କୃଷି ଆଇନର ଚିଠା ଚାଷୀ ତିଆରି କରନ୍ତୁ

କୁମାର ପ୍ରଶାନ୍ତ

ରାଜଧାନୀ ସୀମାରେ ଖୋଲା ଆକାଶ ତଳେ ବସିଥିବା କୃଷକ ଏବ˚ ରାଜଧାନୀ ଭିତରେ ଉଷ୍ମ ନିବାସରେ ଛପି ଥିବା ସରକାର ମଧ୍ୟରେ ବରଫ ଜମିଯାଇଛି। ଏବେ ସେମାନେ ପରସ୍ପର ସହ କଥା ହେଉନାହାନ୍ତି; ଉଭୟ ପକ୍ଷ ପରସ୍ପର ସହ ଛାୟାରେ ଆଲୋଚନା କରୁଛନ୍ତି। ଶାସକ ଏବ˚ ତାହାକୁ ଗାଦିରେ ବସାଇଥିବା ଜନତା ଭିତରେ ଏ ଭଳି ସ˚ପର୍କ କୌଣସି ଦୃଷ୍ଟିରୁ ତଥା କାହା ପାଇଁ ଶୁଭଙ୍କର ନୁହେଁ। ଜମାଟ ବାନ୍ଧିଥିବା ଏହି ବରଫ ତରଳିବା ଦରକାର।

ପ୍ରଧାନମନ୍ତ୍ରୀ ଜାଣତରେ ହେଉ ବା ଅଜାଣତରେ ଏଥି ପାଇଁ ଏକ ସୁଯୋଗ ସୃଷ୍ଟି କରିଛନ୍ତି। ନିକଟରେ ‘ଏଫ୍‌ଆଇସିସିଆଇ’ (ଫେଡେରେସନ୍‌ ଅଫ୍‌ ଇ˚ଡିଆନ୍‌ ଚା˚ବର୍ସ‌୍‌ ଅଫ୍‌ କମର୍ସ‌୍‌ ଆଣ୍ତ୍‌ ଇ˚ଡଷ୍ଟ୍ରି)ର ତେୟାନବେତମ ବାର୍ଷିକ ଅଧିବେଶନ ଅବସରରେ କହିଲେ- ‘ତାଙ୍କ ସରକାରର ନୀତି ଓ ଲକ୍ଷ୍ୟ କୃଷକଙ୍କର ହିତ ସାଧନ। କୃଷକର ମଙ୍ଗଳ ପାଇଁ ତାଙ୍କ ସରକାର ପ୍ରତିଶ୍ରୁତିବଦ୍ଧ।’ ଯଦି ତାଙ୍କର ଏହି ବକ୍ତବ୍ୟକୁ ଗ୍ରହଣ କରି ଆମେ ଚାଲିବା, ଉଭୟ ସରକାର ଏବ˚ କୃଷକଙ୍କ ପାଇଁ ଅନେକ ସ˚ଭାବନାର ଏକ ସ୍ବର୍ଣ୍ଣିମ ଦ୍ବାର ଅବଶ୍ୟ ଖୋଲିବ। ପ୍ରଥମେ ସରକାର ପଦକ୍ଷେପ ନେବା ଉଚିତ। ଆଉ ସମୟ ନଷ୍ଟ ନ କରି ସରକାର କୃଷକ ଆନ୍ଦୋଳନର ପେଣ୍ତୁଟିକୁ ସଙ୍ଗେସଙ୍ଗେ ସେମାନଙ୍କ ହାତରେ ଦେଇଦେବା ଆବଶ୍ୟକ। ସ୍ପଷ୍ଟ ଭାବେ କହିଲେ, ଯେଉଁ ତିନିଟି କୃଷି ଆଇନ ପ୍ରତ୍ୟାହାର ଜିଦିରେ କୃଷକମାନେ ଆନ୍ଦୋଳନ ଚଳାଇଛନ୍ତି, ସରକାର ତୁରନ୍ତ ସେହି ଆଇନଗୁଡ଼ିକୁ ନିଃସର୍ତ୍ତ ପ୍ରତ୍ୟାହାର କରିନେଉ ଏବ˚ କୃଷକମାନଙ୍କୁ କହୁ ଯେ ସାରା ଦେଶର କୃଷକଙ୍କ ସୁହାଇବା ଭଳି କୃଷି ଆଇନର ଏକ ଚିଠା ପ୍ରସ୍ତୁତ କରି ସରକାରକୁ ଦେଉ। ଏହା ପ୍ରସ୍ତୁତ କରିବା ପାଇଁ ସେମାନଙ୍କୁ ଛଅ ମାସ ସମୟ ଦିଆଯାଉ। ଏହି କାଳରେ କୃଷି