ଆୟୁର୍ବେଦ ଶାସ୍ତ୍ର ଅତ୍ୟନ୍ତ ପ୍ରାଚୀନ ତଥା ଅଥର୍ବ ବେଦର ଉପବେଦ ବା ପଂଚମ ବେଦ ରୂପେ ପ୍ରଚଳିତ। ଭଗବାନ ଧନ୍ବନ୍ତରୀଙ୍କୁ ଏହି ପୃଥିବୀ ପୃଷ୍ଠରେ ଆୟୁର୍ବେଦ ସ୍ବାସ୍ଥ୍ୟରକ୍ଷା ବିଜ୍ଞାନର ପ୍ରବର୍ତ୍ତକ ରୂପେ ପୂଜା କରାଯାଏ, ଯାହାକି କାର୍ତ୍ତିକ ମାସ କୃଷ୍ଣପକ୍ଷ ତ୍ରୟୋଦଶ ତିଥିରେ ଆସିଥାଏ ତେବେ ଏହାକୁ ସାମାନ୍ୟ ଅପଭ୍ରଂଶ କରି ସମାଜରେ ଧନ୍‌ତେରସ୍ ନାମରେ ପାଳନ କରନ୍ତି ଓ ସ୍ବର୍ଣ୍ଣାଦି ଆଭୂଷଣ କିଣିବାର ପ୍ରଥା ପାଳନ୍ତି।

Advertisment

ସାଗରଜଂ ବିଷ୍ଣୁରୂପଂ ଅମୃତ କଳସ ହସ୍ତମ୍।
ସର୍ବରୋଗହରଂ ଦେବଂ ଧନ୍ବନ୍ତର୍ଯ୍ୟ ନମୋ ନମଃ।
ବିଭିନ୍ନ ପୁରାଣଶାସ୍ତ୍ରରେ ବିଷ୍ଣୁଙ୍କର ଅବତାର ତଥା ସମୁଦ୍ର ମନ୍ଥନରୁ ଅାବିର୍ଭାବ ହୋଇଥିବାର ବର୍ଣ୍ଣନା ମିଳେ। ଏହି ଦିବସକୁ ମଧ୍ୟ ଭାରତ ସରକାର ଆୟୁର୍ବେଦ ଦିବସ ରୂପେ ସମାଜରେ ଆମର ପାରମ୍ପରିକ ଚିକିତ୍ସା ପଦ୍ଧତିକୁ ଉଜ୍ଜିବୀତ କରିବା ପାଇଁ ଘୋଷଣା କରିଛନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ବିଶ୍ବବାସୀଙ୍କ ଉଦ୍ଦେଶ୍ୟରେ ଆୟୁର୍ବେଦରେ ଥିବା ଗହନ ସ୍ବାସ୍ଥ୍ୟରକ୍ଷା ବିଧିଗୁଡିକୁ ଫେରାଇ ଆଣିବା। ଏହାସହିତ ସାମାଜିକ ସ୍ବାସ୍ଥ୍ୟ ସହିତ ବ୍ୟକ୍ତିଗତ ସ୍ବାସ୍ଥ୍ୟ, ଆଧ୍ୟାତ୍ମିକ ସ୍ବାସ୍ଥ୍ୟ, ଶାରୀରିକ, ମାନସିକ କ୍ଷେତ୍ରରେ ସୁସ୍ଥରହିବା।

ମନୁଷ୍ୟ ଜୀବନ କେବଳ ସଂପଦ ଓ ଆୟୁରେ ସିମୀତ ନୁହେଁ, ବରଂ ଏହି ଆୟୁ କିପରି ସୁଖ ଓ ଆରୋଗ୍ୟଦାୟକ ହୋଇପାରିବ ତଥା ଅନ୍ୟ ସମସ୍ତ ପ୍ରାଣୀର ହିତ, ଧର୍ମପରାୟଣ, ପୂଜ୍ୟପୂଜା ସଂପାଦନ, ସଦ୍‌ବୁଦ୍ଧି ସଂପନ୍ନ ସହିତ ସମାଜର କଲ୍ୟାଣ ସାଧନ କରିପାରିବ ଏହା ହିଁ ଆୟୁର୍ବେଦ ଶାସ୍ତ୍ରର ଉଦ୍ଦେଶ୍ୟ। ଏ ବର୍ଷ ସ୍ବାଧୀନତାର ଅମୃତ ମହୋତ୍ସବ ଉପଲକ୍ଷେ ପ୍ରତ୍ୟେକ ଘରେ ଘରେ ଆୟୁର୍ବେଦ କିପରି ବ୍ୟବହାରିକତାର ମହତ୍ବକୁ ନେଇ ଭାରତ ସରକାର ବିଭିନ୍ନ ଯୋଜନାମାନ ଆରମ୍ଭ କରିଛନ୍ତି। ଯେଉଁଥିରେ ମୁଖ୍ୟତଃ ହିତକର ଆହାର ପଦ୍ଧତିକୁ ବିଶେଷ ଗୁରୁତ୍ବ ଦିଆଯାଇଅଛି।

ଆସନ୍ତୁ ଏହି ପବିତ୍ର ଧନ୍ବନ୍ତରୀ ଦିବସରେ ଆମେ କିପରି ଏହି ଆୟୁର୍ବେଦର ଅମୃତତୁଲ୍ୟ ଗୁଳ୍ମଲତାକୁ ଚିହ୍ନିବା, ଘରବାଡ଼ି ଅଗଣା, ରାସ୍ତା, ମନ୍ଦିର ପାର୍ଶ୍ବରେ ଲଗେଇ ଏହାର ଉପକାରିତାକୁ ନିଜେ ବ୍ୟବହାର କରି ସମାଜରେ ଅନ୍ୟମାନଙ୍କୁ ନିରୋଗ ରଖିବାରେ ଆରୋଗ୍ୟ ମନ୍ତ୍ର ପ୍ରଚାର କରିବା।
ହିତୈଷୀଣଃ ଭବନ୍ତୁ ନିରାମୟାଃ

ରାଜବୈଦ୍ୟ ପ୍ରଫେସର ଗୋପାଳ ଚନ୍ଦ୍ର ନନ୍ଦ,
ଦିବ୍ୟବିହାର, ଭୁବନେଶ୍ବର
ମୋ: ୯୪୩୭୨୭୮୫୧୧