ଅନେକ ଦେଶରେ ନାଗରିକମାନେ ସେମାନଙ୍କର ଦେଶର ଉନ୍ନତି କଳ୍ପେ ନିଜ ନିଜର କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ, ହେଲେ ଆମ ଭାରତବର୍ଷରେ ଅଧିକାଂଶ ନାଗରିକ ସେମାନଙ୍କର କର୍ତ୍ତବ୍ୟ କ’ଣ ଜାଣନ୍ତି ନାହିଁ; କେବଳ କର୍ତ୍ତବ୍ୟ ନୁହେଁ, ଶୃଙ୍ଖଳା କ’ଣ ତାହା ବି ଜାଣିବାକୁ ଚାହାଁନ୍ତି ନାହିଁ। ଆମେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ର ଭାବରେ ବିଭକ୍ତ, ଆମେ ପଣ୍ତିତ ଓ ମୂର୍ଖ ଭାବେ ଗଣା, ଆମେ ଓଡ଼ିଆ, ବଙ୍ଗାଳୀ ଓ ତାମିଲ ହିସାବରେ ବି ବିଭାଜିତ। ଆମେମାନେ ‘ମୋର’ ଓ ‘ତୋର’ ମନୋଭାବ ଦ୍ବାରା ଆଚ୍ଛନ୍ନ। କିନ୍ତୁ ସମସ୍ତେ ଏକତ୍ର ହୋଇ ଦେଶ କଥା ଭାବିବାକୁ କାହାକୁ ବେଳ ନାହିଁ।

Advertisment

ହେଲେ, ନିଜ ନିଜ ଅଧିକାର ବିଷୟରେ ଆମେ ପ୍ରାୟ ସମସ୍ତେ ସର୍ବଜ୍ଞ ଏବଂ ଯେଉଁ ଅଧିକାର ସବୁ ଏ ଦେଶକୁ ରସାତଳଗାମୀ କରୁଛି, ତାକୁ ଆମେ ସାବ୍ୟସ୍ତ କରି ଚାଲିଛୁ- ଏଥିପାଇଁ ଦେଶ ପରାଧୀନ ହୋଇଗଲେ ବି ଆମର ଚିନ୍ତା ନାହିଁ।

ଆସନ୍ତୁ ଆମେ ସାବ୍ୟସ୍ତ କରୁଥିବା କେତେକ ବିଶେଷ ବେତାଳିଆ ଅଧିକାର ସମ୍ବନ୍ଧରେ ଜାଣିବା। ଗୋଟିଏ ବେତାଳିଆ ଅଧିକାର ହେଲା ‘ସମାନତା’ର ଅଧିକାର, ଯାହାକୁ ଆମେ ଏମିତି ବ୍ୟାଖ୍ୟା କରୁ ଯେ ପ୍ରପଞ୍ଚ କରି ଅଯୋଗ୍ୟ ଲୋକ ଯୋଗ୍ୟ ସହ ସମକକ୍ଷ ହେବା। ଆମ ଦେଶରେ ଯୋଗ୍ୟ ଓ ଅଯୋଗ୍ୟ ଏକା ପ୍ରକାର ପଦରେ ରହି ପାରୁଛନ୍ତି। ବେଳେବେଳେ ଅଯୋଗ୍ୟମାନେ ଯୋଗ୍ୟଙ୍କୁ ପଛରେ ପକାଇ ଆଗକୁ ଚାଲିଯାଉଛନ୍ତି। ଆମେ ଦେଖୁଛୁ ଯେ ଯୋଗ୍ୟ ବ୍ୟକ୍ତିଟିଏ ଚାପୁଲୁସି କରି ନ ପାରି ଅପ୍ରିୟ ସତ୍ୟ କଥା କହି ଚାକିରି ହରାଉଥିବା ବେଳେ ହାକିମଙ୍କୁ ତେଲ ମାଲିସ କରି ଅଯୋଗ୍ୟମାନେ ଉପରକୁ ଉଠି ଉଠି ଚାଲିଛନ୍ତି। ତେଣୁ ପ୍ରପଞ୍ଚ କରି ସମାନ ହେବାର ଅଧିକାରର ନିଶା ଆମକୁ ଘାରିଛି।

ଆଉ ଗୋଟିଏ ଅଧିକାର ହେଲା ଲାଞ୍ଚ ନେବାର ଅଧିକାର। ଯିଏ ଠିକ୍‌ ବାଟରେ ଏବ˚ ଆବଶ୍ୟକ ପରିମାଣ ଲାଞ୍ଚ ନେଇ ଉପରସ୍ତରରେ ଠିକ୍‌ ବାଟେ ବାଣ୍ଟି ନ ପାରିବ, ସେ ଭିଜିଲାନ୍‌ସ ଦ୍ବାରା ଧରାପଡ଼ି ଜେଲ ଯିବ। ଲାଞ୍ଚ ନ ଦେଇ ପାଟିତୁଣ୍ତ କରି ଧମକାଇ କାମ କରିବାକୁ ଚେଷ୍ଟା କଲେ, ଫାଇଲଟି ହଜିଯିବାର ଆଶଙ୍କା ଥାଏ। ତେଣୁ ଲାଞ୍ଚ ନେବା ଆମ ଦେଶରେ ଏକ ନୀତିରେ ପରିଣତ ହୋଇଗଲାଣି। ସରକାରୀ ଚାକିରିଆଙ୍କ ଏହା ଏକ ଅଲିଖିତ ଅଧିକାର।