କାର୍ଯ୍ୟ, ଫସଲର ଖରଦି ଓ ବିକ୍ରି ସ˚ପର୍କିତ ସମସ୍ତ ପୁରୁଣା ବ୍ୟବସ୍ଥା ବଳବତ୍ତର ରହୁ। କୃଷି ସ˚ପର୍କିତ କୌଣସି ନୂଆ ପରିବର୍ତ୍ତନ ଲାଗୁ ନ ହେଉ। ଆଉ ଏହା କୃଷକଙ୍କ ଉପରେ ରାଗ ରଖି କରା ନ ଯାଉ। ସେମାନଙ୍କ ପ୍ରତି ପୂର୍ଣ୍ଣ ସଦାଶୟତା ରଖାଯାଉ।

ସରକାର ଉପରେ କୃଷକମାନେ ଲଗାଇଥିବା ଆରୋପଟି ସ୍ପଷ୍ଟ- ସେମାନଙ୍କ ସହ କୌଣସି ପ୍ରକାରର ବିଚାର-ବିମର୍ଶ କରା ନ ଯାଇ ଆଇନଗୁଡ଼ିକୁ ସେମାନଙ୍କ ଉପରେ ଲଦିଦିଆଯାଇଛି। ସରକାର ଏହି ଆରୋପ କବଳରୁ ମୁକୁଳି ପାରୁନାହିଁ। କୃଷକଙ୍କ ସହ ଆଲୋଚନା ବେଳେ ଗୃହ ମନ୍ତ୍ରୀ ମହାଶୟ ସରକାର ତ୍ରୁଟି କରିଥିବା ସ୍ବୀକାର କରିଥିଲେ। ତେଣୁ, ପ୍ରଥମେ ତ୍ରୁଟି ସ˚ଶୋଧନ କରାଯାଉ। କୃଷକଙ୍କ ସହ ବିଚାର-ବିମର୍ଶ ନ କରି ସେମାନଙ୍କୁ ହିଁ ଲିଖିତ ପ୍ରସ୍ତାବ ଦେବାକୁ କହାଯାଉ। ସେମାନେ ନିଜେ ନିଜ ପାଇଁ ନୂଆ ବ୍ୟବସ୍ଥାର ପ୍ରସ୍ତାବ ଦିଅନ୍ତୁ। ଅନେକ ଆଜିକାଲି ଆଉ ପ୍ରଧାନମନ୍ତ୍ରୀଙ୍କ ଉପରେ ଭରସା କରିପାରୁନାହାନ୍ତି। ସେ କହୁଛନ୍ତି ଗୋଟିଏ କଥା; କରୁଛନ୍ତି ଭିନ୍ନ କିଛି। ନିଜର ମନ୍ତ୍ରୀ ତଥା ଦଳର ନେତାଙ୍କୁ କେତେ ବେଳେ କି ନିର୍ଦେଶ ଦେଉଛନ୍ତି, ତାହାକୁ ବୁଝିବା କଷ୍ଟକର ହେଉଛି। ତାଙ୍କର ଏ ଭଳି ଆଚରଣ ବେଶ୍‌ ସାର୍ବଜନୀନ ହୋଇଗଲାଣି। ଏବେ ଆଉ କିଏ ତାଙ୍କୁ ବିଶ୍ବାସକୁ ନେବ! ହଁ, ଏଥିରେ ବିସ୍ମିତ ହେବାରେ କ’ଣ ଅଛି; ଯେଉଁଠି ମନ୍ତ୍ରୀ କହୁଛନ୍ତି, କୃଷକ ଆନ୍ଦୋଳନ ପଛରେ ପାକିସ୍ତାନ ଓ ଚାଇନାର ହାତ ଅଛି! ସତେ ଯେପରି କୃଷକମାନେ କୌଣସି ଦେଶଦ୍ରୋହୀ ଗୋଷ୍ଠୀ ସହ ହାତ ମିଳାଇ ଦେଇଛନ୍ତି! କାଲି ପୁଣି କେଉଁ ମନ୍ତ୍ରୀ କହିବେ, ଏହି ଆନ୍ଦୋଳନ ବାମପନ୍ଥୀ ଓ ନକସଲପନ୍ଥୀଙ୍କ ମୁଠାକୁ ଚାଲିଗଲାଣି! ଏହା ମଧ୍ୟ ଭୁଲିବା ନାହିଁ ଯେ ବାମପନ୍ଥୀ ଓ ନକସଲପନ୍ଥୀମାନେ ବି ଦେଶର ନାଗରିକ। ଆହୁରି ମଧ୍ୟ କିଏ କହିପାରନ୍ତି ଏ ଥର କୃଷକଙ୍କୁ ପାନେ ଦେବାର ବେଳ; ଯେମିତିକି ସେମାନେ କୃଷକ ନୁହନ୍ତି, ଗୁଣ୍ତା ବାହିନୀ! ଆଜିକାଲି ଯିଏ ସରକାର ସହ ସହମତ ନୁହେଁ, ତାକୁ ଆତଙ୍କବାଦୀ ବୋଲି କୁହାଯାଉଛି। କୃଷକମାନଙ୍କୁ ବି କେଉଁ ଦିନ ଖଲିସ୍ତାନୀ ଆତଙ୍କବାଦୀ ବୋଲି ଯେ ନ କହିବେ, କିଏ ଜାଣେ! ପୁଣି, ପ୍ରଧାନମନ୍ତ୍ରୀ ବି କହିପାରନ୍ତି, କୃଷକମାନଙ୍କୁ ଉସକାଇ ବିପକ୍ଷ ସେମାନଙ୍କୁ ବ୍ୟବହାର କରୁଛି! ତାହା ହେଲେ କ’ଣ କୃଷକମାନେ ଏକ ମୂର୍ଖ ଭିଡ଼, ଯାହାକୁ କେହି ବି ଉସକାଇ ଅବାଟରେ ପରିଚାଳିତ କରିପାରିବ!

ସରକାର ସହ ଏକମତ ନ ହେବା ବିପକ୍ଷର ଲୋକତାନ୍ତ୍ରିକ ଅଧିକାର। ଏଥିରୁ ବିପକ୍ଷକୁ ବଞ୍ଚିତ କରାଯାଇ ପାରିବ ନାହିଁ। କୃଷକଙ୍କ ବିରୋଧରେ ଅନେକ କିଛି କହାଯାଉଛି। ନା ପ୍ରଧାନମନ୍ତ୍ରୀ ନା ଦଳୀୟ ଅଧ୍ୟକ୍ଷ, କୃଷକଙ୍କ ବିରୋଧରେ କହୁଥିବା ନେତାଙ୍କୁ ରୋକୁଛନ୍ତି ନା କୈଫିୟତ ତଲବ କରୁଛନ୍ତି। ଏଥିରୁ କେଉଁ ବାର୍ତ୍ତା ବାହାରୁଛି? ସରକାରର ଇସାରାରେ ଏହା ହେଉଥିବାର ବାର୍ତ୍ତା କୃଷକମାନଙ୍କ ପାଖକୁ ଯାଉନାହିଁ କି? ସରକାର ଆରୋପରୁ ମୁକ୍ତ ହେବା ପାଇଁ କୃଷକମାନଙ୍କର ଦାବି ପୂରଣ କରୁ। ଦାବି ପୂରଣ ହେଲେ ସେମାନଙ୍କ ମନରୁ ଶଙ୍କା ଦୂର ହେବ। ଏହା କୃଷକଙ୍କ ପାଇଁ ପରୀକ୍ଷାର ବେଳ। କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସାରା ଦେଶର କୃଷକ ଏକ ହେବାର ସମୟ। ସେମାନଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ- ସାରା ଦେଶର କୃଷକ ଉପକୃତ ହେବା ଭଳି ଏକ ନବ ଢାଞ୍ଚାର ପ୍ରଚଳନ। ସେମାନେ ସହମତିରେ ଏହା ନିଜେ ବନାନ୍ତୁ। ଥରେ ପ୍ରସ୍ତାବନାମା ପ୍ରସ୍ତୁତ ହୋଇଗଲେ, ତାହା ଉପରେ ସ˚ସଦରେ ଆଲୋଚନା ହେବ। ସାମାଜିକ ସ୍ତରରେ ମଧ୍ୟ ବିତର୍କ ହେବ। ବିଶେଷଜ୍ଞମାନେ ଯାଞ୍ଚ-ପରଖ କରିବେ, ଗଣମାଧ୍ୟମ ତର୍ଜମା କରିବ। ସାରା ଦେଶର କୃଷିଜୀବୀ ତା’ ଭିତରେ ନିଜର