୍କା ରାଜାମାନଙ୍କ ମଧ୍ୟରେ ନିଶଙ୍କମଲ୍ଲଙ୍କର ସବୁଠାରୁ ଅଧିକ ଶିଳାଲେଖ ପ୍ରାପ୍ତ ହୋଇଛି। ନିଶଙ୍କମଲ୍ଲ ପରାକମ୍ମବାହୁଙ୍କ ପଦାଙ୍କ ଅନୁସରଣ କରି ସଂପୂର୍ଣ୍ଣ ସିଂହଳରେ ଏକ ଦୃଢ଼ ଶାସନ ପ୍ରବର୍ତ୍ତନ କରିଥିଲେ। ଅଧୁନା ଆଂଶିକ ଭାବେ ବିଦ୍ୟମାନ ମହାବଳୀଗଙ୍ଗା ନଦୀରେ ନିର୍ମିତ କଳିଙ୍ଗ ଆନିକଟ୍ ଓ ତତ୍‌ସହିତ ସଂଯୁକ୍ତ ଏକ ଅତିକାୟ କେନାଲ କଳିଙ୍ଗ ଇଲାକାର ସମୃଦ୍ଧି ସାଧନ କରି ଏହାକୁ ସେ କଳିଙ୍ଗ ନାମରେ ନାମିତ କରିଥିବାର ଅନୁମାନ କରାଯାଏ। ସେମିତି କଳିଙ୍ଗ ବନ ଓ କଳିଙ୍ଗ ଉଦ୍ୟାନ ଭଳି ଅନେକ ବନ ଓ ଉପବନ ସୃଷ୍ଟି କରିବା ସହିତ କଳିଙ୍ଗ ପ୍ରଥା ଅନୁସରଣ କରି ଦାନପତ୍ର ଲେଖ ପାଇଁ ତାଳପତ୍ର ବଦଳରେ ତାମ୍ରଫଳକର ପ୍ରଚଳନ କରାଇଥିଲେ। ତାଙ୍କ ସମୟରେ ଅନେକ ବୌଦ୍ଧ କୀର୍ତ୍ତିରାଜିର ସୁନ୍ଦରୀକରଣ ଓ ନିର୍ମାଣ ହୋଇଥିଲା। ତନ୍ମମଧ୍ୟରୁ ବିଶ୍ବ ଐତିହ୍ୟ ମାନ୍ୟତା ପ୍ରାପ୍ତ ଦମ୍ବୁଲ୍ଲ ସ୍ବର୍ଣ୍ଣଗୁମ୍ଫା ମନ୍ଦିର ଅନ୍ୟତମ।

୧୧୯୬ରେ ତାଙ୍କ ମୃତ୍ୟୁ ପରେ ସିଂହଳ ଏକ ଅଶାନ୍ତ ରାଜନୈତିକ ବାତାବରଣ ମଧ୍ୟକୁ ଠେଲି ହୋଇଗଲା। ନିଶଙ୍କମଲ୍ଲଙ୍କ ପୁତ୍ର ବୀରବାହୁ ଯେଉଁଦିନ ଅଭିଷିକ୍ତ ହେଲେ ସେହି ଦିନ ହିଁ ସେନାପତି ତଭୁରୁସେନେବିରାଟ ତାଙ୍କୁ ହତ୍ୟା କଲେ। ଏହା ପରେ ନିଶଙ୍କମଲ୍ଲଙ୍କ ଭ୍ରାତା ଦ୍ବିତୀୟ ବିକ୍କମବାହୁ ମାତ୍ର ତିନି ମାସର ରାଜତ୍ବ ପରେ ତାଙ୍କ ଭଗିନୀୟ ଚୋଡ଼ଗଙ୍ଗଙ୍କ ଦ୍ବାରା ନିହତ ହେଲେ। ଚୋଡ଼ଗଙ୍ଗ ନଅ ମାସ ପରେ ମନ୍ତ୍ରୀ ଅୟେଶ୍ୟାନ୍ତଙ୍କ ଦ୍ୱାରା ଗାଦିଚ୍ୟୁତ ହେଲେ ଓ ତାଙ୍କ ସ୍ଥାନରେ ପରାକ୍କମବାହୁଙ୍କ ରାଣୀ ଲୀଳାବତୀ ସିଂହାସନାରୂଢ଼ା ହେଲେ। କିନ୍ତୁ ତାଙ୍କ ଶାସନରେ ପ୍ରଜାମାନେ ଅସନ୍ତୁଷ୍ଟ ହେବାରୁ କିଛି ଅମାତ୍ୟ ମଲ୍ଲିକାର୍ଜୁନ ନାମକ ଜଣେ ଦୂତ ପ୍ରେରଣ କରି କଳିଙ୍ଗର ସିଂହପୁରରୁ ନିଶଙ୍କମଲ୍ଲଙ୍କ ଭ୍ରାତା ସାହସମଲ୍ଲଙ୍କୁ ସିଂହଳର ଶାସନ ଭାର ସମ୍ଭାଳିବାକୁ ନିମନ୍ତ୍ରଣ କଲେ। ସାହସମଲ୍ଲଙ୍କ ଏକ ଶିଳାଲେଖାନୁସାରେ ସେ ୨୩ ଅଗଷ୍ଟ ୧୨୦୦ ଖ୍ରୀ.ରେ ରାଜପଦରେ ଅଭିଷିକ୍ତ ହୋଇଥିଲେ। ରାଜତ୍ୱର ଦ୍ୱିତୀୟ ବର୍ଷରେ ସେ ଗାଦିଚ୍ୟୁତ ହୋଇଥିଲେ ଓ ତାଙ୍କ ସ୍ଥାନରେ ନିଶଙ୍କମଲ୍ଲଙ୍କ ରାଣୀ କଳିଙ୍ଗ ଗଙ୍ଗବଂଶୀୟ କଲ୍ୟାଣବତୀ ରାଜତ୍ୱ ଭାର ସମ୍ଭାଳି ଥିଲେ। ୧୨୦୮ ଖ୍ରୀ.ରେ ଚୋଳମାନଙ୍କ ଦ୍ୱାରା ପରାଜିତ ହେଲା ପରେ ସେ ପଳାୟନ କରି କାଣ୍ଡିସ୍ଥିତ ବୋପିତୀୟଠାରେ ଶେଷ ଜୀବନ ଅତିବାହିତ କରିଥିଲେ। ଅରାଜକତା ମଧ୍ୟରେ ୧୨୧୦ ଖ୍ରୀ.ରେ ଚୋଳମାନଙ୍କୁ ପରାସ୍ତ କରି କଳିଙ୍ଗ ରାଜବଂଶୀୟ ଲୋକେଶ୍ବରବାହୁ ମାତ୍ର ସାତମାସ ପାଇଁ ରାଜତ୍ୱ କଲାପରେ ତାଙ୍କର ଜଣେ ସେନାପତିଙ୍କ ଦ୍ୱାରା ନିହତ ହୋଇଥିଲେ।

