ସ୍ୱାଧୀନତାର ଅମୃତ ମହୋତ୍ସବ

ଦାତ୍ରେୟ ହୋସୱାଲେ

ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶର ପ୍ରତ୍ୟେକ ନାଗରିକ ଉଲ୍ଲସିତ। ସମସ୍ତ ପ୍ରକାର ବାଧାବନ୍ଧନକୁ ଅତିକ୍ରମ କରି ଆମ ଦେଶ ଏହି ୭୫ ବର୍ଷର ଯାତ୍ରା ପୂର୍ଣ୍ଣ କରିଛି। ରୋମାଞ୍ଚିତ କରିବା ଭଳି ଏହି ଯାତ୍ରା। ଦେଶର ୭୫ ବର୍ଷର ଉପଲବ୍ଧି ଓ ଆହ୍ୱାନ ଆମ ସମସ୍ତଙ୍କ ସମ୍ମୁଖରେ। ଗୋଟିଏ ରାଷ୍ଟ୍ର ସ୍ୱାଧୀନ ହେଉ ହେଉ କିପରି ବିଭାଜନ ଭଳି ଦୁର୍ଦ୍ଦିନକୁ ସ୍ୱୀକାର କଲା? ବିଭାଜନ କାରଣରୁ ହୋଇଥିବା ହିଂସାର ଦଂଶନକୁ କିପରି ସହିଗଲା? ପରବର୍ତ୍ତୀ ସମୟରେ ସୀମା ଉପରେ ହୋଇଥିବା ଆକ୍ରମଣକୁ ମୁକାବିଲା କଲା? ହେଲେ ଏହିସବୁ ଆହ୍ୱାନ ଆମ ରାଷ୍ଟ୍ରର ସାମର୍ଥ୍ୟକୁ ହରାଇ ପାରିଲା ନାହିଁ। ରାଷ୍ଟ୍ର ଏହି ଆହ୍ୱାନଗୁଡ଼ିକ ସ୍ୱୀକାର କରିବା ସହିତ ନିଜସ୍ୱ ଗଣତନ୍ତ୍ର ପରମ୍ପରାକୁ ଶକ୍ତିଶାଳୀ କରିଚାଲିଲା। ଆଜି ଆମେ କେବଳ କଳ୍ପନା କରି ପାରିବା ଯେ ଆମ ଦେଶର ନାଗରିକମାନେ ବିଭାଜନର ଦୁଃଖକୁ ସହିବା ପରେ ୧୯୫୨ରେ ଲୋକତନ୍ତ୍ରର ସବୁଠାରୁ ବଡ଼ପର୍ବ ପାଳନ କଲେ ଏବଂ ଦେଶରେ ଲୋକତାନ୍ତ୍ରିକ ସରକାର ସ୍ଥାପନ ହେଲା। ଏହା ଭାରତବାସୀଙ୍କର ସାମର୍ଥ୍ୟ ତଥା ଇଚ୍ଛାଶକ୍ତି କୁହାଯାଇ ପାରେ। ୧୯୪୭ ପରେ ଭାରତ ଠାରୁ ଅଲଗା ରହି ଯାଇଥିବା ରାଜ୍ୟ ଗୋଆ, ଦାଦ୍ରା ଓ ନଗର ହାବେଳି, ହାଇଦ୍ରାବାଦ ଏବଂ ପୁଡୁଚେରୀକୁ ଆମର ଏହି ଭାରତ ଭୂଖଣ୍ଡ ସହ ମିଶାଇବାର ଚେଷ୍ଟା ଜାରି ରହି ପରିଶେଷରେ ନାଗରିକମାନଙ୍କର ପ୍ରଚେଷ୍ଟା ଦ୍ୱାରା ଏହି ଲକ୍ଷ୍ୟ ପ୍ରାପ୍ତ ହେଲା। ଅନେକ ଥର ଏହି ପ୍ରଶ୍ନ ଉଠିଛି ଯେ, ରାଜନୈତିକ ସ୍ୱତନ୍ତ୍ରତା ମିଳିବାର ମାତ୍ର କିଛି ବର୍ଷ ପରେ ଗୋଟିଏ ରାଷ୍ଟ୍ରରେ ଏଭଳି ମିଶ୍ରଣ ଏତେ ଶୀଘ୍ର କିପରି ସମ୍ଭବ ହୋଇ ପାରିଲା? ଏହା ବୁଝିବାକୁ ହେଲେ ଆମକୁ ଭାରତୀୟ ସମାଜକୁ ବୁଝିବାକୁ ହେବ। ଭାରତର ସମାଜ ସବୁପ୍ରକାର ଆକ୍ରମଣକୁ ସହ୍ୟ କରିବା ପରେ ମଧ୍ୟ ନିଜ ଭିତରେ ଥିବା ଏକତାର ସୂତ୍ରକୁ ଭୁଲି ନଥିଲା। ଯଦି ଆମେ ଭାରତର ସ୍ୱତନ୍ତ୍ରତା ସଂଗ୍ରାମକୁ ବୁଝିବାର ପ୍ରୟାସ କରିବା ତାହାହେଲେ ଆମେ ଦେଖିବା, ଏ ସଂଘର୍ଷର ପଦଚିହ୍ନ ନଗର, ଗ୍ରାମ, ଜଙ୍ଗଲ, ପାହାଡ଼ ତଥା ଉପକୂଳ ଅଂଚଳର ପ୍ରତ୍ୟେକ ସ୍ଥାନରେ ରହିଛି। ସାନ୍ତାଳମାନଙ୍କ ବିଦ୍ରୋହ ହେଉ ଅଥବା ଦକ୍ଷିଣରେ ବୀରମାନଙ୍କର ସଶସ୍ତ୍ର ସଂଘର୍ଷ ହେଉ, ସମସ୍ତ ସଂଘର୍ଷରେ ଗୋଟିଏ ପ୍ରକାର ଭାବ ହିଁ ମିଳିବ। ଯେ କୌଣସି ମୂଲ୍ୟ ଦେଇ ସମସ୍ତେ ଚାହୁଥିଲେ ସ୍ୱାଧୀନତା, ସ୍ୱାଧୀନତା କେବଳ ନିଜ ପାଇଁ ନୁହେଁ ବରଂ ସମାଜ ଓ ସଂପୂର୍ଣ୍ଣ ରାଷ୍ଟ୍ର ପାଇଁ।

