ଇଣ୍ଟରନେଟ୍ ସେବା ବନ୍ଦ- ଏକ ନୂଆ ଅସ୍ତ୍ର କି?

ଚିତ୍ତରଞ୍ଜନ ଚିରଞ୍ଜିତ

ସିଏଏ (ନାଗରିକ ସଂଶୋଧନ ଆଇନ) ବିରୋଧୀ ଅ‌ାନ୍ଦୋଳନକୁ ପ୍ରତିହତ କରିବା ପାଇଁ ଯେଉଁ ନୂଆ ଅସ୍ତ୍ରର ପ୍ରୟୋଗ କରାଯାଉଥିବା ଏବେ ଦେଖିବାକୁ ମିଳୁଛି, ତାହା ହେଉଛି ‘ଇଣ୍ଟର୍‌ନେଟ୍‌ ସେବା ବନ୍ଦ’! ତଥ୍ୟ କହୁଛି ଆନ୍ଦୋଳନ ଦ୍ବାରା ଅଧିକ ପ୍ରଭାବିତ ରାଜ୍ୟ ଯେପରିକି ଆସାମ, ଉତ୍ତରପ୍ରଦେଶରେ ଗତ ୨୭ ତାରିଖ ସୁଦ୍ଧା ୧୦ଦିନ ଧରି ଇଣ୍ଟର୍‌ନେଟ୍‌ ବନ୍ଦ ରହିଥିଲା। ଦିଲ୍ଲୀ, ବେଙ୍ଗାଲୁରୁ ଭଳି ଆଉ କେତେକ ସହରରେ ବି ଆନ୍ଦୋଳନ ସମୟରେ ଏଭଳି କରାଯାଇଥିଲା। ତେବେ ଏଭଳି ପଦକ୍ଷେପର ସମର୍ଥନ ଓ ବିରୋଧରେ ଭାରତର ଜନମତ ବିଭାଜିତ। ଭାରତ ଭଳି ଏକ ଜନବହୁଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ଆନ୍ଦୋଳନ ଏକ ନିୟମିତ ପ୍ରତିକ୍ରିୟା ହୋଇଥିଲେ ‌େହଁ ଦେଖାଯାଏ ଯେ ବିଭିନ୍ନ କାରଣରୁ ଆନ୍ଦୋଳନ ହିଂସାପ୍ରବଣ ହୋଇପଡ଼େ। ତେଣୁ ସେଭଳି ପରିସ୍ଥିତିରେ ଆଇନଶୃଙ୍ଖଳା ବଜାୟ ରଖିବା ଲାଗି ପୁଲିସ୍‌ ବା ସୁରକ୍ଷା କର୍ମୀଙ୍କ ବଳପ୍ରୟୋଗ ଆବଶ୍ୟକ ହୋଇପଡ଼େ। ଏହି ପରିପ୍ରେକ୍ଷୀରେ ୧୯୯୦ ମସିହାରେ ସାରା ଦେଶକୁ ବ୍ୟାପି ଯାଇଥିବା ମଣ୍ଡଳ ବିରୋଧୀ ଆନ୍ଦୋଳନ ବିଷୟ ସ୍ମରଣକୁ ଆସେ। ଏହି ଆନ୍ଦୋଳନରେ ୬୨ ଜଣ ଆନ୍ଦୋଳନକାରୀ ଛାତ୍ରଛାତ୍ରୀ ନିଜ ଦେହରେ ନିଆଁ ଲଗାଇ ମୃତ୍ୟୁବରଣ କରିଥିବା ବେ‌ଳେ ପୁଲିସ ଗୁଳିରେ ମରିଥିଲେ ୫୦ ଜଣ। ତେବେ ସେତେବେଳେ ଆନ୍ଦୋଳନ ବ୍ୟାପିବା ଓ ଆଜି ଆନ୍ଦୋଳନର ନିଆଁ ଚାରିଆଡ଼େ ମାଡ଼ିଯିବା ମଧ୍ୟରେ ଯେଉଁ ମୁଖ୍ୟ ଫରକଟି ରହିଛି ତାହା ହେଲା ଆନ୍ଦୋଳନର ସଂକ୍ରମଣରେ ଇଣ୍ଟରନେଟ୍‌ର ଭୂମିକା। କାରଣ ସୂଚନା ପ୍ରଯୁକ୍ତିର ସବୁଠାରୁ ପ୍ରଭାବଶାଳୀ ଉପଜ ସାମାଜିକ ଗଣମାଧ୍ୟମ ଜରିଆରେ ଆନ୍ଦୋଳନ ଜଙ୍ଗଲୀ ନିଆଁ ଭଳି ବ୍ୟାପି ଯାଉଛି। ପୁଣି ତହିଁରେ ଇନ୍ଧନ ଢାଳିବା ଭଳି ଭୟଙ୍କର ଓ ଭିତ୍ତିହୀନ ଗୁଜବ ପ୍ରସାରଣ ଅନେକ ଦୁଷ୍ଟ ବୁଦ୍ଧି ସଂପନ୍ନ ବ୍ୟକ୍ତିବି‌େଶଷଙ୍କ ଦ୍ବାରା ସାମା‌ଜିକ ଗଣମାଧ୍ୟମ ଜରିଆରେ କରାଯାଉଛି। ସାମାଜିକ ଗଣମାଧ୍ୟମ ଭଳି ଏକ ବଳିଷ୍ଠ ମଞ୍ଚର ଏଭଳି ଦୁରୁପଯୋଗ ନିଶ୍ଚିତ ଭାବେ ଉଦ୍‌ବେଗଜନକ। ତେଣୁ ସରକାର ଏଭଳି ଦୁରୁପଯୋଗର ସମ୍ଭାବନା କଥା କହି ବିଭିନ୍ନ ଉତ୍ତେଜନାପୂର୍ଣ୍ଣ ସମୟରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରାଳୟର ଜଣେ ଅଧିକାରୀ ଏହା ସ୍ବୀକାର ମଧ୍ୟ କରିଛନ୍ତି ଯେ, ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଯିବା ପରେ ହିଁ ‘ସିଏଏ’ ଆନ୍ଦୋଳନର ତୀବ୍ରତା ୫୦% ହ୍ରାସ ପାଇଛି। କିନ୍ତୁ କେତେକ ମହଲ ଏଥିରେ ଅରାଜି। ସେମାନେ କହନ୍ତି ଯେ ଏଭଳି କରି ସରକାର ନାଗରିକମାନଙ୍କ ଅଭିବ୍ୟକ୍ତିର ସ୍ବାଧୀନତା ହନନ କରୁଛନ୍ତି। ସେମାନଙ୍କ ମତରେ ଅଭିବ୍ୟକ୍ତିର ସ୍ବାଧୀନତା ଏକ ମୁକ୍ତ ମଣିଷର ଜନ୍ମଗତ ଅଧିକାର। ସେଥିଲାଗି ଯେତେ ଯାହା ହେଉ ନା କାହିଁକି ସରକାର କୌଣସି ଅଭିବ୍ୟକ୍ତି- ମାଧ୍ୟମର କଣ୍ଠରୋଧ କରିପାରିବେ ନାହିଁ।