ଇଚ୍ଛା ପୂରଣ ହୋଇଛି କି ନା ଦେଖିବ। ଏହା ହେବ ସମସ୍ୟାର ସବୁଠାରୁ ନିଆରା ଓ ଲୋକତାନ୍ତ୍ରିକ ସମାଧାନ। ଏଥିରେ କୃଷକ ହିଁ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବ। ଏହାର ସୁଫଳ ସ୍ବରୂପ ସି˚ଘୁ ଓ ତିର୍କୀ ସୀମାରେ ଚାଲିଥିବା ଧାରଣା ଓ ପ୍ରତିବାଦ ଆପେ ହଟିଯିବ। ସେଠାରେ ଠୁଳ ହୋଇଥିବା କୃଷକମାନେ ନିଜ ନିଜର ସାଜ-ସରଞ୍ଜାମ ଧରି କୃଷି କ୍ଷେତ୍ରକୁ ବାହୁଡ଼ିଯିବେ ଏବ˚ ଦିଲ୍ଲୀକୁ ପଡ଼ିଥିବା ରାସ୍ତା ଖୋଲିଯିବ।

ତେଣୁ, କୃଷକଙ୍କୁ ନିଜ ପାଇଁ ନୀତି ନିର୍ଦ୍ଧାରଣର ଅଧିକାର ଦିଆଯାଉ। ସାରା ଦେଶର କୃଷକ ବିଚାର-ବିମର୍ଶ କରି ନୂଆ କୃଷି ନୀତି ପ୍ରସ୍ତୁତ କରନ୍ତୁ। ଛଅ ମାସ ମଧ୍ୟରେ ପ୍ରସ୍ତାବର ଚିଠା ପ୍ରସ୍ତୁତି ସାରି ଦେଶ ସମ୍ମୁଖରେ ଉପସ୍ଥାପନ କରନ୍ତୁ। ସେମାନେ କିପରି ଆଲୋଚନା କରିବେ, କେଉଁଠି କରିବେ, ସେମାନଙ୍କ ଉପରେ ଛାଡ଼ି ଦିଆଯାଉ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅନାବଶ୍ୟକ। ବର˚, ସେମାନେ ଯେପରି ଏକତ୍ର ନିର୍ବିବାଦୀୟ ଭାବେ ଏକ ଚିଠା ପ୍ରସ୍ତୁତ କରିପାରିବେ, ସରକାର ସେଥିରେ ପୂର୍ଣ୍ଣ ସହଯୋଗ କରନ୍ତୁ। ତାହା ହେଲେ ଯାଇ ପ୍ରମାଣିତ ହେବ ଯେ ସରକାର ପ୍ରକୃତରେ କୃଷକଙ୍କର ମଙ୍ଗଳ ଓ ହିତ କାମନା କରୁଛି। ଏହି ପ୍ରୟୋଗ ସ˚ପୂର୍ଣ୍ଣ ଅଭିନବ ଓ ଶତ ପ୍ରତିଶତ ଲୋକତାନ୍ତ୍ରିକ ହେବ। ଏହା ଥରେ ହାସଲ ହୋଇଗଲେ ଅବଶିଷ୍ଟ କ୍ଷେତ୍ରରେ ମଧ୍ୟ ନୂଆ ରାସ୍ତା ଖୋଲିବ। ଦାବି ହାସଲ ପାଇଁ ଚାଲୁଥିବା ଅନ୍ୟ ସାମୂହିକ ଆନ୍ଦୋଳନକାରୀମାନେ ମଧ୍ୟ ନିଜର ପ୍ରସ୍ତାବ ଦେଶ ସାମନାରେ ଉପସ୍ଥାପନ କରିପାରିବେ। ବିରୋଧ କରିବା ଆମର କାମ, ସମାଧାନ ପନ୍ଥା ଖୋଜିବା ଅନ୍ୟର କାମ; ସବୁ ଦିନ ପାଇଁ ଏହାର ଅନ୍ତ ଘଟିବ।
(ମତାମତ ଲେଖକଙ୍କ ନିଜସ୍ବ)
ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର