ସବ୍‌କୋ ସନ୍‌ମତି ଦେ ଭଗବାନ

ହିରଣ୍ୟ ମହାନ୍ତି

ନଭେମ୍ବର ୯ ତାରିଖ ୧୯୮୯ ମସିହା। ବିଶ୍ବ-ହିନ୍ଦୁ ପରିଷଦର ପୁରୋଧାମାନେ ସେହି ଦୃଷ୍ଟିରୁ ‘ରାମମନ୍ଦିର’ ନିର୍ମାଣ ପାଇଁ, ସେହି ତିଥି ଓ ତାରିଖଟିର ଶୁଭ-ମାହେନ୍ଦ୍ର-ବେଳାରେ ଶିଳାନ୍ୟାସ ପୁଷୋତ୍ସବ କରିବାକୁ ସ୍ଥିର କରିଥିଲେ। ବିଶ୍ବ-ହିନ୍ଦୁ ପରିଷଦ ଯେଉଁ ପୀଠସ୍ଥଳୀଟିକୁ ମନ୍ଦିର ନିର୍ମାଣ କରିବା ପାଇଁ ସ୍ଥିର କରିଥିଲେ, ତାହା ବିବାଦୀୟ ଅଞ୍ଚଳ ବାହାରେ ଥିଲା ବୋଲି ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସରକାର ସାବ୍ୟସ୍ତ କରିଥିବାରୁ ନିର୍ମାଣ କାର୍ଯ୍ୟ ପାଇଁ ପ୍ରଶାସନିକ ମଞ୍ଜୁରି ମିଳିଥିଲା। ସୁତରା˚, ସେହି ଦିନ ରାମ ମନ୍ଦିରର ଶୁଭାରମ୍ଭ ଏହିପରି ବୈଦିକ ବିଧି ବିଧାନ ଅନୁସରଣରେ ଏକ ଧାର୍ମିକ ଢଙ୍ଗରେ ହୋଇଥିଲା। ପ୍ରକାଶ ଥାଉ କି ପୀଠସ୍ଥଳୀର ସ୍ବତ୍ତ୍ବ ନିର୍ଦ୍ଧାରଣରେ ଗୋଟିଏ ସ˚ପ୍ରଦାୟ ଅସୁଖୀ ଥିଲେ। ସେମାନଙ୍କୁ ସେଠାରୁ ବେଦଖଲ କରାଯାଇଥିବାର ଅସନ୍ତୋଷ ସେମାନଙ୍କ ଭିତରେ ରହିଥିଲା। ସୁତରା˚, କୁହାଯାଇପାରେ ଯେ ସେହି ଦିନ ହିଁ ଭାରତୀୟ ଜନତାଙ୍କ ମାନସ ଭୂମିରେ ଏକ ପାଚେରି ଛିଡ଼ା ହେବାର ଉପକ୍ରମ କରୁଥିଲା।

ଏଣେ ଠିକ୍‌ ସେହିଦିନ ଘଟିଥିଲା ଆଉ ଏକ ବିରାଟ ଘଟଣା। ଦ୍ବିତୀୟ ବିଶ୍ବ ଯୁଦ୍ଧର ଦୁଷ୍ପରିଣାମ ସ୍ବରୂପ ପୂର୍ବ ଓ ପଶ୍ଚିମ ଜର୍ମାନୀ ରୂପେ ଜର୍ମାନୀକୁ ଚିରି ଅଲଗା କରି ରଖିବା ପାଇଁ ଠିଆ କରାଯାଇଥିବା ‘ବର୍ଲିନ ପ୍ରାଚୀର’କୁ ସେ ଦିନ ଜର୍ମାନମାନେ ଭାଙ୍ଗି ଦେଇଥିଲେ। ପୂୂର୍ବତନ ଯୁଦ୍ଧଖୋର ରାଷ୍ଟ୍ରମାନଙ୍କ ଦ୍ବାରା ସୃଷ୍ଟ ସବୁ ଅସୂୟା, ଦ୍ବେଷ ଓ ଶତ୍ରୁତାକୁ କବର ଦେଇ ଦୁଇ ଜର୍ମାନୀ ପରସ୍ପରକୁ ଆଲିଙ୍ଗନ କରିଥିଲେ। ସପ୍ତାହ ବ୍ୟାପୀ ଚାଲିଥିଲା ପାରସ୍ପରିକ ଆଲିଙ୍ଗନ ଓ କୋଳାକୋଳିର ମହା ପର୍ବ।

