ଚାହୁଁ ଚାହୁଁ ଦୁଇ ବର୍ଷ ବିତିଗଲା; ମାତ୍ର ବିଶ୍ୱାସ ହେଉନାହିଁ ଯେ ପରମ ପୂଜନୀୟ ଭାଇ ବିଜୟ କୁମାର ପଟ୍ଟନାୟକ ଆଉ ଆମ ଗହଣରେ ନାହାନ୍ତି। ତାଙ୍କ ସହିତ ବିତେଇଥିବା ପ୍ରତିଟି ମୁହୂର୍ତ୍ତ ମୋର ମନକୁ ଆନ୍ଦୋଳିତ କରୁଛି। ଅବିଭକ୍ତ କଟକ ଜିଲ୍ଲା (ବର୍ତ୍ତମାନର ଜଗତସିଂହପୁର ଜିଲ୍ଲା)ର ଟିଟିଙ୍ଗା ଗ୍ରାମରେ ୧୯୫୮ ମସିହା ନଭେମ୍ବର ମାସ ୧୯ ତାରିଖରେ ପିତା ଧ୍ରୁବ ଚରଣ ପଟ୍ଟନାୟକ ଓ ମାତା ପ୍ରତିଭା ପଟ୍ଟନାୟକଙ୍କ ଔରସରୁ ଜନ୍ମ ନେଇଥିଲେ ବିଜୟ। ତୁଳସୀ ଦୁଇ ପତ୍ରରୁ ବାସିଲା ପରି ତାଙ୍କର ସୁଗୁଣ ପିଲାବେଳୁ ପରିସ୍ଫୁଟ ହୋଇଥିଲା। ଛୋଟବେଳୁ ସେ ବହୁତ ପରୋପକାରୀ ଥିଲେ। ଘରୁ ଚାଉଳ, ସୁନା, ରୁପା ଆଦି ଜିନିଷ ଲୁଚାଇ ନେଇ ଦୁଃଖୀ ଲୋକଙ୍କୁ ଦେଇ ଦେଉଥିଲେ। ଥରେ ଗୋଟିଏ ଗରିବ ଲୋକର ଘର ପାଇଁ ଇଟା ଦରକାର ଥିବାରୁ ଏବଂ ସେ ଘର କରିପାରୁନଥିବାରୁ ମୋର ଜେଜେବାପା ପକାଇଥିବା ଇଟାଭାଟିରୁ ତିନି ଶଗଡ଼ ଇଟା ନେଇ ସେ ଲୋକଟିକୁ ଦେଇଥିଲେ, ଯାହା ପାଇଁ ଜେଜେବାପାଙ୍କ ଠାରୁ ସେ ଗାଳି ଓ ମାଡ଼ ମଧ୍ୟ ଖାଇଥିଲେ। ତାଙ୍କର ଏଇ ପରୋପକାର ଗୁଣ ସେ ମୃତ୍ୟୁ ପର୍ଯ୍ୟନ୍ତ ବଜାୟ ରଖିଥିଲେ। ତାଙ୍କର ଏହି ଗୁଣ କର୍ମକ୍ଷେତ୍ର, ସାମାଜିକ କ୍ଷେତ୍ର ଏବଂ ଧର୍ମୀୟ କ୍ଷେତ୍ରରେ ମଧ୍ୟ ପ୍ରତିଫଳିତ ହୋଇଛି।

Advertisment

ସେ ଏପରି ଜଣେ ବ୍ୟକ୍ତି ଥିଲେ ଯାହାର ଜାତକରେ ପରାଜୟ ନ ଥିଲା। ସେ ଯେଉଁ କାର୍ଯ୍ୟରେ ହାତ ମାରୁଥିଲେ ତାହା ସୁନା ପାଲଟି ଯାଉଥିଲା। ସେଇଥିପାଇଁ ବୋଧେ ତାଙ୍କର ନାମ ବିଜୟ। ଦୈନିକ ଓଡ଼ିଆ ଖବରକାଗଜ ‘ସମ୍ବାଦ’କୁ ଏକ ନମ୍ବର ଖବରକାଗଜର ମାନ୍ୟତା ଦେବା, ବିଭିନ୍ନ ଧର୍ମାନୁଷ୍ଠାନ ଯଥା- ଶ୍ରୀ ଶ୍ରୀ ସଙ୍କଟ ମୋଚନ ହନୁମାନ ମନ୍ଦିର, ଗଣେଶ ମନ୍ଦିର, ଗ୍ରାମଦେବତୀ, ଭାଗବତ ଟୁଙ୍ଗୀ ଆଦି ଅନେକ ମନ୍ଦିରର ନିର୍ମାଣ କାର୍ଯ୍ୟରେ ସାହାଯ୍ୟ କରିବା, ଗ୍ରାମ୍ୟ ରାସ୍ତାର ଉନ୍ନତୀକରଣ ଲାଗି ସାହାଯ୍ୟ କରିବା, ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରିବାରେ ସାହାଯ୍ୟ କରିବା, ଗରିବ ଏବଂ ସହକର୍ମୀଙ୍କ ଦୁଃଖରେ ସୁଖରେ ତାଙ୍କ ପାଖରେ ଛିଡ଼ାହେବା ତାଙ୍କର ନିତିଦିନିଆ କାର୍ଯ୍ୟକ୍ରମ ପାଲଟି ଯାଇଥିଲା। ବିଜୟ ପଟ୍ଟନାୟକ ଜଣେ ବ୍ୟକ୍ତି ନଥିଲେ, ଥିଲେ ଜଣେ ଅନୁଷ୍ଠାନ। ସେ ଥିଲେ ଗ୍ରାମରୁ ସହର ଯାଏଁ ଅନେକ ଲୋକଙ୍କର ଆଶା ଓ ଭରସା। ଅନେକ ବ୍ୟକ୍ତି ତାଙ୍କର ଉଦାର ମନୋଭାବ, ମାନବିକତା, କର୍ତବ୍ୟନିଷ୍ଠା ଏବଂ ଆଦର୍ଶକୁ ମୁକ୍ତ କଣ୍ଠରେ ସ୍ୱୀକାର କରିଛନ୍ତି।