ତୃତୀୟ ଅଧିକାର ହେଲା ଅପମିଶ୍ରଣ କରିବାର ଅଧିକାର। କ୍ଷୀରରେ ପାଣି, ଚାଉଳରେ ଗୋଡ଼ି, ପେଟ୍ରୋଲରେ କିରୋସିନି, ସୋରିଷ ତେଲରେ ଅଗରା ମଞ୍ଜିର ତେଲ ଇତ୍ୟାଦି କେତେ କ’ଣ ଏବେ ଦେହସୁହା ହୋଇଗଲାଣି। ଏଇ ଅଧିକାର ସାବ୍ୟସ୍ତ କରୁଥିବା ଲୋକେ ଔଷଧ ଅପମିଶ୍ରଣ କରୁଛନ୍ତି। ଏ ଅପମିଶ୍ରଣ ଅଧିକାର ନିଜ କାୟା ଏମନ୍ତ ବିସ୍ତାର କଲାଣି ଯେ ମଦ ପର୍ଯ୍ୟନ୍ତ ଅପମିଶ୍ରିତ ହେଉଛି।

ଆଉ ଗୋଟିଏ ଅଧିକାର ହେଲା ନକଲ କରିବାର ଅଧିକାର। କେବଳ ପରୀକ୍ଷାରେ କରିବା ନୁହେଁ, ସାଟିର୍ଫିକେଟ, ଭୋଟ ପରିଚୟ ପତ୍ର ଠାରୁ ଆରମ୍ଭ କରି ଆଧାର କାର୍ଡ ଯାଏ ସବୁ କିଛି ଆମେ ନକଲ କରିବାରେ ପାରଙ୍ଗମ। ଜାଲ ସାର୍ଟିଫିକେଟ, ଜାଲ ନୋଟ୍‌ ଠାରୁ ଆରମ୍ଭ କରି ନକଲି ‘ଆଇ ଫୋନ୍‌’ ପର୍ଯ୍ୟନ୍ତ ତିଆରି କରିବାରେ ଆମେ ପ୍ରବୀଣ ଏବଂ ଏହା ଯେମିତି ଆମର ଏକ ଅଧିକାରରେ ପରିଣତ ହୋଲାଣି। ଦିଲ୍ଲୀ ଓ କଲିକତାରେ ତ ନକଲି ଚିଜର ରୀତିମତ ବଜାର ଅଛି। ପୁଣି ଜାଲି ସାର୍ଟିଫିକେଟ ବହୁତ ଟଙ୍କା ବିନିମୟରେ ବିକ୍ରି ହେଉଛି।

ଆଉ ଏକ ବିଶେଷ ଅଧିକାର ହେଲା ସ˚ଘ ଗଢ଼ିବାର ଅଧିକାର। ଏ ଦେଶରେ ଦୁଇ ଚାରିଜଣିଆ ସ˚ଘ ଅଛି। କାମ ଛାଡ଼ି ସରକାର ବିରୋଧରେ ବା ମାଲିକ ବିରୋଧରେ ସ୍ଲୋଗାନ୍‌ ଦେବା ଏକ ଜନ୍ମଗତ ଅଧିକାରରେ ପରିଣତ ହୋଇଛି। ରାସ୍ତାଘାଟ ବନ୍ଦ କରି ସଭା କରିବା ଓ ଭାଷଣ ଦେବା ମଧ୍ୟ ଆମର ଏକ ଜନ୍ମଗତ ଅଧିକାରରେ ପରିଣତ ହେଲାଣି। ଟିକିଏ ଟିକିଏ କଥାରେ ରାସ୍ତା ରୋକ କରିବା ବି ଆମର ଏକ ସ୍ବାଭିବକ ଅଧିକାର ବୋଲି ଆମେ ଭାବୁ।

ଆମର ଆହୁରି ଅନେକ ଅଧିକାର ଅଛି- ଏଇ ଯେମିତି ଅନ୍ୟର ଜାଗା ମାଡ଼ି ବସିବା, ଅନ୍ୟ ବାଡ଼ିରୁ ଫୁଲଫଳ ଚୋରି କରିବା, ରାସ୍ତାର ଭୁଲ ଦିଗରେ ଗାଡ଼ି ଚଳାଇବା, ଯେଉଁଠି ଇଚ୍ଛା ସେଠି ପରିସ୍ରା କରିବା, ଅଫିସ୍‌ରେ ଠିକ୍‌ ସମୟରେ ଦସ୍ତଖତ ମାରି ଦେଇ ନିଜ କାମରେ ଲାଗିବା ଇତ୍ୟାଦି ଭଳି କାମ ଆମର ଏହି ଅଧିକାର ପରିସରଭୁକ୍ତ ହେଲାଣି।

ଦୁଃଖ ଏତିକି ଯେ ଆମେ ସମସ୍ତେ ନିଜ ଅଧିକାର ସାବ୍ୟସ୍ତ କରି ଦେଶକୁ ରସାତଳଗାମୀ କରାଉଥିଲେ ବି ଦେଶ ପାଇଁ ଆମର ‘କର୍ତ୍ତବ୍ୟ’ କ’ଣ ସେ ବାବଦରେ ଆଦୌ ନିଘା ନାହିଁ। ନା ଜନ ସାଧାରଣ ନା ସରକାର ତାଙ୍କର କର୍ତ୍ତବ୍ୟ ନେଇ ସଚେତନ!

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]