ସହିବା ଲୋକ

ବିଷ୍ଣୁ ଚରଣ ଦାସ

କଥାରେ ଅଛି, ଜଣେ ତାର ଅସୀମ ଧୈର୍ଯ୍ୟ ଓ ସହିଷ୍ଣୁତା ବଳରେ ଜଗତ୍‌ ଜିଣିପାରେ। ଯାହା ପାଖରେ ସହିଷ୍ଣୁତା ଥାଏ, ସେ ତାର ବ୍ୟକ୍ତିତ୍ୱର ଧୀର ପଣ ମାଧ୍ୟମରେ ଅନ୍ୟମାନଙ୍କ ଉପରେ ଗଭୀର ପ୍ରଭାବ ପକାଇବାରେ ସମର୍ଥ ହୁଏ। ସେଇ ପରିପ୍ରେକ୍ଷୀରେ ସନ୍ଥ ତୁକାରାମଙ୍କ ଜୀବନର ଏ ଉପାଖ୍ୟାନଟି ଶୁଣନ୍ତୁ।

ଭକ୍ତି ଆନ୍ଦୋଳନ ସମୟରେ ଯେଉଁମାନେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ, ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ଥିଲେ ସନ୍ଥ ତୁକାରାମ। ସେ ଦୀନଦୁଃଖୀଙ୍କର ସେବାରେ ନିଜକୁ ସମର୍ପଣ କରି ଦେଇଥିଲେ। ନିଜର ସର୍ବସ୍ବ ଏଥି ନିମନ୍ତେ ଅର୍ପଣ କରିଦେବା ପରେ ସେ ନିଃସ୍ୱ ଓ ଦରିଦ୍ର ହୋଇଗଲେ। ଏପରିକି ତାଙ୍କୁ ଅନେକ ସମୟରେ ଉପବାସ ରହିବାକୁ ପଡୁଥିଲା। ଏହା ଲକ୍ଷ୍ୟ କରି ଦିନେ ତାଙ୍କର ପତ୍ନୀ କହିଲେ, ‘କେତେ ଦିନ ଘରେ ଏପରି ବସି ରହିବ? ଭୋକର ଦାଉ ଆଉ ସମ୍ଭାଳି ହେଉନାହିଁ। ତୁମେ ଆଖୁ ଖେତରୁ କିଛି ଆଖୁ କାଟି ଆଣ। ତାହାକୁ ଖାଇ ଆଜି ଦିନଟା ଚଳାଇ ନେବା।’

ପତ୍ନୀଙ୍କ କଥାରେ ତୁକାରାମ ଖେତକୁ ଗଲେ। ସେଠାରେ କିଛି ଆଖୁ କାଟିଲେ ଏବ˚ ତାକୁ ଗୋଛା ବାନ୍ଧି ଘର ଅଭିମୁଖେ ଚାଲିଲେ। ବାଟରେ କିଛି ପିଲା ତାଙ୍କୁ ଘେରିଯାଇ ଆଖୁରୁ ଖଣ୍ତେ ଲେଖାଏଁ ଦେବାକୁ କହିଲେ। ସହଜେ ତ ତୁକାରାମ ଥିଲେ ଖୁବ୍‌ ସରଳ ଓ ନିଷ୍ପପଟ ବ୍ୟକ୍ତିତ୍ବର ଅଧିକାରୀ। ତେଣୁ ସେ ପିଲାମାନଙ୍କୁ ଅକୁଣ୍ଠିତ ଚିତ୍ତରେ ଆଖୁଗୁଡ଼ିକୁ ବାଣ୍ଟି ଦେଲେ। ପିଲାମାନେ ମଧୢ ଆଖୁ ଖଣ୍ତେ ଲେଖାଏଁ ପାଇ ଖୁସି ମନରେ ଚାଲିଗଲେ। ଦେଖାଗଲା ଶେଷରେ ତୁକାରାମଙ୍କ ହାତରେ ଗୋଟିଏ ଆଖୁ ଖଣ୍ତ ରହିଛି। ତଥାପି ମନରେ କୌଣସି ଅନୁଶୋଚନା ନ ରଖି ସେହି ଆଖୁ ଖଣ୍ତକ ଧରି ସେ ଘରେ ପହଞ୍ଚିଲେ। ନିଜ ସ୍ବାମୀଙ୍କ ହାତରେ ଆଖୁ ଖଣ୍ତକ ଦେଖି ପତ୍ନୀ ରାଗରେ ପଞ୍ଚମ ହୋଇଗଲେ। ତାଙ୍କ ହାତରୁ ଆଖୁ ଖଣ୍ତକ ଝାମ୍ପି ନେଇ ସେଥିରେ ତୁକାରାମଙ୍କୁ ବହେ ପିଟିଲେ। ଯେତେବେଳେ ଆଖୁ ଖଣ୍ତକ ଭାଙ୍ଗିଗଲା, ସେତେବେଳେ ଯାଇ ତାଙ୍କ ପତ୍ନୀଙ୍କର ରାଗ ଶାନ୍ତ ହେଲା।