ଭାରତରେ ଇଣ୍ଟର୍‌ନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ପରିସଂଖ୍ୟାନ କହେ ଯେ ଭାରତରେ ଅତି କମ୍‌ରେ ୨୦ କୋଟି ଲୋକଙ୍କର ହ୍ବାଟ୍‌ସଆପ୍‌ ଆକାଉଣ୍ଟ ରହିଛି। ପ୍ରାୟ ୫୦ କୋଟି ଲୋକ ଅନ୍‌ଲାଇନ୍‌ରେ ଥାଆନ୍ତି। ‌େସହି ପରିପ୍ରେକ୍ଷୀରେ ‘ଏସ୍‌ଏଲ୍‌ଏଫ୍‌ସି ଡଟ୍‌ ଇନ୍‌’ ଏବଂ ‘ଇଣ୍ଟର୍‌ନେଟ୍‌ ସଟ୍‌ଡାଉନ୍‌ ଡଟ୍‌ କମ୍‌’ ଭଳି ଦୁଇଟି ସଂସ୍ଥାର ରିପୋର୍ଟ ପ୍ରଣିଧାନଯୋଗ୍ୟ। ଏହା ଅନୁସାରେ ୨୦୧୪ ମସିହାରୁ ଆଜି ପର୍ଯ୍ୟନ୍ତ ଦେଶରେ ୩୫୭ ଥର ଇଣ୍ଟର୍‌ନେଟ୍‌ ସେବାକୁ ବନ୍ଦ କରାଯାଇଛି। ୨୦୧୪ରେ ୬ ଥର, ୨୦୧୫ରେ ୧୪ ଥର, ୨୦୧୬ରେ ୩୧ଥର, ୨୦୧୭ରେ ୭୯ ଥର, ୨୦୧୮ରେ ୧୩୪ ଥର ଏବଂ ୨୦୧୯ରେ ୮୩ ଥର ଇଣ୍ଟର୍‌ନେଟ୍‌ ସେବାକୁ ସରକାର ବନ୍ଦ କରିଛନ୍ତି। ଆଉ ଏକ ରିପୋର୍ଟ ଅନୁସାରେ, ଗତ ବର୍ଷ ୧୬,୩୧୫ ଘଣ୍ଟା ଇଣ୍ଟର୍‌ନେଟ୍‌ ବନ୍ଦ ରହିଥିବା ଯୋଗୁ ଦେଶରେ ୩.୦୪ କୋଟି ଟଙ୍କାର ଆର୍ଥିକ କ୍ଷତି ହୋଇଥିଲା। ଜାମ୍ମୁ-କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ପରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କାରଣରୁ ୧୦ ହଜାର କୋଟି ଟଙ୍କ‌ାରୁ ଅଧିକ ଆର୍ଥିକ କ୍ଷତି ଘଟିଥିବା ଆକଳନ କରାଯାଇଛି।