ସ୍ୱାଧୀନତା ପାଇଁ ଭାରତୀୟ ସମାଜର ବ୍ୟାକୁଳତା ଏତେ ବ୍ୟାପକ ଥିଲା ଯେ ଏଥି ନିମନ୍ତେ ସମସ୍ତ ପ୍ରକାରର ତ୍ୟାଗ ଓ ମାର୍ଗ ଆପଣେଇବା ପାଇଁ ସଂଗ୍ରାମୀମାନେ ପ୍ରସ୍ତୁତ ଥିଲେ। ଏହି କାରଣରୁ ଭାରତର ସ୍ୱତନ୍ତ୍ରତା ପାଇଁ ଲଣ୍ଡନ, ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ ପ୍ରଭୃତି ସ୍ଥାନରେ ମଧ୍ୟ ପ୍ରଚେଷ୍ଟା ହୋଇଥିଲା। ଲଣ୍ଡନ ସ୍ଥିତ ‘ଇଣ୍ଡିଆ ହାଉସ’ ଭାରତୀୟ ସ୍ୱାଧୀନତାର ଏକ ପ୍ରମୁଖ କେନ୍ଦ୍ର ହୋଇଯାଇଥିଲା।

ଭାରତର ସ୍ୱାଧୀନତା ଆନ୍ଦୋଳନ ଏତେ ବ୍ୟାପକ ଥିଲା ଯେ ତାହା ଭୌଗୋଳିକ, ଆର୍ଥିକ ଏବଂ ସାମାଜିକ ବିଭାଜନକୁ ଅତିକ୍ରମ କରି ଭାରତୀୟ ଜନମାନସକୁ ଏକ କରି ଦେଇଥିଲା। ଏଥି ନିମନ୍ତେ କୌଣସି ଜଣଙ୍କର ନାମ ନେବା ଠିକ୍ ହେବ ନାହିଁ। କାରଣ ଭାରତର ସ୍ୱାଧୀନତା ଆନ୍ଦୋଳନରେ ଅନେକ ବ୍ୟକ୍ତି ନିଜ ପ୍ରାଣର ଆହୂତି ଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆମେ କିଛି ବ୍ୟକ୍ତିଙ୍କ ନାମ ଜାଣୁ ଏବଂ କିଛି ନାମ ଜାଣୁ ନାହୁଁ। ଏହା ଏପରି ଏକ ଆନ୍ଦୋଳନ ଥିଲା; ଯାହାର ଅସଂଖ୍ୟ ନାୟକ ଥିଲେ। କିନ୍ତୁ ସମସ୍ତ ନାୟକଙ୍କର ଲକ୍ଷ୍ୟ ଥିଲା ଏକ। ଏହାହିଁ ଥିଲା ସ୍ୱାଧୀନତା ପରେ ଦେଶକୁ ପରମବୈଭବ ଆଡ଼କୁ ନେଇଯିବାର ଜନତାଙ୍କ ମନର ଇଚ୍ଛା ଏବଂ ଏହା କୌଣସି ରାଜନୈତିକ ନେତୃତ୍ୱ ଉପରେ ନିର୍ଭରଶୀଳ ନଥିଲା। ଏଥିପାଇଁ ଜରୁରୀକାଳୀନ ପରିସ୍ଥିତି ସମୟରେ ଦେଶର ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ଯେତେବେଳେ ଶକ୍ତ ଆଘାତ ଲାଗିଥିଲା, ସେତେବେଳେ ଦେଶର ଜନତା ସେହି ଆହ୍ୱାନକୁ ସ୍ୱୀକାର କଲେ ଏବଂ ସ୍ୱୟଂ ସଂଘର୍ଷ କରିଥିଲେ।