ପ୍ରକୃତରେ ତୁକାରାମଙ୍କ ପତ୍ନୀ ଖୁବ୍‌ ରାଗୀ ଓ କଳହପ୍ରିୟ ଥିଲେ। ତେଣୁ ତୁକାରାମ ତାଙ୍କ ସବୁ ଜୁଲମ ନିରବରେ ସହି ଯାଉଥିଲେ। ସେଦିନର ସେ ଘଟଣାରେ ସେ ଆଦୌ ବିଚଳିତ ନ ହୋଇ ପତ୍ନୀଙ୍କ ମୁହଁକୁ ଚାହିଁ ଟିକେ ସ୍ମିତ ହାସ୍ୟ କଲେ। ତାଙ୍କୁ ଶେଷରେ କହିଲେ, ‘ଯା ହେଉ, ତୁମର ରାଗ ଖୁବ୍‌ କାମ ଦେଲା। ଯେଉଁ କାମ ମୋତେ କରିବାକୁ ପଡ଼ିଥାନ୍ତା, ସେହି କାମଟିକୁ ତୁମେ ଅତି ସହଜରେ କରିଦେଲ। ଯାହାଫଳରେ ଆଖୁଖଣ୍ତକ ଦୁଇଗଡ଼ ହୋଇଗଲା। ଏଥିରୁ ତୁମେ ଖଣ୍ତେ ନିଅ, ଆଉ ଏ ଖଣ୍ତକ ମୋ ପାଇଁ ଯଥେଷ୍ଟ ହେବ। ଆଜି ଏଇଥିରେ ଚଳାଇ ନେବା।’

ଏତେ ଅତ୍ୟାଚାର ସହିବା ସତ୍ତ୍ବେ ସ୍ବାମୀଙ୍କର ସହିଷ୍ଣୁତାକୁ ଦେଖି ତୁକାରାମଙ୍କ ପତ୍ନୀ ସେଦିନ ଘୋର ବ୍ୟଥିତ ହେଲେ ଓ ଅନୁତପ୍ତ ହେଲେ। ତା’ ପର ଠାରୁ ଆଉ କୌଣସି ଦିନ ସେ ଏପରି ହୀନ କାର୍ଯ୍ୟ କଲେନାହିଁ।

ଆଜି ଆମ ଭିତରେ ଯେଉଁ କଥାର ଉତ୍କଟ ଅଭାବ ଦେଖାଯାଉଛି, ତାହା ହେଲା ସହିଷ୍ଣୁତା ଓ ଧୈର୍ଯ୍ୟ। ଅନେକ ଭାବନ୍ତି ଯେ କ୍ରୋଧର ପ୍ରକୋପରେ ଶକ୍ତି ପ୍ରଦର୍ଶନ କରିବା ବଳଶାଳୀର ଲକ୍ଷଣ। କିନ୍ତୁ ଅସଲରେ କୌଣସି ପରିସ୍ଥିତିରେ ବି କ୍ରୋଧ ନ କରି ଶାନ୍ତ ଭାବେ ସହିଯିବା ହେଉଛି ଅସଲ ଶକ୍ତିର ଚିହ୍ନ। ସେଥି ଲାଗି ଆମ ଭାଷାରେ କଥାଟିଏ ଅଛି ଯେ ‘କହିବା ଲୋକ ବଡ଼ ନୁହେଁ, ସହିବା ଲୋକ ବଡ଼।’

କୁନ୍ଦପୁର, ପଟ୍ଟାମୁଣ୍ତାଇ, କେନ୍ଦ୍ରାପଡ଼ା
ମୋ-୯୧୭୮୬୭୪୪୫୩

ସମ୍ବନ୍ଧିତ ଖବର