୧୨୧୫ ଖ୍ରୀ.ରେ ଏଭଳି ବିଶୃଙ୍ଖଳ ପରିସ୍ଥିତିର ସୁଯୋଗ ନେଇ କଳିଙ୍ଗ ଗଙ୍ଗବଂଶୀୟ ରାଜକୁମାର ମାଘ ଚବିଶ ହଜାର କଳିଙ୍ଗ ଓ କେରଳୀ ସୈନ୍ୟଙ୍କ ସହ ସିଂହଳ ଆକ୍ରମଣ କରି ତାକୁ ଅଧିକାର କରିନେଇଥିଲେ ଓ ତାଙ୍କ ପ୍ରତିପକ୍ଷଙ୍କୁ ଦୃଢ଼ ହସ୍ତରେ ଦମନ କରିଥିଲେ। ସେ ଓ ତାଙ୍କର ଅନୁଗାମୀମାନେ ରକ୍ଷଣଶୀଳ ଧର୍ମାନ୍ଧ ହିନ୍ଦୁ ଥିଲେ। ତାଙ୍କ ସମୟରେ ଅନେକ ଚୈତ୍ୟ ଓ ବୌଦ୍ଧବିହାର ଗୁଡ଼ିକୁ ନଷ୍ଟ କରିଦିଆଯାଇଥିଲା ଏବଂ ବୌଦ୍ଧଭିକ୍ଷୁ ଓ ବୌଦ୍ଧ ଧର୍ମାବଲମ୍ବୀ ଜନସାଧାରଣ ଅତ୍ୟାଚାରିତ ହୋଇଥିଲେ। ସେ ମାତ୍ର ସାତବର୍ଷ ପାଇଁ ସମଗ୍ର ସିଂହଳ ଉପରେ ରାଜୁତି କରିପାରିଥିଲେ। ମାଘଙ୍କ ମୃତ୍ୟୁ ପରେ ତାଙ୍କର ସାମ୍ରାଜ୍ୟ ଆଉ କିଛି ମାତ୍ରାରେ ସଂକୁଚିତ ହୋଇଥିଲେ ମଧ୍ୟ ତାଙ୍କ ଉତ୍ତରାଧିକାରୀମାନେ ଭାରତର ପାଣ୍ଡ୍ୟରାଜ୍ୟର ଆର୍ଯ୍ୟ ଚକ୍ରବର୍ତ୍ତୀ ବଂଶ ସହ କୂଟନୈତିକ ଓ ବୈବାହିକ ସଂପର୍କ ସ୍ଥାପନ କରି ୧୪୫୦ ଖ୍ରୀ.ରୁ କେବଳ ଅଠର ବର୍ଷ ସମୟକୁ ଛାଡ଼ି ଆଦ୍ୟ ସପ୍ତଦଶ ଶତାବ୍ଦୀରେ ତାଙ୍କ ସାମ୍ରାଜ୍ୟ ପର୍ତ୍ତୁଗୀଜମାନଙ୍କ ଦ୍ୱାରା ଅଧିକୃତ ହେବା ପର୍ଯ୍ୟନ୍ତ ତାକୁ ଉତ୍ତର ସିଂହଳ (ଜାଫନା)ରେ ବଳବତ୍ତର ରଖିବାରେ ସମର୍ଥ ହୋଇଥିଲେ। ସେହି ଆର୍ଯ୍ୟ ଚକ୍ରବର୍ତ୍ତୀ ରାଜାମାନଙ୍କର ରାଜକୀୟ ଧ୍ବଜ ଓ ମୁଦ୍ରାରେ ବ୍ୟବହୃତ ବୃଷଭ ଓ ଅର୍ଦ୍ଧଚନ୍ଦ୍ରର ରାଜକୀୟ ପ୍ରତୀକ ଏବଂ କଳିଙ୍ଗ ଗଙ୍ଗବଂଶର ପ୍ରତୀକ ମଧ୍ୟରେ ସମାନତା ପରିଲକ୍ଷିତ ହେଉଥିବାରୁ ସେମାନଙ୍କର ଗଙ୍ଗବଂଶ ସହିତ ସିଧାସଳଖ ବଂଶଗତ ଓ ରାଜନୈତିକ ସଂପର୍କ ଥିବାର ଅନୁମାନ କରାଯାଏ।

ଏହାଛଡ଼ା ପ୍ରତ୍ନତାତ୍ତ୍ବିକ ଖନନରୁ ରାଧାନଗରଠାରେ ମିଳିଥିବା ଶ୍ରୀଲଙ୍କା ସମ୍ରାଟ ଶଦ୍ଧାତିଶ (ଖ୍ରୀ.ପୂ.୭୭-୫୯)ଙ୍କ ମୋହର, ମାଣିକପାଟଣାଠାରେ ସାହସମଲ୍ଲଙ୍କ, କାଣ୍ଡିଠାରେ କଳିଙ୍ଗ ସମ୍ରାଟ ଚୋଡ଼ଗଙ୍ଗଙ୍କ ପ୍ରାପ୍ତ ମୁଦ୍ରା କଳିଙ୍ଗ ଓ ସିଂହଳ ସଂପର୍କର ଗଭୀରତାକୁ ସୂଚାଉଛି। କଳିଙ୍ଗ ନାମରେ ନାମିତ ଜନପଦ, ଗ୍ରାମ ଓ ଅନ୍ୟାନ୍ୟ କୃତି, କଳିଙ୍ଗ ବଂଶୀୟ ରାଜା ଓ ରାଣୀ ମାନଙ୍କର ଅନେକ ଶିଳାଲେଖ ଏବଂ ସର୍ବୋପରି ବୁଦ୍ଧଙ୍କ ଦନ୍ତ ମନ୍ଦିର କଳିଙ୍ଗ ଐତିହ୍ୟର ମୁକସାକ୍ଷୀ ଭାବେ ଆଜି ବି ସେଠାରେ ବିଦ୍ୟମାନ।

ମୋ: ୯୪୩୭୦୨୬୪୪୯

ସମ୍ବନ୍ଧିତ ଖବର