ଏ ପରିପ୍ରେକ୍ଷୀରେ ଗୋଟିଏ ପକ୍ଷର ମତ ଯେ ଆନ୍ଦୋଳନ ସମୟରେ ଆମ ଦେଶରେ ଯେଉଁଭଳି ଭାବେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଯାଉଛି, ତାହା ଅନ୍ୟ ଦେଶରେ ପ୍ରାୟତଃ ଦେଖିବାକୁ ମିଳିନାହିଁ। ହଂକଂରେ ଚାଲିଥିବା ଗଣଆନ୍ଦୋଳନ ସମୟରେ ସେଠାରେ ଇଣ୍ଟର୍‌ନେଟ୍‌ ସେବା ବନ୍ଦ କରାଯାଇନଥିଲା। କାରଣ ଏବେ ଇଣ୍ଟରନେଟ୍ ସେବା ଜୀବନର ପ୍ରତିଟି ଅଂଶକୁ ଅତି ସୂକ୍ଷ୍ମ ଭାବେ ସ୍ପର୍ଶ କରୁଥିବାରୁ ଏହି ସେବାକୁ ବନ୍ଦ କରାଯିବା ପୂର୍ବରୁ ଅନେକ ଥର ଚିନ୍ତା କରାଯିବା ଉଚିତ। ତେବେ, ଉପରୋକ୍ତ ମତର ବିରୋଧୀ କହନ୍ତି ଯେ ଯେଉଁଠାରେ ସ୍ବାଧୀନତାର ଦୁରୁପଯୋଗ କରାଯାଏ ଓ ପରିସ୍ଥିତିକୁ ଭୟାବହ କରିବା ଲାଗି ଜାଣିଶୁଣି କ୍ଷେତ୍ର ପ୍ରସ୍ତୁତ କରାଯାଏ, ସେଠାରେ କିଛି କଠୋର ପଦକ୍ଷେପ ନିଆଯିବା ଅବଧାରିତ ହୋଇପଡ଼େ। ତେଣୁ ଇଣ୍ଟରନେଟ୍‌ ବ୍ୟବହାରକାରୀମାନେ ଏହି ଶକ୍ତିଶାଳୀ ମାଧ୍ୟମର ଦୁରୁପଯୋଗ ନ କଲେ ଏଭଳି ପଦକ୍ଷେପ ନେବା ଦରକାର ପଡ଼ିବ ନାହିଁ। ମୋଟ ଉପରେ କଥା ହେଲା ‘ଡିଜିଟାଲ୍‌ ଇଣ୍ଡିଆ’ର ଯୁଗରେ ଉଭୟ ବ୍ୟବହାରକାରୀ ଓ ସରକାର ଇଣ୍ଟରନେଟ୍ ପରିଚାଳନା ‌ସଂଦର୍ଭରେ ପରିପକ୍ବତା ପ୍ରଦର୍ଶନ କରିବା ଅତ୍ୟନ୍ତ ଆବଶ୍ୟକ।
ଦେଉଳପଡ଼ା, କେନ୍ଦ୍ରାପଡ଼ା
[email protected]

ସମ୍ବନ୍ଧିତ ଖବର