ଏହାର ଠିକ୍‌ ତିରିଶ ବର୍ଷ ପରେ ୨୦୧୯ ମସିହା ନଭେମ୍ବର ୯ ତାରିଖ ଦିନ ଆମ ଗଣତାନ୍ତ୍ରିକ- ଧର୍ମନିରପେକ୍ଷ- ସମାଜବାଦୀ ରାଷ୍ଟ୍ରର ସର୍ବୋଚ୍ଚ ଅଦାଲତ- ଅଯୋଧୢାର ‘ରାମ ମନ୍ଦିର’ ନିର୍ମାଣ ବିବାଦ ମାମଲା ଉପରେ ଚୂଡ଼ାନ୍ତ ରାୟ ପ୍ରଦାନ କଲେ। ଏହି ରାୟରେ ଭାରତରେ ସ˚ଖ୍ୟାଧିକ ଜନତା ଉଲ୍ଲସିତ ଥିବାର ସମସ୍ତେ ଦେଖିଲେ। କିନ୍ତୁ ସବୁ ଭାରତୀୟ ଏହି ଉତ୍ସବରେ ମନପ୍ରାଣ ଢାଳି ଦେଇ ପାରିଲେ ନାହିଁ। ଏଭଳି ଏକ ସ୍ଥିତି ଅନେକ ପ୍ରଶ୍ନ ଲାଗି ମଧୢ ଅବକାଶ ସୃଷ୍ଟି କଲା। ମାନ୍ୟବର ମୁଖ୍ୟ ନ୍ୟାୟମୂର୍ତ୍ତିଙ୍କ ସମେତ ଅନ୍ୟ ୪ ଜଣ ମାନ୍ୟବର ନ୍ୟାୟମୂର୍ତ୍ତିଙ୍କର ଏହି ସର୍ବସମ୍ମତ ରାୟକୁ ‘ମେଜେରିଟୋରିଆନ୍‌’ ବା ‘ସ˚ଖ୍ୟା ବହୁଳ’ଙ୍କ ଲାଗି ରାୟ ବୋଲି କେତେକ ମହଲରେ ଆଲୋଚନା ହୋଇଛି। ଏଭଳି ମତଧାରୀଙ୍କ ମନ୍ତବ୍ୟ ହେଲା, ୯୨୯ ପୃଷ୍ଠା ସମ୍ବଳିତ ରାୟ ଶେଷରେ ୫ ଜଣ ନ୍ୟାୟାଧୀଶଙ୍କ ମଧୢରୁ ଜଣେ ନିଜର ଧାଡ଼ିକିଆ ସ˚ଶୟ ପରିବୃତ୍ତ ବାକ୍ୟଟିଏ ଲେଖି ଏଭଳି ପ୍ରଶ୍ନ ଉଠାଇବାକୁ ବାଧୢ କରିଛନ୍ତି। ତାହା ଏହିପରି: ‘‘Whether the disputed structure is the birth place of Lord Ram, according to the belief and faith of the Hindu Community’’ ଅର୍ଥାତ୍‌ ‘ବିବାଦୀୟ ଢାଞ୍ଚାଟି ହିନ୍ଦୁମାନେ ବିଶ୍ବାସ କରୁଥିବା ଭଳି କ’ଣ ଭଗବାନ ଶ୍ରୀରାମଙ୍କ ଜନ୍ମ ସ୍ଥାନ?’ ସେମାନଙ୍କ ମତରେ ଏହି ରାୟ ବେଳେ ଧାର୍ମିକ ବିଶ୍ବାସ ଉପରେ ହୁଏ’ତ ଅଧିକ ଗୁରୁତ୍ବ ଦିଆଯାଇଛି, ‘ଇନଆକୁରାସି’ (inaccuracy) ବା ତଥ୍ୟଗତ ପ୍ରମାଦକୁ ନଜରଅନ୍ଦାଜ କରାଯାଇଛି। ଏହା ଭଗବାନ ଶ୍ରୀରାମଙ୍କ ଜନ୍ମ ସ୍ଥାନ ବୋଲି ପ୍ରମାଣ କରିବାକୁ ଯାଇ ଅଦାଲତରେ ଯେଉଁସବୁ କାଗଜପତ୍ର ଉପସ୍ଥାପନ କରାଯାଇଥିଲା, ଶୁଣିବାକୁ ମିଳେ ଯେ ତାହାସବୁ ଧର୍ମଗ୍ରନ୍ଥ, ପୁରାଣ ପୁସ୍ତକ ଓ ଲୋକକଥା ଉପରେ ଆଶ୍ରିତ ଲେଖାମାନ।

