ହଜିଗଲେ ପାଟମଠା

ରବିନ୍‌ ଖଣ୍ତାୟତରାୟ

ପୁଅ ଶବ୍ଦକୁ ମୁଁ ସାର୍ଥକ କରିଛି କି ନାହିଁ ଜାଣେ ନାହିଁ, କିନ୍ତୁ ପିତା ଶଦ୍ଦକୁ ଯିଏ ସାର୍ଥକ କରିଛନ୍ତି, ସେ ହେଲେ ମୋ ବାପା। ସନ୍ତାନ ପାଇଁ ତାଙ୍କର ବଳିଦାନର ପଟାନ୍ତର ନାହିଁ। ବରଗଛଟିଏ ବାଟୋଇକୁ ପ୍ରଖର ସୂର୍ଯ୍ୟ ତାପରୁ ରକ୍ଷା କରି ଶୀତଳ ଛାଇ ଦେବା ପରି ଆମ ଦୁନିଆର ବାପାମାନେ ସେମାନଙ୍କ ସନ୍ତାନମାନଙ୍କୁ ଏକ ସୁଶୀତଳ ଜୀବନ ଦିଅନ୍ତି। ବାପାଙ୍କର ଘରଦ୍ବାର, ଜମିବାଡ଼ି ସବୁ ସେମିତି ରହିଯାଏ, ପିଲାମାନଙ୍କ ପାଇଁ ଓ ସେମାନଙ୍କ ସୁରକ୍ଷା ପାଇଁ। କଥାରେ କହନ୍ତି ଯେ ବାପ ଥିଲା ପୁଅ ସଭାରେ ହାରେ ନାହିଁ। ବାପା ଥିଲେ ଅଚିନ୍ତା ନିଦରେ ସନ୍ତାନ ଶୋଇପାରେ। ଜୀବନକୁ କେମିତି ଗଢ଼ିବାକୁ ହେବ ସେ ନେଇ ଉପଦେଶ, ଆକଟ, ଶ୍ରଦ୍ଧା ଓ ନିଜର ଉଦାହରଣ ବଳରେ ସନ୍ତାନ ସାମନାରେ ଛିଡ଼ା ‌ହୋଇଥାଆନ୍ତି ବାପା।

ଆଜି ମୋ ମନରେ ଏ ସବୁ କଥା ଉଠୁଛି ଏଥିଲାଗି ଯେ ମୁଁ ଆଜି ଉଭୟ ପୁଅ ଆଉ ବାପା ଭୂମିକାରେ ଅବତୀର୍ଣ୍ଣ। ପୁଅ ଲାଗି କିଛି କଲାବେଳେ ମନେ ପଡୁଛି ମୋ ନିଜ ପିଲାବେଳର କଥା। ସ୍କୁଲରେ ଥିବାବେ‌ଳେ ଆମେ ପଢିଥିଲୁ ପ୍ରଥିତଯଶା ଲେଖକ ସୁରେନ୍ଦ୍ର ମହାନ୍ତିିଙ୍କ ପ୍ରସିଦ୍ଧ ଗଳ୍ପ ‘ପିତା ଓ ପୁତ୍ର’। ପୁତ୍ର ଅଜା‌ତଶତ୍ରୁ ଦ୍ବାରା ବନ୍ଦୀ ମଗଧ ରାଜା ବିମ୍ବିସାର ଅନେକ ଦିନ ଧରି ଅନାହାରରେ ରହିବା ପରେ କ୍ଷୁଧାତୁର ହୋଇ ନିଜ ବାହୁକୁ କାମୁଡ଼ି ପକାଇ ମୃତ୍ୟୁବରଣ କରିଛନ୍ତି। ଏଣେ ରାଜା ଅଜାତଶତ୍ରୁଙ୍କ ପାଖରେ ସମ୍ବାଦ ପହଞ୍ଚିଛି ଯେ ସେ ପୁତ୍ର ସନ୍ତାନର ପିତା ହୋଇଛନ୍ତି। ହଠାତ୍‌ ଅଜାତଶତ୍ରୁଙ୍କ ଭାବାନ୍ତର ହୁଏ। ପିତା ହେବାପରେ ହିଁ ସେ ବୁଝି ପାରନ୍ତି ପିତା ଶବ୍ଦର ଅସଲ ମର୍ମ। ପୁତ୍ର ଲାଗି ପିତାର ହୃଦୟରୁ କିଭଳି ସ୍ନେହର ଫଲ୍‌ଗୁ ପ୍ରବାହିତ ହୁଏ ତାହା ସେ ନିଜଠାରେ ଅନୁଭବ କରନ୍ତି। ତେଣୁ ସେ ଆତୁର ହୋଇ ବନ୍ଦୀଶାଳାକୁ ଦୌଡ଼ିଛନ୍ତି ପିତାଙ୍କୁ କାରାମୁକ୍ତ କରିବା ଲାଗି। କିନ୍ତୁ ହାୟ, ସେତେବେ‌ଳକୁ ବିମ୍ବିସାର ଆଉ ଜୀବନରେ ନାହାନ୍ତି!

ଆଜି ସିନା ସମୟ ବଦଳି ଯାଇଛି, କିନ୍ତୁ ଆମ ଭିତରେ ଅସଂଖ୍ୟ ଅଜାତଶତ୍ରୁ ଆତଯାତ ହେଉଛନ୍ତି। କିନ୍ତୁ ମଗଧ ରାଜା ଅଜାତଶତ୍ରୁ ଓ ଆଜିର ଅଜାତଶତ୍ରୁଙ୍କ ଭିତରେ ପ୍ରଭେଦ ହେଲା ଏୟା ଯେ ଆଜିର ଅଜାତଶତ୍ରୁମାନେ ପିତା ହୋଇ ସାରିଥିବା ସତ୍ତ୍ବେ ପିତୃତ୍ବର ଅସଲ ମର୍ମ ବୁଝିପାରୁ ନାହାନ୍ତି। ସେଥିଲାଗି ଆଜିକାଲି ସନ୍ତାନମାନଙ୍କ ଗହଣରେ ଥାଇ ବି ମାଆବାପାମାନେ ବୃଦ୍ଧାଶ୍ରମକୁ ରାସ୍ତା ଖୋଜୁଛନ୍ତି। କିନ୍ତୁ ବିଡ଼ମ୍ବନା ହେଉଛି, ସେଇ ପିତା ବା ମାତାଙ୍କ ମୃତ୍ୟୁ ହେଲେ ଉଦାସୀନ ସନ୍ତାନ ଗଣ ହଠାତ୍‌ ସକ୍ରିୟ ହୋଇ ଉଠି ତାଙ୍କ ଶେଷକୃତ୍ୟର ଆୟୋଜନର ଭବ୍ୟତାରେ କୌଣସି ଊଣା ରଖିବାକୁ ନାରାଜ। ଘରେ ଥିବା ପୁରୁଣା ଲୁଗା ହଜିଗଲେ ପାଟ ମଠା ଭାବେ ପରିଗଣିତ ହେବା ଭଳି ଏ ଅବସ୍ଥା। ଏଭଳି କପଟାଚାରର ଅନ୍ତ ହେବ କେବେ?

କିସ୍‌ ବିଶ୍ବବିଦ୍ୟାଳୟ, ଭୁବନେଶ୍ବର
ମୋ-୯୭୭୬୬୯୨୨୦୭

ସମ୍ବନ୍ଧିତ ଖବର