ଏବେ ଯେତେବେଳେ ଆମ ସ୍ୱାଧୀନତାକୁ ୭୫ ବର୍ଷ ପୂର୍ଣ୍ଣ ହେବାକୁ ଯାଉଛି, ଏହା ଆମକୁ ବିଚାର କରିବାକୁ ହେବ ଯେ ସ୍ୱାଧୀନତାର ଶତାବ୍ଦୀ ପୂରଣ ପର୍ଯ୍ୟନ୍ତ ଆମର ଲକ୍ଷ୍ୟ କ’ଣ ରହିବା ଉଚିତ? ଆଜି ଯେତେବେଳେ ସଂପୂର୍ଣ୍ଣ ବିଶ୍ୱ କରୋନା ମହାମାରୀ ଓ ବୈଶ୍ୱିକ ଅସ୍ଥିରତା ମଧ୍ୟ ଦେଇ ଗତି କରୁଛି, ସେ ସମୟରେ ଏକ ରାଷ୍ଟ୍ର ଭାବରେ ଆମର ଲକ୍ଷ୍ୟ କ’ଣ ହେବା ଉଚିତ? ଏଥିରେ କୌଣସି ସନ୍ଦେହ ନାହିଁ ଯେ ବିଗତ ଦଶନ୍ଧି ଭାରତ ପାଇଁ ଅନେକ ଉପଲବ୍ଧିରେ ଭରପୂର ଥିଲା। ଭାରତୀୟ ନାଗରିକଙ୍କୁ ମୌଳିକ ସୁବିଧା ଉପଲବ୍ଧ କରାଇବାର ବିଷୟ, ଯଥା: ସ୍ୱାସ୍ଥ୍ୟ, ବାସଗୃହ, ଆର୍ଥିକ ସ୍ୱଚ୍ଛଳତା ଆଦି ବିଷୟରୁ ପରିଲକ୍ଷିତ ହୁଏ ଯେ ଭାରତୀୟ ସମାଜ ଏବଂ ନାଗରିକ ଧୀରେ ଧୀରେ ସଶକ୍ତ ହେଉଛନ୍ତି। ଭାରତର ମେଧାଶକ୍ତିର ପ୍ରଭାବ କାରଣରୁ କରୋନା ସଂକଟ କାଳରେ ସବୁଠାରୁ କମ୍ ସମୟରେ ସବୁଠାରୁ ଶସ୍ତା ଓ ସୁରକ୍ଷିତ ଟିକା ନିର୍ମାଣ ହୋଇପାରିଲା, ଯାହା ସଂପୂର୍ଣ୍ଣ ବିଶ୍ୱକୁ ସହଯୋଗ କରିବା ସହିତ କୋଟି କୋଟି ଜୀବନ ରକ୍ଷା କରିପାରିଛି।