ବିଜୟ ପଟ୍ଟନାୟକଙ୍କ ଦେହାବସାନ ଅବସରରେ ଲେଖିଥିବା କିଛି ବିଶିଷ୍ଟ ବ୍ୟକ୍ତିଙ୍କର ଆଲେଖ୍ୟରୁ ଦୁଇପଦ ଏଠାରେ ଉଲ୍ଲେଖଯୋଗ୍ୟ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସହଧର୍ମିଣୀ ଶ୍ରୀମତୀ ଜୟନ୍ତୀ ପଟ୍ଟନାୟକ ତାଙ୍କର ସ୍ମୃତିଚାରଣ କରି ଲେଖିଥିଲେ, “ବିଜୟ ବାବୁ ଜଣେ ସଫଳ ବ୍ୟକ୍ତିତ୍ୱ ଓ ଆଦର୍ଶ ମାର୍ଗଦର୍ଶକ ଥିଲେ। ତାଙ୍କର କର୍ତବ୍ୟପରାୟଣତା, ନିଃସ୍ୱାର୍ଥପରତା ଓ ସରଳତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ। ତାଙ୍କ ପରିଶ୍ରମ, ନିଷ୍ଠା ଓ ତ୍ୟାଗ ଯୋଗୁ ‘ସମ୍ବାଦ’ ସାମ୍ବାଦିକତା କ୍ଷେତ୍ରରେ ଶୀର୍ଷ ସ୍ଥାନ ଅଧିକାର କରିଛି। ସେ ଦରିଦ୍ର ଜନତାଙ୍କ ପ୍ରକୃତ ବନ୍ଧୁ ପାଲଟି ଥିଲେ। ମୋର ସ୍ୱାମୀ ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକ ଓ ଜ୍ୱାଇଁ ସୌମ୍ୟରଂଜନ ପଟ୍ଟନାୟକଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲା। ସଂକୀର୍ଣ୍ଣତା ତାଙ୍କୁ ଛୁଇଁପାରିନଥିଲା।”

‘ସମ୍ବାଦ’ର ସଂପାଦକ ଶ୍ରୀ ସୌମ୍ୟରଂଜନ ପଟ୍ଟନାୟକ ଲେଖିଥିଲେ, “ବିଜୟ ବାବୁ ଓଡ଼ିଶାର ଜଣେ ଅଦ୍ଭୁତ ସଫଳ କାହାଣୀର ନାୟକ ଥିଲେ। ତାଙ୍କର ଜୀବନ ସଫଳତାର ଭିନ୍ନ ଏକ ପରିଭାଷା ଥିଲା କହିଲେ ଅତ୍ୟୁକ୍ତି ହେବନାହିଁ। ‘ସମ୍ବାଦ’ ପରିବାରର ସେ ପ୍ରଥମ ସହଯୋଗୀ ମଧ୍ୟ ଥିଲେ। ତାଙ୍କ ପରି ଜଣେ ସହଯୋଗୀ ଓ ସହକମୀ ଭାଗ୍ୟରେ ଥିଲେ ମିଳେ। ତାଙ୍କ ଚାଲିଯିବାଟାକୁ ମୁଁ କିପରି ଗ୍ରହଣ କରିବି ଜାଣିପାରୁନାହିଁ। ମନେ ହେଉଛି, ସତେ ଯେମିତି ମୋର ଡାହାଣ ହାତ କଟିଯାଇଛି।”

