ଗୋଟିଏ ଗାଁରେ ରହୁଥିଲେ ଜଣେ ସାଧୁ। ସେ ସର୍ବଦା କହୁଥିଲେ ଯେ ସବୁ ପ୍ରଭୁଙ୍କ ଇଚ୍ଛା।
ଗାଁର ମୁଖିଆ ଥିଲେ ଅହଂକାରୀ। ସେ ସାଧୁଙ୍କୁ କହିଲେ- ଆପଣ କାହିଁକି ଗାଁ ଲୋକଙ୍କ ହାତ ଟେକା ଉପରେ ନିର୍ଭର କରି ପଡ଼ିଛନ୍ତି। ଏମିତି ଅଳସୁଆ ହେଲେ କଅଣ ଚଳିବ? ଭାବନ୍ତୁ, ଗାଁ ଲୋକେ କିଛି ନ ଦେଲେ ଆପଣ ଚଳିବେ କେମିତି? ଖାଇବେ କ’ଣ?
ସାଧୁ କହିଲେ- ଗାଁ ଲୋକ? ସେମାନେ କିଏ? ଭଗବାନ ଦେଉଛନ୍ତି ବୋଲି ମୁଁ ଖାଇବାକୁ ପାଉଛି। ଆପଣମାନେ ମୋତେ ବଞ୍ଚାଇ ରଖିଛନ୍ତି ବୋଲି ଭାବିବା ଆପଣଙ୍କର ଅହ˚କାର ମାତ୍ର। ସବୁ ପ୍ରଭୁଙ୍କ ଇଚ୍ଛା।
ମୁଖିଆ ଏହା ଶୁଣି ରାଗିଗଲେ। ସେ ଗାଁ ଲୋକଙ୍କୁ କହିଲେ ଯେ ଏଣିକି ଏ ଅଳସୁଆ ସାଧୁଙ୍କୁ ଦାନାଟିଏ ଖାଦ୍ୟ ବି ଦିଅ ନାହିଁ।
ଗାଁ ଲୋକେ ତାହା ମାନିଲେ।
ଏମିତି ଦୁଇ ଦିନ ବିତିଗଲା। ତୃତୀୟ ଦିନ ମୁଖିଆ ସାଧୁଙ୍କ ପାଖରେ ପହଞ୍ଚିଲେ ଓ ପଚାରିଲେ- କିଛି ଖାଇଛନ୍ତି?
ସାଧୁ କହିଲେ- ନା।
ମୁଖିଆ କହିଲେ- ଏବେ ହେଲା ତ? ଗାଁ ବାଲାଏ ନ ଚାହିଁଲେ ଆପଣଙ୍କ ପାଟିରେ ଦାନାଟିଏ ବି ବାଜିବ ନାହିଁ।
ସାଧୁ କହିଲେ- କିଏ କହିଲା? ଭଗବାନ ଚାହିଁଛନ୍ତି ବୋଲି ମୁଁ ଖାଦ୍ୟ ପାଉନି। ଏ ଗାଁ ଲୋକଙ୍କ ସାମର୍ଥ୍ୟ କେତେ ?
ଏହା ଶୁଣି ମୁଖିଆ ରାଗି ଯାଇ କହିଲେ- ଏମନ୍ତ କଥା? ପ୍ରଭୁଙ୍କ ଇଚ୍ଛା ବୋଲି ଆପଣ ଭୋକରେ ରହିଛନ୍ତି ତ? ଦେଖିବା କେମିତି ଭୋକରେ ରହିବେ?
ଏହା କହି ସେ ଗାଁ ଲୋକଙ୍କୁ କହିଲେ- ମାଡ଼ି ବସି ସାଧୁଙ୍କୁ ଖୁଆଅ।
ଗାଁ ବାଲାଏ ଏବେ ସାଧୁଙ୍କୁ ଖୁଆଇଲେ। ସାଧୁ ଆନନ୍ଦରେ ଖାଦ୍ୟ ଖାଇଲେ ଏବ˚ ତା’ ପରେ କହିଲେ- ପ୍ରଭୁ ମୋତେ ଏମିତି ଖାଦ୍ୟ ଦେବାର ଥିଲା।