ସ୍ବୟ˚ ଲାଲକୃଷ୍ଣ ଆଡ଼ଭାନୀ ମସଜିଦ ଭଙ୍ଗା ଯିବାର ପରବର୍ତ୍ତୀ କାଳରେ କହିଥିଲେ, ‘ଯାହା କରାଯାଇଛି, ତାହା ରାମଙ୍କ ମନ୍ଦିର ପାଇଁ ନୁହେଁ। ତାହା ‘ଭାରତୀୟ ଜନତା ପାର୍ଟି’ର ସା˚ସ୍କୃତିକ ଜାତୀୟତାବାଦ ସକାଶେ ସମର୍ଥନ ଜୁଟାଇବା ଲାଗି (Not for just the Rams Temple, but to secure support for the B.J.P’s Policy of Cultural Nationalism)। ପୁଣି ସ୍ମରଣ କରାଯାଇପାରେ ଯେ ସେପ୍ଟେମ୍ବର ୩୦ ତାରିଖ ୧୯୯୦ ମସିହାରେ ଲାଲକୃଷ୍ଣ ଆଡଭାନୀ କହିଥିଲେ, ‘କେହି ପ୍ରମାଣ କରିପାରିବେ ନାହିଁ ଯେ ଏହା ଶ୍ରୀରାମଙ୍କ ଜନ୍ମସ୍ଥଳୀ ଥିଲା। ଏହା କେବଳ ଏକ ବିଶ୍ବାସର କଥା।’ (ଦି ଇଣ୍ତିପେଣ୍ତେଣ୍ଟ ଅକ୍ଟୋବର ୧୯୯୦)। ସେମିତି ୧୯୮୯ ମସିହା ଜୁନ୍‌ ୫ ତାରିଖ ଦିନ ପୂର୍ବତନ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ପ୍ରଫେସର ହୀରେନ୍‌ ମୁଖାର୍ଜୀଙ୍କ ଚିଠିର ଉତ୍ତରରେ ଲେଖିଥିଲେ, ଶ୍ରୀରାମଙ୍କ ଜନ୍ମଭୂମିକୁ କେହି ଏହିଠାରେ ବୋଲି ନିର୍ଦ୍ଦିଷ୍ଟ ଭାବରେ ଚିହ୍ନାଇ ପାରିବେ ନାହିଁ। (୨୪ ସେପ୍ଟେମ୍ବର, ଅର୍ଗାନାଇଜର ୧୯୮୯)। ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ମୁଖ୍ୟ ଏମ୍‌.ଡ଼ି ଦେଓରସ କହିଥିଲେ, ‘ଏହା ଏପରି ଏକ ଜଟିଳ ପ୍ରସଙ୍ଗ, ଯାହା ଉପରେ ଆଇନ ଅଦାଲତ କୌଣସି ନିଶାପ ଦେଇପାରିବେ ନାହିଁ। କେଉଁ ପ୍ରକାର ପ୍ରମାଣ, ହିନ୍ଦୁମାନେ ରଖିପାରିବେ ଯେ, ଏହି ନିର୍ଦ୍ଦିଷ୍ଟ ସ୍ଥାନରେ ଶ୍ରୀରାମ ଜନ୍ମ ନେଇଥିଲେ! ସତ୍ୟ ହେଲା, ଶ୍ରୀରାମ ଜନ୍ମ ନେଇଥିଲେ ଏବ˚ ତାଙ୍କର ଜନ୍ମ ସ୍ଥାନ ଥିଲା ଅଯୋଧୢା’। (ମାର୍ଚ୍ଚ ୧୨-୧୯୮୯- ଅର୍ଗାନାଇଜର)। ସେହିଭଳି ବିଖ୍ୟାତ ଆଇନଜ୍ଞ ଏନ୍‌.ଏ. ପାଲକିଵାଲାଙ୍କର ଗୋଟିଏ ବାକ୍ୟ ଏ ପ୍ରସଙ୍ଗରେ ପ୍ରଣିଧାନଯୋଗ୍ୟ। ୧୯୯୧ ମସିହାରେ ସେ ‘ଦି ଟାଇମ୍‌ସ ଅଫ୍‌ ଇଣ୍ତିଆ’ରେ ଗୋଟିଏ ମନ୍ତବ୍ୟ ନ୍ୟାୟାଳୟମାନଙ୍କ ଉଦ୍ଦେଶ୍ୟରେ ପରାମର୍ଶ ପରି ରଖିଥିଲେ- ‘ଅଦାଲତ କେବଳ ସତ୍ୟ ଏବ˚ ଆଇନ ସ˚ପର୍କିତ ପ୍ରସଙ୍ଗରେ ନିଷ୍ପତ୍ତି ଦେଇପାରିବେ। ମତାଦର୍ଶ, ବିଶ୍ବାସ ବା ରାଜନୈତିକ ବୁଦ୍ଧିମତ୍ତା ସ˚ପର୍କିତ ପ୍ରଶ୍ନ ଉପରେ ସେମାନେ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ ବା ନେବା ଉଚିତ ମଧୢ ନୁହେଁ।’