‘ସମ୍ବାଦ’ର ଫିଚର ସମ୍ପାଦକ ତଥା ବିଶିଷ୍ଟ ସାହିତ୍ୟିକ ଗୌରହରି ଦାସଙ୍କ ଭାଷାରେ, “ସମ୍ବାଦର ପାଠକ-ପାଠିକାଙ୍କ ପାଇଁ ସେ ଥିଲେ ପ୍ରକାଶକ ବିଜୟ କୁମାର ପଟ୍ଟନାୟକ, ‘ସମ୍ବାଦ’ର ଅଧ୍ୟକ୍ଷଙ୍କ ପାଇଁ କ୍ରାଇସିସ୍ ମ୍ୟାନେଜର, ହଜାର ହଜାର ପରିଚିତଙ୍କ ପାଇଁ ବିପଦ ବେଳର ବନ୍ଧୁ ଏବଂ ନିଜ ପରିବାର ପାଇଁ ଅତି ଆଦରର ଅଭିଭାବକ। କୌଣସି ମଣିଷ ମୃତ୍ୟୁକୁ ଆଡ଼େଇ ପାରି ନାହାନ୍ତି ଏହା ହିଁ ବନ୍ଧୁ ବିୟୋଗ ଜନିତ କଷ୍ଟକୁ ବରଦାସ୍ତ କରିବାର ବଡ଼ ଅବଲମ୍ବନ; ମାତ୍ର ବିଜୟ ବାବୁ ଜନ୍ମରୁ ବିଜୟ, ତାଙ୍କର ମୃତ୍ୟୁ ନାହିଁ।”

‘ସୋଆ’ର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ ତାଙ୍କ ଆଲେଖ୍ୟରେ ଉଲ୍ଲେଖ କରିଥିଲେ, “ବିଜୟ ଭାଇ, ଜଣେ ସଚ୍ଚା ହୃଦୟର ମଣିଷ ଥିଲେ। ସଂସାରରେ ଭଲ ଲୋକମାନେ ହିଁ ଏମିତି ସ୍ୱଳ୍ପାୟୁ। ସେମାନେ ଏମିତି ଭାବେ ସଂସାରରୁ ବିଦାୟ ନେଇଥାନ୍ତି। କିନ୍ତୁ ସେମାନଙ୍କର କର୍ମ ହିଁ ସେମାନଙ୍କୁ ଆମମାନଙ୍କ ନିକଟରେ ସବୁଦିନ ପାଇଁ ଅମର କରି ରଖିଥାଏ। ବିଜୟ ଭାଇ ଏହାର ଏକ ନିଚ୍ଛକ ଉଦାହରଣ।”

ବରିଷ୍ଠ ସାମ୍ବାଦିକ ଏବଂ ରାଜନୀତିଜ୍ଞ ଗୌତମବୁଦ୍ଧ ଦାସ ଲେଖିଥିଲେ, “ଦୀର୍ଘ ୩୬ ବର୍ଷ ଧରି ‘ସମ୍ବାଦ’ ରୂପକ ମନ୍ଦିରର ପତିତପାବନ ବାନା ସାଜି ବିଜୟ ପଟ୍ଟନାୟକ ସମ୍ପାଦକଙ୍କଠୁ ନେଇ, ସବୁ ବରିଷ୍ଠ ଅଧିକାରୀ ଓ ଶହ ଶହ କର୍ମଚାରୀଙ୍କ ହୃଦୟ ସହିତ ଏମିତି ଭାବେ ‘ଭାବ’ର ଡୋରି ଯୋଡ଼ିଛନ୍ତି ଯେ ତାହା ସହଜରେ ଫିଟିବ ନାହିଁ। ସେଭଳି ଜଣେ ପରମ ସହୃଦ୍ ଅଜାତଶତ୍ରୁ ଆଜି ସ୍ୱଶରୀରେ ନ ଥିଲେ କ’ଣ ହେଲା, ସମ୍ବାଦ ଥିବାଯାଏ ବିଜୟଙ୍କ ବିଜୟ ବାନା ଫରଫର ହୋଇ ଉଡ଼ୁଥିବ।”

ଉପରୋକ୍ତ ଆଲେଖ୍ୟ ତଥା ତାଙ୍କର କର୍ତ୍ତବ୍ୟପରାୟଣତା, କଠିନ ପରିଶ୍ରମ, ସାଙ୍ଗଠନିକ ଦକ୍ଷତା, ଧର୍ମୀୟଭାବନା, ସ୍ନେହ, ଶ୍ରଦ୍ଧା, ତ୍ୟାଗ, ନିଷ୍ଠା, ସମାଜସେବା ଓ ମାର୍ଗଦର୍ଶନ ସର୍ବଦା ତାଙ୍କୁ ଅପରାଜେୟ କରି ରଖିଛି। ପିତାମାତା ଦେଇଥିବା ନାମକୁ ସେ ଯଥାର୍ଥରେ ସାର୍ଥକ କରିଛନ୍ତି।

ମୋ: ୯୪୩୭୦୮୧୪୪୭