ସଂଘୀୟ ସଂପର୍କରେ ସଂକଟ କାହିଁକି?

ମହମ୍ମଦ ହିଫ୍‌ଜୁର ‌ରହେମାନ

କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟରେ ସଂପର୍କକୁ ମଧୁର ଓ ମଜବୁତ କରିବା ଲାଗି ସମ୍ବିଧାନରେ ଅନେକ ବ୍ୟବସ୍ଥା ରହିଛି। ସମ୍ବିଧାନର ଧାରା ୨୪୯, ୨୫୧, ୨୫୪, ୨୫୬ ଏବଂ ୨୫୭ ଏଥିପାଇଁ ସମର୍ପିତ। ଏହାଛଡ଼ା ସଂପର୍କରେ ସନ୍ତୁଳନ ଆଣିବା ଲାଗି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ କ୍ଷମତା ମଧ୍ୟ ବଣ୍ଟାଯାଇଛି। କେନ୍ଦ୍ର ତାଲିକା, ରାଜ୍ୟ ତାଲିକା ଓ କନକରେଣ୍ଟ ଲିଷ୍ଟ ବା ଯୁଗ୍ମ ତାଲିକାର ବ୍ୟବସ୍ଥା ମଧ୍ୟ ରହିଛି। କେନ୍ଦ୍ର ତାଲିକାରେ କେନ୍ଦ୍ରର କ୍ଷମତା, ରାଜ୍ୟ ତାଲିକାରେ ରାଜ୍ୟ କ୍ଷମତା ଏବଂ ଯୁଗ୍ମ ତାଲିକାରେ ଉଭୟ ରାଜ୍ୟ ଓ କେନ୍ଦ୍ରର ମିଳିତ କ୍ଷମତା ନେଇ ବିସ୍ତୃତ ଭାବେ ଉଲ୍ଲେଖ କରାଯାଇଛି। ସତାନବେଟି ପ୍ରସଙ୍ଗରେ କେନ୍ଦ୍ରକୁ କ୍ଷମତା ଦିଆଯାଇଥିବା ବେଳେ ରାଜ୍ୟ ତାଲିକାରେ ୬୧ ଏବଂ ଯୁଗ୍ମ ତାଲିକାରେ ୫୨ଟି ପ୍ରସଙ୍ଗ ରହିଛି। ଏହା ସତ୍ତ୍ବେ ଆରମ୍ଭରୁ କେନ୍ଦ୍ର ଓ ରାଜ୍ୟ ସଂପର୍କରେ ଅନେକ ସମୟରେ ତିକ୍ତତା ରହି ଆସିଥିବା ଦେଖିବାକୁ ମିଳିଛି। ବିଶେଷ କରି କେନ୍ଦ୍ରରେ ଗୋଟିଏ ଦଳର ସରକାର ଥିବା ବେଳେ ରାଜ୍ୟରେ ଅନ୍ୟ ଦଳର ସରକାର ଥିଲେ ଏଭଳି ସମସ୍ୟା ସୃଷ୍ଟି ହେଉଛି।

ଏବେ ‌‌କେନ୍ଦ୍ର ଓ କେତେକ ରାଜ୍ୟ ସରକାର ମଧ୍ୟରେ ଯେଭଳି ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି, ତାହା ଏହା ପୂର୍ବରୁ କେବେ ଦେଖିବାକୁ ମିଳି ନ ଥିଲା। ସଂସଦ ଦ୍ବାରା ତିଆରି କରାଯାଇଥିବା ଆଇନକୁ ଲାଗୁ ନ କରିବା ଲାଗି କେତେକ ରାଜ୍ୟର ଧମକ ଏବଂ ଏହାକୁ ‌ଯେକୌଣସି ପରିସ୍ଥିତିରେ ଲାଗୁ କରିବା ପାଇଁ କେନ୍ଦ୍ରର ଜିଦ୍ ଦେଶରେ ଗୁରୁତର ରାଜନୈତିକ ଓ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିଛି।

ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ପ୍ରସ୍ତାବିତ ‘ଏନସିଆର’(ଜାତୀୟ ନାଗରିକ ପଞ୍ଜୀକରଣ)କୁ ନେଇ ଏଭଳି ପରସ୍ଥିତି ସୃଷ୍ଟି ହୋଇଛି। କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ସରକାର ‘ସିଏଏ’ ଲାଗୁ କରିବାକୁ ଯାଉଥିବା ବେଳେ ଅଣ ବିଜେପି ଶାସିତ ରାଜ୍ୟ ସରକାରମାନେ ଏହାକୁ କାର୍ଯ୍ୟକାରୀ ନ କରିବା ଲାଗି ଧମକ ଦେଇଛନ୍ତି। ଏଭଳି ରାଜ୍ୟମାନଙ୍କ ଭିତରେ ଅଗ୍ରଭାଗରେ ଅଛନ୍ତି ପଶ୍ଚିମବଙ୍ଗ ଓ କେରଳ। ‘ସିଏଏ’ ଏବଂ ‘ଏନଆରସି’କୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ‌ସୁପ୍ରିମୋ ମମତା ବାନାର୍ଜୀ କେବଳ ଯେ ବିରୋଧ କରୁଛନ୍ତି, ତାହା ନୁହେଁ; ଏହା ବିରୋଧରେ ସେ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଦେଇଛନ୍ତି। ବାମ ସାମ୍ମୁଖ୍ୟ ଶାସିତ କେରଳ ସରକାର ଆଉ ପାଦେ ଆଗକୁ ଯାଇ ବିଧାନସଭାରେ ‘ସିଏଏ’ ବିରୋଧୀ ପ୍ରସ୍ତାବ ଗୃହୀତ କରାଇ ନେଇଛନ୍ତି। କଂଗ୍ରେସ ଶାସିତ ରାଜ୍ୟ ସରକ‌ାରମାନେ ମଧ୍ୟ ‘ସିଏଏ’ ଲାଗୁ କରିବେ ନାହିଁ ବୋଲି ଘୋଷଣା‌ କରିଛନ୍ତି।

ଏହି ରାଜ୍ୟମାନଙ୍କ ଏଭଳି ଆଭିମୁଖ୍ୟ ସାମ୍ବିଧାନିକ ସଙ୍କଟ ସୃଷ୍ଟି କରିବା ସ୍ବାଭାବିକ। ତେବେ, ପ୍ରଶ୍ନ ଉଠୁଛି ଯେ ପୂର୍ବରୁ ତ ଏଭଳି ସ୍ଥିତି ବିଶେଷ ସୃଷ୍ଟି ହେଉ ନ ଥିଲା, ଏବେ ହେଉଛି କାହିଁକି? ଏହାର କାରଣ ହେଉଛି ୨୦୧୪ ପୂର୍ବରୁ କେନ୍ଦ୍ରରେ କ୍ଷମତାସୀନ ଦଳକୁ ବିରୋଧ କରୁଥିବା ଦଳ ଯଦିଓ କିଛି ରାଜ୍ୟରେ ସରକାର ଗଢ଼ିଥିଲେ, ରାଜନୈତିକ ମତାଦର୍ଶ ଦୃଷ୍ଟିରୁ ପ୍ରାୟ ସେମାନେ ସମସ୍ତେ ଧର୍ମନିରପେକ୍ଷ-ବାମବାଦ ଆଡ଼କୁ ଊଣାଅଧିକେ ଢଳିଥିଲେ। ତେଣୁ ଅନେକ ପ୍ରସଙ୍ଗରେ ସେମାନଙ୍କ ଭିତରେ ଥିବା ପାରସ୍ପରିକ ବିରୋଧ ବିଚାରଗତ ବା ଆଦର୍ଶଗତ ଲଢ଼େଇରେ ପରିଣତ ହେଉ ନ ଥିଲା। କିନ୍ତୁ ଦକ୍ଷିଣପନ୍ଥୀ ରାଜନୈତିକ ଦଳର ଅଭ୍ୟୁତ୍‌ଥାନ ଓ ଉତ୍ତରଣ ହେବା ପରେ ଏବଂ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସରକାର କେନ୍ଦ୍ରରେ କ୍ଷମତାସୀନ ହେବା ପରେ ବିଭିନ୍ନ ରାଜ୍ୟରେ ସରକାର ଗଢ଼ିଥିବା କଂ‌ଗ୍ରେସ, ତୃଣମୂଳ କଂଗ୍ରେସ ବା ବାମପନ୍ଥୀ ଦଳ ଅଥବା ଅନ୍ୟାନ୍ୟ କ୍ଷେତ୍ରୀୟ ଦଳ କିଛି ପ୍ରସଙ୍ଗରେ କେନ୍ଦ୍ର ସରକାର ସହିତ ବୈଚାରିକ ସଂଘାତରେ ବ୍ୟାପୃତ ହୋଇଛନ୍ତି। ତେଣୁ କେନ୍ଦ୍ରକୁ ନ ମାନିବାର ଧାରା ଆରମ୍ଭ ହୋଇଛି। ଏ ବାବଦରେ ଗୋଟିଏ ଉଦାହରଣ ନିଆଯାଉ। ୨୦୧୦ରେ କେନ୍ଦ୍ରରେ କଂଗ୍ରେସ ନେତୃତ୍ବର ୟୁପିଏ ସରକାର ସମଗ୍ର ଦେଶରେ ‘ଜାତୀୟ ଜନସଂଖ୍ୟା ପଞ୍ଜୀକରଣ’ ଏବଂ ‘ଏନ୍‌ପିଆର୍‌’ କାର୍ଯ୍ୟ ଆରମ୍ଭ କଲେ। କେଉଁ କାରଣରୁ ତାହା ଆଗେଇ ପାରିଲା ନାହିଁ, ତାହା ଭିନ୍ନ କଥା; କିନ୍ତୁ ସେତେବେଳେ ଏହାର ଆଦୌ କୌଣସି ବିରୋଧ ହୋଇ ନ ଥିଲା। କିନ୍ତୁ ଏବେ ଏନ୍‌ଡିଏ ସରକାର ୧୦ ବର୍ଷ ପରେ ଏକ ସ୍ବାଭାବିକ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ‘ଏନ୍‌ପିଆର’ କଥା ଉଠାଇବା‌ ମାତ୍ରକେ ବିରୋଧର ରଣ ଦୁନ୍ଦୁଭି ବାଜିବାରେ ଲାଗିଲା।