ଏସବୁ ପରେ ମଧ୍ୟ ଭାରତୀୟ ସମାଜ ଓ ଏକ ରାଷ୍ଟ୍ର ଭାବରେ ଆମକୁ କେବଳ ଯେ ଆନ୍ତରିକ ଏବଂ ବାହ୍ୟ ସଂକଟର ସାମନା କରିବାକୁ ହେବ ତାହା ନୁହେଁ, ବରଂ ତାହାର ସମାଧାନର ବାଟ ମଧ୍ୟ ଖୋଜିବାକୁ ହେବ। ସମରସତା ପାଇଁ ଏବେ ମଧ୍ୟ ଭାରତକୁ ଆହୁରି ପ୍ରୟାସ କରିବାକୁ ହେବ, କାରଣ ସମାଜ ଯେତିକି ସମରସ ହେବ ସେତିକି ସଶକ୍ତ ହେବ। ତେଣୁ ଏଥି ନିମନ୍ତେ ଆହୁରି ମଧ୍ୟ କାର୍ଯ୍ୟ କରିବାର ଆବଶ୍ୟକତା ଅଛି। ଆଜି ଭାରତୀୟ ଅର୍ଥ ବ୍ୟବସ୍ଥା ସମସ୍ତ ସଙ୍କଟ ସତ୍ତ୍ବେ ଆଗକୁ ମାଡ଼ିଚାଲିଛି। କିନ୍ତୁ ଭାରତରେ ବଢୁଥିବା ଲୋକସଂଖ୍ୟାର ଆକାଂକ୍ଷାକୁ ପୂରଣ କରିବା ପାଇଁ ଏହାକୁ ଅଧିକ କ୍ଷିପ୍ର ଗତିରେ ବିକଶିତ କରିବାକୁ ହେବ। ଏଥିପାଇଁ ଆମକୁ ଭାରତୀୟ ଉଦ୍ୟୋଗ ଏବଂ ଉପକ୍ରମ ଗୁଡ଼ିକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଅଛି। ଏହା ବ୍ୟତିରେକେ ଭାରତର ନିଯୁକ୍ତି ସମସ୍ୟାର ସମାଧାନ ହୋଇପାରିବ ନାହିଁ। ପ୍ରକୃତ ପକ୍ଷେ ଭାରତ ତେବେ ଯାଇ ସଶକ୍ତ ହେବ ଯେବେ ଏହା ସ୍ୱାବଲମ୍ବୀ ହେବ।

ଆଜି ଯେତେବେଳେ ଭାରତର ସ୍ୱାଧୀନତାକୁ ୭୫ ବର୍ଷ ପୂର୍ଣ୍ଣ ହେଉଛି, ସେତେବେଳେ ଆମକୁ ବିଚାର କରିବାକୁ ହେବ ଯେ ଭାରତର ନୀତି ପ୍ରତିଷ୍ଠାନ ଆମର ଆଶା ଓ ଆକାଂକ୍ଷା ଅନୁରୂପ ରହିଛି କି? ଯଦି ନାହିଁ ତାହାହେଲେ ଏଥିରେ କି ପ୍ରକାର ପରିବର୍ତ୍ତନ କରାଯାଇପାରେ ତାହା ଉପରେ ମଧ୍ୟ ବିଚାର କରିବାର ଆବଶ୍ୟକତା ରହିଛି। ନ୍ୟାୟିକ ବ୍ୟବସ୍ଥା ହେଉ ଅଥବା ରାଜନୈତିକ ବ୍ୟବସ୍ଥା ହେଉ, ଏପରି ଅନେକ ବ୍ୟବସ୍ଥା ରହିଛି ଯହିଁରେ ଜଣେ ସାଧାରଣ ବ୍ୟକ୍ତି ଆଜି ନିଜକୁ ଅସହାୟ ଓ ସାମର୍ଥ୍ୟହୀନ ମନେକରେ। ଏହା ଏକ ସାଧାରଣ ବ୍ୟକ୍ତି ପାଇଁ କିପରି ସହଜ ଓ ସୁଲଭ ହୋଇପାରିବ ତାହା ଉପରେ ବିଚାର କରିବାର ଆବଶ୍ୟକତା ଅଛି।

ଭାରତ ତେବେ ଯାଇ ବୈଶ୍ୱିକ ଆହ୍ୱାନର ମୁକାବିଲା କରିପାରିବ ଯେବେ ଏହାର ଆନ୍ତରିକ ବ୍ୟବସ୍ଥା ସୁଦୃଢ଼ ହେବ। ଏହି ଆନ୍ତରିକ ବ୍ୟବସ୍ଥା କେବଳ ଆର୍ଥିକ ବା ସାମାଜିକ ସଶକ୍ତୀକରଣ ଉପରେ ନିର୍ଭରଶୀଳ ନୁହେଁ। ଭାରତର ଆନ୍ତରିକ ବ୍ୟବସ୍ଥାର ସମାଧାନ ଆର୍ଥିକ ଓ ସାମାଜିକ ଉଭୟ ଆହ୍ୱାନର ସମାଧାନରେ ନିହିତ।

ସରକାର୍ଯ୍ୟବାହ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ

ସମ୍ବନ୍ଧିତ ଖବର