ସାହିତ୍ୟ ମୋର ଜୀବନର ସାଥୀ। ମୋ ପିଲାଦିନରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ବହୁତ ସମୟ ସାହିତ୍ୟ ସହ କଟିଛି। ପିଲା ଦିନର ସାହିତ୍ୟ ସହିତ ସଂପର୍କର ସେଇ ହଜିଲା ସ୍ମୃତି ମନକୁ ଆସିଲେ ଭିତରଟା ଆଲୋକିତ ହୋଇଉଠେ। ମୋ ପିଲାଦିନର କୋମଳ ମନ ଉପରେ ସର୍ବ ପ୍ରଥମ ପ୍ରଭାବ ପକେଇଥିବା ବହି ହେଉଛି ‘ବର୍ଣ୍ଣବୋଧ’ ଆଉ ‘ମୋ ଛବି ବହି’। ‘ମୋ ଛବି ବହି’ରେ ଚିତ୍ରଗୁଡ଼ିକ ଥିଲା ଆକ‌ର୍ଷଣୀୟ ଏବଂ ଲାଳିକା ଗୁଡ଼ିକ ମନଲୋଭା ଯାହା ଆଜି ଯାଏ ମନଗହନରେ ଅନୁରଣିତ ହେଉଛି। ତେବେ, କବିତା ସହିତ ମୋର ପ୍ରଥମ ପରିଚୟ ହେଇଥିଲା ‘ଆମ ଘର’ କବିତାରୁ। ତାକୁ ଆମେ ବଡ଼ ପାଟିରେ ଆବୃତ୍ତି ଅବା ଗାନ କରୁଥିଲୁ। ତା’ ସହିତ ଜାଇ ରଗଡ଼ା ଓ ଶାଗ ଖରଡ଼ା ଭଳି ଅଭିବ୍ୟକ୍ତି ସହିତ ପରିଚିତ ହୋଇଥିଲୁ। ପ୍ରାଥମିକ ଶ୍ରେଣୀରେ ଚଳୁଥିବା ପାଠ୍ୟପୁସ୍ତକ ଅନ୍ତର୍ଗତ କବିତା ‘ଆମେ ତ ଭାଗ୍ୟବାନ ପିଲାରେ’, ‘ତୁମ ପରି ଛୋଟ ପିଲାଟିଏ’, ‘ଶିଳ୍ପୀ ଆମେ ଶ୍ରମିକ ଆମେ’, ‘ଇନ୍ଦ୍ରଧନୁ’, ‘କାଳିଜାଇରେ ସନ୍ଧ୍ୟା’ ଭଳି ଏମିତି କବିତା ସବୁ ପଢ଼ିବାର ସୁଯୋଗ ପାଇଛୁ, ଯାହା ଆଜି ବି ସମୟ ଅସମୟରେ ଗୁଣୁ ଗୁଣାଉଛୁ।

Advertisment

ତା’ସହିତ ବାପା କିଣି ଆଣୁଥିଲେ ହରେକ ପ୍ରକାର ଶିଶୁପତ୍ରିକା। ‘ଶିଶୁଲେଖା’, ‘ମନପବନ’, ‘ଟୁଉକୁମୂଷି’, ‘ବାଘମାମୁଁ’ ଇତ୍ୟାଦି ପଢୁଥିବା ବେ‌ଳେ ଆମେ ରହୁଥିବା ଛୋଟ ଏବଂ ଉପାନ୍ତ ଗାଁରେ ଆମ ଲାଗି ବିଶ୍ବକୁ ଦେଖିବାର ଝରକା ଖୋଲି ଯାଉଥିଲା। ‘ଜହ୍ନମାମୁଁ’ ପଢ଼ିବା ପାଲଟି ଯାଇଥିଲା ଗୋଟିଏ ନିଶା। ସେ ସମୟର ‘ଜହ୍ନମାମୁଁ’ ପତ୍ରିକାରେ ଦୁଇ ଅତ୍ୟନ୍ତ ଚମତ୍କାର ଚିତ୍ରକର ଶଙ୍କର ଏବଂ ଚିତ୍ରାଙ୍କ ଦ୍ବାରା ଅଙ୍କିତ ରଙ୍ଗିନ ଚିତ୍ର ଆମ ମନରେ ସତେ ଯେମିତି ସିନେମା ଦେଖିବାର ଭ୍ରମ ସୃଷ୍ଟି କରୁଥିଲା। ହାଇସ୍କୁଲରେ ପଢ଼ିଲା ବେଳକୁ ଲାଇବ୍ରେରି ସହିତ ସମ୍ପର୍କର ଯୋଡ଼ି ହେଲା। ମୋ ବାପାଙ୍କର ସହକର୍ମୀ ଶିକ୍ଷକ ଶ୍ୟାମସୁନ୍ଦର ମହାପାତ୍ର ମହୋଦୟ ଲାଇବ୍ରେରି କଥା ବୁଝୁଥିଲେ। ଥରେ ଏମିତି ପରିସ୍ଥିତି ହେଲା ଯେ ଲାଇବ୍ରେରି ଚଳାଇବା ପାଇଁ ସେ ମୋ ଉପରେ ଭରସା କଲେ। ବହି ରଖିବା, ବାଛି ବାଛି ପିଲାଙ୍କୁ ବହି ଇସ୍ୟୁ କରିବା କାମରେ ମୁଁ ତାଙ୍କୁ ସହଯୋଗ କଲି। ଏବେ ମୋତେ ବି ଗୋଟିଏ ମହାର୍ଘ ସୁଯୋଗ ମିଳିଗଲା ଲାଇବ୍ରେରି ଭିତରେ ରହିଥିବା ଏକ ଚମକପ୍ରଦ ପୁସ୍ତକ ଜଗତ୍‌‌େର ପାଦ ଦେବା ଲାଗି। କହିବା ବାହୁଲ୍ୟ ବହି ନୁହେଁ ତ ଯେମିତି ଅନ୍ତରଙ୍ଗ ବନ୍ଧୁଗୁଡ଼ାଏ ମିଳିଗଲେ। ସେଇଠି ବ୍ୟାସକବି ଫକୀରମୋହନଙ୍କ ସହିତ ସାକ୍ଷାତ ତାଙ୍କ ଛ’ମାଣ ଆଠଗୁଣ୍ଠ’ ଜରିଆରେ। ସେଇଠାରୁ ଆଣି ପଢ଼ିଲି କାଳିନ୍ଦୀ ପାଣିଗ୍ରାହୀଙ୍କ ‘ମାଟିର ମଣିଷ’, କାହ୍ନୁ ମହାନ୍ତିଙ୍କ ‘ବାଲିରାଜା’,‘ହା ଅନ୍ନ’ ଓ ‘ଶାସ୍ତି’, ଗୋପୀନାଥ ମହାନ୍ତିଙ୍କ ‘ପରଜା’, ‘ଅମୃତର ସନ୍ତାନ’, ସୁରେନ୍ଦ୍ର ମହାନ୍ତିଙ୍କ ‘ନୀଳ‌େଶୖଳ’, ବିଭୂତି ପଟ୍ଟନାୟକଙ୍କ ‘ବଧୂ ନିରୂପମା’ ଇତ୍ୟାଦି ଭଳି କେ‌େତକେତେ ଓଡ଼ିଆ କ୍ଲାସିକ୍‌।

ଆଦ୍ୟ ତାରୁଣ୍ୟର ସେହି ସମୟ। ଛାତି ଭିତର କବିତାମୟ। ସଚ୍ଚି ରାଉତରାୟଙ୍କ ‘ଛୋଟ ମୋର ଗାଆଁଟି’ରୁ ଆରମ୍ଭ କରି ବିନୋଦ ନାୟକଙ୍କ ‘ଗ୍ରାମପଥ’ ପର୍ଯ୍ୟନ୍ତ କବିତା ପଢ଼ାର ଯାତ୍ରାରେ ମାୟାଧର ମାନସିଂହ, ଗୋଦାବରୀଶ ମହାପାତ୍ର, ରାଧାମୋହନ ଗଡ଼ନାୟକ ଆଦି ଉପସ୍ଥିତ ରହି ଯେମିତି ମନକୁ ମୋହାବିଷ୍ଟ କରି ପକାଉଥିଲେ। ସେହି ସମୟରେ ଯେଉଁମାନେ ମୋ ଭଳି ଲାଇବ୍ରେରିର ସୁବିଧା ନ ପାଇ କେବଳ ସ୍କୁଲ ପାଠରେ ଥିବା ସାହିତ୍ୟ ବହିର ଗଳ୍ପମାନ ପଢ଼ିବାରେ ସୀମିତ ଥିଲେ, କହିବା ବାହୁଲ୍ୟ ଯେ ସେମାନେ ଓଡ଼ିଆ ସାହିତ୍ୟ ଜଗତ୍‌ର ସର୍ବକାଳୀନ କ୍ଲାସିକ୍‌ ପଢ଼ିବାର ସୁଯୋଗ ପାଇଥିଲେ। କାରଣ ଆମେମାନେ ଆମ ସାହିତ୍ୟ ପାଠରେ ପଢୁଥିଲୁ ଫକୀରମୋହନ ସେନାପତିଙ୍କ ‘ଡାକମୁନ୍‌ସି’, ଗୋଦାବରୀଶ ମହାପାତ୍ରଙ୍କ ‘ମାଗୁଣିର ଶଗଡ଼’, ସୁରେନ୍ଦ୍ର ମହାନ୍ତିଙ୍କ ‘ପିତାପୁତ୍ର’ ଓ ‘ସାରୀପୁତ୍ତ’, ରାଜକିଶୋର ରାୟଙ୍କ ‘ଆଚାର୍ଯ୍ୟ ଥିଲେ ବୋଲି’, ମହାପାତ୍ର ନୀଳମଣି ସାହୁଙ୍କ ‘ଅନ୍ଧ ରାତିର ସୂର୍ଯ୍ୟ’, ବାମାଚରଣ ମିତ୍ରଙ୍କ ‘ମିମିର ସାହିତ୍ୟ ଶିକ୍ଷା’, ମନୋଜ ଦାସଙ୍କ ‘ଶେଷ ବସନ୍ତର ଚିଠି’। ଏହା ଠାରୁ ଅଧିକ ସାହିତ୍ୟ ମାଦକତା ଆଉ କ’ଣ ଥାଇପାରେ? ଆମେମାନେ ବିଭୋର ହୋଇ ଉଠୁଥିଲୁ। ଟିକିଏ ବଡ଼ ହେଲା ପରେ ଘରକୁ ଆସିଲା ‘ଝଙ୍କାର’ ଆଉ ‘ପୌରୁଷ’। ତା’ ସହିତ ପଢ଼ିଲୁ ସାରା ପୃଥିବୀର କାଳଜୟୀ ଗଳ୍ପ ଏବଂ ଉପନ୍ୟାସର ଓଡ଼ିଆ ସଂକ୍ଷିପ୍ତୀକରଣ ‘ବିଶ୍ବ ସାହିତ୍ୟ ଗ୍ରନ୍ଥମାଳା’ ଶୃଙ୍ଖଳାରେ। ମାଟ୍ରିକ ପରୀକ୍ଷା ଦେଲା ବେଳକୁ ସେକ୍‌ସପିଅର, ଡାନିଏଲ୍‌ ଡିଫୋ, ଜନାଥନ ସ୍ବିଫ୍‌ଟ, ଆଲେକଜାଣ୍ଡର ଦୁମା, ହାରିଏଟ୍‌ ବିଚର ‌େଷ୍ଟା, ଭିକ୍ଟର ହ୍ୟୁଗୋ, ସରଭେଣ୍ଟିସ୍‌, ରବର୍ଟ ଲୁଇ ଷ୍ଟିଭେନସନ ଏବଂ ମାର୍କ ଟ୍ବେନ ଆଦିଙ୍କ ସହିତ ଆମେମାନେ ପରିଚିତ ହୋଇସାରିଥିଲୁ ଏବଂ ସେମାନଙ୍କ ସାହିତ୍ୟ ସହିତ କେତେବେଳେ ଲଣ୍ଡନ ତ କେତେବେଳେ ପ୍ୟାରିସର ରାଜରାସ୍ତାରେ ବିଚରଣ କରୁଥିଲୁ; ପୁଣି କେତେବେଳେ ସମୁଦ୍ର ବକ୍ଷରେ ତ କେତେବେଳେ ଘୋଡ଼ା ପିଠିରେ ଅଜଣା ପାହାଡ଼ିଆ ରାସ୍ତା ଦେଇ ଯାତ୍ରା କରୁଥିଲୁ।

ଶୈଶବ ଓ କୈଶୋରରେ ଓଡ଼ିଆ ସାହିତ୍ୟ ସହ ଆମର ସାନ୍ନିଧ୍ୟ ଏକ ଭାଗ୍ୟର କଥା ଭଳି ଲାଗୁଛି। କାରଣ ଆଜି ଓଡ଼ିଆ ମାଧ୍ୟମ ଶିକ୍ଷାର ଆଦର ନାହିଁ। ସେହି ସବୁ ବହି ପାଠ୍ୟକ୍ରମରେ ଚଳୁଛି ନା ନାହିଁ, ତାହା ଜଣା ନାହିଁ। ଯଦି ଚଳୁଥାଏ ‌େତବେ ସେ ସବୁ ଗଳ୍ପ ପଢ଼ି କେହି ରୋମାଂଚିତ ହେଉଥିବେ କି ନାହିଁ କହିବା କଷ୍ଟକର। ବିଶ୍ବ ସାହିତ୍ୟ ଗ୍ରନ୍ଥମାଳା ଏବେ ବି ଅଛି ବୋଧହୁଏ; କାରଣ ପୁସ୍ତକ ପ୍ରଦର୍ଶନୀରେ ସେ ସବୁ ଆଖିରେ ପଡ଼ିଯାଏ। କିନ୍ତୁ ତା’ର ପାଠକପାଠିକା ସଂଖ୍ୟା ଏବେ କେତେ, ତାହା ଜଣାନାହିଁ।
୨୭୬, ଶୁକବିହାର, ଭୁବନେଶ୍ୱର-୨୨
ମୋ- ୮୮୪୭୮୬୮୦୫୦