ଭାରତ ବର୍ଷ ତାହାର ଶତ ଶତ ସ˚ଖ୍ୟାର ବିଶାଳ ମନ୍ଦିର ଓ ସେସବୁର ଭାସ୍କର କଳା ବିଭବ ପାଇଁ ପୃଥିବୀର ସବୁ ସଭ୍ୟ, ସ˚ସ୍କୃତିସମ୍ପନ୍ନ ଜାତି ଲାଗି ଈର୍ଷଣୀୟ ହୋଇ ରହି ଆସିଛି। ଆଉ ଗୋଟିଏ ଭବ୍ୟ ମନ୍ଦିର ହେଲେ ସେ ଦିଗରୁ ଆମକୁ ଅଧିକ କିଛି ହୁଏ’ତ ମିଳି ନ ପାରେ, କିନ୍ତୁ ଭବିଷ୍ୟତରେ ଯଦି ଦିନେ ଏଭଳି ଏକ ସମୟ ଉପନୀତ ହୁଏ ଯେତେବେଳେ ଆମ ଭୂଖଣ୍ତରେ ସାମ୍ପ୍ରଦାୟିକ ବିଭେଦ ନ ଥିବ ଓ ମନ୍ଦିରକୁ ନେଇ ରାଜନୀତି ନ ଥିବ, ସେତେବେଳେ ଭାରତୀୟମାନେ ପଛକୁ ଚାହିଁଲେ ଆଜିର ଏ ମନ୍ଦିର-ମସଜିଦ ପ୍ରସଙ୍ଗକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବେ। ତେଣୁ ଆଜିର ସମସ୍ତ କାର୍ଯ୍ୟ ଭବିଷ୍ୟତକୁ ମନରେ ରଖି କରାଯିବା ଉଚିତ।

ମାକୁଲେଙ୍କ ବିଶ୍ବ ବିଖ୍ୟାତ ପ୍ରବନ୍ଧ ‘ଫ୍ରେଡେରିକ ଦି ଗ୍ରେଟ୍‌’ର ଗୋଟିଏ ବାକ୍ୟ ଅଛି: ‘ଯଦି ପ୍ରାଚୀନ କୀର୍ତ୍ତିରାଜିକୁ କାଳାନ୍ତରର ନୂତନ ସ୍ଥିତିରେ, ନୂତନ ମାନସିକତାର ରୂପକଳ୍ପରେ, ନୂତନ ସମୟର ବିଚାରରେ ସ୍ବତ୍ତ୍ବାଧିକାର ପାଇଁ ଉଦ୍ୟମ ଜାରି ରହେ, ତାହା ହେଲେ ସାରା ପୃଥିବୀ ଦିନଟିଏ ସୁଦ୍ଧା ଶାନ୍ତିରେ ରହି ପାରିବ ନାହିଁ।’ ଏଇଠି ମନେ ପଡ଼େ ସେହି ମହାତ୍ମା ଗାନ୍ଧୀଙ୍କୁ, ଯାହାଙ୍କ ଦ୍ବାରା ଅନୁପ୍ରାଣିତ ଭାରତର ସମସ୍ତଙ୍କ କଣ୍ଠରୁ ଦିନେ ଗୁଞ୍ଜରିତ ହେଉଥିଲା ‘ସବ୍‌କୋ ସନମତି ଦେ ଭଗବାନ!’ ଅର୍ଥାତ୍‌ ହେ ଭଗବାନ ସମସ୍ତଙ୍କୁ ସଦ୍‌ବୁଦ୍ଧି ଦିଅ। ସେହି ସଦ୍‌ବୁଦ୍ଧି ଆମକୁ ମନ୍ଦିର- ମସଜିଦ୍‌ ବିବାଦରୁ ଉପରକୁ ଉଠି ମାନବ ଧର୍ମ ପାଳନ କରିବାକୁ ଉଦ୍‌ବୁଦ୍ଧ କରେ। ଆମେ କେବଳ ସେହି ଧର୍ମ ପାଳନ କରିବା ଉଚିତ।

ଗଜପୀଠ, ପୁନ୍ଦାଳୋ, ପାଟକୁରା, କେନ୍ଦ୍ରାପଡ଼ା

ସମ୍ବନ୍ଧିତ ଖବର

Comments are closed.