ତେବେ ସଂଘୀୟ ସଂପର୍କର ଏ ପ୍ରକାର ସଂକଟ ସମ୍ବନ୍ଧରେ ବିଶେଷଜ୍ଞଙ୍କ ମତ କ’ଣ? ଅନେକ ସମ୍ବିଧାନ ବିଶେଷଜ୍ଞ ଏବଂ ଆଇନ ବିଶାରଦଙ୍କ ମତରେ ସଂସଦ ଦ୍ବାରା ତିଆରି କରାଯାଇଥିବା ଆଇନକୁ ଲାଗୁ କରିବା ଲାଗି ରାଜ୍ୟମାନେ ବାଧ୍ୟ ଏବଂ ସେମାନେ ଅମାନ୍ୟ କରିପାରିବେ ନାହିଁ। ସମ୍ବିଧାନରେ ଏହା ସ୍ପଷ୍ଟ ଭାବେ ଉଲ୍ଲିଖିତ। ନାଗରିକତା ପ୍ରଦାନ କ୍ଷମତା କେବଳ କେନ୍ଦ୍ର ସରକାରର ରହିଛି। ନାଗରିକତା ଆଇନ ବା ‘ସିଏଏ’ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ। ସମ୍ବିଧାନର ଧାରା ୨୪୯, ୨୫୧ ଏବଂ ୨୫୪ରେ ଏ ସଂଦର୍ଭରେ କେନ୍ଦ୍ରକୁ ଅଗ୍ରାଧିକାର ଦିଆଯାଇଛି। ସଂସଦ ତିଆରି କରିଥିବା ଆଇନକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର ସରକାର ଧାରା ୨୫୬ ଓ ୨୫୭ ଅନୁଯାୟୀ ରାଜ୍ୟମାନଙ୍କୁ ନ‌ିର୍ଦେଶ ଦେଇପାରିବେ। ଏହାକୁ କାର୍ଯ୍ୟକାରୀ ନ କଲେ ଧାରା ୩୫୫ ଅନୁଯାୟୀ ଚେତାବନୀ ବି ଦେଇପାରିବେ। ଏବଂ ଶେଷ ଅସ୍ତ୍ର ରୂପେ ଧାରା ୩୫୬ (ରାଷ୍ଟ୍ରପତି ଶାସନ) ପ୍ରୟୋଗ କରିପାରି‌େବ। ତେବେ ଏହି ଧାରାକୁ ନେଇ ଅନେକ ତର୍କବିତର୍କ ହୋଇଛି ଏବଂ ସୁପ୍ରିମ କୋର୍ଟ ହସ୍ତକ୍ଷେପ ମଧ୍ୟ କରିଛନ୍ତି। ଆଇନ ବିଶାରଦଙ୍କ ମତରେ ରାଜ୍ୟମାନେ ଚାହିଁଲେ ଚର୍ଚ୍ଚିତ ଆଇନର ବୈଧତାକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରିପାରିବେ। ଏହା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ।

