ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଅନ୍ୟତମ ଦୋଷୀ ପବନ କୁମାର ସେହି ସମୟରେ ଅର୍ଥାତ ୨୦୧୨ ମସିହାରେ ନାବାଳକ ଥିଲା ବୋଲି ଦର୍ଶାଇ ଦିଲ୍ଲୀ ହୋଇକୋର୍ଟ୍ରେ କରିଥିବା ଆବେଦନକୁ ଅଦାଲତ ସିଧାସଳଖ ଅଗ୍ରାହ୍ୟ କରିବା ସହିତ ଆଉ ଯାହା କରିଛନ୍ତି ତାହା ଭାରତୀୟ ନ୍ୟାୟ ବ୍ୟବସ୍ଥାରେ ଏକ ସୁଖଦ ବ୍ୟତିକ୍ରମ। ତାହା ହେଲା ଏଭଳି ଆବେଦନ କରିଥିବା ହେତୁ ପବନ କୁମାରର ଓକିଲ ଏପି ସି˚ହଙ୍କ ଉପରେ ୨୫,୦୦୦ ଟଙ୍କାର ଜରିମାନା। ଏହାର କାରଣ ସ୍ପଷ୍ଟ। ଅଦାଲତଙ୍କ ହୃଦ୍ବୋଧ ହେଲା ଯେ ଓକିଲ ମହାଶୟ ନିଜ ମହକିଲକୁ ସୁରକ୍ଷା ଦେବାକୁ ଅଯଥା କାଳକ୍ଷେପଣ କୌଶଳ ଅବଲମ୍ବନ କରୁଛନ୍ତି। କାରଣ ମାନ୍ୟବର ଅଦାଲତଙ୍କ ନିର୍ଦେଶ ଅନୁସାରେ ସଂପୃକ୍ତ ଓକିଲ ନିଜ ମହକିଲକୁ ଅଦାଲତରେ ହାଜର ନ କରାଇ ଏଥିପାଇଁ ଅଧିକ ସମୟ ମାଗିଥିଲେ। ସେ ଏଭଳି ବାରମ୍ବାର କରୁଥିବାରୁ ବିରକ୍ତି ପ୍ରକାଶ କରି ଅଦାଲତ ଓକିଲ ମହାଶୟଙ୍କ ଉପରେ ଅର୍ଥ ଦଣ୍ଡ ଲଗାଇଛନ୍ତି।
ତେବେ, ଏହା ଯେ ଏକ ଉତ୍ତମ ଉଦାହରଣ ଏଥିରେ ସନ୍ଦେହ ନାହିଁ। କାରଣ ବିଚାର ପ୍ରକ୍ରିୟାରେ ମାତ୍ରାଧିକ ବିଳମ୍ବ ହେଉଥିବାର କାରଣ ଯେ ଓକିଲମାନଙ୍କ ଦ୍ବାରା ସୁନିୟୋଜିତ କାଳକ୍ଷେପଣ କୌଶଳ, ଏହା ସମସ୍ତେ ଜାଣନ୍ତି। ପୁଣି ନିର୍ଭୟା ଗଣ ଧର୍ଷଣ ମାମଲା ଗୋଟିଏ ସାଧାରଣ ମାମଲା ନୁହେଁ। ଏହି ମାମଲାରେ ଅଭିଯୁକ୍ତମାନଙ୍କୁ ନେଇ ରହିଥିବା ସମସ୍ତ ଦିଗ ଉପରେ ଅଦାଲତ ଗଭୀର ତର୍ଜମା କରି ସାରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ପିଲାଳିଆ ଆଳ ଦେଖାଇ ମାମଲାଟିକୁ ଅଧିକ କାଳ ଗଡ଼ାଇବା ସଂପୂର୍ଣ୍ଣ ଭାବେ ଅଯୌକ୍ତିକ। ପ୍ରକାଶ ଥାଉ କି ୨୦୧୨ ମସିହାରେ ହୋଇଥିବା ଏହି ଜଘନ୍ୟ ଗଣ ଧର୍ଷଣ ମାମଲାର ବିଚାର ଫାଷ୍ଟ ଟ୍ରାକ୍ ଅଦାଲତରେ ଆରମ୍ଭ ହୋଇଥିଲେ ସୁଦ୍ଧା ଏଇ ଭିତରେ ସାତ ବର୍ଷ ଗଡ଼ି ଗଲାଣି। ଏମିତିରେ ତ ଏହା ‘ଫାଷ୍ଟ ଟ୍ରାକ୍’ ଅଦାଲତର ଏକ ବିଡ଼ମ୍ବିତ ଚିତ୍ର ପ୍ରଦାନ କରୁଛି। ଏଥିରେ ଆହୁରି ଅଧିକ ବିଳମ୍ବ ଆଦୌ ଗ୍ରହଣୀୟ ହୋଇ ପାରିବ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/court.jpg)