କେତେକ ରାଜନୈତିକ ପର୍ଯ୍ୟବେକ୍ଷକଙ୍କ ମତରେ ଏବେ ଯେଉଁ ସଙ୍କଟ ସୃଷ୍ଟି ହୋଇଛି, ତାର ସମାଧାନ ଆଇନଗତ ପଦକ୍ଷେପ ଦ୍ବାରା ସମ୍ଭବ ନୁହେଁ। ମୁକାବିଲାମୂଳକ ପରିସ୍ଥିତି ସୃଷ୍ଟି ହେଲେ ଏହା ଅଶାନ୍ତି ଓ ଅସ୍ଥିରତା ସୃଷ୍ଟି କରିପାରେ। ଏହାର ରାଜନୈତିକ ସମ‌ାଧାନ କରାଯିବାର ଆବଶ୍ୟକତା ରହିଛି। ଏଥିପାଇଁ ସୌଜନ୍ୟମୂଳକ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃ‌ଷ୍ଟି କରିବାକୁ ‌ହେଲେ ଉଭୟ କେନ୍ଦ୍ର ଏବଂ ରାଜ୍ୟମାନଙ୍କୁ ଜିଦ୍‌ଖୋର ମନୋଭାବ ପରିହାର କରିବାକୁ ପଡ଼ିବ। ତେବେ ରାଷ୍ଟ୍ରର ମୁରବି ଭାବେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବ‌ା ସ୍ବରାଷ୍ଟ୍ର ମନ୍ତ୍ରୀ‌; ସେମାନେ ପ୍ରଥମେ ନିଜ ଆଡ଼ୁ ଉଦ୍ୟମ ଆରମ୍ଭ କରନ୍ତୁ। ଏହି ପ୍ରସଙ୍ଗରେ ସହମତି ଆଣିବା ଲାଗି ସର୍ବଦଳୀୟ ବୈଠକ ଡାକନ୍ତୁ। ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ନେଇ ବୈଠକ ମଧ୍ୟ ହେଉ। ଉକ୍ତ ପ୍ରସଙ୍ଗରେ ବ୍ୟାପକ ବିଚାର ଆଲୋଚନା ହେଉ। କୌଣସି ଆଇନ ବା ପଦକ୍ଷେପକୁ କେବଳ ବିରୋଧ କରିବା ଉଦ୍ଦେଶ୍ୟରେ କେହି ବିରୋଧ କରିବା ଉଚିତ ନୁହେଁ। ମୂଳ କଥା ହେଲା ଦେଶର ସ୍ବାର୍ଥ ରକ୍ଷା ଲାଗି ଯାହା ନିତାନ୍ତ ଆବଶ୍ୟକ, ତାହା ହେଉଛି ଏକ ସୁସ୍ଥ ସଂଘୀୟ ବ୍ୟବସ୍ଥା। ତେଣୁ ଏଥିରେ ସୁଧାର ଆଣିବା ହେଉଛି ବର୍ତ୍ତମାନ ସମୟର ଏକ ବଡ଼ ଆହ୍ବାନ।

‘ସିଏଏ’ ‌ହେଉ ବା ‘ଏନଆରସି’; ଏହାକୁ ନେଇ ସାଧାରଣରେ ବଡ଼ ଧରଣର ବିଭ୍ରାନ୍ତି ସୃଷ୍ଟି ହୋଇଛି। ଏହାକୁ ଦୂର କରିବା ଲାଗି କେନ୍ଦ୍ର ସରକାର କେତେକ ପଦକ୍ଷେପ ନେଇଛନ୍ତି ଏବଂ ଏହା ସ୍ବାଗତଯୋଗ୍ୟ। ସର୍ବଦଳୀୟ ବୈଠକ ଏବଂ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଏହା ଉପରେ ବିସ୍ତୃତ ଆଲୋଚନା ଜରିଆରେ ସହମତି ସୃଷ୍ଟି କରାଯାଇ ପାରିଲେ ଦେଶର ବୃହତ୍ତର ସ୍ବାର୍ଥ ସାଧିତ ହୋଇପାରିବ।

ସମ୍ବନ୍ଧିତ ଖବର